କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚ ଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି । ଏହି ପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ ‘ବକ ପଞ୍ଚକ’ କୁହାଯାଏ ।
“ପଞ୍ଚୁକ” ମାନେ “ପାଞ୍ଚ ଦିନ” — ଯେପରି କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଏହି ପଞ୍ଚ ଦିନକୁ ବହୁତ ପବିତ୍ର ମନାଯାଏ ଓ ଧାର୍ମିକ ନିୟମରେ ଅନେକ ଲୋକ ଉପବାସ କିମ୍ବା ପୁଣ୍ୟକାର୍ଯ୍ୟ କରନ୍ତି । ପଞ୍ଚୁକ ଦିନଗୁଡିକ :— ୧) ନାଗ ପଞ୍ଚୁକ (ପ୍ରଥମ ଦିନ), ୨) ଗୌରୀ ପଞ୍ଚୁକ, ୩) ବୈଷ୍ଣବ ପଞ୍ଚୁକ, ୪) ଶିବ ପଞ୍ଚୁକ ଓ ୫)କାର୍ତ୍ତିକ ପୂର୍ଣ୍ଣିମା (ଶେଷ ଦିନ) — ଏହି ପାଞ୍ଚ ଦିନରେ ବିଶେଷକରି ମହିଳାମାନେ ଓ ଭକ୍ତମାନେ ତୁଳସୀ ଓ ଦୀପ ଆରାଧନା କରନ୍ତି ଓ ପୁଣ୍ୟ ସଞ୍ଚୟ କରିବାର ଦିନ ଭାବରେ ମନାଯାଏ ।
ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି — ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ I ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି I କାର୍ତ୍ତିକ ଏକାଦଶୀଦିନ ତମେ ଜଳର ଯାଚନା କରିଛ I ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ କଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ I ଏହା ହେଉଛି ଭୀଷ୍ମପଞ୍ଚକ – ପ୍ରତିବର୍ଷ ପାଳିତ ହେବ I ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ I ଏହିଭୀଷ୍ମ ତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ I ମନ୍ତ୍ର ହେଉଛି —
“ ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ I”
ଆଜନ୍ମ ବ୍ରାହ୍ମଚର୍ଯ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସନ୍ତାନହୀନ ବ୍ୟକ୍ତିଙ୍କ ପାଇଁ ଭୀଷ୍ମପଞ୍ଚକ ପାଳନୀୟ- ଏକଥା ପଞ୍ଚକରେ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହୋଇଥାଏ I
ଅର୍ଘ୍ୟ ଦାନ ମନ୍ତ୍ର ହେଉଛି —
“ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ
ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ
ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚ
ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ I”
ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର ଏବଂ ସାଂକୃତ ପ୍ରବର, ସେହିପୁତ୍ର ରହିତ ଭୀଷ୍ମବର୍ମାଙ୍କୁ ମୁଁ ଏହିଜଳ ଦେଉଛି I ବସୁମାନଙ୍କ ଅବତାର, ଶାନ୍ତନୁଙ୍କ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି I ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରିବ I ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ ” ବା ଷଡାକ୍ଷର ମନ୍ତ୍ର “ ଓଁ ରାମାୟନମଃ, ” ଶହେ ଆଠବାର ଜପ କରିବ I ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବ I କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦ୍ ଯାପନ କରିବ । ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟପୂର୍ଣ୍ଣ ।
ଭାରତୀୟ ପୁରାଣରେ ଉଲ୍ଲେଖ ରହିଛି ଯେ କାର୍ତ୍ତିକ ମାସ ଅତି ପବିତ୍ର ମାସ । କୁମାର ପୂର୍ଣିମା ପରଦିନ ପ୍ରତିପଦା ତିଥିରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ । କାର୍ତ୍ତିକ ମାସ ସାରା ଦେବ ମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ । ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ । ଶୁକ୍ଳ ଦଶମୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ । ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦଯାପନ ହୋଇଥାଏ । ପଞ୍ଚକ ପାଞ୍ଚଦିନ ଭାଗବତ ଏବଂ ଗୀତା ପାଠ କରିବା ବିଧେୟ ବୋଲି ଶାସ୍ତ୍ର କହେ I ସ୍କନ୍ଦ ପୁରାଣ ମତରେ ଏହି ପଞ୍ଚକ ସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକଲେ ପାପରୁ ମୁକ୍ତ ହେବାସହ ନିର୍ବାଣ ପ୍ରାପ୍ତ ହୋଇଥାଏ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ I ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ I ଅତଃ ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ କରନ୍ତି I ଚାର୍ତୁମ୍ୟାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି I
ଏହି କାରଣରୁ ବୈଷ୍ଣବମାନେ —
“ଉତ୍ତିଷ୍ଠୋତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ !
ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ !!”
- ମନ୍ତ୍ରୋଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାନ୍ତି I ହେ ଗୋବିନ୍ଦ ! ଉଠନ୍ତୁ, ଉଠନ୍ତୁ, ହେ ଗରୁଡଧ୍ୱଜ ! ଉଠନ୍ତୁ I ହେ କମଳାକାନ୍ତ ! ନିଦ୍ରା ତ୍ୟାଗକରି ତିନିଲୋକର ମଙ୍ଗଳ କରନ୍ତୁ I
ପିତାମହ ବ୍ରହ୍ମା ଦେବର୍ଷି ନାରଦଙ୍କୁ କକୁଛନ୍ତି — “ଏହି ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ କୁହାଯାଏ I ଏହି ଏକାଦଶୀରେ ଉପବାସ ରହିବା ହଜାରେ ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ଫଳ ଦିଏ I ପଞ୍ଚକର ଦ୍ୱିତୀୟଦିନ ହେଉଛି ଦ୍ୱାଦଶୀ I ଏହିଦିନ ଉତ୍ତମ, ବୁଦ୍ଧିମାନ ମନୁଷ୍ୟ ବୃଦ୍ଧ ପିତାମାତାଙ୍କୁ ବିଧିପୂର୍ବକ ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି I ଯେଉଁ ମନୁଷ୍ୟ ଏହି ପ୍ରକାର ବିଧିରେ ଦ୍ୱାଦଶୀ ବ୍ରତର ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି, ସେ ଉତ୍ତମ ସୁଖ ଉପଭୋଗ କରି ଶେଷରେ ମୋକ୍ଷପ୍ରାପ୍ତ ହୁଅନ୍ତି I
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି I “ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି ||” ଭଗବାନ୍ ବିଷ୍ଣୁ ଇପ୍ସିତ ବର ପ୍ରଦାନକରନ୍ତି I ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ I ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ I
“ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ
ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ |
ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ
ଗୋବିନ୍ଦ ଦାମୋଦର ମାଧବେତି ||”
ଭାଗବତ ଏବଂ ଗୀତା ପାଠ କରିବା ବିଧେୟ I ଏହିସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଯିବ ।
ଏକାଦଶ୍ୟାଦିଷୁ ତଥା ତାସୁ ପଞ୍ଚସୁ ରାତ୍ରିଷୁ I
ଦିନେ ଦିନେ ଚ ସ୍ନାତବ୍ୟଂ ଶୀତଳାସୁ ନଦୀଷୁ ଚ II
ଅର୍ଥ:- କାର୍ତ୍ତିକମାସରେ ଶୁକ୍କ ଏକାଦଶୀ ଠାରୁ ପାଞ୍ଚଦିନକୁ ପଞ୍ଚକ କୁହାଯାଏ। ଏହି ଦିନ ଗୁଡ଼ିକରେ ରାତ୍ରିର ବ୍ରାହ୍ମ ମୁହୂର୍ତ୍ତରେ ନଦୀର ଶୀତଳ ଜଳରେ ସ୍ନାନ କରିବା ଉଚିତ। ଏହି ବ୍ରତ ସମୟରେ ଆଧ୍ୟାତ୍ମିକ ମନୋଭାବ ଗ୍ରହଣ କରି ସାତ୍ତ୍ୱିକ ଭୋଜନ ଆହରଣ କରି ପଞ୍ଚକ ପାଳନ କରିବା ଉଚିତ !!
ସ୍କନ୍ଧ ପୁରାଣ ମତେରେ –
“ କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ |
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ ||
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି |
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ ||
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍ |
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି || ”
‘ଭୀଷ୍ମପଞ୍ଚକ’ କଥା
କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ପାଞ୍ଚଦିନ- ତାହା ‘ପଞ୍ଚକ’ ବା ଲୋକମୁଖରେ ‘ପଞ୍ଚୁକ’ ଭାବରେ ଖ୍ୟାତ। ଏହାର ଲୋକପ୍ରଚଳିତ ନାମ ‘ବକପଞ୍ଚକ’ ହେଲେ ମଧ୍ୟ, ପ୍ରକୃତ ନାମ ‘ଭୀଷ୍ମପଞ୍ଚକ’।
‘ମହାଭାରତ’ ଯୁଦ୍ଧରେ ଅର୍ଜୁନଙ୍କ ବାଣରେ ଆହତ ହୋଇ ଶରଶଯ୍ୟାରେ ଶୋଇ ରହିଥିଲେ ପିତାମହ ଭୀଷ୍ମ। ସେ ଥିଲେ ଆଜୀବନ ବ୍ରହ୍ମଚାରୀ। କାରଣ, ତାଙ୍କର ପିତା ଶାନ୍ତନୁ ଧୀବରପୁତ୍ରୀ ସତ୍ୟବତୀ (ମତ୍ସ୍ୟଗନ୍ଧା)ଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲେ ଏବ˚ ସେହି ବିବାହ ପାଇଁ ସର୍ତ୍ତ ଥିଲା ଯେ ସତ୍ୟବତୀଙ୍କ ପୁତ୍ର ହେବେ ହସ୍ତିନାପୁରର ରାଜା। ତେଣୁ ଶାନ୍ତନୁ ଓ ଗଙ୍ଗାଙ୍କ ପୁତ୍ର ଦେବବ୍ରତ (ଭୀଷ୍ମ) ପ୍ରତିଜ୍ଞା କରିଥିଲେ ଯେ ସେ ବିବାହ କରିବେ ନାହିଁ; ଚିରକୁମାର ରହିବେ। ଏହା ‘ଭୀଷ୍ମ ପ୍ରତିଜ୍ଞା’ ଭାବରେ ଖ୍ୟାତ।
