ଭଗବାନ ବିଷ୍ଣୁଙ୍କର ଏହା ପ୍ରଥମ ଅବତାର। ସତ୍ୟ ଯୁଗରେ ଶଙ୍ଖାସୁର ବ୍ରହ୍ମାଙ୍କ ଠାରୁ ଚାରି ବେଦ ଚୋରି କରି ନେଇଥିଲା।ସେ ହେଉଛି ସିନ୍ଧୁ ପୁତ୍ର।ବେଦ ନଥିବାରୁ କିଛି ପୂଣ୍ୟ କାର୍ଯ୍ୟ କିମ୍ବା ହୋମ ଯଜ୍ଞ ହୋଇ ପାରିଲା ନାହିଁ। ସବୁ ଦେବତାମାନେ ଓ ମୁନି ଋଷି ମାନେ ବିଷ୍ଣୁଙ୍କ ପାଖକୁ ଗଲେ। ସେତେବେଳକୁ ବିଷ୍ଣୁ ଅନନ୍ତ ନାଗଙ୍କ ଉପରେ ଯୋଗନିଦ୍ରାରେ ଶୟନ ଅବସ୍ଥାରେ ଥାଆନ୍ତି। ସବୁ ଦେବତା ଓ ଋଷି ମାନେ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ବିଷ୍ଣୁ କହିଲେ,”ତୁମେ ସବୁ ଫେରି ଯାଅ। ମୁଁ ସେହି ଦୈତ୍ୟ ଶଙ୍ଖାସୁରକୁ ମାରି ବେଦ ଉଦ୍ଧାର କରିବି।”
ବିନ୍ଧ୍ୟ ପର୍ବତରେ କଶ୍ଯପ ବୋଲି ଜଣେ ମହର୍ଷି ରହୁଥିଲେ।ସେ ସବୁଦିନ ଭୋର ସମୟରେ ସରସ୍ୱତୀ ନଦୀକୁ ସ୍ନାନ ପାଇଁ ଯାଆନ୍ତି। ଆଷାଢ଼ ଠାରୁ ବର୍ଷା ଚାରି ମାସକୁ ଚତୁର୍ମାସ୍ଯା କୁହାଯାଏ। ଦିନେ ଗୋଟିଏ ଅଦ୍ଭୁତ ଘଟଣା ଘଟିଲା। ସ୍ନାନ ସାରି ମହର୍ଷି ସୂର୍ଯ୍ୟଙ୍କୁ ଆଞ୍ଜୁଳାରେ ଜଳ ଟେକୁଥିଲେ। ମହର୍ଷି ଦେଖିଲେ ତାଙ୍କ ଅଞ୍ଜଳି ଭିତରେ ଗୋଟିଏ ଛୋଟ ମାଛ ଖେଳୁଛି।ସେ ଭାବିଲେ ବଡ ମାଛଙ୍କ ଡରରେ ଛୋଟ ମାଛଟି ଚାଲି ଆସିଥିବ।ସେ ଦୟାର୍ଦ୍ଦ ହୋଇ ଛୋଟ ମାଛଟିକୁ ନିଜ କମଣ୍ଡଳୁ ମଧ୍ୟରେ ରଖିଦେଲେ।ମାଛଟି ଅସମ୍ଭବ ଭାବରେ ବୃଦ୍ଧି ପାଇଲା।ତାକୁ କମଣ୍ଡଳୁ ମଧ୍ୟରେ ଯାଗା ନିଅଣ୍ଟ ହେଲା।ମାଛଟି ଋଷିଙ୍କୁ କହିଲା,”ମୋତେ ଟିକେ ବଡ଼ ଜଳକୁଣ୍ଡରେ ଛାଡି ଦିଅ।” କଶ୍ଯପ ସେହି ମାଛକୁ ନେଇ ଗୋଟିଏ କୁଅ ଭିତରେ ଛାଡି ଦେଲେ।ମାଛର ଶରୀର ବଢିଯିବାରୁ କୁଅଟିରେ ଜାଗା ନିଅଣ୍ଟ ହେଲା। ତେଣୁ ଋଷି ତାକୁ ନେଇ ଗୋଟିଏ ସରୋବରରେ ଛାଡିଲେ।
