…ସନ୍ଧ୍ୟା ନଇଁ ଆସୁଥାଏ । ଡାକ୍ତରଖାନା ସାମନାରେ ଏକ ମିଲିଟାରୀ ଜିପ୍ ଅଟକିଲା। ଓହ୍ଲାଇ ଆସିଲେ ଜଣେ ଯୁବକ,ଦେହରେ ତାଙ୍କର ଉଚ୍ଚ-ପଦସ୍ଥ ସାମରିକ ଅଫିସରଙ୍କ ପୋଷାକ। ସେ ଥିଲେ ସ୍ଥଳ-ବାହିନୀର ଜଣେ ମେଜର।
କାର୍ଯ୍ୟରତ ନର୍ସ ଯୁବକଙ୍କୁ ଆଗେଇନେଲେ ଏକ ବେଡ୍ ନିକଟକୁ। ମୁର୍ମୁଷ-ବୃଦ୍ଧ ଜଣେ ବିଛଣାରେ ପଡି ରହିଥିଲେ ଅଚେତ ଅବସ୍ଥାରେ।
ପାଖକୁ ଆସି ନର୍ସ ଅତି ନମ୍ର କଣ୍ଠରେ ବୃଦ୍ଧଙ୍କୁ ସୂଚାଇ ଦେଲେ : “ଆପଣଙ୍କ ପୁଅ ଆସିଛନ୍ତି,ଉଠନ୍ତୁ।“
କୌଣସି ପ୍ରତିକ୍ରିୟାର ଆଭାସ ମିଳିଲା ନାହି। ବାରମ୍ବାର ଚେଷ୍ଟା ପରେ ହିଁ ବୃଦ୍ଧ ଆଖି ଖୋଲିଲେ। ସେ ଆଖି ଥିଲା ପ୍ରାୟ ନିର୍ଜୀବ ; ସେଥିରେ ଥିଲା ଅନନ୍ତ ଆକାଂକ୍ଷାର ସ୍ଵପ୍ନ ; ଜୀବନର ଶେଷ-ବେଳରେ ପୁଅକୁ ଟିକିଏ ଦେଖିବାର ସ୍ଵପ୍ନ। ଅକ୍ଲାନ୍ତ ଚେଷ୍ଟା କରୁଥିଲେ ମୁଦି ହୋଇଆସୁଥିବା ଆଖିକୁ ଖୋଲା ରଖିବାକୁ।
ଆହୁରି ନିର୍ଜୀବ ଲାଗୁଥିବା ହାତଟିଏ ଚାଦର ଭିତରୁ ଧୀରେ ଧୀରେ ବିଛଣା ଧାରକୁ ବାହାରି ଆସିଲା। ହାତଟି ଥିଲା ଲୋଳିତ ଓ ଶିରାଳ। ସେ ହାତ ମାଗୁଥିଲା, ନିଜ ରକ୍ତର ସାମାନ୍ୟ ସାନିଧ୍ୟ। ଏ ସଂସାରରୁ ଫେରି ଯିବା ଆଗରୁ ପୁଅର ଟିକିଏ ସ୍ପର୍ଶ ; ଆଶ୍ଵାସନାର ଓ ପ୍ରାପ୍ତିର ସ୍ପର୍ଶ।
ଯୁବକ ଜଣକ ନିଜ ହାତକୁ ବଢାଇଦେଲେ ; ଜାବୁଡି ଧରିଲେ ବଳିଷ୍ଠ ବନ୍ଧନ ଭିତରେ ବୃଦ୍ଧଙ୍କର ଦୁର୍ବଳ ହାତଟିକୁ। ସେ ବନ୍ଧନ ମାଧ୍ୟମରେ ସଞ୍ଚରିତ ହେଉଥିଲା ମମତା ଓ ଆଶ୍ଵାସନା,ଭଲ ପାଇବା ଓ ସ୍ନେହ।
ଏପରି ହୃଦୟସ୍ପର୍ଶୀ ମୁହୂର୍ତର ଗଭୀରତାକୁ ଉପଲବ୍ଧି କରି ନର୍ସ ଜଣଙ୍କ ଯୁବକଙ୍କ ବସିବା ନିମନ୍ତେ ଏକ ଚେୟାର୍ ନେଇ ଆସିଲେ। ନମ୍ର ଓ ଭଦ୍ରୋଚିତ ସ୍ଵରରେ ‘ଧନ୍ୟବାଦ’ ଜଣାଇ ବେଡ୍ ନିକଟରେ ବସି ପଡିଲେ ଯୁବକ ଆର୍ମି ମେଜର।