ମହାଭାରତ ଯୁଦ୍ଧରେ ଭୀଷ୍ମ ଥିଲେ କୌରବମାନଙ୍କ ପକ୍ଷରେ। କାରଣ, ହସ୍ତିନାପୁରର ସି˚ହାସନ ପ୍ରତି ଅନୁଗତ ହୋଇ ରହିବାପାଇଁ ସେ ସତ୍ୟବଦ୍ଧ ଥିଲେ। ଧର୍ମ କୌରବଙ୍କ ପକ୍ଷରେ ନଥିଲା। ତେଣୁ ଶରଶଯ୍ୟାରେ ଶୋଇ ରହିଥିବାବେଳେ, ନିଜର ସେହି ପାପର ପ୍ରକ୍ଷାଳନପାଇଁ ସେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥିଲେ। କି˚ବଦନ୍ତି ମଧ୍ୟ ଅଛି ଯେ ‘ବିଷ୍ଣୁସହସ୍ରନାମ’ ସେ ହିଁ ପ୍ରଥମେ ଗାନ କରି ଭଗବାନ ବିଷ୍ଣୁ (କୃଷ୍ଣ)ଙ୍କୁ ପ୍ରସନ୍ନ କରିଥିଲେ। ବିଷ୍ଣୁଙ୍କ ନାମ ସ୍ମରଣ କରି ତାଙ୍କୁ ପ୍ରସନ୍ନ କରିବା ହେଉଛି ପଞ୍ଚକ ବ୍ରତର ଏକ ନିୟମ। ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଭୀଷ୍ମ ପଞ୍ଚଦିନାତ୍ମକ ଏହି ‘ପଞ୍ଚକ ବ୍ରତ’ର ବିଧି ଜାଣିବାକୁ ପାଇଥିଲେ। ତେଣୁ ଏହାର ନାମ ‘ଭୀଷ୍ମପଞ୍ଚକ’।
‘ପଦ୍ମ ପୁରାଣ’ ଅନୁସାରେ, ଭୀଷ୍ମ ଅପୁତ୍ରକ ଥିବାରୁ ତାଙ୍କୁ ତର୍ପଣ ଓ ଅର୍ଘ୍ୟଦାନ କରିବାକୁ କେହି ନଥିଲେ। ସେଥିପାଇଁ ତାଙ୍କର ଭକ୍ତି ଓ ନିଷ୍ଠାରେ ସନ୍ତୁଷ୍ଟ ହୋଇ ଶ୍ରୀକୃଷ୍ଣ ତାଙ୍କୁ ବର ଦେଇଥିଲେ ଯେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ‘ଭୀଷ୍ମପଞ୍ଚକ’ ରୂପେ ଖ୍ୟାତ ହେବ। ତର୍ପଣ ଓ ଅର୍ଘ୍ୟଦାନ ସମୟରେ, ପଞ୍ଚକ ବ୍ରତଧାରୀ ତାଙ୍କର ନାମ ଉଚ୍ଚାରଣ କରି ତର୍ପଣ ଓ ଅର୍ଘ୍ୟଦାନ କରିବେ।
ଯେଉଁମାନେ କାର୍ତ୍ତିକ ମାସ ସାରା ବ୍ରତ ପାଳନ କରିବାରେ ସକ୍ଷମ ନୁହନ୍ତି, ସେମାନେ ଏହି ପାଞ୍ଚଦିନ ବ୍ରତପାଳନ କରିଥାଆନ୍ତି। ଏହା ମଧ୍ୟ ସାରା ମାସର ବ୍ରତ ପାଳନ ପରି ପୁଣ୍ୟ ଫଳ ଦେଇଥାଏ।
‘ବକ-ପଞ୍ଚକ’ କଥା
ପଞ୍ଚୁକକୁ କାହିଁକି କୁହାଯାଏ ‘ବକ ପଞ୍ଚକ’ ?
‘ବକ-ପଞ୍ଚକ’ କଥା = “ମାସାନାଂ କାର୍ତ୍ତିକ ଶ୍ରେଷ୍ଠଃ” – ଧର୍ମମାସ କାର୍ତ୍ତିକ l ଏ ଦୃଷ୍ଟିରୁ ଏହାକୁ ପବିତ୍ର ବୋଲି ବିବେଚନା କରାଯାଏ। ବିଶେଷକରି ଏହି ମାସର ଶେଷ ପାଞ୍ଚ ଦିନ, ଅର୍ଥାତ୍ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର ବୋଲି ପରିଗଣିତ ହୁଏ। ଲୋକକଥିତ ଭାବରେ ଏହାର ନାମ ‘ବକ-ପଞ୍ଚକ’। କଥିତ ହୁଏ ଯେ ଏହି ପାଞ୍ଚଦିନ ବକ (ବଗ) କୁଆଡ଼େ ମାଛ ଖାଇବା ଛାଡ଼ିଦିଏ। କିନ୍ତୁ ଏହି ସମୟରେ ମାଛ ନ ଖାଇବାର ଅନ୍ୟ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟଗତ କାରଣ ଅଛି। ସେଥିନିମନ୍ତେ ଧାର୍ମିକ ଆଚରଣରେ ନିଷେଧାଦେଶ ଖଞ୍ଜି ଦିଆଯାଇଛି।
କିମ୍ବଦନ୍ତୀ ଅନୁସାରେ, ଏକଦା ଗଙ୍ଗା ନଦୀ କୂଳରେ ଜଣେ ଜଣେ ଋଷି କାର୍ତ୍ତିକ ମାସରେ ପଞ୍ଚକ ର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରୁଥିଲେ। ଏହି ସମୟରେ ସେହି ଅଶ୍ଵସ୍ଥ ଗଛରେ ଗୋଟେ ବୃଦ୍ଧ ବଗ ବଗୁଲୀ ବସିଥିଲେ।
ଋଷିବର ଯେଉଁ କଥା ତାଙ୍କର ଶିଷ୍ୟ ମାନଙ୍କୁ କହୁଥିଲେ ସେ କଥା ହେଉଛି ସେ କହିଥିଲେ କି ଏହି ମାସ ହେଉଛି ଏକ ଧର୍ମ ମାସ। କାର୍ତ୍ତିକ ହେଉଛନ୍ତି ଶଙ୍କର ଭଗବାନ ଙ୍କ ପୁତ୍ର ଓ ଦେବତା ମାନଙ୍କର ରକ୍ଷକ ମଧ୍ୟ।
ସେଥିପାଇଁ କାର୍ତ୍ତିକ ଙ୍କ ଜନ୍ମ ମାସକୁ କାର୍ତ୍ତିକେୟ ବ୍ରତ ଭାବରେ ପାଳନ କରାଯାଏ। ପିତାମହ ଭୀଷ୍ମ ମଧ୍ୟ ଏହି ମାସ ରେ ପାଞ୍ଚ ଦିନ ପାଇଁ ସର ଶଯ୍ୟା ରେ ସୋଇଥିଲେ। ଏସବୁ କଥା ଶୁଣି, ବଗ ବଗୁଲୀ ନିଷ୍ପତ୍ତି ମଧ୍ଯ ନେଇଥିଲେ।
ସେ ଏହା ନିଷ୍ପତ୍ତି ନେଇଥିଲେ କି ତାଙ୍କ ସମ୍ପ୍ରଦାୟ ର ବଗମାନଙ୍କୁ ଡକାଇ ଦେଇଥିଲେ। ଏହାପରେ ସେମାନେ ଆଲୋଚନା ମଧ୍ୟ କରିଥିଲେ। ଋଷିବରଙ୍କ ଠାରୁ ସେ ଯେଉଁ କଥା ସବୁ ଶୁଣିଥିଲେ ସେ କଥା କହିଥିଲେ କି, ଏହା ଏକ ପବିତ୍ର ମାସ ଓ ପଞ୍ଚୁକ ପାଞ୍ଚ ଦିନ ଏକ ଏକ ପବିତ୍ର ଦିନ। ବଗ ମାନଙ୍କ ନିତିଦିନିଆ ଖାଦ୍ୟ ହେଉଛି ମାଛ। ଜଳଚର କୀଟ ପତଙ୍ଗ ଠାରୁ ଆରମ୍ଭ କରି ମାଛ ହେଉଛି ତାଙ୍କର ପ୍ରଧାନ ଖାଦ୍ୟ।
ସେଥିପାଇଁ, ବଗ ବଗୁଲୀ ସମସ୍ତଙ୍କୁ କହିଥିଲେ କି ବର୍ଷକ ବାର ମାସ ସେ ଜୀବ ହ-ତ୍ୟା କରୁଛନ୍ତି। ସେଥିପାଇଁ ଏହି ପାଞ୍ଚଦିନ ସେମାନେ ମାଛ ଭକ୍ଷଣ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଆଉ ବର୍ଷର ସମସ୍ତ ପାପ ତାଙ୍କର କ୍ଷୟ ହୋଇ ଯିବ ବୋଲି ମଧ୍ୟ କହିଥିଲେ। ଏହାପରେ ବଗ ବଗୁଲୀ ସବୁ କଥା ମାନି ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ ମାଛ କି କୌଣସି ଆମିଷ ଭକ୍ଷଣ କରନ୍ତି ନାହିଁ ବୋଲି ଏହା କୁହା ଯାଇଛି !!
