-ଏଥର କାର୍ତ୍ତିକ ପରେ ଏଇ ଅଁଳାଗଛକୁ କାଟିଦେବି ।”
ଗାଁଘର ଅଗଣାରେ ଥିବା ବଡ ଅଁଳାଗଛକୁ ଏକ ଲୟରେ ଦେଖୁଥିଲା ବେଳେ ଅଜିତ’ର ମନେ ପଡୁଥିଲା ଅନେକବର୍ଷ ତଳେ ବାପା କହିଥିବା ଏଇ କଥାପଦକ। ଗଛଟା ଯୋଗୁଁ ଘର ଅଗଣାରେ ଅଧିକ ଛାଇ ହୋଇ ଭଲରେ ଆଲୁଅ ପଡୁନି ବୋଲି ତଥା ଏତେ ବଡ ଗଛରେ ଅଁଳା କୋଳି ଫଳୁନି ବୋଲି ରମେଶ ବାବୁ କୁହନ୍ତି,-ଏମିତିକା ଆଫଳନ୍ତି ଗଛଟା ଘର ଅଗଣାରେ ରହିବା ଭଲ ନୁହେଁ।”
ବୋଉ ଚିଡେ,ଓ ଠାକୁର ଘରେ ପୂଜା କରୁଥିବା ଜେଜେମାଙ୍କୁ ଦେଖାଇ ବାପାଙ୍କୁ ତାଗିଦ କଲା ଭଳି କୁହେ,
-ବୋଉ ପରା ହବିଷ କରିବେ।ଅଁଳା ଗଛ ପାଇଁ କୁଆଡ଼େ ଯିବେ ?ଅଁଳା କୋଳି ଫଳିଲେ,ସେଥିରେ ମୁଁ ଆଚାର ଓ ମୁରବ୍ବା କରିବି ।”
ଅଜିତ ଦେଖେ ବାପା ଏକ ତାତ୍ସଲ୍ୟଭରା ହସ ହସି କୁହନ୍ତି,
-ଫଳିଲେ ସିନା ଆଚାର କିମ୍ବା ମୁରବ୍ବା କରିବ।ଏ ଗଛରେ କେବଳ ଡାଳ ପତ୍ର,
ଶାଶୁ ବୋହୁ ଦୁହେଁ ଏ ଗଛ ପତ୍ର କୁ ଶାଗ କରି ଖାଉନ ?”
ଜେଜେମା ବି ବିରକ୍ତ ହୋଇ କୁହେ,ସେ ଗଛ ପବିତ୍ର ଗଛ।ଏବେ ନହେଲେ କେବେ ତ ଫଳିବ।କାର୍ତ୍ତିକମାସରେ ଏଇ ଗଛର ମହାତ୍ମ୍ୟ ଅଧିକ। ବଡ ହେଲା ପରେ ବୁଦ୍ଧି ସବୁ ପୋଡିକି ଖାଉଛୁ।ଏ ଗଛରେ ଠାକୁର ବିରାଜମାନ କରନ୍ତି।ଭକ୍ତିଭାବ ନେଇ ନିଷ୍ଠାର ସହ ଅଁଳା ଗଛ ପୂଜା କରି ମାନସିକ କଲେ, ତାହା ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ। “ବାପା ଚୁପ ହୋଇ ଯାଆନ୍ତି। ଏଇ ଗଛଟିକୁ କାଳେ ଜେଜେମା,ପୁରୀରୁ ଆଣି ଲଗାଇ ଥିଲା।ଗଛଟା ବଡ ହୋଇ ଝଙ୍କାଳିଆ ହୋଇ ବଢ଼ି ଯାଇଥିଲା।
ଅଜିତର ମନେ ପଡୁଥିଲା,ପ୍ରତିବର୍ଷ ହବିଷ କରୁଥିବା ଜେଜେମା ଭୋରୁ ଉଠି,ପୋଖରୀରେ ଗାଧେଇକି ଆସିଲାବେଳକୁ ବୋଉ ଆଗେ ଗାଧେଇ ପଡ଼ି,ଠାକୁର ବାସନତକ ମାଜି,ଚଉରା ଓ ଏଇ ଅଁଳାଗଛ ମୂଳେ ମୁରୁଜ ପକାଇ ସାରିଥାଏ। କାର୍ତ୍ତିକମାସ ଆସିବା ପୂର୍ବରୁ ଖଟ ତଳେ ଥୁଆ ହୋଇଥିବା ଗୋଟେ ବଡ ଟ୍ରଙ୍କ କଢ଼ା ହୋଇ ବାହାରକୁ ଆସେ।
