“ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ
ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।”
ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ। ପୂର୍ବେ ପ୍ରତ୍ୟକ ଓଡ଼ିଆ ଘର ଦ୍ୱାର ମାନଙ୍କରେ ଦୁର୍ଗାମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି / ଚତୁର୍ଭୁଜା ଦୁର୍ଗା ଶୋଭା ପାଉଥିଲେ , ଏହାହିଁ ଥିଲା ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ । ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖାଯାଇଥାଏ। ଶ୍ରୀମନ୍ଦିରରେ ଆଶ୍ୱିନ କୃଷ୍ଣାଷ୍ଟମୀ ଠାରୁ ଶୁକ୍ଳାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଦିବସ ବ୍ୟାପୀ ଦେବୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ଏହାକୁ ଷୋଳପୂଜା କୁହାଯାଏ
ଅଷ୍ଟମୀ ଦିନ ଶ୍ରୀବିଗ୍ରହମାନଙ୍କର ସକାଳ ଧୂପ ସରି ଦୁର୍ଗାଦେବୀଙ୍କର ସହସ୍ରକୁମ୍ଭାଭିଷେକ ନୀତି ବଢ଼ି ବା ପରେ ମା’ ବିମଳାଦେବୀଙ୍କ ମନ୍ଦିରରେ ଆଚାର୍ଯ୍ୟ ରୂପେ ବରଣ ହୋଇଥୁବା ଶ୍ରୋତ୍ରୀୟ ବ୍ରାହ୍ମଣ କଳସ ପୂଜା ସାରି ବ୍ରହ୍ମା, ସ୍ଵସ୍ତିବାଚକ, ଚଣ୍ଡୀ ଓ ସହସ୍ରନାମାଦି କାର୍ଯ୍ୟ ନିମନ୍ତେ ବ୍ରାହ୍ମଣମାନଙ୍କୁ ବରଣ କରି ଜପ ହୋମ ସଂକଳ୍ପ କରିବା ପରେ । ମା’ ବିମଳାଦେବୀଙ୍କ ସମ୍ମୂଖରେ ପହଡ଼ ପଡ଼ି ଭୋଗ ହୋଇଥିବା ସ୍ଥାନକୁ ପୂଜା କରିବା ନିମନ୍ତେ ଯାନ୍ତି । ମା’ଙ୍କର ମଣୋହିରେ କୋଠଭୋଗ ମହାପ୍ରସାଦ ପିଠା ଓ ଥାଳି ଖେଚେଡ଼ି ଇତ୍ୟାଦି ବଢ଼ାଯାଏ । ଏହି ଭୋଗ ସମୟରେ ଛତି ଟେକାଯାଇ ଘଣ୍ଟ, କାହାଳୀ ପ୍ରଭୃତି ବାଜିଥାଏ । ପୂଜକ ଆଚାର୍ଯ୍ୟ ଷୋଡ଼ଶ ଉପସ୍ତରରେ ପୂଜା କରନ୍ତି । ଭୋଗବଢ଼ି ଫିଟିଲେ କର୍ପୂର ଆଳତି ଓ ଏକୋଇଶି ବତୀ ବନ୍ଦାପନା ହୋଇଥାଏ । ସକାଳ ପୂଜାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ରନାମାଦି ପାଠ କରାଯାଇଥାଏ । ବିଧୂ ଅନୁସାରେ ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ମା’ ବିମଳାଦେବୀଙ୍କର ମହୁ ଓ ସନ୍ଧ୍ୟାଧୂପ ହୋଇଥାଏ । ଏହି ଧୂପମାନଙ୍କରେ ଦେବୀଙ୍କୁ ସକାଳ ଧୂପ ପରି କୋଠଭୋଗ ମହାପ୍ରସାଦ ଓ ପିଷ୍ଟକାଦି ନୈବେଦ୍ୟ ଅର୍ପଣ କରାଯାଇଥାଏ । ନୈବେଦ୍ୟ ସମର୍ପଣ ପରେ ଟେରା ଫିଟିଲେ ଆଳତି ବନ୍ଦାପନା ହୋଇଥାଏ । ଚଣ୍ଡୀ ଓ ସହସ୍ରନାମ ପାଠାଦି ମଧାହ୍ନ ଓ ସନ୍ଧ୍ୟାଧୂପରେ ହୁଏ ନାହିଁ । କିନ୍ତୁ ସମସ୍ତ ଧୂପରେ ଛତି ଟେକାଯାଇ ଘଣ୍ଟ, କାହାଳୀ ପ୍ରଭୃତି ବାଜିଥାଏ । ଏହିପରି ବିଧୁ ଶୁକ୍ଳ ଷଷ୍ଠୀ ପର୍ଯ୍ୟନ୍ତ ପ୍ରତ୍ୟହ ପାଳିତ ହୁଏ ଶାକ୍ତ ଗୁଣ୍ଡିଚା। ସପ୍ତମୀଠାରୁ ତ୍ରିଦିବସାମ୍ବକ ପୂଜା ପାଳନ ନିମନ୍ତେ ପୃଥକ ସଂକଳ୍ପ କରାଯାଏ । ଏହି ସଂକଳ୍ପିତ କର୍ମରେ ତର୍ପଣ ମାର୍ଜନାଦି ସହ ବଳି, ଜପ,ହୋମାଦି ଅନୁଷ୍ଠିତ ହୋଇଥାଏ । ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିମାନଙ୍କରେ ନିଶାର୍ଦ୍ଧରେ ସଙ୍ଖଡ଼ି ଓ ଆମିଷ (ମାଛ) ପୂଜାର ବ୍ୟବସ୍ଥା ରହିଛି । ଏହି ଭୋଗ ପ୍ରସ୍ତୁତି ନିମନ୍ତେ ମା’ବିମଳାଙ୍କ ମନ୍ଦିର ଆଗରେ ଥିବା କୃପର ଦକ୍ଷିଣ ଦିଗକୁ ଏକ ଅଗ୍ରାୟୀ ପାକଶାଳା ନିର୍ମିତ ହୋଇଥାଏ ।ଶ୍ରୀବିଗ୍ରହମାନଙ୍କର ରାତ୍ର ପହୁଡ଼ ପରେ ମନ୍ଦିର ଶୋଧ କରାଯାଇ ପଶ୍ଚିମ ଦ୍ଵାରବାଟେ ଦେବୀଙ୍କ । ଭୋଗ ପ୍ରସ୍ତୁତି ନିମନ୍ତେ ବଳିପଶୁ ଓ ମସ୍ୟାଦି ଅଣାଯାଇଥାଏ । ମା’ଙ୍କର ନିଶାର୍ଦ୍ଧ ପୂଜା ଓ ବଳିଦାନାଦି ପରେ ଭୋଗ ଲାଗିଥୁବା ପଦାର୍ଥଗୁଡ଼ିକ ପଶ୍ଚିମ ଦ୍ଵାର ଦେଇ ବାହାରକୁ ବାହାରିଥାଏ । ଏହି ପୂଜା ସମୟରେ ସଂପୃକ୍ତ ସେବକ ଓ ପୂଜକମାନଙ୍କ ବ୍ୟତୀତ ଅନ୍ୟ କେହି ବେଢ଼ା ମଧ୍ୟରେ ରହି ନଥାନ୍ତି ଏହି ପୂଜାବିଧୂ ସମ୍ପୂର୍ଣ୍ଣ ଗୋପନୀୟ । ପୂର୍ବରୁ ଆଶ୍ଵିନ କୃଷ୍ଣାଷ୍ଟମୀଠାରୁ ଶୁକ୍ଳାଷ୍ଟମୀ । ପର୍ଯ୍ୟନ୍ତ କରାଯାଇଥିବା ସଂକଳ୍ପିତ କାର୍ଯ୍ୟ ଶେଷ ହେଲାପରେ ପୁନଶ୍ଚ ପୂଜାଙ୍ଗ ସଂକଳ୍ପ ଜପ ହୋମାଦି କର୍ମ କରାଯାଇ ନବମୀ ବିହିତ ପୂଜା କରାଯାଏ । ଏହି ଦିନର ନିଶାର୍ଦ୍ଧହୋମ ବଳି ପୂଜାଦି ଶେଷରେ ମା’ ବିମଳାଙ୍କର ‘ଶାରଦୀୟ ଷୋଳ ପୂଜା’ ସମାପ୍ତ ହୋଇଥାଏ ।