‘ପଦ୍ମପୁରାଣ’ ଅନ୍ତର୍ଗତ ‘କାର୍ତ୍ତିକ ମାହାତ୍ମ୍ୟ’ରେ ଶଙ୍ଖାସୁରର ବେଦ ହରଣ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଶଙ୍ଖାସୁର ବେଦ ନେଇ ସମୁଦ୍ରରେ ଆତ୍ମଗୋପନ କରିଥିଲା। ତେଣୁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ଶଙ୍ଖାସୁରକୁ ନିହତ କରିବା ସହିତ ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କ ସହିତ ଅନ୍ୟ ଦେବତାମାନେ ସେତେବେଳେ ଜଳରେ ପ୍ରବେଶ କରିଥିବାରୁ, ଏହି ମାସରେ ମାଛ ଖାଇବାକୁ ପୁରାଣ ଓ ବ୍ରତକଥାରେ ବାରଣ କରାଯାଇଛି।
‘ପଦ୍ମପୁରାଣ’ରେ ପାଞ୍ଚଟି ଉପାଖ୍ୟାନ ମାଧ୍ୟମରେ ବିଷ୍ଣୁଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଏହା ‘ବିଷ୍ଣୁ-ପଞ୍ଚକ’ ଭାବରେ ଖ୍ୟାତ। ସେଥିରୁ ଗୋଟିଏ ଉପାଖ୍ୟାନ ‘ବକ-ପଞ୍ଚକ’ ଭାବରେ ଲୋକପ୍ରିୟ।
ଭକ୍ତକବି ବଳାରାମ ଦାସଙ୍କ ‘ଜଗମୋହନ ରାମାୟଣ’ର ‘କିସ୍କିନ୍ଧ୍ୟାକାଣ୍ଡ’ରେ ଏହାର ଉପାଖ୍ୟାନ ଅଛି। ସେହି ଉପାଖ୍ୟାନ ଅନୁସାରେ, ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସୀତାଙ୍କ ସନ୍ଧାନରେ ବନରେ ବୁଲୁଥିବା ବେଳେ, ଗୋଟିଏ ବଗ ସହ ତାଙ୍କର ଭେଟ ହୋଇଥିଲା। ରାବଣ ସୀତାଙ୍କୁ ଚୋରାଇ ନେଇଥିବା କଥା ସେହି ବଗ ଶ୍ରୀରାମଙ୍କୁ କହିଥିଲା। ଶ୍ରୀରାମ ତାହା ଶୁଣି ତାକୁ ବର ଯାଚିଥିଲେ। ବଗ କହିଥିଲା- “ବର୍ଷା ଚାରିମାସରେ ବସିବା ସ୍ଥାନରେ ମୋତେ ଖାଦ୍ୟ ମିଳୁ।” ଶ୍ରୀରାମ ତାକୁ ସେହି ବର ଦେଇ କହିଥିଲେ, “ବର୍ଷା ଚାରିମାସ ତୋ ସ୍ତ୍ରୀ ତୋତେ ଖାଦ୍ୟ ଆଣି ଦେବ ଏବଂ ତୁ ତାହା ସୁଖରେ ଖାଇବୁ।” ତାହା ଶୁଣି ବଗ କହିଥିଲା, “ମୁଁ ସ୍ତ୍ରୀର ଉଚ୍ଛିଷ୍ଟ କିପରି ଖାଇବି?” ତାହାର ଉତ୍ତରରେ ଶ୍ରୀରାମ କହିଥିଲେ, “ସ୍ୱାମୀ ଓ ସ୍ତ୍ରୀ ଏକ ଆତ୍ମା ହୋଇଥିବାରୁ ଏଥିରେ ଉଚ୍ଛିଷ୍ଟ ଦୋଷ ଲାଗିବ ନାହିଁ।”
‘ଜଗମୋହନ ରାମାୟଣ’ ଅନୁସାରେ, ଏହି ବର ଦେବା ପରେ ଶ୍ରୀରାମ କହିଥିଲେ, “କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ଯେ ଆମିଷ ଭୋଜନ କରିବ, ତାକୁ ଦୋଷ ଲାଗିବ। ନାନା ରୋଗରେ ପଡ଼ି ତାର ପ୍ରାଣ ଯିବ। ଏହି ପାଞ୍ଚଦିନ ‘ବକ-ପଞ୍ଚକ’ ରୂପେ ଖ୍ୟାତ ହେବ। ଏହି ପାଞ୍ଚଦିନ ଯେ ଆମିଷ ନ ଖାଇବ, ତାକୁ ଚାତୁର୍ମାସ୍ୟା ବ୍ରତର ସୁଫଳ ମିଳିବ।”
