ତୁଳସୀ ଦେବୀଙ୍କୁ କେବଳ ଏକ ଉଦ୍ଭିଦ ବୋଲି ଭାବିବା ଉଚୀତ ନୁହେଁ । ତୁଳସୀ ଏକ ଅତିପବିତ୍ର ଓ ଦେବୀ ସ୍ୱରୂପ ବନସ୍ପତି ଅଟନ୍ତି । ସେ ଭକ୍ତି, ଶୁଦ୍ଧତା, ସାତ୍ତ୍ୱିକତା ଓ ମୋକ୍ଷର ସାକ୍ଷାତ ଅଧିକାରୀଣୀ । ତାଙ୍କର ଗୁଣଗାନ କଲେ ମାନବ ଜୀବନ ଶୁଭ ଓ ପବିତ୍ରମୟ ହୋଇଥାଏ।
ପ୍ରସୀଦ ମମ ଦେଵେଶି ପ୍ରସୀଦ ହରିଵଲ୍ଲଭେ ।
ତୁଲସୀମିତି ସମ୍ପ୍ରାର୍ଥ୍ୟ ଅର୍ଚୟେଦ୍ଧରିମଵ୍ୟୟମ୍ ॥୧
ଅର୍ଥାତ୍ – ହେ ଦେବେଶି, ହେ ହରିଙ୍କ ପ୍ରିୟା ! ଆପଣ ମୋ ଉପରେ କୃପା କରନ୍ତୁ। ଏହିପ୍ରକାର “ତୁଳସୀ” ମାତାଙ୍କ ନାମ ଉଚ୍ଚାରଣ କରି ହରିଙ୍କୁ ପୂଜା କରିବା ଉଚିତ।
ଅସ୍ନାତ୍ଵା ତୁଳସୀଂ ଛିତ୍ଵା ଦେଵାର୍ଚନ ପରାୟଣଃ ।
ତତ୍ସର୍ଵଂ ନିଷ୍ଫଳଂ ଚୈଵ ପଞ୍ଚଗଵ୍ୟେନ ଶୁଦ୍ଧ୍ୟତି ॥୨
ଅର୍ଥାତ୍ – ଯେଉଁମାନେ ସ୍ନାନ ନ କରି ତୁଲସୀ ପତ୍ର ଛିଣ୍ଡାନ୍ତି ଓ ଦେବତାଙ୍କୁ ପୂଜା କରନ୍ତି, ସେମାନଙ୍କର ସମସ୍ତ ପୂଜା ଫଳହୀନ( ନିଷ୍ଫଳ) ହୋଇଥାଏ । ସେ ପଞ୍ଚଗବ୍ୟ ଦ୍ୱାରା ଶୁଦ୍ଧ ହୋଇଥାଏ।
ପାପାନି ଯାନି ରଵିସୂନୁପଟସ୍ଥିତାନି ଗୋବ୍ରହ୍ମବାଳପିତୃମାତୃଵଧାଦିକାନି ।
ନଶ୍ୟନ୍ତି ତାନି ତୁଳସୀଵନଦର୍ଶନେନ ଗୋକୋଟିଦାନସଦୃଶଂ ଫଳମାପ୍ନୁଵନ୍ତି ॥୩
ଅର୍ଥାତ୍ – ତୁଳସୀ ବନ ଦର୍ଶନ କରିଲେ ସମସ୍ତ ପାପ ନାଶ ହୁଏ — ଯଥା: ସୂର୍ଯ୍ୟଙ୍କ ପୁତ୍ର ବଳିଙ୍କପରି ପାପ, ଗୋହତ୍ୟା ପାପ, ବ୍ରାହ୍ମଣ ହନନ ପାପ, ଶିଶୁ ହନନ ପାପ, ପିତାମାତା ଓ ଗୁରୁ ହତ୍ୟା ଇତ୍ୟାଦି ସମସ୍ତ ପାପ ନଷ୍ଟହୋଇଥାଏ। ଏହା ଗୋ କୋଟି ଦାନର ଫଳ ସମାନ।