ବାପାଙ୍କ ଭାଷାରେ ଏହା କାଳେ “କାର୍ତ୍ତିକ ପେଡ଼ି”।ସେଥିରେ ଥିବା ବାସନ କୁସନ ରେ ହିଁ ହବିଷରନ୍ଧା ହୁଏ ,ତଥା କଂସା,ପିତ୍ତଳ, ପଥୁରି ଇତ୍ୟାଦି ପୂଜା ସାମଗ୍ରୀ ଅଲଗା ହୋଇ ସାଇତା ହୋଇଥାଏ।ଏସବୁ ଜିନିଷ କାଳେ ଜେଜେମା’ର ଅମୂଲ୍ୟ ସମ୍ପତ୍ତି ଓ ତା ଅନ୍ତେ ଏସବୁର ମାଲିକାଣୀ ତା ବୋହୁ ହେବ ବୋଲି ହସି ହସି କୁହେ ଜେଜେମା।ବୋଉ ଆଖି ଛଳ ଛଳ କରି ଅଭିମାନ ଭରା କଣ୍ଠରେ କୁହେ,
-ଏମିତିକା ଅମଙ୍ଗଳିଆ କଥା ଆପଣ କାହିଁକି ମୁହଁରେ ଧରୁଛନ୍ତି ବୋଉ ?”
ଜେଜେମା ଆକାଶକୁ ଅନାଇ କୁହେ,
-ତୋ ଶଶୁର ମୋ ବାଟ ଚାହିଁ ବସିଛି ପରା।ହେଲେ ଏ କାର୍ତ୍ତିକ ବ୍ରତ ପରା ଆମ ପରମ୍ପରା।ୟାକୁ ଆମେ ବଞ୍ଚେଇକି ରଖିଲେ,ଆମ ପିଲେ କେମିତି ଶିଖିବେ?” ଜେଜେମା ର କାର୍ତ୍ତିକ ସମ୍ପତ୍ତି ସବୁ ଧୁଆ ଧୁଇ ମଜାମଜି କରି ରଖେ ବୋଉ ଓ କାର୍ତ୍ତିକ ସରିଲେ,ସବୁ ଜିନିଷ ପୁଣି ସେଇ ଟ୍ରଙ୍କ ରେ ପଶେ। ଆଉ ଅଁଳା ନବମୀଦିନ ହବିଷ ରନ୍ଧା ଏଇ ଗଛ ମୂଳରେ ହିଁ ହୁଏ।ହବିଷ ପାଳୁ ଥିବା ସାହିର ବୁଢ଼ୀମାନେ ବି ରାଧା ଦାମୋଦରପୂଜା ପାଇଁ ଘରକୁ ଆସନ୍ତି।
ଗାଁ ପୁରୋହିତ, ସୁରନନା ଆସି କାର୍ତ୍ତିକମାହାତ୍ମ୍ୟ ବହି ପଢନ୍ତି।ହୁଳହୁଳି ,ରାଧେ ଗୋବିନ୍ଦ ଡାକରେ କମ୍ପେ ଚାରିଆଡ। ମାସ ଗୋଟାକ ଘରେ ଆଇଁଷ ପଶେନା ବୋଲି ବାପାଙ୍କ ମୁଡ ଅଫ ଥାଏ।ଆମିଷ ପ୍ରିୟ ରମେଶ ବାବୁ ଅନାଇ ଥାନ୍ତି ଛାଡଖାଇକୁ। ଅଁଳା ନବମୀ ଦିନ ଜେଜେମା ଯାଏ ସାକ୍ଷୀଗୋପାଳ।ସାଙ୍ଗରେ ବାପା,ବୋଉ ଯାଆନ୍ତି।ବାପା ଚିଡିକି କୁହନ୍ତି, କଣ ମିଳୁଛି ତୋତେ, ସେ ଭିଡ଼ରେ ପଶିବା ପାଇଁ ?”
