ଘରର ବାଲକୋନୀରେ ବସି ନିଜ ବଗିଚାର ଗଛପତ୍ର ଗୁଡିକୁ ଦେଖି ବିଭୋର ହୋଇ ଉଠୁଛନ୍ତି ମାଳବିକା । ବସନ୍ତ ପବନର ମୃଦୁ ଶୀତଳ ସ୍ପର୍ଶ ତାଙ୍କୁ ଆନମନା କରୁଛି । ବାହାଘର ପରେ ଏ ଘରେ ସେ ପଇଁତ୍ରିଶଟି ବସନ୍ତ ଅତିକ୍ରାନ୍ତ କରିଛନ୍ତି । କିନ୍ତୁ ଏଥରର ବସନ୍ତ ଯେମିତି କିଛି ନୂଆରଙ୍ଗ ଆଣିଦେଇଛି ତାଙ୍କ ପାଇଁ । ସଦ୍ୟ କଲେଜରେ ପାଦ ଥାପିଥିବା ଅନୁଢା କିଶୋରୀଟିଏ ପରି ସେ ଆନମନା ହୋଇପଡୁଛନ୍ତି ବାରମ୍ବାର । ବସନ୍ତର ମୃଦୁ ମଳୟ ସ୍ପର୍ଶରେ ଯେ ଏତେ ମାଦକତା ଅଛି ସେ ଆଜି ପ୍ରଥମ ଥର ଅନୁଭବ କରୁଛନ୍ତି । କୋଇଲିର କୁହୁ ଭିତରେ ପୁଣି ଏତେ ମିଠାପଣ !! କାହିଁ ଆଜିଯାଏ ତ ଜାଣି ପାରିନଥିଲେ ସେ !!! ଆମ୍ବ ବଉଳର ବାସ୍ନା ବି ମନକୁ ଏତେ ଉତ୍ତାଳ କରିପାରେ !! କାହିଁ , କେବେ ତ ଭୋଗି ନଥିଲେ ସେ !! ଏ ଜୀବନରେ କେତେ ବସନ୍ତ ଆସିଛି ଆଉ ଯାଇଛି ଅଥଚ ତାଙ୍କ ମନ ଭିତରେ ବହୁଥିବା ପ୍ରେମର ଛଳଛଳ ନଈଟିକୁ ସେ ଏବେ ଆବିଷ୍କାର କଲେ ! ନିରଜଙ୍କ ସହ ତାଙ୍କ ବାହାଘରର ୩୫ ବର୍ଷ ପରେ !! ମାଳବିକାଙ୍କୁ ୫୪ ପୁରି ୫୫ ଚାଲିଲା ଏ ଫାଲଗୁନ ମାସଠାରୁ । ବାହାଘର ପରଠାରୁ ଆଜିଯାଏ ସେ ନିରଜଙ୍କ ପତ୍ନୀ ହିସାବରେ କେବଳ କର୍ତ୍ତବ୍ୟ ତୁଲେଇ ଆସିଥିଲେ । ସ୍ୱାମୀଙ୍କୁ ଦେବତା ମାନି ଭକ୍ତି କରି ଆସିଥିଲେ । ଅସୁସ୍ଥତା ସମୟରେ ମା'ଟିଏ ସାଜି ସେବା କରି ଆସିଥିଲେ । କିନ୍ତୁ ପ୍ରେମିକାଟିଏ ସାଜି ପ୍ରେମ କରିବାର ସୁଯୋଗ ପାଇନଥିଲେ କେବେ । ନୂଆନୂଆ ବାହାଘର ବେଳର କଥା । ମାଳବିକାଙ୍କୁ ସେତେବେଳେ ବୟସ ମୋଟେ କୋଡିଏ । ଆଦ୍ୟଯୌବନରେ ସ୍ୱାମୀଙ୍କ ସହ ଜୀବନକୁ ଉପଭୋଗ କରିବାର ଯେଉଁ ରଙ୍ଗୀନ ସ୍ୱପ୍ନ ସେ ଦେଖିଥିଲେ ଶାଶୁଘରର କର୍ମଜଞ୍ଜାଳ ଭିତରେ ପେଷି ହୋଇ କେତେବେଳେ ଯେ ସେ ସ୍ବପ୍ନଗୁଡ଼ାକ ସୁପ୍ତ ହୋଇଗଲେ ସେ ନିଜେ ବି ଜାଣିପାରିଲେନି ।