ତୁଳସୀକାନନଂ ଯତ୍ର ଯତ୍ର ପଦ୍ମଵନାନି ଚ ।
ଵସନ୍ତି ଵୈଷ୍ଣଵା ଯତ୍ର ତତ୍ର ସନ୍ନିହିତୋ ହରିଃ ॥୪
ଅର୍ଥାତ୍ – ଯେଉଁଠାରେ ତୁଳସୀବନ ଓ ପଦ୍ମବନ ଥାଏ , ଯେଉଁଠାରେ ବୈଷ୍ଣବମାନେ ନିବାସ କରନ୍ତି, ସେଠାରେ ହରି ନିଶ୍ଚୟ ନିତ୍ୟ ନିବାସ କରନ୍ତି।
ତୁଳସୀମଞ୍ଜରୀ ଗ୍ରାହ୍ୟା ତଦଭାଵେ ଦଳଂ ସ୍ମୃତମ୍ ।
ଦଳାଭାଵେ ତୁ ପତ୍ରଂ ସ୍ୟାତ୍ପତ୍ରାଭାଵେ ତୁ କାଷ୍ଠକମ୍ ॥୫
ଅର୍ଥାତ୍ – ପୂଜା ପାଇଁ ତୁଳସୀର ମଞ୍ଜରୀ (ଫୁଲ) ଶ୍ରେଷ୍ଠ।
ଯଦି ମଞ୍ଜରୀ ନଥାଏ, ତେବେ ଦଳ (ଶାଖା ଉପରେ ଗଛ ଭାଗ) ନିଅ; ଯଦି ଦଳ ନଥାଏ, ପତ୍ର ନିଅ; ପତ୍ର ନଥିଲେ, କାଠ (ଗଛ ଶଖା) ଗ୍ରହଣୀୟ।
କାଷ୍ଠାଭାଵେ ତୁ ମୂଳଂ ସ୍ୟାତ୍ ମୂଳାଭାଵେ ତୁ ମୃତ୍ତିକା ।
ମୃତ୍ତିକାୟା ଅଭାଵେ ତୁ ତୁଳସୀ ଶବ୍ଦ ଇଷ୍ୟତେ ॥୬.
ଅର୍ଥାତ୍ – କାଠ ନଥିଲେ ମୂଳ (ଗଛ ର ତଳଭାଗ) ଗ୍ରହଣୀୟ ; ମୂଳ ନଥିଲେ ମାଟି ଗ୍ରହଣୀୟ; ଏମାନଙ୍କ ଅଭାବରେ “ତୁଲସୀ ଶବ୍ଦ ” ଉଚ୍ଚାରଣ କରିବା ମଧ୍ୟ ଶ୍ରେଷ୍ଠ।
ପଙ୍କଜଂ ପଞ୍ଚରାତ୍ରଂ ସ୍ୟାତ୍ସପ୍ତରାତ୍ରଂ ତୁ ବିଲ୍ଵକମ୍ ।
ତୁଳସୀ ଦଶରାତ୍ରଂ ସ୍ୟାତ୍ତତଃ ପର୍ୟୁଷିତଂ ଭଵେତ୍ ॥୭
ଅର୍ଥାତ୍ – ପଦ୍ମପତ୍ର ୫ ଦିନ ପର୍ଯ୍ୟନ୍ତ, ବିଲ୍ୱପତ୍ର ୭ ଦିନ, ତୁଳସୀ ପତ୍ର ୧୦ ଦିନ ଯାଏଁ ପୂଜାରେ ବ୍ୟବହୃତ ହେବା ଯୋଗ୍ୟ; ତା’ଠାରୁ ଅଧିକ ଦିନ ହେଲେ ତାହା ପର୍ଯ୍ଯୁଷିତ ବା ବାସି ହୋଇଥାଏ।