ସାରା ରାତି ବୃଦ୍ଧଙ୍କର ନିର୍ଜୀବ ହାତକୁ ଧରି ରଖିଥିଲେ ଯୁବକ। ଡାକ୍ତରଖାନାର ନିଷ୍ପ୍ରଭ ଆଲୋକରେ ବସି ରହି ଆଶ୍ଵାସନା ଓ ଦୃଢତାର ବାର୍ତା ପହଞ୍ଚାଉ ଥିଲେ ବୃଦ୍ଧଙ୍କୁ। ସାମାନ୍ୟ ବିଶ୍ରାମ କରିବାର ନର୍ସଙ୍କର ପ୍ରସ୍ତାବକୁ ଭଦ୍ର ଭାବେ ପ୍ରତ୍ୟାଖାନ କରିଥିଲେ।
ଗଭୀର ରାତିରେ ଯେତେବେଳେ ବି ନର୍ସ ସେ ବୃଦ୍ଧଙ୍କର ବେଡ୍ ପାଖ ଦେଇ ଯାଉଥିଲେ,ଦେଖୁଥିଲେ : ଅନ୍ୟ ରୋଗୀ ମାନଙ୍କର ଯନ୍ତ୍ରଣା ଓ ଚିତ୍କାର…କର୍ମଚାରୀ ମାନଙ୍କ କଥୋପକଥନ ଓ ଡାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତିର ଭୟ ଉଦ୍ରେକ ଶବ୍ଦ ସତ୍ୱେ ଯୁବକ ନିର୍ଲିପ୍ତ ଭାବେ ବୃଦ୍ଧଙ୍କର ହାତ ଧରି ତାଙ୍କୁ ଚାହିଁ ରହିଥାନ୍ତି।

ମମତା ବେହେରା
ସଂପାଦିକା
କେତେବେଳେ କିମିତି ପଦେ ଦୁଇପଦ ଆଶ୍ଵାସନାର ବାଣୀ ମଧ୍ୟ ଶୁଣାଉ ଥାଆନ୍ତି। ସାରା ରାତି ବୃଦ୍ଧ ତାଙ୍କ ପୁଅର ହାତକୁ ଜାବୁଡି ଧରି ବିଛଣାରେ ପଡିରହିଥିଲେ।
ସମସ୍ତ ଚେଷ୍ଟା ସତ୍ୱେ ରାତ୍ରିର ଅନ୍ତିମ ପ୍ରହରରେ ବୃଦ୍ଧ ଶେଷ-ନିଶ୍ଵାସ ତ୍ୟାଗ କଲେ।
ଯୁବକଙ୍କର କ୍ଳାନ୍ତ ଛାତି ଥରାଇ ବାହାରି ଆସିଲା ଦୀର୍ଘଶ୍ୱାସଟିଏ। ଅନେକ ପରେ ସାରା ରାତି ଧରି ରଖିଥିବା ବୃଦ୍ଧଙ୍କର ନିର୍ଜୀବ ହାତକୁ ଅତି ସନ୍ତର୍ପଣରେ ନିଜ ହାତରୁ ମୁକୁଳାଇଲେ ସେ। ପରେ ଖବରଟା ଜଣାଇବାକୁ ନର୍ସଙ୍କ ରୁମ୍ ନିକଟକୁ ଆଗେଇଗଲେ।
ଆନୁଷଙ୍ଗିକ ସମସ୍ତ କାଗଜପତ୍ର ପ୍ରସ୍ତୁତ ହେଉଥିବା ବେଳେ,ଯୁବକ ନର୍ସଙ୍କ ରୁମ୍ ବାହାରେ ଅପେକ୍ଷା କରିଥିଲେ।
ଶେଷରେ ନର୍ସ ରୁମରୁ ବାହାରି ଆସିଲେ ଓ ପିତାଙ୍କର ମୃତ୍ୟୁ ପାଇଁ ମ୍ରିୟମାଣ ଯୁବକଙ୍କୁ ଆଶ୍ଵାସନା ଜଣାଇଲେ। ଯୁବକ ନର୍ସଙ୍କୁ ଆଉ ଅଧିକ ସନ୍ଦେହରେ ନ ରଖି ଖୁବ୍ ଧୀରେ ଓ ସନ୍ତର୍ପଣରେ ପଚାରିଲେ,“ଯେଉଁ ବୃଦ୍ଧଙ୍କର ମୃତ୍ୟୁ ହୋଇଗଲା ,ସେ କିଏ ଆଜ୍ଞା ?”
ସତେ ଯେପରି ଆକାଶରୁ ଖସି ପଡିଲେ ନର୍ସ। ଆଶ୍ଚର୍ଯ ଚକିତ ହୋଇ କହିଲେ,”ସେ ପା’ ଆପଣଙ୍କ ବାପା !’’