ମହାଭାରତ କାହାଣୀରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ପରୀକ୍ଷା କରିବା ପାଇଁ ଧର୍ମ ବକ ତାଙ୍କୁ ଚାରୋଟି ପ୍ରଶ୍ନ ପଚାରିଥିଲା l ଧର୍ମ ବକ ର ପ୍ରଥମ ପ୍ରଶ୍ନ ଥିଲା – କଃ ପନ୍ଥା ? ଅର୍ଥାତ୍, ଏହି ସଂସାରରେ ଠିକ୍ ବାଟ କଅଣ? ଯୁଧିଷ୍ଠିର ଉତ୍ତର ଦେଲେ, ବେଦ,ସ୍ମୃତି ଓ ପୁରାଣରେ ବିଭିନ୍ନ ପନ୍ଥାର ଉଲ୍ଲେଖ ରହିଛି, କିନ୍ତୁ ମହାଜନମାନେ ଯେଉଁ ବାଟେ ଯାଇଛନ୍ତି ତାହାହିଁ ପ୍ରକୃତ ପନ୍ଥା l
ଧର୍ମ ବକର ଦ୍ୱିତୀୟ ପ୍ରଶ୍ନଟି ଥିଲା – କିମାଶ୍ଚର୍ଯ୍ୟମ୍? ଅର୍ଥାତ୍, ଏ ସଂସାରରେ ସବୁଠାରୁ ଆଶ୍ଚର୍ଯ୍ୟ କଅଣ? ଯୁଧିଷ୍ଠିର ଉତ୍ତର ଦେଲେ, ନିତ୍ୟ ପ୍ରତ୍ୟ ମନୁଷ୍ୟ ସହସ୍ର ସହସ୍ର ଲୋକ ମରୁଥିବାର ଦେଖି ସୁଦ୍ଧା ଭାବେ, ମୁଁ ଚିରଞ୍ଜିବି ରହିବି l ମୃତ୍ୟୁ ଭଳି ସତ୍ୟକୁ ଦେଖି ମଧ୍ୟ ମନୁଷ୍ୟର ଏହି ବିଚାର, ଏହାହିଁ ଅତି ଆଶ୍ଚର୍ଯ୍ୟ l
ପୁଣି, ଧର୍ମବକ ପ୍ରଶ୍ନକଲେ, କଃ ମୋଦତେ ? ଅର୍ଥାତ୍, ସଂସାରରେ କିଏ ସୁଖି ? ଯୁଧିଷ୍ଠିର ଉତ୍ତର ଦେଲେ, ଋଣ ନ କରି, ପ୍ରବାସକୁ ନଯାଇ, ଘରେ ବସି ଯେଉଁ ଲୋକ ମୁଠିଏ ଶାକାନ୍ନ ଦିନାନ୍ତେ ଖାଇବାକୁ ପାଏ ସେ ହିଁ ଏହି ସଂସାରରେ ପ୍ରକୃତ ସୁଖୀ l
ଧର୍ମବକ ପୁଣି ପ୍ରଶ୍ନ କଲେ, କା ଚ ବାର୍ତ୍ତା ? ଅର୍ଥାତ୍,ଏହି ସଂସାରର ଖବର କଅଣ ? ଯୁଧିଷ୍ଠିର କହିଲେ, ସଂସାରରେ କାଳ ବା ମୃତ୍ୟୁ ସମସ୍ତଙ୍କୁ ଶାସନ କରୁଛି, ଏହା ହିଁ ଏ ସଂସାରର ବାର୍ତ୍ତା “l
ଯୁଧିଷ୍ଠିରଙ୍କ ଯଥାଯଥ ଉତ୍ତର ଶୁଣି ଧର୍ମ ବକ ସନ୍ତୁଷ୍ଟ ହେଲେ ଏବଂ ନିଜ ସ୍ୱରୂପରେ ପ୍ରକଟ ହୋଇ ଯୁଧିଷ୍ଠିରଙ୍କୁ କହିଲେ,ମୁଁ ହେଉଛି ଧର୍ମ l ମୁଁ ତୁମର ପରୀକ୍ଷା ନେଉଥିଲି l ସମସ୍ତ ପରୀକ୍ଷାରେ ତୁମେ ଉତ୍ତୀର୍ଣ ହୋଇଛ l ଏହା ପରେ ଧର୍ମରାଜ ଯକ୍ଷ ସରୋବରକୁ ପାଣି ଆଣିବା ପାଇଁ ଯାଇ ମୃତ ହୋଇ ପଡ଼ି ଥିବା ଭାଇ ମାନଙ୍କୁ ଜୀବିତ କରାଇ ଫେରି ଆସିଲେ l
ବିଷ୍ଣୁ ମତ୍ସ୍ୟ ଅବତାର – ଶଙ୍ଖାସୁରର ବେଦ ହରଣ
‘ପଦ୍ମପୁରାଣ’ ଅନ୍ତର୍ଗତ ‘କାର୍ତ୍ତିକ ମାହାତ୍ମ୍ୟ’ରେ ଶଙ୍ଖାସୁରର ବେଦ ହରଣ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଶଙ୍ଖାସୁର ବେଦ ନେଇ ସମୁଦ୍ରରେ ଆତ୍ମଗୋପନ କରିଥିଲା। ତେଣୁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ଶଙ୍ଖାସୁରକୁ ନିହତ କରିବା ସହିତ ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କ ସହିତ ଅନ୍ୟ ଦେବତାମାନେ ସେତେବେଳେ ଜଳରେ ପ୍ରବେଶ କରିଥିବାରୁ, ଏହି ମାସରେ ମାଛ ଖାଇବାକୁ ପୁରାଣ ଓ ବ୍ରତକଥାରେ ବାରଣ କରାଯାଇଛି !!