ମାଛର ଶରୀର ବଢିବାରୁ ତାକୁ ଜାଗା ନିଅଣ୍ଟ ହେଲା। ମହର୍ଷି ତାକୁ ନେଇ ଗୋଟିଏ ନଦୀରେ ଛାଡ଼ି ଦେଲେ। ସେହି ଏକା ଅବସ୍ଥା।ମାଛଟି ବଢ଼ି ଯିବାରୁ ନଦୀ ମୁହାଣ ଅଚଳ ହେଲା। କଶ୍ଯପ ମହର୍ଷି ବଡ଼ ଚିନ୍ତାରେ ପଡିଲେ। ଅନ୍ୟ ଋଷି ମାନଙ୍କୁ ଡକାଇଲେ। ସେମାନଙ୍କର ସାହାଯ୍ୟ ନେଇ ସେହି ମତ୍ସକୁ ସମୁଦ୍ରରେ ଛାଡ଼ିଦେଲେ।ସଙ୍ଗେସଙ୍ଗେ ସେହି ମତ୍ସ ମେରୁ ସମାନ କଳେବର ହୋଇଗଲା। ଦେବତା ଓ ମାନବ ମାନଙ୍କ ହିତରେ ଭଗବାନ ବିଷ୍ଣୁ ସାଗରରେ ବିଶ୍ଵରୂପ ଧରିବାରୁ ମତ୍ସ୍ୟ ଙ୍କ ଦେହ ସ୍ଵର୍ଣ୍ଣମୟ ହୋଇଗଲା। ସେହି ମତ୍ସ ପକ୍ଷ ହଲାଇ ଖେଳିବାରୁ ସମୁଦ୍ର ଜଳ ଉଛୁଳି ପଡିଲା। ସମୁଦ୍ର ଜଳ କୁଳ ଲଂଘିଲା।ସପ୍ତ ସିନ୍ଧୁ ଜଳ ସେହି ମତ୍ସର ପୁଚ୍ଛରେ ଶୋଷି ହୋଇଗଲା। ସେହି ସିନ୍ଧୁ ଭିତରେ ଲୁଚିଥିଲା ଶଙ୍ଖାସୁର। ସିନ୍ଧୁ ଶୁଖି ଯିବାରୁ ତା ଭିତରୁ ସେ ବାହାରି ଆସିଲା। ମତ୍ସ୍ୟ ରୁପେ ଥିବା ଭଗବାନ ସଙ୍ଗେସଙ୍ଗେ ପ୍ରକଟ ହେଲେ। ଶଙ୍ଖାସୁରକୁ ଧରି ତା ମୁହଁରେ ଫୁଙ୍କିଲେ। ତା’ର ଦେହ ଫୁଲି ଫାଟି ଯାଇ ମାଂସ,ରକ୍ତ,ଚମ ବାହାରି ଗଲା। ଖାଲି ଅସ୍ଥି ଖୋଳପା ପଡ଼ି ରହିଲା। ଭଗବାନ ତାହାକୁ ହାତରେ ଟେକି ଧରିଲେ।ଶଙ୍ଖାସୁରର ସେହି ଅସ୍ଥିମୟ ଖୋଳପାକୁ ଭଗବାନ ବିଷ୍ଣୁ ନିଜର ଆୟୁଧ କଲେ। ତା’ର ନାମ ରଖିଲେ ପାଞ୍ଚଜନ୍ଯ ଶଙ୍ଖ।ବେଦ ଉଦ୍ଧାର କରି ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ଦେଲେ। ବ୍ରହ୍ମା ଆନନ୍ଦ ମନରେ ବିଷ୍ଣୁଙ୍କୁ ବଦରିକା ବନରେ ପୂଜା କଲେ। ଭଗବାନଙ୍କ ମନ ତୋଷ କରି ବିଷ୍ଣୁ ଏକାଦଶୀ ରଚିଲେ।ଶିବଙ୍କ ସହିତ ଦେବଗଣ ଗୋବିନ୍ଦ ଙ୍କ ପାଦରେ ପ୍ରଣାମ କଲେ। କହିଲେ, ହେ ପଦ୍ମମୁଖ!ତୁମ ପ୍ରସାଦରୁ ଆମ ଦୁଃଖ ଦୂର ହୋଇଗଲା।
