ଭୁବନେଶ୍ୱର : ସଂସଦରେ ଓଡ଼ିଶାର ପ୍ରତିନିଧିତ୍ବ ବୃଦ୍ଧି ପାଇବ । ପ୍ରାୟ ୫୦ ପ୍ରତିଶତ ବଢ଼ିବା ନେଇ ସକରାତ୍ମକ ସମ୍ଭାବନା ରହିଛି । ଓଡ଼ିଶାର ସାଂସଦଙ୍କ ସଂଖ୍ୟା ୨୧ରୁ ୩୨ ହେବ । ସେହିପରି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ ହେବ । ତେଣୁ ଏଥିରେ ବିଜେଡିର ଅସୁବିଧା କେଉଁଠି ରହୁଛି । ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିବୃତିରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପ୍ରଶ୍ନ କରି କହିଛନ୍ତି, ଓଡ଼ିଶାର ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବିଜେଡ଼ିକୁ ଅସୁବିଧା କେଉଁଠି । ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବା ଭଳି ଏକ ସକାରାତ୍ମକ ସମ୍ଭାବନା ରହିଥିବା ବେଳେ ନବୀନ ପଟ୍ଟନାୟକ କାହିଁକି ଭୟଭୀତ ଓ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି, ତାହା ବୁଝାପଡ଼ୁନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବିବୃତି ଆଶ୍ଚର୍ଯ୍ୟଜନକ । ତାଙ୍କ ଭଳି ବ୍ୟକ୍ତିଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ମନରେ ଭ୍ରମ ତିଆରି କରୁଛି । ସେ ଯେଉଁ କଥା କହିଛନ୍ତି, ତାହା ଭିତ୍ତିହୀନ ଓ ହାସ୍ୟାସ୍ପଦ ଭଳି ମନେହେଉଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତତୃତ୍ୱାଧୀନ ସରକାର ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି । ତେଣୁ ଏଥିରେ ଡରିବାର କିଛି ନାହିଁ । କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗତ ୧୬ ଓ ୧୭ ତାରିଖରେ ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା କରିବା ସମୟରେ, ଦେଶର ସବୁ ରାଜ୍ୟ ସମେତ ଓଡ଼ିଶାର ପ୍ରତିନିଧିତ୍ୱ ୫୦ ପ୍ରତିଶତ ବଢ଼ିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି । ଏହା ଫଳରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ବୃଦ୍ଧି ପାଇ ୩୨ ହେବ ଏବଂ ତତସହିତ ଅତିକମରେ ୧୧ ଜଣ ମହିଳା ନୂଆ ସାଂସଦ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ । ବର୍ତ୍ତମାନ ଦେଶର ଲୋକସଭା ସିଟ୍ ଆଧାରରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୮୭ ପ୍ରତିଶତ ଥିବା ବେଳେ ଏହି ଆସନ ବଢ଼ିଲେ ୩.୯୧ ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶାର ଭୂମିକା ସୁଦୃଢ଼ ହେବ । ନବୀନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିଙ୍କ ଠାରୁ ସତ୍ୟ ଅଧାରିତ ତଥ୍ୟ ଅପେକ୍ଷା କରାଯାଏ । ମିଥ୍ୟା ପ୍ରଚାର ନକରି ତଥ୍ୟ ଭିତ୍ତିକ ସତ୍ୟ ପ୍ରକାଶ କଲେ ଓଡ଼ିଶାର ପ୍ରକୃତ ହିତ ସାଧିତ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ।