ସଙ୍କ୍ରାନ୍ତୌ ପକ୍ଷୟୋରନ୍ତେ ଦ୍ଵାଦଶ୍ୟାଂ ନିଶି ସନ୍ଧ୍ୟୟୋଃ ।
ଚିନ୍ଵନ୍ତି ତୁଲସୀଂ ଯେ ଵୈ ନିକୃଣ୍ଵନ୍ତି ହରେଃ ଶିରଃ ॥୮
ଅର୍ଥାତ୍ – ସଂକ୍ରାନ୍ତି, ପକ୍ଷାନ୍ତ (ମାସାନ୍ତ), ଦ୍ୱାଦଶୀ, ରାତି ଓ ସନ୍ଧ୍ୟାବେଳେ ଯେଉଁମାନେ ତୁଲସୀ ପତ୍ର ଛିଣ୍ଡାଇଥାନ୍ତି, ସେମାନେ ହରିଙ୍କ ମୁଣ୍ଡକୁ କାଟିବା ସହିତ ସମାନ ଦୋଷ କୁ ପ୍ରାପ୍ତ ହୋଇଥାନ୍ତି — ଏହିପରି ଭୟଙ୍କର ପାପ ହୁଏ।
ଗ୍ରହଣେ ଚ ବ୍ୟତୀପାତେ ଭୌମଭାର୍ଗଵଭାନୁଷୁ ।
ନାହରେତ୍ତୁଳସୀପତ୍ରଂ ନ ମଧ୍ୟାହ୍ନେ ତତଃ ପରମ୍ ॥୯
ଅର୍ଥାତ୍ – ସୂର୍ଯ୍ଯ ପରାଗ ,ଚନ୍ଦ୍ର ଗ୍ରହଣ , ବ୍ୟତୀପାତ ଯୋଗ, ମଙ୍ଗଳ (ଭୌମ), ଶୁକ୍ର (ଭାର୍ଗବ), ଓ ରବି (ଭାନୁ) ବାର ରେ ଏବଂ ମଧ୍ୟାହ୍ନ ସମୟରେ ଓ ତା’ପରେ ( ଅର୍ଥାତ୍ ଉପର ବେଳା ) କେବେହେଲେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ।
ମଧ୍ୟାହ୍ନକେ ପରେ ଯସ୍ତୁ ହରିପୂଜାପରାୟଣଃ ।
ଚିନୋତି ଯସ୍ତୁ ତୁଲସୀଂ ଅଧୋ ଗଚ୍ଛତି ନାନ୍ୟଥା ॥୧୦
ଅର୍ଥାତ୍ – ଯିଏ ମଧ୍ୟାହ୍ନ ପରେ ( ଅର୍ଥାତ୍ ଉପର ବେଳା ) ହରିଙ୍କୁ ପୂଜା କରିବା ପାଇଁ ତୁଲସୀ ପତ୍ର ଛିଣ୍ଡାଇ ଥାଏ, ସେ ନିଶ୍ଚିତ ଭାବରେ ଅଧୋଗତିକୁ ପ୍ରାପ୍ତ ହୁଏ — ଏଥିରେ ଅନ୍ୟଥା କିଛି ନାହିଁ।
ନିର୍ମାଲ୍ୟମପି ବୈ ଗ୍ରାହ୍ୟଂ ତୁଳସ୍ୟାଃ ହେମପୁଷ୍ପଵତ୍ ।
ଶଙ୍ଖୋଦକେନ ପ୍ରକ୍ଷାଲ୍ୟ ବିଷ୍ଣବେ ଚ ନିବେଦୟେତ୍ ॥୧୧
