ଭୋପାଳ, ୧୬।୪: ନିଶା କାରବାର ପାଇଁ ଅଭିନବ ଉପାୟ । ସୋସିଆଲ ମିଡିଆ ରିଲ୍ସ ଦେଖି ଚୋରା ଚାଲାଣର ନୂଆ ନକ୍ସା ପ୍ରସ୍ତୁତ କରିଥିଲେ ଦୁଇ ହାଇପ୍ରୋଫାଇଲ୍ ଯୁବତୀ । ଦେଖିବାକୁ ପୂରା ଭଦ୍ର ଏବଂ ଭିଆଇପି, କିନ୍ତୁ ବ୍ୟାଗ୍ ଭିତରେ ଥିଲା କଳା କାରବାରର ସାମଗ୍ରୀ । ଭୋପାଳ କ୍ରାଇମବ୍ରାଞ୍ଚ ଏବଂ ସ୍ଥାନୀୟ ପୁଲିସ ଏଭଳି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି, ଯେଉଁମାନେ ଓଡ଼ିଶାରୁ ଗଞ୍ଜେଇ ନେଇ ମଧ୍ୟପ୍ରଦେଶରେ ବିକ୍ରି କରୁଥିଲେ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଯୁବତୀ ଏବଂ ଜଣେ ପୁରୁଷ ସହଯୋଗୀ ଅଛନ୍ତି । ପୁଲିସ ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ ଓଡ଼ିଶାରୁ ଶସ୍ତାରେ ଗଞ୍ଜେଇ କିଣି ଭୋପାଳରେ ଚଢ଼ା ଦରରେ ବିକ୍ରି କରୁଥିଲେ । ପୁଲିସ ଆଖିରେ ଧୂଳି ଦେବା ପାଇଁ ସେମାନେ ସବୁବେଳେ ଟ୍ରେନର ଫାଷ୍ଟ କ୍ଲାସ୍ ଏସିରେ ଯାତ୍ରା କରୁଥିଲେ । ବିଦେଶୀ ପର୍ଯ୍ୟଟକଙ୍କ ଭଳି ପୋଷାକ ଏବଂ ଦାମୀ ବ୍ୟାଗ୍ ଧରି ଏମାନେ ଏପରି ଭାବେ ବୁଲୁଥିଲେ ଯେ, ପୁଲିସ ସନ୍ଦେହ କରିବା ତ ଦୂରର କଥା, ବରଂ ସମ୍ମାନର ସହ ଦେଖୁଥିଲା । ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଏହି ଯୁବତୀମାନେ ଇନଷ୍ଟାଗ୍ରାମ ରିଲ୍ସ ଏବଂ ଖବରରୁ ଚୋରା ଚାଲାଣର ଆଇଡିଆ ପାଇଥିଲେ । ସେମାନେ ଜାଣିବାକୁ ପାଇଥିଲେ ଯେ, ଓଡ଼ିଶାରେ ଗଞ୍ଜେଇ କିଲୋ ପ୍ରତି ୪,୦୦୦ ରୁ ୫,୦୦୦ ଟଙ୍କାରେ ମିଳୁଥିବା ବେଳେ ଭୋପାଳରେ ଏହାର ମୂଲ୍ୟ ପ୍ରାୟ ୪୦,୦୦୦ ଟଙ୍କା । ଏହି ବିପୁଳ ଲାଭ ପାଇଁ ସେମାନେ ଏହି ବିପଜ୍ଜନକ ରାସ୍ତା ବାଛିଥିଲେ । କହିରଖୁଛୁ ଯେ, ଗିରଫ ଯୁବତୀଙ୍କ ମଧ୍ୟରୁ ଜଣେ ଉଚ୍ଚଶିକ୍ଷିତ ଯିଏ କି M.Com କରିଛନ୍ତି ଏବଂ ସେ ଏକ କଲ୍ ସେଣ୍ଟରରେ କାମ କରୁଥିଲେ । ଅନ୍ୟ ଜଣେ ଯୁବତୀ ଦଶମ ପାସ୍ କରିଥିବା ବେଳେ ସେ ଏକ ଦୋକାନରେ କାମ କରୁଥିଲେ । ସେମାନଙ୍କ ସହ ଥିବା ଯୁବକ ଜଣକ ଜଣେ ପ୍ରପର୍ଟି ଡିଲର ଭାବେ କାମ କରୁଥିଲେ । ଜଣେ ଗ୍ରାହକଙ୍କ ସୂତ୍ରରୁ ପୁଲିସକୁ ଖବର ମିଳିବା ପରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ପୁଲିସ ସେମାନଙ୍କ ପାଖରୁ ୬.୨୮୫ କିଲୋ ଗଞ୍ଜେଇ ଏବଂ ଏକ ମୋଟରସାଇକେଲ ଜବତ କରିଛି । ଉଚ୍ଚଶିକ୍ଷିତ ଯୁବତୀମାନେ ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବା ନିଶାରେ କିଭଳି ଅପରାଧ ଦୁନିଆକୁ ଚାଲି ଆସୁଛନ୍ତି, ଏହି ଘଟଣା ତାହାର ଏକ ବଡ଼ ଉଦାହରଣ ।
