ଆମେ ଓଡ଼ିଆ ଭାରି ବଢ଼ିଆ । ଆମ ମହାପ୍ରଭୁ ଭୁଞ୍ଜନ୍ତି ୬୦ ପଉଟି ଭୋଗ ଆଉ ଆମେ ପାଳନ କରୁ ୧୨ ମାସରେ ୧୩ ଓଷା । ତନ୍ମଧ୍ୟରୁ ପ୍ରଧାନ ଆମ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି ଅବସରରେ ପୂରା ଓଡ଼ିଶାରେ ପାଳନ ହୁଏ ନୂଆବର୍ଷ । ଚଳଚଞ୍ଚଳ ହୋଇପଡ଼େ ମଠରୁ ମନ୍ଦିର । ଖାସ୍ କରି ସଂକ୍ରାନ୍ତି ପାଇଁ ପରିବା ବଜାରରୁ ଆରମ୍ଭ କରି ଫଳ ବଜାର ପର୍ଯ୍ୟନ୍ତ ସବୁଠି ମହଙ୍ଗା ହୁଏ ପରିବା ଓ ଫଳ । ଆଜି ହେଉଛି ସେହି ପବିତ୍ର ପଣା ସଂକ୍ରାନ୍ତି । ଆଜିର ଦିନରେ ପ୍ରତି ଘରେ ମା’ମାନେ ତୁଳସୀ ଚଉରା ମୂଳେ ପୂଜା କରି ପାଳନ କରନ୍ତି ପଣା ସଂକ୍ରାନ୍ତି । ପ୍ରଥମେ ତୁଳସୀ ଚଉରା ମୂଳରେ ଛୋଟ ମାଠିଆରେ ପଣା ରଖି ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଏ , ଏହି ଠେକିକୁ ବସୁନ୍ଧରା ବା ବସନ୍ତରା ଠେକି ବୋଲି ମଧ୍ୟ କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସେ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ‘ମେରୁ ଯାତ’ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ପିଇ ପଣା ସଂକ୍ରାନ୍ତି ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ଭାବରେ ପାଳନ କରାଯାଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ପ୍ରଖର ହେବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ପିଇବାକୁ ଦିଆଯାଏ । ଆଉ ଏହି ପଣା ପାନରୁ ଆରମ୍ଭ ହୁଏ ପଣା ସଂକ୍ରାନ୍ତି ପର୍ବ । ଓଡ଼ିଆ ନବବର୍ଷରେ ଅଧିକାଂଶ ଘରେ ବେଲ ପଣା ପ୍ରସ୍ତୁତ କରାଯାଇ ଅତିଥି ଏବଂ ସାହି ପଡ଼ିଶାଙ୍କୁ ଆପ୍ୟାୟିତ କରିଯାଏ । ଖାଲି ସେତିକି ନୁହେଁ, କେତେକ ଅନୁଷ୍ଠାନ ପକ୍ଷରୁ ବି ଏହି ଅବସରରେ ପଣା ତିଆରି କରାଯାଇ ବଣ୍ଟା ଯାଇଥାଏ । ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଗୋଟିଏ ପାତ୍ରରେ ରଖାଯାଏ । ସେହି ପାତ୍ରରେ ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ଗୋଳି ମିକ୍ସରରେ ଗ୍ରାଇଣ୍ଡ୍ କରାଯାଏ । ତା’ପରେ ଏହି ପଣାକୁ ଗ୍ଲାସରେ ଛାଣି ବଳକା ଖଦଡ଼କୁ ବାହାର କରାଯାଏ । ତା’ଉପରେ ନଡ଼ିଆ କୋରା, କାଜୁ , ରାବିଡି ଓ ଗୋଲମରିଚ ଗୁଣ୍ଡ ମିଶାଇ ସୁଆଦିଆ ବେଲପଣା ପ୍ରସ୍ତୁତ କରାଯାଏ । ପବିତ୍ର ପଣା ସଂକ୍ରାନ୍ତିକୁ ଆପଣମାନେ କେମିତି ପାଳନ କରନ୍ତି ଆମକୁ ନିଶ୍ଚୟ ଜଣାଇବେ ।