ବାହାଘରର ଚାରିବର୍ଷ ଯାଏ ଶାଶୁଘରର ଏରୁଣ୍ଡିବନ୍ଧ ଡେଇଁ ବାହାରର ଦୃଶ୍ୟ ଦେଖି ନଥିଲେ ମାଳବିକା । କାରଣ ଦାଣ୍ଡ ବାରଣ୍ଡାରେ ସବୁବେଳେ ଶଶୁର ବସି ରହିଥାନ୍ତି ବେତବୁଣା ଚେୟାରଟିଏ ପକେଇ । ମାଳବିକା ମଝିରେ ମଝିରେ ହାତେଲମ୍ବର ଓଢଣୀଟିଏ ପକେଇ ଚା' କପଟି ବଢେଇ ଦିଅନ୍ତି ଖାଲି ଯାହା ଶଶୁରଙ୍କ ହାତକୁ । ଶଶୁରଙ୍କ ମୃତ୍ୟୁପରେ କଟକଣା ଟିକେ କୋହଳ ହେଲା ନିଶ୍ଚୟ କିନ୍ତୁ ସ୍ୱାମୀଙ୍କ ସହ ସୁଖଦୁଃଖ ବାଣ୍ଟିବାର ସୁଖଦ ମୁହୂର୍ତ୍ତଟିଏ ସିଏ ପାଇ ନାହାନ୍ତି କେବେ ବି ଜଞ୍ଜାଳ ଭିତରେ ଘାଣ୍ଟି ହୋଇ । ହଁ .... ଜଞ୍ଜାଳ ନୁହେଁ ତ ଆଉ କ'ଣ ?? ସ୍ୱାମୀ, ବିଧବା ଶାଶୁ , ଅବିବାହିତା ନଣନ୍ଦଟିଏ ସେଥିରେ ପୁଣି ଚାରିବର୍ଷର ଝିଅଟିଏ ଆଉ ବର୍ଷକର କୁନିପୁଅଟିଏ । ସମସ୍ତଙ୍କ କଥା ବୁଝୁବୁଝୁ ଦିନ ଗୁଡ଼ାକ ପାଣିପାରି ବହିଯାଏ କୁଆଡେ ।
ସୂର୍ଯ୍ୟ ଉଇଁବା ଆଗରୁ ଉଠିପଡନ୍ତି ମାଳବିକା ।ଆଉ ଟିକିଏ ଶୋଇବାର ଇଚ୍ଛା ଥିଲେ ବି ସଂସାରର ଦାୟିତ୍ୱବୋଧ ତାଙ୍କୁ ଶୋଇବାକୁ ଦିଏନା । ଘରର ବାସିକାମ ସାରି ରୋଷେଇ ଘରେ ପଶନ୍ତି ଯେ ବାହାରିଲା ବେଳକୁ ଦିନ ସାଢେଦୁଇ । ପ୍ରଥମେ ଘରର ଇଷ୍ଟଦେଵ ଲକ୍ଷ୍ମୀନାରାୟଣଙ୍କ ପାଇଁ ଖେଚୁଡ଼ି ଭୋଗ ରୋଷେଇ । ସକାଳ ସାଢେସାତ ଭିତରେ ଝିଅ ଯିବ ସ୍କୁଲ । ଝିଅ ଗଲାପରେ ଘରର ସମସ୍ତଙ୍କ ପାଇଁ ଚା' ଜଳଖିଆ ପର୍ବ । ସ୍ୱାମୀ ନିରଜ ଅଫିସ ବାହାରି ଯାଆନ୍ତି ଠିକ ନଅଟାରେ । ତାଙ୍କ ପାଇଁ ରୋଷେଇ । ତାଙ୍କୁ ବିଦା କଲାପରେ ପୁଣିଥରେ ରୋଷେଇ ଘର ଧୁଆପୋଛା କରି ଶାଶୁଙ୍କ ପାଇଁ ବିନା ପିଆଜ ରସୁଣରେ ରୋଷେଇ । ବିଧବା ହେଲାଦିନ ଠାରୁ ସେ ଆଇଁଷ, ପିଆଜ , ରସୁଣ ଛାଡି କେବଳ ଶୁଦ୍ଧ ସାତ୍ତ୍ଵିକ ଆହାର ଗ୍ରହଣ କରୁଛନ୍ତି । ରୋଷେଇଘରୁ କାମ ସରୁ ସରୁ ଝିଅ ଆସିଯାଏ ସ୍କୁଲରୁ । ତା ଖାଇବା ପିଇବା ବୁଝି ସାରିଲା ପରେ ଶାଶୁଙ୍କ ଖାଇବା ବୁଝିବାକୁ ପଡେ। ତା ଉପରେ ନଣନ୍ଦଙ୍କର ହଜାରେ ନଖରାମୀ । "ଏଇଟା ଥଣ୍ଡା ହୋଇଗଲାଣି ଗରମ କର ....ସେଥିରେ ବାଇଗଣ କ'ଣ ପାଇଁ ପକେଇଲ ମୁଁ ଖାଇବିନି....ଆଜି ରୋଷେଇ ଜମା ବି ଭଲ ଲାଗୁନି , ମୋ ପାଇଁ ଟମାଟୋ ରସୁଣ ଚଟଣୀ ବନାଅ।" ଏମିତି ସମସ୍ତଙ୍କ କଥା ବୁଝିସାରି ସେ ନିଜେ ଖାଇ ଉଠିଲା ବେଳକୁ ସାଢ଼େ ଦୁଇ । ଟିକେ ସମୟ ରେଷ୍ଟ ନେଲା ପରେ ପୁଣି ଚାଲେ ଯନ୍ତ୍ରବତ୍ କାମ । ପୁଣି ସନ୍ଧ୍ୟା ଚା' ଜଳଖିଆ , ଠାକୁରଙ୍କୁ ଧୂପଦିଆ, ଭାଗବତ ପଢା, ରାତି ପାଇଁ ରୋଷେଇ , ଝିଅର ହୋମୱର୍କ , ବର୍ଷକର ପୁଅର ଜଞ୍ଜାଳ । ଏ ଭିତରେ ନିରଜ ବି ଆସି ଯାଇଥାନ୍ତି ଅଫିସରୁ । ତାଙ୍କର ବି ଚା' ଜଳଖିଆ। ଏମିତି ଚିରାଚରିତ ଜଞ୍ଜାଳ ଭିତରେ ବିତିଚାଲେ ବର୍ଷ ପରେ ବର୍ଷ । କେତେବେଳେ ସନ୍ଧ୍ୟା ଆସେ , କେତେବେଳେ ରାତି ପାହେ ଜଣା ପଡେନି କିଛି ।
ନିରଜ ବି ତାଙ୍କ ଜଞ୍ଜାଳରେ ବ୍ୟସ୍ତ । ରାତି ପାହିବାଠାରୁ ରାତିରେ ଶୋଇବା ଯାଏ ତାଙ୍କୁ ଫୁରସତ ନଥାଏ କାମରୁ । ସେ ବି କେବେ ମାଳବିକାଙ୍କୁ ପାଖରେ ବସେଇ ଭଲମନ୍ଦ ଟିକେ ପଚାରିବାର ସୁଯୋଗ ପାଇ ନାହାନ୍ତି
ୟା ଭିତରେ ବିତିଗଲାଣି ଗୁଡ଼ାଏ ବର୍ଷ । ଶାଶୁ ଚାଲିଗଲେଣି ଆରପାରିକି । ନଣନ୍ଦ ବାହାସାହା ହୋଇ ନିଜ ଜଞ୍ଜାଳରେ ବ୍ୟସ୍ତ । ପିଲାମାନେ ବଡ଼ବଡ଼ ହୋଇଗଲେଣି । ତଥାପି ସରିନି କିନ୍ତୁ ଜଞ୍ଜାଳ । ଖାଲି ଜଞ୍ଜାଳର ପ୍ରକାର ବଦଳିଛି ଯାହା ।