ଭୁବନେଶ୍ବର: ଏ ସହର ଆମର। ରାଜ୍ୟର କୋଣ ଅନୁକୋଣରେ ରହୁଥିବା ଲୋକଙ୍କର ବି ଏହା ସ୍ବପ୍ନର ସହର ଓ ପ୍ରିୟ ରାଜଧାନୀ। ଏହାର ଶ୍ରୀ ବୃଦ୍ଧି ପାଇଁ ସମନ୍ବୟ ଓ ସମର୍ପିତ ଭାବ ଜରୁରି। ରାଜଧାନୀର ବିକାଶକୁ ସାମୂହିକ ଉଦ୍ୟମରେ ଗତିଦେବାକୁ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଆହ୍ବାନ ଦେଇଛନ୍ତି। ଆଜି ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଅବସରରେ ‘ସମ୍ବାଦ’ ମହାନଗର ସଂସ୍କରଣ ପକ୍ଷରୁ ଆୟୋଜିତ କନ୍କ୍ଲେଭ ‘ଆମେ ଗଢ଼ିବା ଆମ ଭୁବନେଶ୍ବର’ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି କହିଥିଲେ, ଇତିହାସ ଭୁବନେଶ୍ବରର ଅନେକ କଥାର ସାକ୍ଷୀ ରହିଛି। ଏଠାରେ ସଚିବାଳୟ, ବିଧାନସଭା, ସରକାରୀ ଦପ୍ତର ଓ ବେସରକାରୀ ଅନୁଷ୍ଠାନ ରହିଛି। ସରକାରୀ ଉଦ୍ୟମରେ ଟାଉନ୍ ପ୍ଲାନିଂ ଜରିଆରେ ବାସୋପଯୋଗୀ ଗୃହ, ରାସ୍ତାଘାଟ ଆଦିର ବ୍ୟାପକ ବିକାଶ କରାଯାଉଛି। ରାଜଧାନୀର ପରିବେଶ ଲୋକଙ୍କୁ ବେଶ ଆକର୍ଷିତ କରିଛି। ଏଣୁ ଲୋକେ ଏଠାରେ ଘର ଖଣ୍ଡେ କରି ରହିବାର ପ୍ରବଳ ଇଚ୍ଛା ରଖିଛନ୍ତି।
ପରିଣାମ ହେଲା, ଭୁବନେଶ୍ବରର କାଲି ଓ ଆଜିରେ ଅନେକ ପରିବର୍ତ୍ତନ ହୋଇଛି। ରାସ୍ତାଘାଟ ଓ ବାସଗୃହର ଢାଞ୍ଚା ବଦଳିଛି। ଶିଳ୍ପାଞ୍ଚଳ ସୃଷ୍ଟି ହୋଇଛି, ରାଜ୍ୟ ଓ କେନ୍ଦ୍ରସ୍ତରର ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିଛି। ନୂତନ ପ୍ରଯୁକ୍ତି ବିଦ୍ୟାର ଦିଗ ଉନ୍ମୁକ୍ତ ହୋଇଛି। ସବୁର ସମାହାରରେ ଆଜି ଭୁବନେଶ୍ବର ବିକଶିତ ହେଉଛି। ରାଜଧାନୀ ଭୁବନେଶ୍ବର ହେଉଛି ଓଡ଼ିଶାର ପ୍ରବେଶ ଦ୍ବାର। ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ବିଶ୍ବବ୍ୟାପୀ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ ସବୁକୁ ନୂଆ ଗତି ଦିଆଯାଉଛି। ଭୁବନେଶ୍ବର ପୂର୍ବଭାରତର ଏଜୁକେସନ୍ ହବ୍ ହେବାକୁ ଯାଉଛି। ସ୍ବାସ୍ଥ୍ୟ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି ଓ ଆଗକୁ ଅନେକ ପରିବର୍ତ୍ତନ ହେବ ବୋଲି ବାଚସ୍ପତି କହିଥିଲେ। ଏହି ଅବସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ବାଚସ୍ପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
