ଯେଉଁ ବର୍ଷ ବୈଶାଖ ଶୁକ୍ଳ ନବମୀ ଗୁରୁବାର ଶ୍ରବଣା ମକର ପଡ଼ିଥାଏ ସେହି ବର୍ଷ ଶ୍ରୀଜଗନ୍ନାଥଙ୍କର ରଘୁନାଥ ବେଶ ହୋଇଥାଏ l ଶ୍ରୀ ରାମାନୁଜାଚାର୍ଯ୍ୟ ଏହି ବେଶ ର ପ୍ରଚଳନ କରିଥିଲେ l ଗଜପତି ରାମଚନ୍ଦ୍ର ଦେବ ତାଙ୍କ ରାଜତ୍ୱର ୧୧ ଅଙ୍କରେ ଶ୍ରାବଣ ଶୁକ୍ଳ ନବମୀରେ ଠାକୁର ମାନଙ୍କୁ ରତ୍ନସିଂହାସନରେ ବିଜେ କରାଇ ନିଜକୁ ଚତୁର୍ଥ ଇନ୍ଦ୍ରଦ୍ୟୁମ୍ନ ବୋଲି ଘୋଷଣା କରିଥିଲେ l ତାଙ୍କର ସିଂହାସନାରୋହଣ ସମୟରେ ସୂବର୍ଣ୍ଣର ରାମାଭିଷେକ ମୋହର ପ୍ରଚଳନ ହୋଇଥିଲା l ସେହି ସମୟରେ ବହୁ ଅର୍ଥ ବ୍ୟୟରେ ନାନାଦି ରତ୍ନ ଅଳଙ୍କାର ମାନ ନିର୍ମିତ କରାଇ ସେ ପ୍ରଥମେ ଠାକୁର ମାନଙ୍କୁ ରଘୁନାଥ ବେଶ କରାଇଥିଲେ l ଶ୍ରୀ ମହାପ୍ରଭୁ ଙ୍କ ସମସ୍ତ ବେଶ ମଧ୍ଯରେ ଏହା ଅତିବ ରମଣୀୟ ଚିତାକର୍ଷକ ବେଶ ଅଟେl କିନ୍ତୁ ପାଖାପାଖି ୧୨୦ ବର୍ଷ ହେଲା ଏହି ବେଶ ଆଉ ହେଉନାହିଁ l ଶେଷଥର ପାଇଁ ୧୯୦୫ ମସିହା ଏପ୍ରିଲ ୨୬ ଗୁରୁବାର ରେ ଏହି ବେଶ ହୋଇଥିଲା ବୋଲି ଶ୍ରୀମନ୍ଦିର ରେକର୍ଡରୁ ଜଣାଯାଇଛି l ୨ୟ ଥର ପ୍ରଚେଷ୍ଟା ବୈଠକ ଆଲୋଚନା ୧୯୮୩ରେ ଏଥିପାଇଁ ହୋଇ ବିଫଳ ହୋଇଛିl ଆଉ ରଘୁନାଥ ବେଶ ଭକ୍ତମାନେ ଦେଖି ପାରି ନାହାନ୍ତିl ମିଳୁଥିବା ତଥ୍ୟ ଅନୁଯାୟୀ ମୋଟ ୯ ଥର ରଘୁନାଥ ବେଶ ହୋଇଅଛି l
ll ତଥ୍ୟାଭିଜ୍ଞଙ୍କ ଅନୁଯାୟୀ ରଘୁନାଥ ବେଶ ନିମ୍ନ ମସିହାରେ ଅନୁଷ୍ଠିତ ହୋଇଥିଲା ll :-
୧୫୭୭ ମସିହା (ବୈଶାଖ କୃଷ୍ଣ ଦଶମୀ)
୧୭୩୯ ମସିହା (ବୈଶାଖ କୃଷ୍ଣ ଦଶମୀ)
୧୮୦୯ ମସିହା (ମୁକୁନ୍ଦ ଦେବଙ୍କ ୧୪ ଅଙ୍କ)
୧୮୩୩ ମସିହା (ରାମଚନ୍ଦ୍ରଦେବଙ୍କ ୧୯ ଅଙ୍କ)
୧୮୪୨ ମସିହା (ବୀର କିଶୋର ଦେବଙ୍କ ୩ ଅଙ୍କ)
୧୮୫୦ ମସିହା (ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ)
୧୮୯୩ ମସିହା (ମୁକୁନ୍ଦ ଦେବଙ୍କ ରାଜତ୍ୱର ୧୪ ଅଙ୍କ)