ଏବେ ପିଲାମାନଙ୍କୁ ଡେରି ରାତିଯାଏ ଜଗିବାକୁ ପଡେ ଅନିଦ୍ରା ରହି । ନହେଲେ ସେମାନେ ପାଠ ନପଢି ଶୋଇଯିବେ ଯେ । ସେମାନଙ୍କ ସୁନ୍ଦର କ୍ୟାରିଅର ଆଉ ସୁନେଲି ଭବିଷ୍ୟତ ପାଇଁ ଏତିକି ତ୍ୟାଗ ତ କରିବାକୁ ପଡିବ । ଡେରି ରାତିରେ ଶୋଇବାକୁ ଯାଇ ପାହାନ୍ତା ପହରୁ ଆଲାର୍ମ ଦେଇ ଉଠିବାକୁ ପଡେ । ରୋଷେଇବାସ ସରିଲେ ପୁଅ ଯିବ କଲେଜ , ଝିଅ ଯିବ କୋଚିଙ୍ଗ ଆଉ ସ୍ୱାମୀ ଯିବେ ଅଫିସ । ସେଥିରେ ପୁଣି ପିଲାମାନଙ୍କର ଚାକିରୀ ଆଉ ବାହାଘର ଚିନ୍ତା ଖାଇ ଗୋଡ଼ାଏ ସବୁବେଳେ ।
ଏବେ କିନ୍ତୁ ବାହାଘରର ଏତେ ବର୍ଷ ପରେ ଜୀବନର ଅପରାହ୍ନରେ ମାଳବିକାଙ୍କୁ ଲାଗୁଛି ସତରେ ସେ ଆଜି ଜଞ୍ଜାଳଶୂନ୍ୟ । ପୁଅ ବାହାସାହା ହୋଇ ଆମେରିକାରେ । ଜ୍ବାଇଁ ସହ ଝିଅ ଏବେ ଜର୍ମାନରେ । ନିରଜ ଗଲା ମାସରେ ଅବସର ନେଇଛନ୍ତି ଚାକିରୀ ଜୀବନରୁ । ଚାକିରୀରୁ ଅବସର ନେଲା ପରେ ଏକାନ୍ତରେ ଅନେକ ସମୟ ବିତାଉଛନ୍ତି ନିରଜ ଆଉ ମାଳବିକା । ଏଇ ବାଲକୋନୀରେ ବସି କେତେ ଦୁଃଖସୁଖ ବାଣ୍ଟୁଛନ୍ତି ଏବେ ସାଙ୍ଗ ହୋଇ ଚା' ପିଇ ପିଇ ।
ମନ୍ଦିରର ଘଣ୍ଟି ଶବ୍ଦରେ ଭାବନା ରାଜ୍ୟରୁ ଫେରି ଆସିଲେ ମାଳବିକା । ଆରେ... ସନ୍ଧ୍ୟା ଗଡ଼ିବାକୁ ବସିଲାଣି ଯେ ! ସେ ଠାକୁରଙ୍କୁ ଧୂପ ଦେଇନାହାନ୍ତି ଏ ଯାଏ ! ତାଙ୍କୁ ପୁଣି ପ୍ୟାକିଙ୍ଗ କରିବାର ଅଛି ଲଗେଜ ସବୁ । ଆଉ ଦୁଇଦିନ ପରେ ସେ ବୁଲିବାକୁ ଯିବେ ନିରଜଙ୍କ ସହ ନୈନିତାଲ ।
କେବେଦିନେ ସେ ଇଚ୍ଛା କରିଥିଲେ ବାହାଘର ପରେ ହନିମୁନ ପାଇଁ ନୈନିତାଲ ଯିବେ ବୋଲି । କିନ୍ତୁ ସେ ସ୍ୱପ୍ନ ବି ଅନ୍ୟ ସ୍ୱପ୍ନମାନଙ୍କ ସହ ସମାଧିସ୍ଥ ହୋଇ ଯାଇଥିଲା କେତେବେଳେ । ଆଜିଯାଏ ଏକାନ୍ତରେ କୁଆଡେ ବି ଯାଇ ପାରିନାହାନ୍ତି ସେ ସ୍ୱାମୀଙ୍କ ସହ । ବାହାଘରର ମାସେ ପରେ ପୁରୀ ଯିବା ପାଇଁ ଯୋଜନା ହୋଇଥିଲା ଶାଶୁଘରୁ । ମନେମନେ ବହୁତ ଖୁସି ହୋଇଥିଲେ ମାଳବିକା । ଯାହାହେଉ ଏତେଦିନ ପରେ ଏକାନ୍ତରେ ସ୍ୱାମୀଙ୍କୁ ଗୋଟେ ଦିନ ପାଖରେ ପାଇବେ ସେ । ଟିକେ ମନଭରି ଦୁଃଖସୁଖ ହେବେ । ଘରଭିତରେ ତ ସେ ସ୍ଵାମୀଙ୍କ ସହ ଭଲରେ ପଦେ କଥା ବି ହେଇ ପାରୁନାହାନ୍ତି ଆଉ ଦୁଃଖସୁଖ....। ବାହାଘରର କିଛିଦିନ ପରେ ମାଳବିକାଙ୍କୁ ଥରେ ଶାଶୁ ଦେଖି ଦେଇଥିଲେ ବେଡରୁମରେ ବସି ନିରଜଙ୍କ ସହ କଥା ହେବାର । ବାସ.....ଶୁଣେଇ ଦେଇଥିଲେ ବହୁତ କିଛି । କହିଥିଲେ , "ଆମ ବେଳେ ଲଜ୍ଜା ସରମ ବୋଲି ଗୋଟେ ଜିନିଷ ଥିଲା । ଶାଶୁ ଶଶୁରଙ୍କୁ ହାତେ ମାପି ଚାଖେଣ୍ଡେ ଚାଲୁଥିଲୁ ଆମେ । ଆଉ ଏ ଆଜିକାଲିକା ଝିଅ ସବୁ ଲାଜମହତକୁ ପୋଡିକି ଖାଇଲେଣି...ଛିଃ ....ଛିଃ....।" ଲଜ୍ଜା ଆଉ ଅପମାନରେ ଜଳି ଯାଇଥିଲେ ସେଦିନ ମାଳବିକା । ସେ ଦିନଠାରୁ ଶାଶୁ ବଞ୍ଚିଥିବା ଯାଏ ନିରଜ ବେଡ଼ରୁମରେ ଥିଲା ବେଳେ ସେ ବେଡରୁମର ଦୁଆରମୁହଁ ମାଡନ୍ତିନି । ମାଡି ମାଡି ପଡେ ତାଙ୍କୁ । ସେଦିନ ମନେ ମନେ ଖୁସିରେ କୁରୁଳି କୁରୁଳି ଭାବିଥିଲେ ଯାହାହେଉ ଆଜି ନିରଜଙ୍କ ସହ ମିଶି ଜଗନ୍ନାଥ ଦର୍ଶନ କରିବି ଆଉ ପୁରୀ ସମୁଦ୍ରକୁଳରେ ବସି ଟିକେ ଗପିବି । ସେଠି ତ ଆଉ ଶାଶୁ ନଥିବେ ନା ଜଗିବା ପାଇଁ । ଖୁସି ମନରେ ସଜବାଜ ହୋଇ ଗାଡି ପାଖରେ ପହଞ୍ଚିଲେ ମାଳବିକା । ଏ କ'ଣ ??(ସୌଜନ୍ୟ-ଦେବୀ ମିଶ୍ର)
ଗାଡି ଭିତରେ ତ ପୁରା ପଲଟଣ ଆଗରୁ ଜଗିକି ବସିଛନ୍ତି । ଶଶୁର, ଶାଶୁ, ନଣନ୍ଦ, ଜଣେ ଲେଖାଯୋଖା କକେଇଶଶୁର ଆଉ ଖୁଡିଶାଶୁ । ବାସ… ଶାଶୁଙ୍କ ପାଖରେ ବସିବସି ଗଲେ ଆଉ ବସିବସି ଫେରିଲେ ସେ । ଯିବାଠାରୁ ଫେରିବା ଯାଏ ଓଢଣାଟାକୁ ବି ଖସିବାକୁ ଦେଇନଥିଲେ ଶାଶୁ । ତା ପରେ ସେ ଆଉ କୁଆଡେ ବି ଯାଇ ନାହାନ୍ତି ବାପଘର ଛଡ଼ା । ଛୁଆଙ୍କ ଜଞ୍ଜାଳ ଆଉ ସମସ୍ତଙ୍କ କଥା ବୁଝୁବୁଝୁ ବୁଲିବା କଥା ଭୁଲି ଯାଇଥିଲେ ସେ । ଆଜି ଏତେଦିନ ପରେ ସେ ବାହାରିଛନ୍ତି ନୈନିତାଲ ….