ବୋଉ ଉଦ୍ଦେଶ୍ୟ ରେ ପୁଣି କୁହନ୍ତି,
-ତୁମେ ଟିକେ ବୁଝେଇ ଦେଉନ ବୋଉକୁ।”
ହସିଦେଇ ବୋଉ କୁହେ,
-ବର୍ଷକୁ ଥରେ ପା ରାଧାରାଣୀ’ଙ୍କ ଓଡ଼ିଆଣୀ ବେଶରେ ପାଦ ଦର୍ଶନ।ଅଶେଷ ପୁଣ୍ୟ ମିଳେ। ବାପା ଛିଗୁଲେଇ କୁହନ୍ତି,
-ଭିଡ଼ରେ ସେଠିକି ନଯାଇ ଅନ୍ୟ କୌଣସି ଠାକୁରାଣୀଙ୍କ ପାଦ ଦର୍ଶନ କଲେ ପୂଣ୍ୟ ମିଳିବନି ?”
ଜେଜେମା ଚାଲିଗଲା ପରେ, ବୋଉ ବିଧିରକ୍ଷା ପାଇଁ ଘରେ କାର୍ତ୍ତିକ ବ୍ରତ କରିବ ବୋଲି କହିବାରୁ ସେଦିନ ଘରେ ମହାଭାରତ ହୋଇଥିଲା। -ଆଉ ଏ ଘରେ କାର୍ତ୍ତିକ ବ୍ରତ,ହବିଷ ଲୋଡା ନାହିଁ।ଇଛା ହେଲେ ମନ୍ଦିରରୁ ପ୍ରସାଦ ମଗାଇ ଦେବ।ଏ ଗଛଟା ଏ ବର୍ଷ ମୁଁ କାଟିବି।କିହୋ,ତୁମେ କାହିଁକି ହବିଷବ୍ରତ କରିବ ?ବୋଉ ସିନା ବିଧବା ଥିଲା ବୋଲି….
ଅଜିତ ଦେଖିଥିଲା ସେଦିନ ବାପାଙ୍କ ପାଟିରେ ହାତ ରଖି ବୋଉ କାନ୍ଦକାନ୍ଦ ହୋଇ କହିଥିଲା,
-ତୁମକୁ ଟିକେ ଖରାପ ଲାଗୁନି, ବୋଉଙ୍କ ନାଁ କୁ ଏମିତି ଭାବେ ନେବା ପାଇଁ ?କାହା ପାଇଁ ସେ ଏତେ କଷ୍ଟ କରି ଏ ବ୍ରତ କରୁଥିଲେ ?କେବଳ ନିଜ ପିଲା ମାନଙ୍କ ପାଇଁ, ତୁମ ପାଇଁ,ମୋ ପାଇଁ,ତାଙ୍କ ନାତି ନାତୁଣୀଙ୍କ ପାଇଁ।ତୁମ ଭଳି ସ୍ୱାର୍ଥପର ଲୋକ ମୁଁ ଦୁନିଆରେ ଦେଖିନି।ମୁଁ କରିବି କାର୍ତ୍ତିକ ବ୍ରତ ଓ ଯଦି ଏ ଗଛ କାଟିବ ତେବେ ମୋ ମଲାମୁହଁ ଦେଖିବ।”
ସେଦିନ ବାପାଙ୍କୁ ଏଭଳି ଚମକି ପଡ଼ିବାର କେବେ ଦେଖି ନଥିଲା ଅଜିତ।ଗୁମ ହୋଇ ଅନେକ ସମୟ ବସିଥିଲେ ବାପା।
ବୋଉ ଠଉରାଇ ପାରିଥିଲା ବାପାଙ୍କ ମନକଥା।ରମେଶ ବାବୁଙ୍କ ମନ ପସନ୍ଦିଆ ଅଳେଇଚ ପକା ଚାହା କପଟିଏ ତାଙ୍କ ହାତକୁ ବଢାଇ ଦେଇ ବୋଉ କହିଥିଲା,
-ସେତେବେଳୁ ମୁହଁକୁ ଏମିତି ହାଣ୍ଡି ଭଳି କରି କାହିଁକି ବସିଛ ?ଘରକୁ ପୁଅ ବୋହୂ ପୁଣି ଆସିଛନ୍ତି। ଟିକେ ଦୂରରେ ଅଜିତ ଓ ମୁକ୍ତା ଠିଆ ହୋଇଥିଲେ।ନୂଆ ବୋହୁ ଘରକୁ ଆସିଛି ବୋଲି ଏବର୍ଷ ବୋଉ କାର୍ତ୍ତିକ ବ୍ରତ ପୂଜା ବିଧି ତାକୁ ଶିଖାଉଥିଲା।କାର୍ତ୍ତିକ ପେଡ଼ି ଖୋଲି ସବୁ ଦେଖାଇ ଥିଲା।
