କଟକ: ଗୋଟିଏ ଗାଡ଼ି । କିନ୍ତୁ ଏକଦମ୍ ଅଲଗା ଅଲଗା ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ସଂପୃକ୍ତ ଅଛି । ଇନସ୍ୟୁରାନ୍ସ ସହାୟତା ବା ବୀମା ଟଙ୍କା ପାଇବା ପାଇଁ ଏହିଭଳି ମିଛ ଦୁର୍ଘଟଣା ମାମଲା କରାଯାଉଛି । କେନ୍ଦ୍ରାପଡ଼ା ମହିପାଳ ଛକ ନିକଟରେ ହୋଇଥିବା ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ପରେ ଏଭଳି ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି। କ୍ରାଇମ୍ବବ୍ରାଞ୍ଚ ପକ୍ଷରୁ ସୋମବାରସୁପ୍ରିମ୍କୋର୍ଟରେ ଦାଖଲ ସତ୍ୟପାଠରେ ଏଭଳି ସୂଚନା ଦିଆଯାଇଛି । ଗାଡ଼ି ଦୁର୍ଘଟଣାରେ ଇନ୍ସ୍ୟୁରାନ୍ସ କମ୍ପାନୀରୁ ସହାୟତା ରାଶି ହାତେଇବା ପାଇଁ କରାଯାଉଥିବା ଏଭଳି ମିଛ ଦୁର୍ଘଟଣା ମାମଲାରେ ଏକ ସ୍ୱତନ୍ତ୍ର ରାକେଟ୍ କାର୍ଯ୍ୟ କରୁଛି ବୋଲି ଓଡ଼ିଶାର ଆଡଭୋକେଟ୍ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିଥିଲେ । ଏଭଳି ମାମଲାରୋ ଅନେକଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି । ଆଗକୁ ଆହୁରି ଗିରଫଦାରୀ ବଢ଼ିବ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମତିକ୍ରମେ ଆଗକୁ ଏଥିରେ ସମ୍ପୃକ୍ତ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ ସୁପ୍ରିମ୍କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଜବାବ ପରେ ସୁପ୍ରିମ୍କୋର୍ଟ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏଭଳି ଜାଲିଆତିର ପର୍ଦ୍ଦାଫାସ୍ ପାଇଁ ଆଡ୍ଭୋକେଟ୍ ଜେନେରାଲ୍ ଶ୍ରୀ ଆଚାର୍ଯ୍ୟ ନିଜଆଡ଼ୁ ଆଗ୍ରହ ଦେଖାଇ ପଦକ୍ଷେପ ନେଇଥିବାରୁ ସୁପ୍ରିମ୍କୋର୍ଟ ପ୍ରଶଂସା କରିଛନ୍ତି । ତେବେ ଏଭଳି କାର୍ଯ୍ୟକୁ ନେଇ ସୁପ୍ରିମ୍କୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଘଟଣା କେବଳ ଓଡ଼ିଶାରେ ସୀମିତ ନଥାଇ ପାରେ । ପରବର୍ତ୍ତୀ ଶୁଣାଣିରେ ଏହା ଉପରେ ବିସ୍ତୃତ ଶୁଣାଣି ହେବ ବୋଲି ଦ’ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଆସାଉଦ୍ଦିନ୍ ଅମ୍ନୁଲ୍ଲା ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ଭାରଲେଙ୍କୁନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖକୁ ଧାର୍ଯ୍ୟ ହୋଇଛି । କେନ୍ଦ୍ରାପଡ଼ାର ମହିପାଳ ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଇନସ୍ୟୁରାନ୍ସ ସହାୟତା ଦାବି କରି ରୁଜୁ ମାମଲାରେ ବୀମା କମ୍ପାନୀକୁ ସନ୍ଦେହ ହୋଇଥିଲା । ଏନେଇ କମ୍ପାନୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କମ୍ପାନୀର ଅଭିଯୋଗ ଥିଲା ଯେ, ବୀମା ଅର୍ଥ ହାତେଇବା ପାଇଁ ମିଛ ମାମଲା କରାଯାଉଛି । ଏହି ଘଟଣାରେ ସୁପ୍ରିମ୍କୋର୍ଟ କ୍ରାଇମ୍ବ୍ରାଞ୍ଚକୁ ଏସ୍ଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍ସାଇଟି ପକ୍ଷରୁ ଗତ ୨୦୧୯ରୁ ୨୦୨୫ ମସିହା ମଧ୍ୟରେ ସାତ ବର୍ଷ ମଧ୍ୟରେ ଇନ୍ସ୍ୟୁରାନ୍ସ ସହାୟତା ରାଶି ପାଇଁ କରାଯାଇଥିବା ଦାବି ଉପରେ ସନ୍ଦେହ ହୋଇଥିବା ୧୦୪ଟି କେସ୍ ଉପରେ ତଦନ୍ତ କରାଯାଇଥିଲା । ଏଥିରୁ ୫ଟି କେସ୍ ଉପରେ ସାନି ତଦନ୍ତ ପାଇଁ କୁହାଯାଇଛି । ୨୫ଟି କେସ୍ର ପୁନର୍ବାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ୪୦ଟି କେସ୍ରେ ଏଫ୍ଆଇଆର୍ ରୁଜୁ ପାଇଁ କୁହାଯାଇଛି । ବାକି ୩୪ଟି କେସ୍ରେ ଇନସ୍ୟୁରାନ୍ସ କମ୍ପାନୀଗୁଡ଼ିକର ଅଭିଯୋଗ ପ୍ରମାଣିତ ହୋଇପାରିନି ବୋଲି କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ସତ୍ୟପାଠରେ ସୁପ୍ରିମ୍କୋକାର୍ଟଙ୍କୁ ଅବଗତ କରାଯାଇଥିଲା। ଏଥିରେ ଆହୁରି କୁହାଯାଇଥିଲା ଯେ, ଗୋଟେ ଗାଡ଼ି ଏକାଧିକ ଦୁର୍ଘଟଣାରେ ଥିବା ଦର୍ଶାଯାଉଛି । ଅର୍ଥାତ ସମାନ ନମ୍ବର ଧାରି ଗାଡ଼ି ବିଭିନ୍ନ ଜାଗାରେ ଦୁଘଟଣା ଘଟାଉଛି । ଏନେଇ ତଦନ୍ତ ପରେ କଟକର ଜଣେ ଆଇନଜୀବୀ, ଜଣେ ଗାଡ଼ି ମାଲିକ, ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏହି ତଦନ୍ତ ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି । କ୍ରାଇମ୍ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି ।
