ଭାରତୀୟ ଧର୍ମ ଧାରା ଓ ଜୀବନ ଧାରାକୁ ଯେଉଁ ଦୁଇ ଗୋଟି ଗ୍ରନ୍ଥ ସର୍ବୋତଭାବେ ପ୍ରଭାବିତ କରି ରଖିଛି ତାହା ହେଉଛି ପୁଣ୍ୟ କାବ୍ୟ ରାମାୟଣ ଓ ମହାଭାରତ l ରାମାୟଣର ସୃଷ୍ଟି ପ୍ରଥମେ ହୋଇ ଥିବାରୁ ଏହାକୁ ଆଦି କାବ୍ୟ ଏବଂ ଏହାର ସ୍ରଷ୍ଟା ମହର୍ଷି ବାଲ୍ମିକୀଙ୍କୁ ଆଦି କବି ଭାବେ ଅଭିହିତ କରାଯାଏ l କୁହାଯାଏ ରାମାୟଣର ଘଟଣାବଳୀ ସଂଘଟିତ ହେବା ପୂର୍ବରୁ ମହର୍ଷି ବାଲ୍ମୀକି ତାଙ୍କର ଦିବ୍ୟ ଦୃଷ୍ଟିରେ ଏହାକୁ ସନ୍ଦର୍ଶନ କରି ରାମାୟଣ ରଚନା କରି ସାରିଥିଲେ l ରାମାୟଣ ମହାକାବ୍ୟ ମାଧ୍ୟମରେ ଏବଂ ପ୍ରଭୁ ଶ୍ରୀରାମଙ୍କ ଜୀବନ ଚରିତ ମାଧ୍ୟମରେ ସେ ବିଶ୍ୱ ବାସୀଙ୍କୁ ମାନବ ଜୀବନର ସତ୍ୟ ତଥା କର୍ତ୍ତବ୍ୟ ବିଷୟରେ ଅବଗତ କରାଇ ଯାଇଛନ୍ତି l

ମମତା ବେହେରା
ସଂପାଦିକା
ମହର୍ଷି ବାଲ୍ମିକୀଙ୍କ ଜନ୍ମ ସମ୍ବନ୍ଧରେ ସଠିକ ତଥା ପ୍ରାମାଣିକ ତଥ୍ୟ ଉପଲବ୍ଧ ହୁଏ ନାହିଁ l ତେବେ ରାମାୟଣର ପ୍ରାଚୀନତା ବିଷୟରେ ଲବ୍ଧ ତଥ୍ୟ ହିଁ ବାଲ୍ମିକୀଙ୍କ ଜନ୍ମ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରେ l ବାଲ୍ମିକୀଙ୍କ ରଚିତ ରାମାୟଣ ମହାକାବ୍ୟ ସାତ କାଣ୍ଡ ବା ସାତ ଭାଗ ବିଶିଷ୍ଟ l ଉତ୍ତରା କାଣ୍ଡ ସହ ଏହା ପ୍ରାୟ ୨୪,୦୦୦ ଶ୍ଳୋକ ବିଶିଷ୍ଟ l ଐତିହାସିକଙ୍କ ମତରେ ରାମାୟଣର ରଚନା ଖ୍ରୀଷ୍ଟ ପୂର୍ବ ପାଞ୍ଚ ଶହରୁ ଖ୍ରୀଷ୍ଟପୂର୍ବ ଏକ ଶହ ମଧ୍ୟରେ ହୋଇ ଥିଲା l ପୁନଶ୍ଚ ରାମାୟଣ ବିଭିନ୍ନ ସମୟରେ ବିଭିନ୍ନ କବି କୋବିଦ ମାନଙ୍କ ଦ୍ୱାରା ପରିବର୍ତ୍ତିତ ତଥା ପରିବର୍ଦ୍ଧିତ ହୋଇଅଛି l ଏହାର ମୂଳ କଥାବସ୍ତୁ ଭିତରେ ବହୁ କାହାଣୀ ଓ ଉପକଥା ମାନ ଭିନ୍ନ ଭିନ୍ନ ସମୟରେ ସଂଯୋଜିତ ଓ ପ୍ରକ୍ଷିପ୍ତ ହୋଇଛି l ଏଣୁ ମୂଳ କାବ୍ୟର ରଚନା ସମୟ ତଥା ବାଲ୍ମିକୀଙ୍କ ଜନ୍ମ ବିଷୟରେ ସଠିକ ତଥ୍ୟ ଉପଲବ୍ଧ ହୋଇ ପାରି ନାହିଁ l ଇଂରେଜ ପ୍ରାବନ୍ଧିକ ମେନେନ୍ଙ୍କ ମତରେ ମହର୍ଷି ବାଲ୍ମିକୀ ହେଉଛନ୍ତି ମାନବ ଇତିହାସରେ ପ୍ରଥମ କବି ଯେ କି ରାମାୟଣକାଳରେ ହିଁ ଏହି ପ୍ରଥମ ମହାକାବ୍ୟ ରାମାୟଣ ରଚନା କରିଛନ୍ତି l କଥିତ ଅଛି ଯେ ବାଲ୍ମିକୀ ରାମଙ୍କୁ ସାକ୍ଷାତ କରିଛନ୍ତି ଏବଂ ମାଆ ସୀତାଙ୍କ ନିର୍ବାସନ କାଳରେ ତାଙ୍କୁ ତମସା ନଦୀ କୂଳରେ ଥିବା ତାଙ୍କ ଆଶ୍ରମରେ ଆଶ୍ରୟ ପ୍ରଦାନ କରିଛନ୍ତି l ଅନ୍ତଃସତ୍ଵା ସୀତାଙ୍କ ଗର୍ଭରୁ ବାଲ୍ମୀକି ଆଶ୍ରମରେ ଯମଜ ପୁତ୍ର ଲବ ଓ କୁଶ ଜନ୍ମ ଗ୍ରହଣ କରିଛନ୍ତି l ମହର୍ଷି ଲବ ଓ କୁଶଙ୍କୁ ସର୍ଵଶାସ୍ତ୍ର ଶିକ୍ଷା ଦେଇ ଓ ଏଥିରେ ପାରଙ୍ଗମ କରାଇ ନିଜ ରଚିତ ରାମାୟଣ ଶୁଣାଇ ଗାନ କରିବାକୁ ଶିଖାଇଛନ୍ତି l ପରେ ଅଯୋଧ୍ୟାରେ ଅଶ୍ୱମେଧ ଯଜ୍ଞ ସମୟରେ ଶ୍ରୀରାମଙ୍କ ଦରବାରରେ ଲବ ଓ କୁଶ ରାମାୟଣ ଗାନ କରିଛନ୍ତି ଏବଂ ଏହି ଠାରେ ଲବ, କୁଶ ଓ ମାଆ ସୀତାଙ୍କର ପ୍ରଭୁ ଶ୍ରୀରାମଙ୍କ ସହିତ ପୁନଃ ମିଳନ ହୋଇଛି l ଏଥିରୁ ଜଣା ପଡ଼ିଥାଏ ମହର୍ଷି ବାଲ୍ମିକୀ ପ୍ରଭୁ ରାମଙ୍କ ସମ ସାମୟିକ ଥିଲେ l
କିମ୍ବଦନ୍ତୀ ଅନୁସାରେ ସୁମାଳୀ ନାମକ ବ୍ରାହ୍ମଣଙ୍କ ପୁତ୍ର ହେଉଛନ୍ତି ଅଗ୍ନିଶର୍ମା lମତାନ୍ତରେ ଏହି ଅଗ୍ନି ଶର୍ମାଙ୍କୁ ରତ୍ନାକର ବୋଲି କୁହାଯାଏ l ସେ ଦସ୍ୟୁ ବୃତ୍ତି କରି କୁଟୁମ୍ବ ପୋଷଣ କରୁଥିଲେ l ଏକଦା ତାଙ୍କର ଭେଟ ହେଲା ଦେବର୍ଷି ନାରଦଙ୍କ ସହ l ଦେବର୍ଷି ନାରଦ ତାଙ୍କୁ କହିଲେ ତୁମେ ଏ ଦସ୍ୟୁ ବୃତ୍ତି କରି,ନର ଓ ଜୀବହତ୍ୟା କରି ମହାପାତକ ଅର୍ଜନ କରୁଛ l କୁଟୁମ୍ବ ପୋଷଣ ପାଇଁ କରୁଥିବା ଏ ପାପରୁ ତୁମେ ଘୋର ନର୍କରେ ପତିତ ହେବ l ତୁମ୍ଭେ ଥରେ ଯାଇ ତୁମ୍ଭର କୁଟୁମ୍ଭଙ୍କୁ ପଚାରି ଆସ ଏ ବୃତ୍ତି କରି ତୁମେ ଯେଉଁ ପାତକ ଅର୍ଜନ କରୁଛ ଏଥିରୁ କେହି ଭାଗ ନେବେ କି ? ରତ୍ନାକର ଯାଇ କୁଟୁମ୍ଭଙ୍କଠାରୁ ଏପରିକି ନିଜର ସ୍ତ୍ରୀ ପାଖରୁ ନାସ୍ତି ବାକ୍ୟ ଶୁଣି ନିରାଶ ଏବଂ ବ୍ୟଥିତ ହୋଇ ଫେରି ଆସିଲେ ଏବଂ ଦେବର୍ଷିଙ୍କୁ ଏ ପାତକରୁ ଉଦ୍ଧାର ପାଇଁ ପନ୍ଥା କ’ଣ ବୋଲି ପଚାରିଲେ l