ଅର୍ଥାତ୍ – ତୁଲସୀ ପତ୍ର ଯଦି ନିର୍ମାଲ୍ୟ (ପୂର୍ବରୁ ବ୍ୟବହୃତ) ହୋଇଥାଏ ତାହାକୁ ମଧ୍ଯ ସ୍ୱର୍ଣ୍ଣ ପୁଷ୍ପ ସମାନ ଗ୍ରହଣ କରାଯିବ। ଏହାକୁ ଶଙ୍ଖ ଜଳରେ ଧୋଇ ବିଷ୍ଣୁଙ୍କୁ ପୁଣିଥରେ ନିବେଦନ କରିବା ଉଚିତ।
ତୁଲସ୍ୟାଃ କୋମଳୈଃ ପତ୍ରୈଃ ଶ୍ରୀହରେଃ ପାଦପଙ୍କଜମ୍ ।
ପୂଜନଂ ଯେ ପ୍ରକୁର୍ଵନ୍ତି କୃତାର୍ଥାଃ ସ୍ୟୁର୍ନ ସଂଶୟଃ ॥୧୨
ଅର୍ଥାତ୍ – ଯିଏ ତୁଲସୀର କୋମଳ ପତ୍ରରେ ଶ୍ରୀହରିଙ୍କର ଚରଣକମଳ ପୂଜା କରନ୍ତି, ସେମାନେ ନିଶ୍ଚିତ କୃତାର୍ଥ ହୋଇଯାଆନ୍ତି , ତାଙ୍କର ଜନ୍ମ ସଫଳ ହୋଇଥାଏ — ଏଥିରେ କିଛି ସନ୍ଦେହ ନାହିଁ।
ଦ୍ୱାଦଶ୍ୟାଂ ଜାଗରେ ରାତ୍ରୌ ପ୍ରାଶୟେତ୍ତୁଳସୀଦଳମ୍ ।
ଦ୍ୱାଵିଂଶଦପରାଧାଂଶ୍ଚ କ୍ଷମତେ ହରିରଵ୍ୟୟଃ ॥୧୩
ଅର୍ଥାତ୍ – ଦ୍ୱାଦଶୀ ରାତିରେ ଜାଗରଣ କରି ଯିଏ ତୁଲସୀ ଦଳ ପାଏ, ତାଙ୍କ ୨୨ ପ୍ରକାରର ଅପରାଧକୁ ଶ୍ରୀହରି କ୍ଷମା କରିଦିଅନ୍ତି ।
ବିଷ୍ଣୋଃ ବିମାନଂ ଯଃ କୁର୍ୟାତ୍ ତୁଲସ୍ୟାଃ କୋମଳୈଃ ଦଳୈଃ ।
ହଂସଯୁକ୍ତବିମାନେନ ବିଷ୍ଣୁଲୋକଂ ସ ଗଚ୍ଛତି ॥୧୪
ଅର୍ଥାତ୍ – ଯିଏ ତୁଲସୀର କୋମଳ ପତ୍ର ଦ୍ୱାରା ବିଷ୍ଣୁଙ୍କ ପାଇଁ ବିମାନ ତିଆରି କରେ, ସେ ବ୍ରହ୍ମହଂସ ବିମାନରେ ବିଷ୍ଣୁଲୋକକୁ ଗମନ କରେ।
ପକ୍ଷଦ୍ୱୟେ ଚ ସଙ୍କ୍ରାନ୍ତୌ ଦ୍ୱାଦଶ୍ୟାଂ ସୂତକଦ୍ୱୟେ ।
ସଙ୍ଗ୍ରହୋ ନୈଵ କର୍ତବ୍ୟୋ ନିଷିଦ୍ଧ ଦିଵସେଷ୍ୱପି ॥୧୫
ଅର୍ଥାତ୍ – ଉଭୟ ଶୁକ୍ଳ ଓ କୃଷ୍ଣ ପକ୍ଷର ଶେଷ ଦିନ, ସଂକ୍ରାନ୍ତି, ଦ୍ୱାଦଶୀ, ଜନ୍ମ ଓ ମୃତ୍ୟୁ ସୂତକ,ଏବଂ ନିଷିଦ୍ଧ ଦିନରେ ତୁଲସୀ ପତ୍ର ଚୟନ କରିବା ଅନୁଚିତ।