ସରିତା ଦେବୀ ପୁଣି ଥରେ ରମେଶ ବାବୁଙ୍କୁ ପଚାରିଲେ,
-ସେ ଗଛ କାଟିବା କଥା କାହିଁକି ତୁମ ମନକୁ ଆସୁଛି ?ଦେଖିବ ରୁହ, ଏଇ ଗଛରେ ଅଁଳା ଫଳିଲେ ତୁମମାନଙ୍କ ପାଇଁ ଆଚାର ଓ ମୁରବ୍ବା ବନେଇବି।”
ଧୀର ସ୍ବରରେ ବାପା କହିଲେ,
-ଏତେ ବର୍ଷ ହେଲାଣି ତୁମେ ସେଇ ମିଛ ଆଶା ନେଇ ବସିଛ, ହେଲେ ଫଳ କାହିଁ? ଅଲୌକିକ କିଛି ଘଟିଲେ ହିଁ ଫଳ ଆସିବ ଏଥିରେ।ଯଦି ତୁମ ଇଛା,ତେବେ ମାର୍କେଟରୁ ଅଁଳା କୋଳି କିଣି ଆଣିବି।”
ବୋଉ କିନ୍ତୁ ମୁହଁ ଶୁଖାଇ କହିଥିଲା,
-ଅଲୌକିକ କିଛି ହେବ ବୋଲି ମୋର ଆଶା ଓ ବିଶ୍ୱାସ।ବିଶ୍ୱାସରେ ହିଁ ବଞ୍ଚିଛି ଦୁନିଆ।କିଛି ଲୋକେ ଭାବନ୍ତି ଏସବୁ ଅନ୍ଧବିଶ୍ୱାସ।ହେଲେ ସତ କହୁଛି ଏଇ କାର୍ତ୍ତିକ ମାସରେ ଓ ଅଁଳାନବମୀ ଦିନ ଯେବେ ମୁଁ ଦୀପଟିଏ ଜାଳି ଗଛକୁ କୁଣ୍ଢାଇ ନିଜ ମନ କଥା କହି, ମୁଣ୍ଡିଆ ମାରେ,ସେତେବେଳେ କିଛି ସ୍ଵତନ୍ତ୍ର ଅନୁଭବ କରେ।ଲାଗେ ଏ ଗଛ ଯେମିତି ମୋ କଥା ଶୁଣୁଛି।ତାଛଡ଼ା ଅଁଳା ନବମୀରେ ରାଧା ପାଦଦର୍ଶନ କଲେ ଅଧିକ ପୁଣ୍ୟ ମିଳେ।”
-ମାନସିକ କରି କି ବର ମାଗ ତୁମେ ?”
ମୁରୁକି ହସି ବୋଉ କୁହେ,
-ତୁମର ଓ ଅଜୁର ଲମ୍ବା ଆୟୁଷ।”
ଅଜିତ ଦେଖିଥିଲା ବାପା ସେଦିନ ଚା କପ ବୋଉ ହାତକୁ ଫେରାଇ ଦେଇ କହିଥିଲେ ,-ନିଜ ପାଇଁ କାହିଁକି କିଛି ମାଗନା ? ତୁମ ଲମ୍ବା ଆୟୁଷ ପାଇଁ ବି ଭଗବାନଙ୍କୁ….”
ଲାଜୁଆ ହସଟେ ମୁହଁରେ ଖେଳାଇ ବୋଉ କହିଥିଲା,
-ଆଛା, ମୋ ପାଇଁ ଏତେ ଚିନ୍ତା ?ନିଜେ ତେବେ କାର୍ତ୍ତିକ ବ୍ରତ କରି ମୋ ଲମ୍ବା ଆୟୁଷ ମାଗିବ।”
ଅଜିତ ପାଟିରୁ ସେଦିନ ହଠାତ ବାହାରିପଡ଼ିଥିଲା ,
-ହେଲେ ବାପା ତ ଭୋକ ସମ୍ଭାଳି ପାରନ୍ତିନି; ଓଳିଏ ଓପାସ ଯାହାଙ୍କ ପାଇଁ ସ୍ଵପ୍ନ,ସେ ପୁଣି ଗୋଟେ ମାସ କାର୍ତ୍ତିକ ବ୍ରତ କରିବେ ?”