ନାରଦ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ରାମ ନାମ ଜପ କରିବା ନିମନ୍ତେ ଉପଦେଶ ଦେଲେ l କିନ୍ତୁ ଘୋର ପାପରେ ଭାଗୀ ହୋଇଥିବାରୁ ତାଙ୍କ ମୁଖରେ ରାମ ନାମ ଉଚ୍ଚାରିତ ହେଲାନାହିଁ l ସେ କରୁଥିବା କର୍ମ ଅନୁସାରେ ମରା ମରା ଉଚ୍ଚାରିତ ହେଲା l ନାରଦ ପ୍ରସ୍ଥାନ କଲେ ଏବଂ ସେ ସେହି ଶବ୍ଦକୁ କିଛିକାଳ ପ୍ରଭୁ ଶ୍ରୀରାମଙ୍କୁ ଧ୍ୟାନକରି ଜପ କରିବାରୁ ସମସ୍ତ ପାପ ରାଶି କ୍ଷୟ ହୋଇ କ୍ରମେ ରାମ ନାମ ଉଚ୍ଚାରିତ ହେଲା l ଧ୍ୟାନରେ ତାଙ୍କର ବହୁ ସମୟ ବ୍ୟତୀତ ହୋଇ ଯାଇଥିଲା l ତାଙ୍କ ଶରୀର ଉପରେ ଉଈ ହୁଙ୍କା ହୋଇ ଯାଇଥିଲା l ଉଈ ହୁଙ୍କାର ଅନ୍ୟ ନାମ ବଲ୍ମୀକ l ତେଣୁ ସେ ପରିଚିତ ହେଲେ ବାଲ୍ମୀକି ନାମରେ l ରାମ ନାମ ଜପକରି ସେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୋଇ ରୂପାନ୍ତରିତ ହୋଇଥିଲେ ମହାମନା ମହର୍ଷି ବାଲ୍ମୀକି ଭାବେ l ଏଥିପାଇଁ କୌଣସି ଦୁର୍ଜନର ସୁଜନକୁ ପରିବର୍ତ୍ତନ ଲକ୍ଷ୍ୟ କରି କୁହାଯାଇ ଥାଏ,”ଦସ୍ୟୁ ରତ୍ନାକରରୁ ବାଲ୍ମୀକି “l ଓଲଟା ରାମ(ମରା) ନାମ ଜପ କରି ରତ୍ନାକର ବାଲ୍ମୀକି ହୋଇ ଥିବାରୁ ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସରେ କହିଲେ :-
ଓଲଟା ନାମ ଜପୁ ସାରା ଜଗ ଜାନା l
ଵାଲମିକି ଭୟେ ବ୍ରହ୍ମ ସମାନା ll
ବାଲ୍ମୀକି ବ୍ରହ୍ମ ଜ୍ଞାନ ଲାଭ କରି ତମସା ତଟିନୀ ତୀରରେ ଆଶ୍ରମ ସ୍ଥାପନ କରି ରହୁଥାନ୍ତି l ଦିନେ ସେ ତାଙ୍କ ଶିଷ୍ୟ ମାନଙ୍କ ଗହଣରେ ନିତ୍ୟ କର୍ମ ସମାପନ ଏବଂ ହବନ ନିମନ୍ତେ ସମୀଧ ସଂଗ୍ରହ ଉଦ୍ଦେଶ୍ୟରେ ସୁରେଶ୍ୱରୀ ଗଙ୍ଗାନଦୀ ଅଭିମୁଖେ ଯାତ୍ରା କରୁଥାନ୍ତି l ପଥ ମଧ୍ୟରେ ତମସାର ନିର୍ମଳ ଜଳ ଦେଖି ସେଠାରେ ସେ ସ୍ନାନ କରିବାକୁ ଇଛା କଲେ l ସ୍ନାନାର୍ଥେ ନଦୀକୁ ଓଲ୍ହାଉଛନ୍ତି ଦେଖିଲେ ମୈଥୁନ ରତ ଏକ କ୍ରୋଉଞ୍ଚ ପକ୍ଷୀ ଦମ୍ପତ୍ତିଙ୍କୁ କ୍ରୁର ବ୍ୟାଧଟିଏ ଶରବିଦ୍ଧ କଲା l