ଭୁବନେଶ୍ଵର, ୧୧/୧୦ : ପଶ୍ଚିମବଙ୍ଗରେ ଆରଜି କର୍ ମେଡିକାଲ୍ କଲେଜ ଘଟଣାର ରିପିଟ୍। ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଜଳେଶ୍ଵର ଅଞ୍ଚଳର ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ମହିଳା କମିଶନ ଟିମ୍ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି।
ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ କ୍ୟାମ୍ପସ୍ ବାହାରକୁ ଯାଇଥିଲେ। କଲେଜ୍ ଗେଟ୍ ନିକଟରେ ୪ ରୁ ୫ ଜଣ ଅଜ୍ଞାତ ଲୋକ ତାଙ୍କୁ ଟାଣିନେଇ ହସ୍ପିଟାଲ ପଛପଟେ ଏକ ଶୂନଶାନ୍ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଏବେ ଦୁର୍ଗାପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଅପର ପକ୍ଷରେ ମେଡିକାଲ କଲେଜର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାତି ୮ଟା ପରେ ହଷ୍ଟେଲ ଛାତ୍ରୀଙ୍କୁ କ୍ୟାମ୍ପସ୍ ବାହାରକୁ ଯିବାକୁ ଅନୁମତି ନଥିବା ବେଳେ ଛାତ୍ରୀ ଜଣଙ୍କ କିପରି ବାହାରକୁ ଗଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ପରିବାର ଲୋକେ ମେଡିକାଲ କଲେଜରେ ପହଞ୍ଚିଛନ୍ତି। ପୀଡ଼ିତା ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ମେଡିକାଲ କଲେଜ ଭିତରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ସହଯୋଗ କରୁନଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ଘଟଣାକୁ ନେଇ କେହି କିଛି ଜଣାଉ ନାହାନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଏଠାକାର ସରକାର ଚୁପ୍ ଅଛନ୍ତି। ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇ ସାରନ୍ତାଣି।