ନିରଜ ଚାକିରୀରୁ ଅବସର ନେଲା ପରେ ।
ନୈନିତାଲରେ ପହଞ୍ଚିଲା ପରେ ସବୁକିଛି ମଧୁମୟ ଲାଗିଥିଲା ମାଳବିକାଙ୍କୁ । ଲାଗୁଥିଲା ସେ ଯେମିତି ନିରଜଙ୍କର ନବବିବାହିତା ସ୍ତ୍ରୀ । ଆଉ ନିରଜ ବି ଖୋଜୁଥିଲେ ଯେମିତି ଏଇ ଶାନ୍ତି ଟିକକକୁ ବହୁତ ଆଗରୁ । ଏବେ ସେ ବି ଏକ ମୁକ୍ତ ବିହଙ୍ଗ ଯେମିତି । ଉଭୟେ ଯେମିତି ନିଜ ନିଜର ହଜିଯାଇଥିବା ତରୁଣ୍ୟକୁ ଖୋଜି ପାଇଥିଲେ ।
ବୟସକୁ ପଛରେ ଫୋପାଡ଼ିଦେଇ ଦୁହେଁ ନୈନିଲେକ୍ ରେ ବୋଟିଂର ମଜା ନେଇଥିଲେ । ମଲରୋଡରେ ବୁଲିବୁଲି ଢେରସାରା ସପିଙ୍ଗ କରିଥିଲେ ପୁଅବୋହୁ, ଝିଅଜ୍ବାଇଁ ଆଉ ନିଜପାଇଁ ।ସ୍ନୋ ଭିଉ ପଏଣ୍ଟ ବୁଲିବା ଅବସରରେ ମିଶିକି କଫି ପିଇବାର ମଜା ନେଇଥିଲେ । ନୈନାଦେବୀଙ୍କ ପାଦତଳେ ମୁଣ୍ଡ ନୁଆଁଇ ଆଶୀର୍ବାଦ ଭିକ୍ଷା କରିଥିଲେ ପିଲାମାନଙ୍କର ସର୍ବରିଷ୍ଟ ଖଣ୍ଡନ ପାଇଁ । ସେଣ୍ଟ ଜନ୍ ଚର୍ଚ୍ଚର ଚାରିପଟେ ଘେରିଥିବା ଦେବଦାରୁ ଆଉ ପାଇନ୍ ଗଛର ସବୁଜିମା ଭିତରେ ହଜି ଯାଇଥିଲେ ଦୁହେଁ । ନୈନିପିକ୍ ରେ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ । ଏମିତି ତ କେତେ ସୂର୍ଯ୍ୟୋଦୟ ଆସିଛି ସେମାନଙ୍କ ଜୀବନରେ । ଆଜି କିନ୍ତୁ ଦୁହେଁ ଏକାଠି ମିଶି ଅପେକ୍ଷା କରିଥିଲେ ବାଳସୂର୍ଯ୍ୟଙ୍କର ଆଗମନକୁ ।