ପୁରୁଷ ପକ୍ଷୀଟି ତୀର ଆଘାତରେ ସେଠାରେ ପଡ଼ି ଛଟପଟହୋଇ ପ୍ରାଣ ତ୍ୟାଗ କଲା l ଏଥିରେ ବ୍ୟଥିତ ହୋଇ ସାରସୀ ପକ୍ଷୀଟି ଅତି କରୁଣ ସ୍ୱରରେ ଵିଳାପ କରିବାକୁ ଲାଗିଲା l ଏହି କରୁଣ ଶୋକାପ୍ଳୁତ ଦୃଶ୍ୟ ଦର୍ଶନ କରି ଅତ୍ୟନ୍ତ ମର୍ମାହତ ମହର୍ଷି ବାଲ୍ମିକୀଙ୍କ ମୁଖରୁ ଅଭିଶାପ ରୂପେ ଶ୍ଳୋକଟିଏ ଵାହାରି ଆସିଲା :-
ମା ନିଷାଦ ପ୍ରତିଷ୍ଠାମ୍ ତ୍ୱମଗମଃ
ଶାଶ୍ଵତିଃ ସମାହଃ l
ୟତ୍ କ୍ରୋଉଁଚମିଥୁନା ଦେକମବଧିହିଃ
କାମ ମୋହିତମ୍ l
ଅର୍ଥାତ ହେ ନିଷାଦ, ତୁମକୁ ଅନନ୍ତ କାଳ ପର୍ଯ୍ୟନ୍ତ ଶାନ୍ତି ପ୍ରାପ୍ତ ହେବ ନାହିଁ,କାରଣ ତୁମେ କ୍ରୁରହୋଇ କାମ ମୋହିତ ମୈଥୁନ କ୍ରୀଡା ଲିପ୍ତ ସାରସ ପକ୍ଷୀ ଯୋଡ଼ାରୁ ଗୋଟିକର ହତ୍ୟା କରିଦେଲ l
ବାଲ୍ମିକୀଙ୍କ ଶୋକୋତ୍ସ୍ୱାସରୁ ନିର୍ଗତ ଏହି ଉକ୍ତିଟି ଶ୍ଳୋକ ନାମରେ ପରିଚିତ ହେଲା l ଏହା ହେଉଛି ସଂସ୍କୃତ ସାହିତ୍ୟରେ ପ୍ରଥମ ବା ଆଦି ଶ୍ଳୋକ l ଅତଏଵ ରାମାୟଣ ହେଉଛି ଆଦି ମହାକାଵ୍ୟ ଓ ବାଲ୍ମିକୀ ହେଉଛନ୍ତି ଆଦିକବି l
ରାମାୟଣରେ ବର୍ଣ୍ଣିତ ଏହି ଉପଖ୍ୟାନକୁ ଲକ୍ଷ୍ୟ କରି ସୀତା ବନବାସ କବିତାରେ ଆମ ଭକ୍ତକବି ମଧୁସୂଦନ ରାଓ ଅତି ଚମତ୍କାର ଭାବେ ବର୍ଣ୍ଣନା କରି ଲେଖିଛନ୍ତି :-
କୁଶ ସମିଧ ପୂତ ହୋମ ସାଧନ l
ଆହରିବା ଆଶୟେ ଭ୍ରମୁ କାନନ ll
ପୁରାଣ କବି ବୃଦ୍ଧ ମୁନି ଈଶ୍ୱର l
ଗହନ ବନେ କ୍ରୁର ନିଷାଦ ଶର ll
ବିଦ୍ଧ କ୍ରୋଉଞ୍ଚ ବିହଙ୍ଗ ଅବଲୋକନେ l
ଶୋକ ଉଚ୍ଛାସ ଯାର ବହିଣ ଘନେ ll
ଶ୍ଳୋକ ରୂପେ ମୋହିଲା ସର୍ବ ଅବନୀ l
ଚକିତେ ଶୁଣିଲେ ସେ କ୍ରନ୍ଦନ ଧ୍ୱନୀ ll
ଆଜି ବାଲ୍ମୀକି ଜୟନ୍ତୀରେ ଶତ କୋଟି ନମସ୍କାର ମହର୍ଷି ବାଲ୍ମିକୀଙ୍କୁ ତଥା ଉତ୍କଳର ବର ପୁତ୍ରଙ୍କୁ l
ଆରତୀ ଶ୍ରୀରାମାୟନଜୀ କି l
କୀରତି କଲିତ ଲଲିତ ସୀୟ ପୀ କୀ ll
ଗାୱତ ବ୍ରହ୍ମାଦିକ ମୁନି ନାରଦ l
ବାଲମୀକ ବିଜ୍ଞାନ ବିଶାରଦ ll
ଶୁକ ସନକାଦି ଶେଷ ଅରୁ ଶାରଦ l
ବରନି ପୱନ ସୂତ କୀରତି ନୀକି ll