ବିଷ୍ଣୁ-ପଞ୍ଚକ : ରାମାୟଣ ଉପାଖ୍ୟାନ
‘ପଦ୍ମପୁରାଣ’ରେ ପାଞ୍ଚଟି ଉପାଖ୍ୟାନ ମାଧ୍ୟମରେ ବିଷ୍ଣୁଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଏହା ‘ବିଷ୍ଣୁ-ପଞ୍ଚକ’ ଭାବରେ ଖ୍ୟାତ। ସେଥିରୁ ଗୋଟିଏ ଉପାଖ୍ୟାନ ‘ବକ-ପଞ୍ଚକ’ ଭାବରେ ଲୋକପ୍ରିୟ। ଭକ୍ତକବି ବଳାରାମ ଦାସଙ୍କ ‘ଜଗମୋହନ ରାମାୟଣ’ର ‘କିସ୍କିନ୍ଧ୍ୟାକାଣ୍ଡ’ରେ ଏହାର ଉପାଖ୍ୟାନ ଅଛି।
ସେହି ଉପାଖ୍ୟାନ ଅନୁସାରେ, ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସୀତାଙ୍କ ସନ୍ଧାନରେ ବନରେ ବୁଲୁଥିବା ବେଳେ, ଗୋଟିଏ ବଗ ସହ ତାଙ୍କର ଭେଟ ହୋଇଥିଲା। ରାବଣ ସୀତାଙ୍କୁ ଚୋରାଇ ନେଇଥିବା କଥା ସେହି ବଗ ଶ୍ରୀରାମଙ୍କୁ କହିଥିଲା। ଶ୍ରୀରାମ ତାହା ଶୁଣି ତାକୁ ବର ଯାଚିଥିଲେ। ବଗ କହିଥିଲା – “ବର୍ଷା ଚାରିମାସରେ ବସିବା ସ୍ଥାନରେ ମୋତେ ଖାଦ୍ୟ ମିଳୁ।” ଶ୍ରୀରାମ ତାକୁ ସେହି ବର ଦେଇ କହିଥିଲେ, “ବର୍ଷା ଚାରିମାସ ତୋ ସ୍ତ୍ରୀ ତୋତେ ଖାଦ୍ୟ ଆଣି ଦେବ ଏବଂ ତୁ ତାହା ସୁଖରେ ଖାଇବୁ।” ତାହା ଶୁଣି ବଗ କହିଥିଲା, “ମୁଁ ସ୍ତ୍ରୀର ଉଚ୍ଛିଷ୍ଟ କିପରି ଖାଇବି?” ତାହାର ଉତ୍ତରରେ ଶ୍ରୀରାମ କହିଥିଲେ, “ସ୍ୱାମୀ ଓ ସ୍ତ୍ରୀ ଏକ ଆତ୍ମା ହୋଇଥିବାରୁ ଏଥିରେ ଉଚ୍ଛିଷ୍ଟ ଦୋଷ ଲାଗିବ ନାହିଁ।” କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ଯେ ଆମିଷ ଭୋଜନ କରିବ, ତାକୁ ଦୋଷ ଲାଗିବ।
‘ଜଗମୋହନ ରାମାୟଣ’ ଅନୁସାରେ, ଏହି ବର ଦେବା ପରେ ଶ୍ରୀରାମ କହିଥିଲେ, “କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ଯେ ଆମିଷ ଭୋଜନ କରିବ, ତାକୁ ଦୋଷ ଲାଗିବ। ନାନା ରୋଗରେ ପଡ଼ି ତାର ପ୍ରାଣ ଯିବ। ଏହି ପାଞ୍ଚଦିନ ‘ବକ-ପଞ୍ଚକ’ ରୂପେ ଖ୍ୟାତ ହେବ। ଏହି ପାଞ୍ଚଦିନ ଯେ ଆମିଷ ନ ଖାଇବ, ତାକୁ ଚାତୁର୍ମାସ୍ୟା ବ୍ରତର ସୁଫଳ ମିଳିବ।”
ପଞ୍ଚକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା – ଅତ୍ୟନ୍ତ ପୂଣ୍ୟମୟ ତିଥି । ପୂର୍ଣ୍ଣିମା ପୂର୍ବର ପାଞ୍ଚଦିନ ପଞ୍ଚକ, ମହାପଞ୍ଚକ, ବକ ପଞ୍ଚକ, ଭୀଷ୍ମ ପଞ୍ଚକ I ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶୁଦ୍ଧ, ସାତ୍ତ୍ୱିକ ଭୋଜନ କରନ୍ତି I ଲୋକ କଥାନୁସାରେ ଏହିପଞ୍ଚକରେ ଆମିଷାଶୀ ବକ ମଧ୍ୟ ଆମିଷ ସ୍ପର୍ଶ କରେନାହିଁ I ତେଣୁ ଏହାକୁ ‘ବକ ପଞ୍ଚକ’କୁହାଯାଏ । ଏହିମାସରେ ଆମିଷ ନ ଖାଇବାର ଧର୍ମ ସମ୍ମତ କାରଣ ଅଛି I ଏହିମାସରେ ମାଛମାନଙ୍କୁ ରୋଗ ହୋଇଥାଏ । ତେଣୁ ଆମ ଧର୍ମ ଧାରଣା, ଅନ୍ଧବିଶ୍ୱାସ ନୁହେଁ – ବିଜ୍ଞାନ, ଆଧ୍ୟାତ୍ମିକତା ଆଧାରିତ I ପ୍ରାତଃସ୍ନାନ ଶରୀର ପକ୍ଷରେ ହିତକର I
