ନୂଆଦିଲ୍ଲୀ, ୧୭।୪: ବିଶ୍ୱ ରାଜନୀତି ଏବଂ ଅର୍ଥନୀତିରେ ଭାରତ ନିଜର ସ୍ୱାଧୀନ ଆଭିମୁଖ୍ୟକୁ ପୁଣି ଥରେ ଦୋହରାଇଛି। ଆମେରିକା ପକ୍ଷରୁ ରୁଷୀୟ ତେଲ ଉପରେ ଦିଆଯାଇଥିବା ୩୦ ଦିନିଆ କୋହଳ ଅବଧି ଶେଷ ହୋଇଥିଲେ ମଧ୍ୟ ଭାରତ ରୁଷରୁ ଅଶୋଧିତ ତେଲ ଏବଂ LPG କିଣିବା ଜାରି ରଖିବ । ଭାରତ ସ୍ପଷ୍ଟ କରିଛି ଯେ, କେଉଁ ଦେଶରୁ ଶକ୍ତି ସମ୍ପଦ କିଣାଯିବ ତାହା କୌଣସି ବାହ୍ୟ ଶକ୍ତି ନୁହେଁ, ବରଂ ଭାରତ ନିଜେ ସ୍ଥିର କରିବ । ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ବିଶ୍ୱ ବଜାରରେ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆମେରିକା ମାର୍ଚ୍ଚ ମାସରେ ରୁଷୀୟ ତେଲ ଉପରେ କିଛିଟା କୋହଳ ନୀତି ଆପଣାଇଥିଲା । କିନ୍ତୁ, ଆମେରିକା ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ୍ ଗତ ବୁଧବାର ସ୍ପଷ୍ଟ କରିଛନ୍ତି ଯେ, ଏହି ଛୁଟି ଅବଧିକୁ ଆଉ ବଢ଼ାଯିବ ନାହିଁ । ତେବେ ଭାରତୀୟ ଅଧିକାରୀଙ୍କ ମତରେ, ଆମେରିକାର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସେମାନଙ୍କର ନିଜସ୍ୱ ବ୍ୟାପାର । ଏହା ଭାରତର ଆମଦାନୀ ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଯେଉଁସବୁ ରୁଷୀୟ ସଂସ୍ଥା ଉପରେ ପ୍ରତ୍ୟକ୍ଷ କଟକଣା ନାହିଁ, ସେମାନଙ୍କଠାରୁ ତେଲ ଓ LPG କିଣିବା ଜାରି ରହିବ । ରିପୋର୍ଟ ଅନୁଯାୟୀ, ଭାରତ ନିକଟରେ ରୁଷ, ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ପ୍ରାୟ ୮ ଲକ୍ଷ ଟନ୍ LPG ହାସଲ କରିଛି । ଭବିଷ୍ୟତର ଚାହିଦା ପୂରଣ ପାଇଁ ଭାରତ ବର୍ତ୍ତମାନ କାନାଡ଼ାରୁ ମଧ୍ୟ LPG ଯୋଗାଣ ପାଇଁ ଆଶା ରହିଛି । ଅତିରିକ୍ତ ରାନ୍ଧଣା ଗ୍ୟାସ ପାଇଁ ଅଙ୍ଗୋଲା ସରକାରଙ୍କ ସହ ଆଲୋଚନା ଚାଲିଛି । ବର୍ତ୍ତମାନର ପରିସ୍ଥିତିରେ ଆମେରିକା ଭାରତର ମୁଖ୍ୟ LPG ରପ୍ତାନିକାରୀ ଦେଶ ଭାବେ ରହିବ । ଫିନଲ୍ୟାଣ୍ଡର ଥିଙ୍କ୍ ଟ୍ୟାଙ୍କ ‘CREA’ ର ତଥ୍ୟ ଅନୁଯାୟୀ, ଭାରତୀୟ ତେଲ ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପଶ୍ଚିମ ଏସିଆ ପୂର୍ବରୁ ଭାରତର ମୋଟ୍ ତେଲ ଆମଦାନୀର ୬୦% ଏହି ଅଞ୍ଚଳରୁ ଆସୁଥିଲା, ଯାହା ଏବେ ହ୍ରାସ ପାଇ ୩୦%ରେ ପହଞ୍ଚିଛି । ଚୀନ୍ ପରେ ଭାରତ ବର୍ତ୍ତମାନ ରୁଷୀୟ ଜୀବାଶ୍ମ ଜାଳେଣିର ଦ୍ୱିତୀୟ ବଡ଼ କ୍ରେତା ସାଜିଛି । କେବଳ ମାର୍ଚ୍ଚ ମାସରେ ଭାରତ ରୁଷଠାରୁ ୫.୮ ବିଲିୟନ ୟୁରୋ ମୂଲ୍ୟର ହାଇଡ୍ରୋକାର୍ବନ ଆମଦାନୀ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ, ଭାରତ ନିଜର ଶକ୍ତି ନିରାପତ୍ତାକୁ ସର୍ବଦା ପ୍ରାଥମିକତା ଦିଏ । ଭାରତ ବିଭିନ୍ନ ସ୍ରୋତରୁ ତେଲ କିଣୁଛି ଏବଂ ବ୍ୟବସାୟିକ ଫାଇଦାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଜାରି ରହିବ ।
