ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ବଡ଼ ଅଘଟଣ ଘଟିଛି । କାଶିବୁଗା ସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଭିତରେ ଦଳାଚକଟା ଘଟି ୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ପାଇଁ ଅଘଟଣ ଘଟିଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଡୁ । ଆହତଙ୍କ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡୁରେ ବିଜୟ ଥାଲାପତିଙ୍କ ରାଲିରେ ଦଳଚକଟା ଘଟଣାର ଦୁଃଖ ଭିତରେ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଆଉ ଅଘଟଣ ସମସ୍ତଙ୍କୁ ଚକିତ କରିଛି । ମନ୍ଦିର ଭିତରେ ବିଞ୍ଚିବା ପାଇଁ ଆର୍ତ୍ତ ଚିତ୍କାରର ସେ ଦୃଶ୍ୟ ଥିଲା ହୃଦୟ ବିଦାରକ । ମନ୍ଦିରରେ ଯେମିତି ମୃତ୍ୟୁ ମାଡି ଆସିଥିଲା । କେହି କିଛି ବୁଝିବା ଆଗରୁ ଜୀବନ ଦୀପ ଲିଭି ଯାଇଛି । ମନ୍ଦିର ପରିସରରେ ମୃତଦେହ ବିଛାଡ଼ି ପଡ଼ିଥିବାର ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡୁଥିବା ଭିଡିଓରେ ଦେଖିବାକୁ ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ତାଙ୍କୁ ମର୍ମାହତ କରିଛି । ଶ୍ରଦ୍ଧାଳୁଙ୍କ ମୃତ୍ୟୁ “ହୃଦୟବିଦାରକ” ବୋଲି କହିଛନ୍ତି । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛ ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ପଦକ୍ଷେପ ତଦାରଖ କରିବାକୁ କହିଛନ୍ତି ।