୧୮୯୬ ମସିହା (ମୁକୁନ୍ଦ ଦେବଙ୍କ ରାଜତ୍ୱର ୧୮ ଅଙ୍କ)
୧୯୦୫ ମସିହା ଏପ୍ରିଲ ୨୬ ତାରିଖ, ନବମୀ, ଗୁରୁବାର
ଏହି ବେଶରେ ଶ୍ରୀ ମହାପ୍ରଭୁ ରାମଚନ୍ଦ୍ର ଙ୍କ ଅପରୂପ ବେଶ ରେ ସଜ୍ଜିତ ହୋଇ ରତ୍ନ ସିଂହାସନ ରେ ମାତା ସୀତା ରୂପ ଶ୍ରୀ ଦେବୀଙ୍କୁ କୋଳ ମଣ୍ଡିତ କରିଥାନ୍ତି l ଶ୍ରୀ ବଡ଼ବାଡ଼ ଠାକୁର ଲକ୍ଷ୍ମଣ ରୂପେ ଛତ୍ର ଧରିଥାନ୍ତି l ଏହା ବ୍ୟତୀତ ରତ୍ନ ସିଂହାସନ ଠାରୁ ଆରମ୍ଭ କରି ଗରୁଡ ଯାଏଁ ରାମ ଦରବାର ଲମ୍ବିଥାଏl ନଳ, ନୀଳ, ବିଭିଷଣ, ହନୁମାନ, ଜାମ୍ବବାନ, ଶୁଗ୍ରିବ, ନାରଦ, ବଶିଷ୍ଠ ଙ୍କ ସମେତ ସପ୍ତଋଷି ବ୍ରହ୍ମା, ଶଙ୍କର ଆହୁରି ଅନେକ ଶ୍ରୀ ଛାମୁରେ ଉପସ୍ଥିତ ଥାଆନ୍ତି l
ଏହି ବେଶ ରେ କିଛି ସ୍ବତନ୍ତ୍ର ସୁବର୍ଣ୍ଣ ଅଳଙ୍କାର ମଧ୍ଯ ଲାଗିଥାଏ ପ୍ରାୟ ରତ୍ନ ସିଂହାସନ ରୁ ଗରୁଡ଼ ଯାଏଁ ସୁବର୍ଣ୍ଣ ର ଅଳଙ୍କାର ପ୍ରାୟ ସମସ୍ତେ ପିନ୍ଧି ଥାଆନ୍ତିl ସାକ୍ଷାତ ରାମ ଦରବାର ସଦୃଶ ପ୍ରତିୟମାନ ହୁଏ l ୧୯୦୫ ମସିହାରେ ଏହି ବେଶ ରେ ଏତେ ପରିମାଣ ରେ ଭିଡ଼ ହୋଇଥିଲା ଯେ ଶ୍ରୀ ମନ୍ଦିର ପହୁଡ଼ ପକାଇବାକୁ ମଧ୍ଯ ସମୟ ନଥିଲା l ଭବିଷ୍ଯତ ରେ ମହାପ୍ରଭୁ ଙ୍କ ଇଛା ହେଲେ ହିଁ ପୁଣି ଥରେ ରାମାଭିଷେକ ମହାବେଶ ସମ୍ଭବ ହୋଇ ପାରିବ l
ll କିମ୍ବଦନ୍ତୀ ll :-
କିମ୍ବଦନ୍ତୀ ଅନୁଯାୟୀ ଦଶରଥ ମହାରାଜାଙ୍କର କୌଶଲ୍ୟା , କୈକେୟୀ ଓ ସୁମିତ୍ରା ନାମରେ ତିନି ରାଣୀ ଥିଲେ l ଏହି ପାଟରାଣିଙ୍କ ବ୍ୟତୀତ ତାଙ୍କର ଆଉ ୭୨ ରାଣୀ ଥିଲେ l ଉକ୍ତ ୭୨ ରାଣୀଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ କନ୍ୟାଜାତ ହୋଇଥିଲା l କାଳେ ରାଣୀମାନଙ୍କ ମଧ୍ୟରେ ଈର୍ଷା ବିବାଦ ଉପୁଜିବ,ସେଥିଲାଗି ସେ ପୂର୍ବରୁ ସତ୍ୟାନୁଯାୟୀ ନିଜର ସଖା ରାଜର୍ଷି ଯଜ୍ଞବଳ୍କଙ୍କୁ ନବଜାତ କନ୍ୟାକୁ ପୋଷ୍ୟ ପୁତ୍ରୀ ଭାବରେ ଦାନ କରିଥିଲେ l ସେତେବେଳେ ରାମଚନ୍ଦ୍ର ଜନ୍ମ ହୋଇନଥିଲେ l ଯଜ୍ଞବଳ୍କ ଉକ୍ତ କନ୍ୟାଟିକୁ ଋଷ୍ୟଶୃଙ୍ଗଙ୍କୁ ପରିଣୟ ସୁତ୍ରରେ ଦାନ କରିଥିଲେ l