ବୋଉ ହସିଥିଲା।ବୋଉ ହସିଲେ ଅଜିତକୁ ଲାଗେ ସତେ ଯେମିତି ଆକାଶରୁ ପୁଷ୍ପ ବୃଷ୍ଟି ହୁଏ।
ସମୟ କେମିତି ଗଡି ଚାଲିଥିଲା।ଆଜି ପୁଣି ଆସିଛି ଅଁଳା ନବମୀ।ଅଜିତ, ମୁକ୍ତା ଗାଁକୁ ଆସିଛନ୍ତି।ଅଜିତ ଦେଖୁଥିଲା,ହାତରେ ଦୀପ ଧରି ବାପା,ଚୁପଚାପ ଅନାଉଥିଲେ ଅଁଳା ଗଛକୁ।ଅଁଳା ଗଛ ମୂଳେ ବାପା ଉଠା ଚୁଲିରେ ରୋଷେଇ କରୁଛନ୍ତି।
ମୁକ୍ତା ଧୀର ସ୍ୱରରେ ଅଜିତ କୁ ପଚାରିଲା,
-ମୁଁ ସତରେ ବିଶ୍ୱାସ କରି ପାରୁନି କି ବାପାଙ୍କ ଭଳି ଲୋକ ପୁଣି କାର୍ତ୍ତିକ ବ୍ରତ କରିବାକୁ ଜିଦି କରିବ ? ଯିଏ ଓପାସ ସମ୍ଭାଳି ପାରନ୍ତିନି, ସିଏ ପୁଣି ନିଷ୍ଠା ର ସହ ଏ ବ୍ରତ ଓ ରୋଷେଇ !ତା ପୁଣି ପୁଅ ପିଲା ହୋଇ? ବୋଉ କରୁଥିଲେ ଠିକ ଥିଲା, ହେଲେ ବାପା ଓ ହବିଷ… ସତରେ ଏହା ଅଲୌକିକ।କ୍ୟାନସର ଯଦି ବୋଉଙ୍କୁ ନହୋଇଥାନ୍ତା…” କଥା ସମ୍ପୂର୍ଣ୍ଣ କରି ପାରିଲାନି ମୁକ୍ତା।
ଆଖିପୋଛି ଅନ୍ୟମନସ୍କ ଭାବେ ଅଜିତ ପାଟିରୁ ବାହାରିପଡିଲା,
-ବୋଉ ପାଇଁ ବାପା ଏସବୁ …
ହଠାତ ମୁକ୍ତା କହିଲା,
-ଆରେ,ଏ ଗଛରେ ତ ଅଁଳା ହୋଇଛି।”
ସମସ୍ତେ ଦେଖୁଥିଲେ ଗଛରେ ଫଳିଥିବା ଗୋଟାଏ ପେନ୍ଥା ଅଁଳାକୁ।
ରମେଶବାବୁ ଶୋଇବା ଘରକୁ ଉଠି ଯାଇ ଖଟରେ ଶୋଇଥିବା ସରିତା ଙ୍କ ପାଖରେ ବସି,ତାଙ୍କ ହାତକୁ ଧରି କହିଲେ,
-ଜାଣିଛ ?ମ୍ୟାଜିକ ହୋଇଛି, ଅଁଳା ଗଛରେ ଫଳ ଆସିଛି।ମୋତେ ତ କୁହୁକ ଭଳି ଲାଗୁଛି।”
ମୃଦୁହସି ଧୀର ସ୍ବରରେ ସରିତା କହିଲେ,
-ତୁମେ କେବେ ଅଁଳା ନବମୀ କରିବ ବୋଲି ବୋଧେ ଏ ଗଛ ଅପେକ୍ଷା କରିଥିଲା।ଯା ହେଉ ଏ ଗଛ ହାଣିବା ଚିନ୍ତା ତୁମ ମୁଣ୍ଡକୁ ଆସିବନି।ତେବେ ମୁଁ କଣ ଏ ଗଛର ଫଳ ପାକଳ ହେବା ଯାଏଁ ବଞ୍ଚିବି ?”