ମାସଯାକ ପ୍ରାତଃ ସ୍ନାନ କରି ଲୋକମାନେ ବିଶେଷକରି ବିଧବାମାନେ ରାଇଦାମୋଦର ବ୍ରତ ପାଳନ କରନ୍ତି । କିଛି ନ ହେଲେ ଏହି ମହାପଞ୍ଚକ ପାଞ୍ଚଦିନ ବ୍ରତ ପାଳନ କରନ୍ତି I ଏହି ବ୍ରତ ପରି ପୁଣ୍ୟବ୍ରତ ଆଉକିଛି ନାହିଁ I ତେଣୁ କୁହାଯାଇଛି, ଯିଏ ଏହି ମହାପଞ୍ଚକ ବ୍ରତ କରନ୍ତି, ସେ ଧନ୍ୟ ଏବଂ ପୂଜନୀୟ I ତାଙ୍କ ଶରୀରସ୍ଥିତ ସମସ୍ତ ପାପ ତତ୍କାଳ ନଷ୍ଟ ହୋଇଯାଏ । ଯେଉଁମାନେ ଏହି ଧର୍ମମାସରେ ତୁଳସୀବୃକ୍ଷ ମୂଳରେ, ରାଧା ଏବଂ ଶ୍ରୀକୃଷ୍ଣ, ରାଇ-ଦାମୋଦର ମୂର୍ତ୍ତି ରଖି ନିଷ୍କାମ ଭାବରେ ପୂଜାକରନ୍ତି, ସେମାନଙ୍କୁ ଜୀବନ୍ମୁକ୍ତ ହୁଅନ୍ତି । ଯେଉଁମାନେ ରାତି ଦି’ ଘଡ଼ି ଥିବ ଜଳାଶୟକୁ ତୁଳସୀମୂଳର ମୃତ୍ତିକା ଲଗାଇ, ବସ୍ତ୍ର ଏବଂ କଳସ ନେଇ ଜଳାଶୟକୁ ଯାଇ ଗଙ୍ଗାଆଦି ନଦୀ ତଥା ବିଷ୍ଣୁ ଶିବ ଆଦି ଦେବତା ସ୍ମରଣ ପୂର୍ବକ ନାଭି ପର୍ଯ୍ୟନ୍ତ ଜଳରେ ଠିଆ ହୋଇ ଏହି ମନ୍ତ୍ର ଯଥା —
“ କାର୍ତ୍ତିକେଦ୍ଧହଂ କରିଷ୍ୟାମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନ
ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମୟା ସହ I”
ଜନାର୍ଦ୍ଦନ ! ଦେବେଶ୍ୱର ଦାମୋଦର ! ଲକ୍ଷ୍ମୀ ସହିତ ଆପଣଙ୍କ ପ୍ରସନ୍ନତା ପାଇଁ ମୁଁ କାର୍ତ୍ତିକ କାର୍ତ୍ତିକ ସ୍ନାନ କରୁଛି I
ଅର୍ଘ୍ୟ ପ୍ରଦାନ ପୂର୍ବକ କହନ୍ତି —
“ ଗୃହାଣାର୍ଘ୍ୟଂ ମୟାଦତ୍ତଂ ରାଧୟା ସହିତ ହରେ |
ନମଃ କମଳନାଭାୟ ନମସ୍ତେ ଜଳଶାୟୀନେ |
ନମସ୍ତେଦ୍ଧସ୍ତୁ ହୃଷିକେଶ ଗୃହାଣାର୍ଘ୍ୟଂ ନମୋସ୍ତୁତେ ||”
ଭଗବାନ ! ଆପଣ ଶ୍ରୀରାଧାଙ୍କ ସହିତ ମୋର ପ୍ରଦତ୍ତ ଏହି ଅର୍ଘ୍ୟକୁ ସ୍ୱୀକାର କରନ୍ତୁ I ହରେ ! କମଳା ନାଭ ! ଆପଣଙ୍କୁ ନମସ୍କାର I ଜଳଶାୟୀ ନାରାୟଣ ! ଆପଣଙ୍କୁ ନମସ୍କାର I ହୃଷୀକେଶ ଏହି ଅର୍ଘ୍ୟ ଗ୍ରହଣ କରନ୍ତୁ I
ପ୍ରେତପୁରୁଷ ଓ ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ତଥା ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମପଥକୁ ଉଜ୍ଜଳ କରିବା ସକାଶେ ପ୍ରତ୍ୟେକ ଗ୍ରାମରେ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ I ଏହି ଧର୍ମମାସର ପ୍ରତ୍ୟେକ ଦିନ ପର୍ବର ଦିନ । ଦିନେ ଦଣ୍ଡକାରଣ୍ୟରେ ଋଷିମୁନିମାନେ ରାମରୂପ ଦର୍ଶନରେ ପ୍ରଲୁବ୍ଧ ହୋଇଥିଲେ I ଭଗବାନ ରାମ ବର ପ୍ରଦାନ କରିଥିଲେ – ଦ୍ୱାପର ଯୁଗରେ ତମେ ସବୁ ଗୋପୀ ହୋଇ ମୋତେ କୃଷ୍ଣ ରୂପରେ ପ୍ରାପ୍ତ ହେବ I
“ବଲ୍ଲଭୀ ତୁମ୍ଭେ ହୋଇବ ଦ୍ୱାପରେ
ବ୍ରଜେ ରହିବୁ ଆମ୍ଭେ କଂସ ଡରେ
ବୃନ୍ଦାବନରେ ହେବ ରାସକେଳି
ବଲ୍ଲଭୀ ଏକା ଏ ଦେହେ ମୈଥିଳୀ
ବହିବୁ ଗୋପୀନାଥର ନାମକୁ
ବେଲେ ଉପଇନ୍ଦ୍ର ବୋଧିଲେ ତାଙ୍କୁ I”
କୃଷ୍ଣପ୍ରାପ୍ତି ଆଶାରେ ଏହି ଗୋପୀମାନେ କାର୍ତ୍ତିକ ମାସ ସାରା ପ୍ରତ୍ୟୁଷରୁ ସ୍ନାନ କରି ନଦୀ, ସମୁଦ୍ର, ପୁଷ୍କରଣୀ, ଝରଣା ତଟରେ ବାଲିରେ କୃଷ୍ଣମୂର୍ତ୍ତି ସ୍ଥାପନ କରି, ପୁଷ୍ପଚନ୍ଦନ ହୁଳହୁଳି ଦାନପୂର୍ବକ, କୃଷ୍ଣ ତୁଲ୍ୟ ପତି ପ୍ରାପ୍ତ୍ୟର୍ଥେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ I ସେ ପରମ୍ପରା ଏବେ ମଧ୍ୟ ଅନୁସୃତ I
