ଖୋର୍ଦ୍ଧା,୧୭/୦୪: ଖୋର୍ଦ୍ଧା ଓ ଜଟଣୀରେ ଚାଲୁଥିବା ବେଆଇନ ଲଘୁ ଖଣିଜ ଚୋରାଚାଲାଣ ଉପରେ ଏବେ କଡା ନଜର। ନ୍ୟାଶନାଲ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ପରେ ଏହାର ତଦନ୍ତ ପାଇଁ ଏକ ଯୁଗ୍ମ କମିଟି ଗଠନ କରାଯାଇଛି। ଅବୈଧ ଭାବେ ମୋରମ ଓ ମାଙ୍କଡା ପଥର ଖନନ ହେଉଥିବା ଅଭିଯୋଗର ସତ୍ୟତା ଖୋଜିବାକୁ ଖୋର୍ଦ୍ଧାର ବିଭିନ୍ନ ଖଣିରେ ପାଇଁତରା ମାରୁଛି ଏହି ସ୍ବତନ୍ତ୍ର ଟିମ।
ତେବେ ଏହି କମିଟିରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରତିନିଧି , ଜଙ୍ଗଲ ବିଭାଗ, ଓ ଖଣି ବିଭାଗର ସଦସ୍ୟମାନେ ରହିଛନ୍ତି। NGTଙ୍କ ୧୭ ମାର୍ଚ୍ଚର ଆଦେଶ ଅନୁଯାୟୀ, କମିଟି ଘଟଣାସ୍ଥଳରେ ପହଞ୍ଚି ସ୍ଥଳ ପରିଦର୍ଶନ କରିବ ଓ ବାସ୍ତବ ପରିସ୍ଥିତିର ସମୀକ୍ଷା କରିବ। ଏହାସହିତ, ଅବୈଧ ଖନନକୁ ରୋକିବା ପାଇଁ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୁପାରିଶ କରିବ। ଏହି ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପରିସରରୁ ନିର୍ଦ୍ଧାରିତ ସମୟ ଅନୁସାରେ ଟିମ ବାହାରି ପ୍ରଥମେ ଜଟଣୀ ତହସିଲ ର ମଧୁପୁର ,ଖୋର୍ଦ୍ଧା ତହସିଲ ର ଟାଙ୍ଗିଆପଡ଼ା, ଅରାଙ୍ଗ,ନିଆଳ ଆଦି ଖଣି ବୁଲି ଦେଖିଥିଲେ। ବିଭିନ ସ୍ଥାନରେ ଥିବା ଖଣିର ସ୍ଥିତି, କେଉଁ ପ୍ରକାର ଜମି ,କେତେ ଆକାରର ଖନନ ହୋଇଛି। ସେ ସବୁ ଜଙ୍ଗଲ ଜମି କି ନାହିଁ ତାହାର ତର୍ଜମା କରି ତଦନ୍ତ କରିଥିଲେ। ଏହି ଟିମରେ ପ୍ରଦୂଷଣ ବିଭାଗର ରେଜିଅନାଲ ଅଫିସର ସୋହନ ଗିରି, ଟି ଏଚ ମୋହତା ଜଳବାୟୁ ଓ ପରିବେଶ ପରିବର୍ତନ ମନ୍ତ୍ରାଳୟର ମୁଖ୍ୟ।ଖୋର୍ଦ୍ଧା ଖଣି ଅଧିକରିଣୀ ସୁକେସସ୍ମିତା ମାଝୀ, ତହସିଲ ଦାର ଖୋର୍ଦ୍ଧା ବିଭାସ ପାଣିଗ୍ରାହୀ, ତହସିଲଦାର ଜଟଣୀ ସୁବାସୀଷ ପରିଡା, ଫରେଷ୍ଟର ରେଞ୍ଜର ପ୍ରମୁଖ ଉପସ୍ଥିତ ଥିଲେ। ନିରୀକ୍ଷଣ ପରେ କମିଟି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି NGTଙ୍କ ନିକଟରେ ଦାଖଲ କରିବ। ଏହି ପ୍ରକ୍ରିୟାକୁ ଅତ୍ୟାବଶ୍ୟକ ଭାବେ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ଖଣି ଖନନ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାରଙ୍କ ପାଖରେ ଆବେଦନକାରୀ ପ୍ରତାପ ମହାନ୍ତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ। ଶେଷରେ ଏନଜିଟିର ଦ୍ବାରସ୍ଥ ହୋଇଥିଲେ। ଏନଜିଟିର ହସ୍ତକ୍ଷେପ ପରେ ତଦନ୍ତ ପାଇଁ ଗଠନ ହୋଇଛି ଟିମ୍। ଏହି ଟିମ ଆଧାରର ରିପୋର୍ଟ ଆସିବା ପରେ ngtର ପଦକ୍ଷେପ ରହିବ ବୋଲି କୁହାଯାଉଛି। ସେପଟେ ଏହି ସବୁ ଅଞ୍ଚଳରେ ବ୍ୟାପକ ଖଣି ଖନନ ଚାଲିଥିବା ବେଳେ କେବଳ ngt ରିପୋର୍ଟ ଆଧାରରେ କେବଳ ସେତିକି ଖଣିର କାହିଁକି ତଦନ୍ତ ହେଉଛି, ଅନ୍ୟ ଖଣିର କେବେ ବୋଲି ପ୍ରଶ୍ନ କରିଛନ୍ତି ଖୋର୍ଦ୍ଧାର ବୁଦ୍ଧିଜୀବୀ।