ମମତା ବେହେରା
ସଂପାଦିକା
ll ଶାକ୍ତ ଗୁଣ୍ଡିଚା ll
ଶ୍ରୀଜଗନ୍ନାଥ ମନ୍ଦିରରେ, ଆଶ୍ୱିନ ମାସରେ, ମା’ ବିମଳାଙ୍କର ଯେଉଁ ଷୋଡ଼ଶଦିନ ବ୍ୟାପୀ ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥାଏ, ତାହା ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ସର୍ବତ୍ର ମା ଦୁର୍ଗା ଙ୍କୁ ଶିବ ପ୍ରିୟା ଭାବେ ପୂଜା କରା ଯାଉଥିବା ବେଳେ ଶ୍ରୀ କ୍ଷେତ୍ର ରେ ବିଶେଷତଃ ଶ୍ରୀମନ୍ଦିର ରେ ମାଧବ ଙ୍କ ପୂଜା ପାଇଥାନ୍ତି | ଏଥି ପ୍ରଶ୍ନ ଉଠେ ଏପରି କାହିଁକି ।
ମାଧବୋ ମାଧବାବିଶୌ ସର୍ବସିଦ୍ଧି ବିଧାୟିନୌ।
ବନ୍ଦେ ପରସ୍ପରାତ୍ମ୍ନୌ ପରସ୍ପରନତିପ୍ରିୟୌ।।
ମା ଶବ୍ଦ ଲକ୍ଷ୍ମୀ ଙ୍କୁ ବୁଝାଏ, ଆଉ ଧବ ମାନେ ଧାରଣ କରିବା। ଯେ ଲକ୍ଷ୍ମୀ ଙ୍କୁ ଧାରଣ କରନ୍ତି ସେ ହେଲେ ମାଧବ। ଆଉ ଉମାଧବ ହେଲେ ସ୍ଵୟଂ ଶଙ୍କର ଭଗବାନ ଅର୍ଥାତ୍ ଯେ ଭଗବତୀ ଉମାଙ୍କୁ ଧାରଣ କରିଛନ୍ତି। ଏଠୁ ସ୍ପଷ୍ଟ ଜଣାଯାଏ ଉମାଧବ ଅର୍ଥାତ୍ ମହାଦେବ ଆଉ ମାଧବ ଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ପରସ୍ପରର ଆତ୍ମା।
ତାଂ ଚ ବ୍ରହ୍ମ ସ୍ୱରୂପା , ସାଂ ମୂଳ ପ୍ରକୃତିରିଶ୍ୱରି।
ନାରାୟଣୀ ଇତି ବିଖ୍ୟାତା ବିଷ୍ଣୁମାୟା ସନତାନି।।
ମହାଲକ୍ଷ୍ମୀ ସ୍ୱରୂପା ଚ ବେଦମାତା ସରସ୍ଵତୀ।
ରାଧା ବସୁନ୍ଧରା ଗଙ୍ଗା ତାସାମ୍ ସ୍ବାମୀ ଚ ମାଧବ।। (ବ୍ରହ୍ମ ବୈବର୍ତ୍ତ ପୁରାଣ)
ଠିକ୍ ସେଇପରି ମୂଳ ପ୍ରକୃତି ମହାଲକ୍ଷ୍ମୀଙ୍କ ସ୍ୱରୂପା ହେଲେ ଭଗବତୀ ଜୟଦୂର୍ଗା। ତେଣୁ ମାଧବ ରୂପୀ ଉମାଧଵ ମହାଲକ୍ଷ୍ମୀ ସ୍ୱରୂପା ଜୟଦୂର୍ଗା ଙ୍କ ସଙ୍ଗେ ବିରାଜିତ। ସମସ୍ତ ଶକ୍ତି ପୀଠରେ ଦେବୀ ଙ୍କ ଭୈରବ କେବଳ ରୁଦ୍ର, କିନ୍ତୁ ବିମଳା ଯିଏ କି ପାଦ ପୀଠର ଅଧିଷ୍ଠାତ୍ରୀ ଆଉ ତାଙ୍କ ପୀଠ ହେଉଛି ପଡ ପୀଠ ଯାହା ଶରୀରର ମୂଳ ଆଧାର, ତାଙ୍କର ଭୈରବ ହେଉଛନ୍ତି ସ୍ଵୟଂ ଉମାଧବ ରୂପୀ ମାଧବ।ସେଥିପାଇଁ ତ କୁହାଯାଇଛି।
ଲୋକନାଥ ଶିବ ଯତ୍ର, ତୀର୍ଥ ରାଜ ମହୋଦଧି।