‘’ନା,ସେ ମୋର ବାପା ନୁହନ୍ତି,ମୁଁ ତାଙ୍କୁ ଜୀବନରେ କେବେ ବି ଦେଖିନାହି।”
“ଏହା କିପରି ହୋଇପାରେ ? ମୁଁ ଯେତେବେଳେ ଆପଣଙ୍କୁ ତାଙ୍କର ବେଡ୍ ନିକଟକୁ ନେଇଗଲି,ଆପଣତ କିଛି ବି କହିନଥିଲେ”,ନର୍ସଙ୍କ ସ୍ଵରରେ ଥିଲା ବିସ୍ମୟ ଓ ଅବିଶ୍ଵାସ।
ଯୁବକ ଉତ୍ତର ଦେଇଥିଲେ,”ପ୍ରଥମେ ମୁଁ ଏଠାରେ ପହଞ୍ଚିଲା ପରେ, ଆପଣ ମୋତେ ବୃଦ୍ଧଙ୍କର ପୁଅ ବୋଲି ଭାବି ନେଇଥିଲେ। ଆହୁରି ମଧ୍ୟ ବୃଦ୍ଧଙ୍କୁ ଦେଖିଲା ପରେ ମୁ ଉପଲବ୍ଧି କଲି ଯେ, ମୃତ୍ୟୁ ଶଯ୍ୟାରେ ସେ ନିଜର ପୁଅର ସାନିଧ୍ୟକୁ କେତେ ଆକୁଳତାର ସହିତ ଅପେକ୍ଷା କରିଛନ୍ତି। ମୋର ଅନ୍ୟ କୌଣସି ଚାରା ନ ଥିଲା।”
ବିସ୍ମିତ ନର୍ସ କେବଳ ଶୁଣୁଥିଲେ।
“ଯେତେବେଳେ ଜାଣିଲି,ମୁଁ ତାଙ୍କର ପୁଅ କିମ୍ବା ଆଉ କିଏ ; ଏକଥା ଜାଣିବାର ଶକ୍ତି ବୃଦ୍ଧ ହରାଇ ବସିଛନ୍ତି ଏବଂ ଅନେକ ଉତ୍କଣ୍ଠାର ସହିତ ସେ ତାଙ୍କର ପୁଅର ଉପସ୍ଥିତିକୁ ଅନାଇ ରହିଛନ୍ତି, ସେତେବେଳେ ମୁଁ ମୋର କର୍ତବ୍ୟ ସ୍ଥିର କରିନେଲି।”
ପୁଣି ସେଇ ନୀରବତା….
ତାପରେ ନର୍ସ ପଚାରିଥିଲେ,”ତେବେ ଆପଣଙ୍କର ହସ୍ପିଟାଲ ଆସିବାର ଉଦ୍ଦେଶ୍ଯ କଣ ?”
“ଶୁଭ୍ରକାନ୍ତ ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କୁ ମୁଁ ଭେଟିବାକୁ ଆସିଥିଲି। ଗତ ରାତିରେ ଜାମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି। ସେ ସମ୍ବାଦ ତାଙ୍କୁ ଜଣାଇବାକୁ ମୋତେ ପଠାଯାଇଛି।”
ସ୍ଥାଣୁ ପାଲଟି ଯାଇଥିଲେ ନର୍ସ….
ଭାବିପାରୁ ନ ଥିଲେ : ଏହାପରେ ତାଙ୍କର କର୍ତବ୍ୟ କଣ ? ଦୀର୍ଘ-ସମୟର ନୀରବତା ପରେ ଜଣାଇଥିଲେ,“ଆପଣ ସାରା ରାତି ଯାହାର ହାତ ଧରି ବସି ରହିଥିଲେ,ସେ ହିଁ ଶୁଭ୍ରକାନ୍ତ ସାମନ୍ତରାୟ।”
ଉଭୟ ଯୁବକ ଏବଂ ନର୍ସ ସମ୍ପୂର୍ଣ ନିରବତାରେ ଛିଡା ହୋଇ ରହିଥିଲେ। ବିତିଯାଉଥିଲା ସମୟ….ପରିବେଶ ହୋଇ ଉଠୁଥିଲା ଗମ୍ଭୀର….ଜୀବନର ଶେଷ ମୁହୂର୍ତରେ ସନ୍ତାନର ସାନିଧ୍ୟ ଯେ କେତେ ଆଶ୍ଵାସନାମୟ,ତାହା ନିବିଡ ଭାବେ ଉପଲବ୍ଧି କରୁଥିଲେ ସେମାନେ……
ଫେରି ଯାଇଥିଲେ ଯୁବକ ଆର୍ମି-ମେଜର ନିଜ କାର୍ଯ୍ୟ କ୍ଷେତ୍ରକୁ। ସାଙ୍ଗରେ ନେଇଯାଇଥିଲେ ଅନନ୍ୟ ଏକ ସ୍ଵର୍ଗୀୟ ଉପଲବ୍ଧି …………