ସୁତରାଂ ରାମଚନ୍ଦ୍ରଙ୍କର ଗୋଟିଏ ବଡ଼ ଭଉଣୀ ଥିଲେ l ତେଣୁ ରଘୁନାଥ ବେଶ ସମୟରେ ସୁଭଦ୍ରା ଦେବୀ ଯୋଗମାୟା ବେଶରେ ରହିବା ଉଚିତ ବୋଲି କେତେକ ବିଶ୍ୱାସ କରିଥାନ୍ତି l ରାମଜନ୍ମ ତିଥି ପୁଷ୍ୟା ନକ୍ଷତ୍ରଯୁକ୍ତ ହୋଇଥିଲେ ରଘୁନାଥ ବେଶ ହୋଇଥାଏ l

ll ଶ୍ରୀ ମନ୍ଦିରରେ ରାମାଭିଷେକ ନୀତି ll
ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ l ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିଥାନ୍ତି l ଏହାପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିଥାନ୍ତି l ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି l ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇଁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରନ୍ତି l ଦୁଇ ସେବାୟତ ଭରତ ଓ ଶତ୍ରୁଘ୍ନ ଚରିତ୍ର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ବୟ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚିବା ପରେ ଗୌଡ଼ବାଡ଼ ସାହି ଆଖେଡା ପକ୍ଷରୁ ସେଠାରେ ଶ୍ରୀରାମଙ୍କ ଅଭିଷେକ ନୀତି ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିରକୁ ଠାକୁର ବାହୁଡା଼ ବିଜେ କରିଥାନ୍ତି l ତ୍ରେତୟା ଯୁଗରେ ମହାପ୍ରଭୁ ଅଯୋଧ୍ୟା ଧାମରେ ଶ୍ରୀରାମଙ୍କ ରୂପରେ ଜନ୍ମ ନେଇଥିଲେ ଯେହେତୁ ଶ୍ରୀରାମ ମହାପ୍ରଭୁଙ୍କ ଅବତାରୀ ସେହି ଦୃଷ୍ଟିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଠାରୁ ରାମାଭିଷେକ ନୀତି ପାଳନ କରାଯାଇ ଆସୁଛି