ଆଖି ପୋଛି ରମେଶ କହିଲେ,
-ତୁମର ତୃତୀୟ କେମୋ ପରେ, ପେଟ୍ ସ୍କାନ ରିପୋର୍ଟକୁ ଏଇନା ଅପେକ୍ଷା।ଅଜୁର ସାଙ୍ଗ ଅଙ୍କୋଲୋଜିଷ୍ଟ ସୁମନ ତ କହୁଥିଲା ତୁମ ଦେହ ଶୀଘ୍ର ଭଲ ହୋଇଯିବ।ଆଁ କର, ଅଁଳା ନବମୀ।ଭୋଗ ଟିକେ ଖାଇଦିଅ।”
-ତମେ କାହିଁକି ଜିଦି ଧରି ମୋ ପାଇଁ ଓପାସ ରହି କାର୍ତ୍ତିକ ବ୍ରତ କରୁଛ ?”
-ବାହା ହୋଇ ଆସିଲା ଦିନଠୁ ତୁମେ ମୋ ପାଇଁ ଏତେ ଓଷା ବ୍ରତ କରିଛ, ଆଉ ମୁଁ ପ୍ରଥମ ଥର କରୁଛି।ଦାମ୍ପତ୍ୟ ଜୀବନ’ର ଏହା ତ ନିୟମ।”
ବାରଣ୍ଡାରେ ଠିଆ ହୋଇ ବାପା ବୋଉଙ୍କ କଥା ଶୁଣି ଆଖି ପୋଛୁଥିବା ଅଜିତ’ର ମୋବାଇଲରେ ଟୁଁ ଟାଙ୍ଗ ଶବ୍ଦ କରି କିଛି ମେସେଜ ଆସିଲା।ମେସେଜ ପଢ଼ି ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲା ଅଜିତ।
ମୁକ୍ତା ଉଦ୍ଦେଶ୍ୟରେ ଡାକ ପକାଇ, ଅଜିତ ଘର ଭିତରକୁ ଦୌଡ଼ି ଆସି,ବାପା ବୋଉଙ୍କୁ କୁଣ୍ଢାଇ କହିଲା,
-ବୋଉ’ର ପେଟ୍ ସ୍କାନ ରିପୋର୍ଟ ଆସି ଯାଇଛି। ଡକ୍ଟର ସୁମନ ମେସେଜ କରିଛି କି ମିରାକଲ ହୋଇଛି, ବୋଉ ଦେହରେ ଆଉ କ୍ୟାନ୍ସର ଜୀବାଣୁ ନାହିଁ।
ତେବେ ବୋଉ କୁ କିଛି କଟକଣା ଭିତରେ ରହିବାକୁ ପଡ଼ିବ।ସତରେ ଅଲୌକିକ ଘଟିଛି।”
ମୃଦୁ ହସି ସରିତା ସ୍ଵାମୀଙ୍କ ଉଦ୍ଦେଶ୍ୟରେ କହିଲେ,
-ସବୁ ରାଧା ଦାମୋଦରଙ୍କ କୃପା।
ଆଜି ଦିନରେ ରାଧାପାଦ ଦର୍ଶନ କରିବା ଉଚିତ।ପ୍ରତିବର୍ଷ ଆମେ ସାକ୍ଷୀ ଗୋପାଳ ଯାଉ ପରା।”
ମୁକ୍ତା ଓ ଅଜିତ ଦେଖିଲେ,ରମେଶ ବାବୁ ଭାବପ୍ରବଣ ହୋଇ ସରିତା ଦେବୀଙ୍କ ଦୁଇପାଦକୁ ନିଜ ହାତ ପାପୁଲି ରେ ରଖି କହିଲେ,-ରାଧାପାଦ ନୁହେଁ, ଲକ୍ଷ୍ମୀପାଦ ଦର୍ଶନ କଲେ ମୋତେ ସବୁ ପୁଣ୍ୟ ମିଳିଯିବ। ତୁମେ ଖାଲି ମୋ ପାଖେ ପାଖେ ରହିଥିବ।”ଅଜିତ ଦେଖୁଥିଲା ବାପାଙ୍କୁ କୁଣ୍ଢାଇ ବୋଉ କାନ୍ଦୁଥିଲା।
