ଭୁବନେଶ୍ବର: ରାଜ୍ୟରେ ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପର୍ଯ୍ୟାବରଣରେ ସନ୍ତୁଳନ ରକ୍ଷାକରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ (Ministry of Earth Science) ମଧ୍ୟରେ ଆଜି ଲୋକସଭା ଭବନରେ ଏକ MoU ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ପୂଜା ମିଶ୍ର ଓ National Centre for Coastal Researchର ନିର୍ଦ୍ଦେଶକ ଡକ୍ଟର ଆର୍.ଏସ୍. କନ୍କରା ଏହି MoUରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP କାର୍ଯ୍ୟକାରୀ ହେବାଦ୍ବାରା ରାଜ୍ୟର ନୀଳ ଅର୍ଥନୀତି (Blue-Economy) ର ଉନ୍ନତି ହେବା ସହିତ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ମଧ୍ୟ ହୋଇପାରିବ। ସ୍ଥାନୀୟ ଉପକୂଳ ଅର୍ଥନୀତିର ଉନ୍ନତି ସହିତ ସାମୁଦ୍ରିକ ଜୀବଜଗତ ସୁରକ୍ଷିତ ରହିବେ। ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ ଏହି MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଭାରତ ସରକାର ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ୨୦୧୯ ମସିହା ଠାରୁ ଦେଶରେ Sustainable Ocean Planning ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ କାର୍ଯ୍ୟକାରୀ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହା କାର୍ଯ୍ୟକାରୀ କରୁଛି। ଓଡିଶାର ଉପକୂଳ ଅର୍ଥନୀତି ଏବଂ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ଉପକୂଳ ଓ ସାମୁଦ୍ରିକ ଅଞ୍ଚଳ ଜୈବବିବିଧତାରେ ପରିପୂର୍ଣ୍ଣ ଏବଂ ଉପକୂଳ ଅଞ୍ଚଳ ପାଇଁ ପ୍ରଚୁର ପ୍ରାକୃତିକ ସମ୍ବଳ ଯୋଗାଇଥାଏ। ସ୍ଥାନୀୟ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସନ୍ତୁଳିତ ପର୍ଯ୍ୟାବରଣ ପାଇଁ ଏହି ସମ୍ବଳ ଗୁଡିକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ବିକାଶ କାର୍ଯ୍ୟକ୍ରମ, ପରିବେଶ ଉପରେ ଏହାର ପ୍ରଭାବ ଏବଂ ବିଭିନ୍ନ କ୍ଷେତ୍ରର କ୍ରମାଗତ ଚାହିଦା ବୃଦ୍ଧି ଯୋଗୁ ସାମୁଦ୍ରିକ ଅଞ୍ଚଳ ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP ଏ କ୍ଷେତ୍ରରେ ଏକ ସମୟ ଉପଯୋଗୀ ପଦକ୍ଷେପ। ଏହା ଆମର ମତ୍ସ୍ୟଚାଷ, ପର୍ଯ୍ୟଟନ, ବନ୍ଦର, ସାମୁଦ୍ରିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହିତ ମେରାଇନ୍ ଇକୋସିଷ୍ଟମର ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