ବ୍ରହ୍ମା କହିଲେ,କାର୍ତ୍ତିକ ମାସ ଆଗମନରେ ବିଷ୍ଣୁ ଜଳରେ ବାସ କରନ୍ତୁ। ଯେଉଁ ଲୋକ ପ୍ରାତଃ କାଳରେ ଜଳରେ ସ୍ନାନ କରି ନିୟମରେ ବ୍ରତାଚାରୀ ହୋଇ ହବିଷ୍ଯ ଅନ୍ନ ଭୋଗ କରି ତୁମ ନାଁ ଜପ କରିବେ, ତାଙ୍କର ଶତଜନ୍ମ ପାପ ଖଣ୍ଡନ ହେବ।ସେ ପରମ ମୁକ୍ତି ପାଇବେ।ହେ ଲକ୍ଷ୍ମୀପତି! ଏହି ଆଜ୍ଞା ଦିଅନ୍ତୁ। ନାରାୟଣ କହିଲେ, ତାହା ହିଁ ହେଉ।
ଦେବତାମାନେ ଖୁସି ହେଲେ। ସେଠାରୁ ଭଗବାନ ବିଷ୍ଣୁ ଯାଇ ବାରଣାସୀରେ ଶିବଙ୍କ ପୂଜା କରି ବ୍ରହ୍ମାଙ୍କୁ ଚାହିଁ କହିଲେ,ହେ ବେଦବର!ପ୍ରୟାଗ,ବଦରିକା ଓ କାଶୀ ଏହି ତିନି କ୍ଷେତ୍ର ମୋର ଅତି ପ୍ରିୟ। ଯେଉଁ ଲୋକ ଏହି ସବୁ ତୀର୍ଥକୁ ଆସି ସ୍ନାନ କରି ଦିନେ ମାତ୍ର ରହିବ, ତାହାକୁ ମୃତ୍ୟୁ ପରେ ମୋ ଧାମରେ ସ୍ଥାନ ମିଳିବ। ଏଭଳି ଆଜ୍ଞା ପାଇ ବିଧାତା ପୁରାଣରେ ବର୍ଣ୍ଣନା କଲେ। କାର୍ତ୍ତିକ ବ୍ରତ ଏକାଦଶୀ ମହିମା ବିଶେଷ ଭାବରେ ବର୍ଣ୍ଣନା କଲେ। ସଂସାର ଜନଙ୍କୁ ନିସ୍ତାର କରିବା ପାଇଁ ବିଧାତା ଏହା କରିଛନ୍ତି। ଦେବତା ମାନେ ଯେ ଯାହା ପୁରକୁ ଗମନ କଲେ।ପଦ୍ମମୁଖରୁ ଯେହେତୁ ପ୍ରକାଶ ପାଇଲା, ତାହା ପଦ୍ମ ପୁରାଣ ନାମରେ ନାମିତ ହୋଇଛି। ଉତ୍ତର ଖଣ୍ଡ ମହିମା ଶୁଣି ସତ୍ୟଭାମା ସନ୍ତୋଷ ପ୍ରକାଶ କଲେ। ପ୍ରଭୁ ଭଗବାନ ବିଷ୍ଣୁଙ୍କ ପାଦତଳେ ପ୍ରଣାମ କଲେ।
ଯଜ୍ଞ ହେବାରୁ ଦେବତାମାନେ ଯଜ୍ଞ ଭାଗ ପାଇଲେ। ତେଣୁ ଯଥା ସମୟରେ ଇନ୍ଦ୍ର ବୃଷ୍ଟି କଲେ। ପୃଥିବୀ ଶସ୍ୟ ଶ୍ଯାମଳା ହୋଇ ଉଠିଲା।