ବିମଳା ଭୈରବୀ ଯତ୍ର, ଜଗନ୍ନାଥସ୍ତୁ ଭୈରଵଃ।।
ଉତ୍କଳେ ନାଭିଦେଶେ ଚ ବିରଜା କ୍ଷେତ୍ରମୁତମମ୍ ।
ବିମଳା ସା ମହାଦେବୀ ଜଗନ୍ନାଥ ସ୍ତୁ ଭୈରବମ୍।। (ମହା ନିର୍ବାଣ ତନ୍ତ୍ର)
ମା ବିମଳା ଆଦ୍ୟା ଓ ପରାମ୍ବା ପରମ ବୈଷ୍ଣବୀ ନାରାୟଣୀ । ଏହାର ସ୍ବତନ୍ତ୍ରତା ହେଉଛି- ଦେବୀ ବିମଳାଙ୍କର ପ୍ରତିନିଧି ଦୁର୍ଗା ଓ ଶ୍ରୀଜଗନ୍ନାଥଙ୍କର ପ୍ରତିନିଧି ଶ୍ରୀମାଧବ ବା ଶ୍ରୀବାଳପୁରୁଷୋତ୍ତମଙ୍କୁ ଏଥିରେ ଏକତ୍ର ପୂଜା କରାଯାଏ। ଏହା ‘ଦୁର୍ଗା- ମାଧବ- ଉପାସନା’ ଭାବରେ ପ୍ରସିଦ୍ଧ। ଶ୍ରୀମନ୍ଦିର ବ୍ୟତୀତ, କେବଳ ନିଆଳିର ମାଧବ ମନ୍ଦିରରେ ଏପରି ପୂଜାର ପରମ୍ପରା ଅଛି।ଓଡ଼ିଶାରେ ବା ଭାରତବର୍ଷରେ ଅନ୍ୟ କେଉଁଠାରେ ଏହି ପୂଜା ନାହିଁ।
ଏହି ଶାରଦୀୟ ଦୁର୍ଗାପୂଜା ଶ୍ରୀଜଗନ୍ନାଥରୂପୀ ମାଧବ ଓ ମା’ ବିମଳାରୂପୀ ଦୁର୍ଗାଙ୍କ ମଧ୍ୟରେ ଥିବା ଘନିଷ୍ଠ ସଂପର୍କର ଦ୍ୟୋତକ। ଗୋଟିଏ ସଂସ୍କୃତ ଶ୍ଳୋକରେ ଏ ସଂପର୍କରେ କୁହାଯାଇଛି- ଦେବୀଦୁର୍ଗା ବିଘ୍ନବିନାଶିନୀ ଏବଂ ଶ୍ରୀମାଧବ ସର୍ବଶୁଭପ୍ରଦାୟକ। ଏ ଦୃଷ୍ଟିରୁ ଏହି ପୂଜା ମହତ୍ତ୍ୱପୂର୍ଣ୍ଣ। ଏଇଥିପାଇଁ ମଧ୍ୟ, ଗୃହପ୍ରତିଷ୍ଠା ଆଦି ମାଙ୍ଗଳିକ କାର୍ଯ୍ୟରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ସହିତ ‘ଦୁର୍ଗାମାଧବ’ଙ୍କୁ ପୂଜା କରାଯାଇଥାଏ।ଏହାର ନାମ ‘ଶରତ ଗୁଣ୍ଡିଚା’ ବା ‘ଶାକ୍ତ ଗୁଣ୍ଡିଚା’ ହେବାର ବିଶେଷ କାରଣ ମଧ୍ୟ ରହିଛି। ଏହି କାରଣଟି ହେଉଛି- ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଦିନ ବ୍ୟାପୀ ହେଉଥିବା ଏହି ପୂଜାର ପ୍ରଥମ ଆଠଦିନ ରତ୍ନସିଂହାସନରେ ପୂଜିତ ଶ୍ରୀମାଧବ ଓ ଭଣ୍ଡାର ଘରେ ଥିବା ଦୁର୍ଗା ବିମଳା ମନ୍ଦିରର ଏକ ଖଟ ଉପରେ ଏକତ୍ର ବିଜେ ହୁଅନ୍ତି କିନ୍ତୁ ପରବର୍ତ୍ତୀ ଆଠଦିନ ଏକ ସୁସଜ୍ଜିତ ରଥାକୃତି ବିମାନରେ ସେମାନେ ଯାଇ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରରେ ବିଜେ ହୁଅନ୍ତି। ସେଠାରେ ପୂଜାର୍ଚ୍ଚନା ପରେ ପୁଣି ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଏହିପରି ଆଠଦିନ ଚାଲେ। ଏ ଦୃଷ୍ଟିରୁ ନାରାୟଣୀ ମନ୍ଦିରକୁ ‘ଆଶ୍ୱିନ ଗୁଣ୍ଡିଚା ମଣ୍ଡପ’ ଏବଂ ଏହି ପୂଜା ବା ପର୍ବକୁ ‘ଆଶ୍ୱିନ ଗୁଣ୍ଡିଚା’ ବା ‘ଶାକ୍ତ ଗୁଣ୍ଡିଚା’ କୁହାଯାଏ। ଦୁର୍ଗାମାଧବଙ୍କର ଏହି ରଥର ପଶ୍ଚାତ୍ ଗତି ନାହିଁ। ତେଣୁ, ଦୁର୍ଗାମାଧବ ରଥାକୃତି ବିମାନରେ ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ବିଜେ ହେଉଥିବା ବେଳେ, ଫେରିବା ସମୟରେ ଶ୍ରୀମନ୍ଦିରକୁ ସେହି ବିମାନରେ ନଫେରି ପାଲିଙ୍କିରେ ଫେରିଥାଆନ୍ତି। ଏଣୁ ଏହି ରଥାକୃତି ବିମାନର ଅନ୍ୟନାମ ‘ବିଜୟା ରଥ’।ସତରେ ଲିଲାମୟଙ୍କ ଲୀଳା ସାଧାରଣ ମନୁଷ୍ୟ ପାଇଁ ଅଗମ୍ୟ। ସେଥିପାଇଁ ତ କୁହାଯାଇଛି।
ସର୍ଵଂ ରହସ୍ୟ ପୁରୁଷୋତ୍ତମସ୍ୟ ।
ଦେବା ନ ଯାନାନ୍ତି କୃତଃ ମନୁଷ୍ୟ।।
ପରିଶେଷରେ ଏତିକି କୁହାଯାଇପାରେ ବିଷ୍ଣୁ, ରୁଦ୍ର ଆଉ ଦେବୀ ଙ୍କ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ।
ଏକୈବ ଶକ୍ତି ପରମେଶ୍ବରସ୍ୟ ,ଭିନ୍ନା ଚତୁର୍ଥା ବିନିଯୋଗ କାଳେ।
ଭୋଗେ ଭବାନୀ ,ପୁରୁଷେଶ୍ଚ ବିଷ୍ଣୋ କୋପେ ଚ କାଳୀ ସମରେ ଚ ଦୁର୍ଗା ।।
ଗୁରୁସ୍ତ୍ବଂ ଶିବସ୍ତ୍ବଂ ଚ ଶକ୍ତିସ୍ତ୍ବମେବ , ତ୍ବମେବାସି ମାତା ପିତାସି ତ୍ବମେବ।
ତ୍ବମେବାସି ବିଦ୍ୟା ତ୍ବମେବାସି ବୁଦ୍ଧି, ର୍ଗତିର୍ମେ ମତିର୍ଦେବି ସର୍ବଂ ତ୍ବମେବ ।।
ll ଦୁର୍ଗା ମାଧବ ମନ୍ଦିର ll
ମେଘନାଦ ପ୍ରାଚୀରର ଦକ୍ଷିଣ ପଶ୍ଚିମ କୋଣରେ ପ୍ରାଚୀର ଉପରେ ଏକ ଖୁଦ୍ର ମନ୍ଦିର ଦେଖିବାକୁ ମିଳେ। ଏହା ଦୁର୍ଗା ମାଧବ ମନ୍ଦିର ନାମରେ ପରିଚିତ । ଏହି ମନ୍ଦିରର ଗର୍ଭ ଗୃହର ମଧ୍ୟ ସ୍ଥଳରେ ପ୍ରସ୍ତର ନିର୍ମିତ ଏକ ସିଂହାସନ ଉପରେ ଦୁର୍ଗା – ମାଧବଙ୍କ ବିଗ୍ରହ ପ୍ରତିଷ୍ଠିତ । ଦେବୀ ଦୁର୍ଗା ଙ୍କ ବିଗ୍ରହ ପଥର ଏବଂ ଓଷ ରେ ନିର୍ମିତ ହୋଇଥିବା ବେଳେ ମାଧବଙ୍କ ବିଗ୍ରହ ଦାରୁ ରେ ନିର୍ମିତ। ଦେବୀ ଦୁର୍ଗା ଚତୁର୍ଭୁଜା ବିଶିଷ୍ଟା , ଉପର ଦୁଇ ଭୁଜରେ ଶଙ୍ଖ ଓ ଚକ୍ର ଧାରଣ କରିଥିବା ବେଳେ ନିମ୍ନ ଦୁଇ ଭୁଜରେ ଶୂଳ ଦ୍ୱାରା ମହିଷାସୁର କୁ ବଧ କରୁଛନ୍ତି। ଏହି ସିଂହାସନ ର ନିମ୍ନ ଭାଗରେ ଗଜପତି ଏବଂ ଶବର ମୂର୍ତ୍ତି ଖୋଦିତ ହୋଇଛି।