ନୈନିତାଲ ସହରଟା ଆଜି ଗୋଟେ ପ୍ରେମର ସହର ପରି ଲାଗୁଛି ମାଳବିକାଙ୍କୁ । ପ୍ରେମୀଯୁଗଳ ମାନଙ୍କର ରଙ୍ଗରେ ରଙ୍ଗିନ୍ ଆଜି ନୈନିତାଲର ହୋଟେଲ , ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ମନ୍ଦିର , ଚର୍ଚ୍ଚ, ସପିଙ୍ଗ ମଲ ଯାଏ ସବୁକିଛି । ଆଜି ଗୋଟିଏ ଦିନରେ ସବୁଯାକ ପ୍ରେମ ସାଉଁଟି ନେବାକୁ ଯେମିତି ତତ୍ପର ସମସ୍ତେ । କ’ଣ ପାଇଁ ଏ ପ୍ରେମର ମହୋତ୍ସବ ଆଜି ?? ଆଶ୍ଚର୍ଯ୍ୟ ହୋଇ ନିରଜଙ୍କ ମୁହଁକୁ ଚାହିଁଲେ ମାଳବିକା । ମୁରୁକି ହସିଲେ ଟିକିଏ ନିରଜ । କହିଲେ, “କ’ଣ ବୋକିଙ୍କ ପରି ଚାହୁଁଛ ସବୁଆଡେ ? ଆଜି ପରା ଫେବୃୟାରୀ ୧୪ ….ଭାଲେଣ୍ଟାଇନ୍ସ ଡେ ….ପ୍ରେମୀ ଦିବସ ।”
— ଓଃ…ମୁଁ କେମିତି ଜାଣିବି ଏ ସବୁ ?? ଆମବେଳେ କୋଉ ଏ ସବୁ ଥିଲା ଯେ ! ଆଜିଯାଏ ତ ମୁଁ ମୋ ନିଜ ଜନ୍ମଦିନ କି ବିବାହବାର୍ଷିକୀକୁ ମନେ ପକେଇବାର ସୁଯୋଗ ପାଇନି କେବେ । ଆଉ ଏ ଭାଲେଣ୍ଟାଇନ୍ସ ଡେ …କହି ଫିକା ହସଟିଏ ହସିଦେଲେ ମାଳବିକା ।
ସାଙ୍ଗେସାଙ୍ଗେ ରାସ୍ତାକଡ଼ରୁ ଫୁଲତୋଡାଟିଏ ଆଉ ରକ୍ତଗୋଲାପଟିଏ କିଣି ଆଣିଲେ ନିରଜ । ଫୁଲତୋଡାଟିକୁ ମାଳବିକାଙ୍କ ହାତକୁ ବଢେଇଦେଲେ ଆଉ ରକ୍ତଗୋଲାପଟିକୁ ମାଳବିକାଙ୍କ ଜୁଡାରେ ଖୋସିଦେଇ କହିଲେ …. ହାପି ଭାଲେଣ୍ଟାଇନ୍ସ ଡେ ମାଇଁ ଲଭ୍ …. । ଆଶ୍ଚର୍ଯ୍ୟ , ଖୁସି , ଭଲପାଇବା , ଅନୁରକ୍ତି ଆଉ କୃତଜ୍ଞତାର କେମିତି ଗୋଟାଏ ଫେଣ୍ଟାଫେଣ୍ଟି ରଙ୍ଗ ଉକୁଟି ଆସିଲା ମାଳବିକାଙ୍କ ମୁହଁରେ ।
ମାଳବିକା ଭାବୁଥିଲେ , “କିଏ କହିଲା ପ୍ରେମର ଗୋଟେ ନିର୍ଦ୍ଦିଷ୍ଟ ବୟସ ଅଛି ବୋଲି ?? ଯିଏ କହିଛି ସେ ଭୁଲ କହିଛି ନିଶ୍ଚୟ । ସେ ତ ଏଇ ଏବେ ଏବେ ପ୍ରେମରେ ପଡିଛନ୍ତି ନିରଜଙ୍କର । ସଂସାର ଜଞ୍ଜାଳର ଅନେକ ବର୍ଷ ପରେ ଏଇତ ଆରମ୍ଭ ହୋଇଛି ତାଙ୍କର ପ୍ରେମ ଜୀବନ ଆଉ ଏ ଜୀବନ ତାଙ୍କୁ ସୁଯୋଗ ଦେଇଛି ସ୍ତ୍ରୀ ରୁ ପ୍ରେମିକାଟିଏ ସାଜିବାର ।”
