କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଜିତି ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଏହି ଭବିଷ୍ୟବାଣୀ କରିଛନ୍ତି ପୁରୀର ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀ ଦାସମହାପାତ୍ର କହିଛନ୍ତି, ପ୍ରଭୁ ଜଗନ୍ନାଥ ମମତା ବାନାର୍ଜୀଙ୍କୁ ତାଙ୍କର ବିଶେଷ ଆଶୀର୍ବାଦ ଦେଇଛନ୍ତି । ମମତା ବାନାର୍ଜୀ ବର୍ଷକୁ ୩୬୫ ଦିନ ଲୋକଙ୍କ ପାଇଁ କାମ କରନ୍ତି । ତେଣୁ ଏହି ନିର୍ବାଚନରେ ସେ ୨୨୧ରୁ ଅଧିକ ଆସନ ହାସଲ କରିବେ ଏବଂ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ଉଲ୍ଲେଖଯୋଗ୍ୟ ଯେ, ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ଏବଂ ଏହାକୁ “ଧାମ’ ଭାବରେ ନାମିତ କରିବାକୁ ନେଇ ବିବାଦ ହୋଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣା ମାଝୀ ନିଜେ ମମତା ବାନାର୍ଜୀଙ୍କୁ ଚିଠି ଲେଖି “ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାରର ପୁନଃବିଚାର କରିବାକୁ ଅନୁରୋଧ କରିଥିଲେ । ମହାପ୍ରଭୁଙ୍କ ମୂର୍ତ୍ତି ପାଇଁ ଉଦ୍ଦିଷ୍ଟ ନିମ କାଠ ଚୋରି ସମ୍ପର୍କରେ ମଧ୍ୟ ଅଭିଯୋଗ ଉଠିଥିଲା । ପୁରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କର ଏକ ଗୋଷ୍ଠୀ ଏଥିରେ କ୍ଷୁବ୍ଧ ହୋଇଥିଲେ ମଧ୍ୟ ରାମକୃଷ୍ଣ ଦାସମହାପାତ୍ର ଆରମ୍ଭରୁ ମମତାଙ୍କ ସପକ୍ଷରେ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ସେ କହିଥିଲେ, ମମତା ଏକ ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି । ଯେତେବେଳେ ବିଜେପି ମମତାଙ୍କ ବିରୋଧରେ ସଂଖ୍ୟାଲଘୁ ତୁଷ୍ଟିକରଣ ଅଭିଯୋଗ କରୁଛି ସେତେବେଳେ ରାଜନୈତିକ ସମୁଦାୟର ଏକ ଗୋଷ୍ଠୀ ବିଶ୍ୱାସ କରନ୍ତି ଯେ ଶ୍ରୀଦାସ ମହାପାତ୍ରଙ୍କ ଏହି ସମର୍ଥନ ତୃଣମୂଳ ନେତ୍ରୀଙ୍କୁ ତାଙ୍କର ହିନ୍ଦୁ ବିରୋଧୀ ଲେବଲ୍ ଛଡାଇବାରେ ସାହାଯ୍ୟ କରିବ । ରାମକୃଷ୍ଣଙ୍କ ମତରେ ମମତା ସମସ୍ତ ଧର୍ମକୁ ସମାନ ଭାବରେ ଦେଖନ୍ତି ଏବଂ ଏହା ତାଙ୍କ ଶକ୍ତିର ପ୍ରକୃତ ଉତ୍ସ ।
