ନୂଆଦିଲ୍ଲୀ,୧୦/୧୦: ଜାମ୍ମୁ କାଶ୍ମୀରକୁ କାହିଁକି ଦିଆଯିବନି ପୂର୍ଣ୍ଣ ରାଜ୍ୟ ମାନ୍ୟତା ? ଆବେଦନ ହୋଇଥିବା ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହରେ ଜବାବ ତଲବ କରିବାକୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଦାବି କରୁଥିବା ଅନେକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ କରିଛନ୍ତି । ପ୍ରଧାନ ବିଚାରପତି ବି.ଆର ଗଭଇ ଏବଂ ମୁଖ୍ୟ ବିଚାରପତି ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ୪ ସପ୍ତାହରେ ଜବାବ ଦେବାକୁ ନୋଟିସ ଜାରି କରିଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ଜହୁଲ ଅହମ୍ମଦ ଭଟ୍ଟ ଏବଂ ରାଜନୈତିକ-ସାମାଜିକ କର୍ମୀ ଅହମ୍ମଦ ମଲିକ ସାମିଲ ଅଛନ୍ତି । ଆବେଦନଗୁଡିକରେ ଦାବି କରାଯାଇଛି ଯେ, ଜାମ୍ମୁ କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ । ଆବେଦନକାରୀଙ୍କ ଓକିଲ ଡିସେମ୍ବର ୨୦୨୩ରେ ଧାରା ୩୭୦ ରଦ୍ଦକୁ ସମର୍ଥନ କରିଥିବା କୋର୍ଟଙ୍କ ନିଷ୍ପତ୍ତି ଉପରେ ଚର୍ଚ୍ଚା କରିଥିଲେ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ”ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ସମ୍ପର୍କରେ ଆଲୋଚନା ଚାଲିଛି । ଏଥିପାଇଁ ସମୟ ଲାଗିବ । ଏହା ଏକ ଅନନ୍ୟ ପ୍ରସଙ୍ଗ ଏବଂ ବିସ୍ତୃତ ଆଲୋଚନା ଚାଲିଛି । ଅନେକ ଦିଗ ଉପରେ ବିଚାର କରିବାକୁ ପଡିବ । ତାହା ପରେ ହିଁ ନିଷ୍ପତ୍ତି ନିଆଯିବ । କହି ରଖୁଛି କି,୨୦୨୩ ଡିସେମ୍ବର ୧୧ରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ଏକମତରେ ଧାରା ୩୭୦କୁ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବେଞ୍ଚ ରାଜ୍ୟରେ ସେପ୍ଟେମ୍ବର ୨୦୨୪ ସୁଦ୍ଧା ନିର୍ବାଚନ ହେବା ଦରକାର ଏବଂ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ କହିଥିଲେ । ସମୟସୀମା ସରିଛି । ନିର୍ବାଚନ ହୋଇସାରିଛି । ତେବେ ରାଜ୍ୟ ମାନ୍ୟତା କାହିଁକି ଦିଆଯାଇନାହିଁ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
