ରାଉରକେଲା: ଝାଡ଼ଖଣ୍ଡ ସୀମାନ୍ତରେ ଅଛି ସୁନ୍ଦରଗଡ଼ଜିଲ୍ଲା ନୂଆଗାଁ ବ୍ଲକ୍ର ପାନିଆସାଲ ଓ ଲାଖୁଆ ବସ୍ତି। ଦେଶ ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଏମାନେ ବିକାଶ ଦେଖିପାରି ନାହାନ୍ତି। ଝାଡ଼ଖଣ୍ଡର ଚୋରା ବିଜୁଳିରେ ଦୂର ହେଉଛି ବସ୍ତିର ଅନ୍ଧାର। ତା’ ପୁଣି ମାସର ଅଧାଦିନ। ଦେଢ଼ କିମି ଦୂରରେ ଥିବା ଝାଡ଼ଖଣ୍ଡ ହୁର୍ଦ୍ଦା ଗାଁର ନଳକୂଅ ଏମାନଙ୍କ ଶୋଷ ମେଣ୍ଟାଉଛି। ମୌଳିକ ସୁବିଧା ଟିକକ ପାଇଁ ବର୍ଷ ବର୍ଷ ଏମିତି ସଂଘର୍ଷ କରୁଛନ୍ତି। ନିର୍ବାଚନ ବେଳେ ନେତା ଓ ପ୍ରଶାସନର ପାଦ ପଡ଼େ ଓ ପ୍ରତିଶ୍ରୁତି ମିଳେ। ପରବର୍ତ୍ତୀ ସମୟରେ ଉପାନ୍ତ ଗାଁ ଓ ବସ୍ତିର ମୌଳିକ ସମସ୍ୟାକୁ ସମସ୍ତେ ଭୁଲି ଯାଆନ୍ତି। ନୂଆଗାଁ ପଞ୍ଚାୟତଠୁ ୮ କିମି ଦୂରରେ ରହିଛି ପାନିଆସାଲ ଗାଁର ଲାଖୁଆ ବସ୍ତି, ଓରାମ ବସ୍ତି, ମୁଣ୍ଡା ବସ୍ତି, ଗଞ୍ଜୁଟୋଲି। ପରିବାର ସଂଖ୍ୟା ୧୫୦୦ରୁ ଅଧିକ। ରାସ୍ତା ନ ଥିବାରୁ ଆଜି ପର୍ଯ୍ୟନ୍ତ ଗାଁକୁ ବସ୍ ଗଡ଼ିନି। ପିଡିଏସ୍ ଚାଉଳ ପାଇଁ ୮ କିମି ଦୂର ଚିତାପେଡ଼ି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ଭତ୍ତା ଅବା ଚାଉଳ; ବୃଦ୍ଧ ବୃଦ୍ଧାଙ୍କୁ ଦିନଟିଏ ସଂଘର୍ଷ କରିବାକୁ ପଡୁଛି। ଅଣ୍ଟାସଳଖି ଛିଡ଼ା ହୋଇପାରୁ ନଥିବା ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ନ କହିବା ଭଲ। ୪୦ ଡିଗ୍ରି ତାତିରେ ବିପର୍ଯ୍ୟସ୍ତ ରାସ୍ତାରେ ଚାଲି ଚାଲି ପଞ୍ଚାୟତରେ ପହଞ୍ଚୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଗାଁ ଓ ବସ୍ତିର କାହାରିକୁ ପକ୍କା ଘର ମିଳିନି। ପଞ୍ଚାୟତରୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଯେତିକି ସଂକୀର୍ଣ୍ଣ, ସେମିତି ଜରାଜୀର୍ଣ୍ଣ। ଆମ୍ବୁଲାନ୍ସ ପାଖରେ ରୋଗୀକୁ ପହଞ୍ଚାଇବାକୁ ପରିବାର ଓ ପଡ଼ୋଶୀ ଖଟିଆରେ ଦେଢ଼ କିଲୋମିଟର ବୋହୁଛନ୍ତି। ବର୍ଷା ଦିନେ ସ୍ଥିତି ଆହୁରି ସଙ୍ଗିନ। ଫନି ବାତ୍ୟା ପରଠାରୁ ବିଦ୍ୟୁତ୍ ଖୁଣ୍ଟ ସେମିତି ଛିଡ଼ା ହୋଇଛି। ଆଜି ପର୍ଯ୍ୟନ୍ତ ଏହି ଗାଁ ଓ ବସ୍ତିକୁ ବିଜୁଳି ସଂଯୋଗ ହୋଇନି। ପଡ଼ୋଶୀ ଝାଡ଼ଖଣ୍ଡ ଗାଁର ଚୋରା ବିଜୁଳିରେ ବସ୍ତିରେ ଆଲୁଅ ଜଳୁଛି। ପାନୀୟଜଳ ସମସ୍ୟା ଦୂର କରିବାକୁ ନଳକୂଅ ଅଛି। ପାହାଡ଼ ପାଦଦେଶ ଗାଁ ଓ ବସ୍ତିରେ ଜଳସ୍ତର କମିଯାଉଥିବାରୁ ନଳକୂଅ ଅଚଳ ହୋଇଯାଉଛି। ଭୋରରୁ ପ୍ରାୟ ଦେଢ଼ କିମି ଦୂର ଝାଡ଼ଖଣ୍ଡର ହୁର୍ଦ୍ଦା ଗାଁର ନଳକୂଅରୁ ପାଣି ଆଣିଲେ ପରିବାରର ଶୋଷ ମେଣ୍ଟୁଛି। ବସ୍ତିର ଦିଲୀପ ଲାଖୁଆ, ସନ୍ଦୀପ ଲାଖୁଆ ଓ ଲାଲୋ ଲାଖୁଆ କହିଛନ୍ତି, ସୀମାନ୍ତ ବସ୍ତି ହୋଇଥିବାରୁ କେହି ଦୁଃଖ ଶୁଣୁନାହାନ୍ତି। ସରକାର ବଦଳୁଛି। ଆମ ଭାଗ୍ୟ ବଦଳୁ ନାହିଁ। ଚେତାପଡ଼ି ସରପଞ୍ଚ ଏତୋ ଖାଖା କହିଛନ୍ତି, ସୀମାନ୍ତ ଗାଁ ହୋଇଥିବାରୁ ଏଭଳି ସମସ୍ୟା ଉପୁଜିଛି। ଲୁଟ୍ ଭୟ ଥିବାରୁ ଭତ୍ତା ଟଙ୍କା କର୍ମଚାରୀ ନେଇ ଆସୁନାହାନ୍ତି। ଏ ସଂକ୍ରାନ୍ତରେ ବ୍ଲକ୍ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଇଛି।