ଦୈନଦିନ ଦୁର୍ଗା ମାଧବ ଙ୍କ ସେବା ପୂଜା ନିମନ୍ତେ ଶ୍ରୀମନ୍ଦିର କୋଠରୁ ଓଳିଏ ବଲ୍ଲଭ , କୋରା ଓ କାକାରା ଆସିଥାଏ। ଦୈନଦିନ ନୀତି ମଧ୍ୟରେ ଆଳତୀ , ବେଶ , ଭୋଗ , ପହୁଡ଼ ଆଦି ଅନୁଷ୍ଠିତ ହୋଇଥାଏ।
ପ୍ରାଚୀନ କାଳରେ ଉଦ୍ରଦେଶର ଉଡ଼ଡୀୟାନ ପୀଠର ଭୈରବୀ ମା ବିମଳା ଓ ଭୈରବ ଜଗନ୍ନାଥଙ୍କୁ କେନ୍ଦ୍ରକରି ଦୁର୍ଗମାଧବ ଉପାସନା ପ୍ରଚଳିତ। ଉତ୍କଳରେ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ମାଧବଙ୍କର ସ୍ମରଣ କରାଯାଏ। ୧୪୬୬ ରୁ ୧୪୯୭ ଯାଏଁ ଉତ୍କଳରେ ଗଜପତି ପୁରୁଷୋତ୍ତମ ଦେବ ଶାସନ କରୁଥିଲେ । କାଞ୍ଚି ରାଜାଙ୍କ ରାଜଜେମାଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ । କିନ୍ତୁ ରଥଯାତ୍ରାରେ ଗଜପତିଙ୍କ ଛେରାପହଁରା ସେବା କୁ ଦେଖି କାଞ୍ଚିରାଜା ଗଜପତି ଙ୍କୁ ଅପମାନ କରିଥିଲେ। ଯାହା ଫଳରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କରିଥିଲେ। ପ୍ରଥମ ଅଭିଯାନ ରେ ବିଫଳ ହେବା ପରେ ଗଜପତି ମହାରାଜା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ଙ୍କ ଶରଣ ପଶିଥିଲେ। ତତ୍ପରେ ଗଜପତି ପୁରୁଷୋତ୍ତମ ଦେବ ୨ୟ ବାର କାଞ୍ଚିଅଭିଜାନ ନିମନ୍ତେ ଯାତ୍ରା ଆରମ୍ଭ କରିଥିଲେ । ଗଜପତି ଶ୍ରୀମନ୍ଦିର ରୁ ବାହାରି , ଯେତେବେଳେ ଦକ୍ଷିଣ ବେଢା଼ ଅତିକ୍ରମ କରି ଅଗ୍ରସର କରୁଥିଲେ ସେ ପୁନଶ୍ଚ ଶ୍ରୀମନ୍ଦିର ଆଡକୁ ଚାହିଁଥିଲେ। ଏହି ସମୟ ରେ ସେ ଦକ୍ଷିଣ ପଶ୍ଚିମ କୋଣରେ ଦୁର୍ଗା ମାଧବ ଙ୍କ ଦର୍ଶନ ପାଇଥିଲେ । ଦେବକୃପା ଲାଭ କରିଥିବାରୁ ସେ କାଞ୍ଚି ଅଭିଯାନ ବିଜୟ କରିଥିଲେ ଏବଂ ଉକ୍ତ ସ୍ଥାନରେ ଦୁର୍ଗା ମାଧବ ମନ୍ଦିର ନିର୍ମାଣ କରିଥିଲେ। ଶାରଦୀୟ ଦୁର୍ଗାପୂଜା ସମୟରେ ଏହି ମନ୍ଦିର ରେ ନିତ୍ୟ ଚଣ୍ଡୀ ପାଠ ହେବା ସହ ବିଶେଷ ନୀତି ମାନ ହୋଇଥାଏ।🙏❤️