ଶେଷ ପାଞ୍ଚ ଦିନରେ ମୁରୁଜ ପଡିବଖର ପୌରାଣିକ ରହସ୍ୟ — ବୃନ୍ଦାବତୀ ଦାନବ ରାଜ ଜଳକନ୍ଦର ଅତ୍ୟାଚାରରେ ତିନିଲୋକ ହାହାକାର କରୁଥିଲେ। ଜଳକନ୍ଧରଙ୍କୁ ଅମର ବର ମିଳିନଥିଲେ ବି ପତ୍ନୀଙ୍କ ସତୀତ୍ବ ନଷ୍ଟ ହେଲେ ଯାଇ ତାଙ୍କର ମୃତ୍ୟୁ ହେବ ବୋଲି ବର ମିଳିଥିଲା । ତେବେ ପତ୍ନୀ ମହାସତୀ ହୋଇଥିବାରୁ ନିଜକୁ ଅମର ଭାବୁଥିଲା ଜଳକନ୍ଧର । ଶେଷରେ ତାଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ନିଜେ ଜଳକନ୍ଧର ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ବ ହରଣ କରିଥିଲେ । ଏହି ଘଟଣାରେ ବୃନ୍ଦାବତୀଙ୍କ ସତୀତ୍ଵ ଉପରେ ପ୍ରଶ୍ନ ହେବାରୁ ତାଙ୍କୁ ପଞ୍ଚବନୀ ରସ ବା ଅମୃତ ରସରେ ପବିତ୍ର କରାଯାଇଥିଲା । ଏହି ପଞ୍ଚବନୀ ଶଦ୍ଦରୁ ପଞ୍ଚକ ଶଦ୍ଦ ଯାତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ଭାବେ ପାଳନ କରାଯାଇଥିବା ବେଳେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ ।
ପଞ୍ଚୁକ ଶେଷଦିନ ହିଁ କାର୍ତ୍ତିକ ପୂର୍ଣ୍ଣିମା । ଏହା କାର୍ତ୍ତିକ ବ୍ରତର ଉଦ୍ଯାପନ ଦିବସ । ସେଦିନ ଆବାଲ୍ୟ ବୃଦ୍ଧ ବନିତା ପ୍ରାତଃ ସ୍ନାନସାରି ଡ଼ଙ୍ଗା ଭସାଇବାକୁ ନଦୀ କୂଳକୁ ଯାଆନ୍ତି । କଦଳୀ ପଟୁକା ବା ସୋଲରେ ପ୍ରସ୍ତୁତ ଡ଼ଙ୍ଗାରେ ଦୀପଦାନ ଦେଇ ଡ଼ଙ୍ଗା ଭସାଇଦିଅନ୍ତି:ଆକାମାଭୈ ପାନଗୁଆ ଥୋଇ । ପାନଗୁଆଯାକ ତୋର, ମାସକ ଧରମ ମୋର, ଏମିତି ବାଣୀରେ । ଏହି ପଦ୍ୟଗୁଡ଼ିକ ଉଭୟ ପ୍ରାଚୀନ ବୋଉତ ବନ୍ଦାଣର ସ୍ମୃତି ଓ ମାସକଯାକ ଚାଲୁରଖିଥିବା ‘ରାଇଦାମୋଦର ବ୍ରତ’ର ଉଦ୍ଯାପନକୁ ବୁଝାଏ । ଏଇଠି ସରେ ଧର୍ମାର୍ଥେ ଆକାଶ ଦୀପ ଓ ତୁଳସୀ ପୂଜାର କାହାଣୀ । ପଞ୍ଚୁକରେ ପଡ଼େ ବଡ଼ଓଷା । ପଞ୍ଚୁକର ପାଞ୍ଚଦିନର ସକାଳ ଶୁଭ ଓ ପବିତ୍ର ବେଳାରେ ଆସେ ବୋଲି, ଏହି ଓଷାକୁ ଶ୍ରେଷ୍ଠ ବା ବଡ଼ଓଷା କୁହନ୍ତି । ଅନେକ ଦେବାଳୟ ସ୍ଥାନରେ ବଡ଼ଓଷା ଯାତ୍ରା ମହାସମାଗମରେ ପାଳିତ ହୁଏ । କାର୍ତ୍ତିକବ୍ରତ ମୁଖ୍ୟତଃ ବିଷ୍ଣୁ ଉପାସନାକାରଣରୁ ଏବଂ ତୁଳସା ତାଙ୍କ ଅତିପ୍ରିୟ ହେତୁ, ତୁଳସୀ ମୂଳେ ଚଉରାରେ ରଙ୍ଗବେରଙ୍ଗର ମୁରୁଜ ପକାଇ ଚିତ୍ରିତ କରାଯାଏ । ଏହି ଚିତ୍ର ମଧ୍ୟରେ ଥାଏ ଜୀଉମାନଙ୍କର ଚିତ୍ର, ଫୁଲ ଓ ଶଙ୍ଖର ଚିତ୍ର । ତୁଳସୀ ଚଉରାମୂଳେ ବୃନ୍ଦାବତୀଙ୍କ ପୂଜାହୁଏ । ଉଦ୍ଦେଶ୍ୟ ହେଲା ବୃନ୍ଦାବତୀଙ୍କ ମାଧ୍ୟମରେ ବିଷ୍ଣୁପ୍ରାପ୍ତି ।
ଶ୍ରୀମନ୍ଦିରରେ ପଞ୍ଚକ ଅବସରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ।
● କାର୍ତ୍ତିକ ଶୁକ୍ଳ ଏକାଦଶୀରେ: ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
● କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ: ବାଙ୍କଚୂଡ଼ା ବେଶ ବା ବାମନ ବେଶ
● କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀରେ: ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
● କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ: ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
● କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣମୀରେ: ରାଜରାଜେଶ୍ୱର ବେଶ ବା ସୁନାବେଶ
● ନାଗାର୍ଜୁନ ବେଶ (କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ !
