ଜଣେ ନାରୀ ସଂସାରକୁ ଗଢିପାରେ ଆଉ ଭାଙ୍ଗି ମଧ୍ୟ ପାରେ । ଏହି ନାରୀ ନିଜର କାମ ସହିତ ଘରର ସମସ୍ତ କାମ, ପିଲାର କାମ, ସ୍ୱାମୀର ପ୍ରତ୍ୟେକ କାମ, ଶାଶୁ ଶଶ୍ୱରଙ୍କ କାମ, ଏମିତି ବହୁତ କିଛି କରିପାରେ । ଯେଉଁ ନାରୀ ଘର କାମ ସହିତ ବାହାରେ ମଧ୍ୟ କାମ କରି ଘର ଚଳାଇଥାଏ ।
ଆଜି ସେ ମା’ ବିଷୟରେ କିଛି….
ଓଡ଼ିଆ ସଂସ୍କୃତିରେ ମା\’କୁ ‘ମାତୃଦେବୋ ଭବୋ’ କହି ଭଗବାନଙ୍କ ସହ ତୁଳନା କରାଯାଇଛି । ଜଣେ ମା\’ର କର୍ତ୍ତବ୍ୟ କେବଳ ପିଲାକୁ ଜନ୍ମ ଦେବାରେ ସୀମିତ ନୁହେଁ, ବରଂ ଏକ ସୁସ୍ଥ ସମାଜ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା । ମା’ ହେଉଛି ସେଇ ମହାନ ନାରୀ ଯିଏ ନିଜ ସନ୍ତାନକୁ ୧୦ ମାସ ନିଜ ଗର୍ଭରେ ରଖି ପିଲାଟିକୁ ଦୁନିଆର ଆଲୋକ ଦେଖାଇଥାଏ । ସେଇ ପିଲାକୁ ପାଳନ ପୋଷଣ କରିଥାଏ । ନିଜର ସମସ୍ତ ସ୍ନେହ, ତ୍ୟାଗ ଓ ଆଶିର୍ବାଦରେ ସନ୍ତାନର ଜୀବନକୁ ଗଢିଥାଏ । ମା’ ଜନ୍ମ ଦେଇ ଦେଲେ ତାର କର୍ତ୍ତବ୍ୟ ସରି ନଥାଏ । ମା\’ ହେଉଛି ସେହି ଶକ୍ତି, ଯିଏ ନିଜ ସନ୍ତାନ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ । ତେବେ କେବଳ ମା\’ କାହିଁକି ସନ୍ତାନ ମଧ୍ୟ ମା\’କୁ ସମ୍ମାନ ଓ ସେବା କରିବା ପରମ ଧର୍ମ । ପିଲାଟିଏ ଜନ୍ମ ହେବା ପରଠାରୁ ତାର ସବୁଠାରୁ ନିରାପଦ ସ୍ଥାନ ହେଉଛି ମା\’ର କୋଳ । ପିଲାକୁ ନିଃସ୍ୱାର୍ଥପର ଭାବେ ଭଲପାଇବା ଦେବା ଏବଂ ତାର ସୁରକ୍ଷା ପ୍ରତି ଧ୍ୟାନ ଦେବା ମା\’ର ପ୍ରଥମ କର୍ତ୍ତବ୍ୟ ।
ମା\’ ହେଉଛି ଶିଶୁର ପ୍ରଥମ ଶିକ୍ଷକ । “ପିଲାକୁ ସତ୍ୟ କହିବା, ଶୃଙ୍ଖଳିତ ହେବା ଏବଂ ଗୁରୁଜନଙ୍କୁ ସମ୍ମାନ କରିବା ଶିଖାଇବା, ଭଲ ଏବଂ ମନ୍ଦ ମଧ୍ୟରେ ପ୍ରଭେଦ ବୁଝାଇବ. ଜୀବନର ପ୍ରତିଟି ପାହାଚରେ ପିଲା ଯେତେବେଳେ ଦ୍ୱନ୍ଦରେ ପଡ଼େ, ସେତେବେଳେ ମା\’ ଜଣେ ବନ୍ଧୁ ପରି ତାକୁ ସଠିକ୍ ପରାମର୍ଶ ଦେବା ଉଚିତ । ପିଲାକୁ ସ୍ୱାଭିମାନୀ ଏବଂ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଦେବା ମା\’ର ଦାୟିତ୍ୱ । ପିଲାମାନେ ଅନେକ ସମୟରେ ଭୁଲ୍ କରନ୍ତି । ସେହି ସମୟରେ ରାଗି ନଯାଇ ଧୈର୍ଯ୍ୟର ସହ ସେମାନଙ୍କୁ ସୁଧାରିବା ଏକ ବଡ଼ କର୍ତ୍ତବ୍ୟ । ମା’ କେବଳ ଜନ୍ମଦାତ୍ରୀ ନୁହେଁ, ସେ ପ୍ରଥମ ଗୁରୁ, ପ୍ରଥମ ବନ୍ଧୁ ଏବଂ ପ୍ରଥମ ସୁରକ୍ଷା କବଚ । ଯେମିତି ପୃଥିବୀ ମା’ ଆମକୁ ତାର କୋଳରେ ଧରି ରଖିଛି ସେଇପାରି ମା’ ମଧ୍ୟ ତା’ର ପିଲାଙ୍କୁ ତା’ର କୋଳରେ ଧରି ତାକୁ ସବୁ କଷ୍ଟରୁ ବଂଚାଇଥାଏ । ମା’ ନିଜ ସୁଖ-ଦୁଖକୁ ଭୁଲି ସନ୍ତାନର ମଙ୍ଗଳ କାମନା ପାଇଁ ସବୁବେଳେ ଚିନ୍ତା କରିଥାଏ । ଦେହ ଖରାପ ଥିଲେ ରାତି ଉଜାଗର ହୋଇ ସେ ସନ୍ତାନର ସେବା କରିଥାଏ ।
ଖାଲି ମା’ ଜନ୍ମ କରିଛି ବୋଲି ଭାବିବା ନାହିଁ, ବାପା ମଧ୍ୟ ତାର କର୍ତ୍ତବ୍ୟ କରିଚାଲିଥାଏ । ଖରା ତରା ବୁଲି ମୁଣ୍ଡଝାଳ ତୁଣ୍ଡରେ ମାରି ମୋ ପିଲା କିପରି ପଢିବ, ମୋ ପିଲା କିପରି ଭଲ ଖାଇବ, ବଡ ଅଫିସର ହେବ, ଦୁନିଆରେ ବଡ ମଣିଷଟିଏ ହେବ ସେ କଥା ସବୁବେଳେ ଭାବିଥାଏ । ପିଲା ଲାଗି ସବୁକିଛି କରିବାକୁ ସେ ବହୁତ କଷ୍ଟ କରିଥାଏ । ଓଡ଼ିଆରେ ‘ବାପାଙ୍କ କର୍ତ୍ତବ୍ୟ\’ ବା ଜଣେ ପିତାଙ୍କର ଦାୟିତ୍ୱ ବିଷୟରେ କହିବାକୁ ଗଲେ ଏହା କେବଳ ପରିବାରର ଭରଣପୋଷଣ ମଧ୍ୟରେ ସୀମିତ ନୁହେଁ । ଜଣେ ବାପା ହେଉଛନ୍ତି ପରିବାରର ମୂଳଦୁଆ । ପିଲାମାନଙ୍କୁ କେବଳ ସ୍କୁଲ୍ ପାଠ ନୁହେଁ, ବରଂ ଜୀବନର ସଠିକ୍ ଓ ଭୁଲ୍ ମଧ୍ୟରେ ପାର୍ଥକ୍ୟ ଶିଖାଇବା ବାପାଙ୍କ କାମ । ପିଲାମାନେ ଯେପରି ଜଣେ ଭଲ ମଣିଷ ହୋଇ ଗଢ଼ିଉଠିବେ ସେଥିପାଇଁ ସେମାନଙ୍କୁ ସଂସ୍କାର ଶିଖାଇବା ଜରୁରୀ ମନେକରିଥାନ୍ତି । ବାପା ହେଉଛନ୍ତି ସେହି ବଟବୃକ୍ଷ, ଯିଏ ନିଜେ ଖରା ସହେ କିନ୍ତୁ ପରିବାରକୁ ଶୀତଳ ଛାଇ ଦିଏ । ମା’-ବାପା ସବୁବେଳେ ପିଲାର ସୁଖ ଓ ମଙ୍ଗଳ ଚାହିଁଥାନ୍ତି । ପିଲାର ସଫଳତାରେ ମା ସବୁଠାରୁ ଅଧିକ ଖୁସି ହୁଅନ୍ତି । ସନ୍ତାନର ଭୁଲକୁ ସୁଧାରିବା ଭଲ ରାସ୍ତା ଦେଖାଇବା ଏବଂ ନୀତି, ନୀତି ଶିକ୍ଷା ଦେବା ମା’ ମାନଙ୍କର ପ୍ରଧାନ କର୍ତ୍ତବ୍ୟ । ମା’ର ପ୍ରେମ ନିଷ୍କପଟ ଓ ନିଃସ୍ୱାର୍ଥ । ସେ କେବେ ପିଲାଠୁ କିଛି ପାଇବାକୁ ଆଶା କରିନଥାଏ । ନିଜ କଷ୍ଟକୁ ଲୁଚାଇ ସନ୍ତାନକୁ ସୁଖୀ କରିବାରେ ସେ ସନ୍ତୁଷ୍ଟ ହୋଇଥାଏ । ଗୋଟିଏ କେବେ ବଡ ଆଶା ରଖିନଥାଏ । ଏତିକି ଆଶା କରିଥାଏ ତା ପୁଅ ବଡ ହୋଇ ତା ପାଖରେ ରହିଥାଉ ।
ସେଥିପାଇଁ ମା ହେଉଛନ୍ତି ମମତାର ମୂର୍ତ୍ତି । ତ୍ୟାଗର ପ୍ରତୀକ ଓ ସନ୍ତାନର ଜୀବନ ଆଧାର ।
ମା’ କେତେବେଳେ ପିଲା ପାଇଁ ଶିକ୍ଷୟତ୍ରୀ ପାଲଟିଯାଏ ତ କେତେବେଳେ ଶାସନଦାତ୍ରୀ । ସେଇ ପିଲା ଦିନେ ବଡ ହୋଇ ଗଲାପରେ ମା ଶଦ୍ଦ କଣ ଭୁଲିଯାଏ । ମାର ସ୍ନେହ, ମମତା, ତ୍ୟାଗ, କଷ୍ଟ ସବୁ ଭୁଲି ଯାଇଥାଏ । ଆଜିର ଦୁନିଆରେ ନିଜେ ବଞ୍ଚିଲେ ନିଜର ନାଁ ହେବ । ଏହି ସବୁ ଭାବି ବାପା, ମା’ଙ୍କୁ ଭୁଲି ଯାଇ ତାଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ବାପା, ମା’ଙ୍କୁ ବୃଦ୍ଧ ଅବସ୍ଥାରେ ବୃଦ୍ଧାଶ୍ରମରେ ଛାଡି ଦେଉଛନ୍ତି । କେଉଁ କେଉଁ ଜାଗାରେ ବାପା, ମା’ଙ୍କୁ ଭିକ୍ଷା ମାଗିବାକୁ ଘରୁ ବାହାର କରିଦେଉଛନ୍ତି । ପିଲାଟି ଯେତେବେଳେ ପ୍ରଥମ ପାଦ ପକାଇଥାଏ, ଠୁକ୍ ଠୁକ୍ କରି ପାଦ ପକାଇ ଚାଲିବାକୁ ଚେଷ୍ଟା କରିଥାଏ ସେତେବେଳେ ତାର ମା’, ବାପା ହାତ ଧରି ଚଲେଇବାକୁ ଶିଖାଇଥାନ୍ତି । କିନ୍ତୁ ସେଇ ପିଲାଟି ଯେତେବେଳେ ପାଠ ପଢି ଯୋଗ୍ୟ ହୋଇଯାଏ ଧିରେ ଧିରେ ବାପା ମା’ଙ୍କୁ ଭୁଲିଯାଉଛି । ମା’ର ପଣତ କାନି କଥା ଭୁଲିଯାଉଛି । ବାପାର ଶାସନ କଥା, ସ୍ନେହ ଓ ଆଦର ସବୁ ଭୁଲିଯାଉଛି । ନିଜ ଇଛାରେ ଭଲ ପାଇ କେଉଁଠି ବିବାହ ମଧ୍ୟ କରି ଦେଉଛି । ବିବାହ ପରେ ବାପା, ମା’ଙ୍କୁ ଭୁଲି ଯାଇ ନିଜର ସ୍ତ୍ରୀ କଥାରେ ପଡି ବୃଦ୍ଧ ବାପା, ମା’ଙ୍କୁ ନିଜଠୁ ଦୁର କରିବାକୁ ଚାହୁଁଛି । ତା ପାଇଁ ବାପା, ମା’ ବୋଝ ପାଲଟିଯାଉଛି ।
ଆଜିର ଏହି ଦୁନିଆରେ ପ୍ରତ୍ୟେକ ବାପା, ମା’ ଯଦି ପିଲାକୁ ଜନ୍ମ ଦେଇ ତାହେଲେ ବୃଦ୍ଧ ଆଶ୍ରମ, ନହେଲେ ପର ପାଖରେ ହାତ ପତେଇବ, ତାହେଲେ ପିଲା ଜନ୍ମ କରିବା ହିଁ ଭୁଲ । ଏ ଦୁନିଆକୁ ଏକା ଆସିଛ ଏକା ଯିବ । କେହି ବାପା, ମା’ ଭାବିବ ନାହିଁ ପିଲାଟିଏ ଆମ ବୃଦ୍ଧ ଅବସ୍ଥାରେ ଆମ ପାଟିରେ ପାଣି ଦେବ, ମୁହଁରେ ଦାନା ଦେବ, ମୋତେ ନିଜ କାନ୍ଧରେ ବସାଇ ମଶାଣି କି ନେବ ସ୍ୱର୍ଗ ଦ୍ୱାରକୁ । ଆଜି ପିଲା ବଡ ଚାକିରି କରି ଦୂର ବିଦେଶକୁ ଚାଲି ଯାଇ ନିଜ ସ୍ତ୍ରୀ ପିଲା ସହିତ ରହି ବୃଦ୍ଧ ବାପା ମା’ଙ୍କୁ ଭୁଲିଯାଉଛନ୍ତି । ମଲା ବେଳକୁ ବାପା, ମା ପାଟିରେ ପାଣି ଟିକେ ଦେବାପାଇଁ ତାଙ୍କ ପାଖରେ ସମୟ ନାହିଁ । ମଲା ଖବର ଶୁଣି ମଧ୍ୟ ଟିକେ କନ୍ଧରେ ନେବା ପାଇଁ ଆସୁନାହାଁନ୍ତି । ଟଙ୍କା ପଠାଇ ଦେଉଛି ଶବ ସସ୍କାର କରିଦେବ ବୋଲି ସେପଟୁ ଖବର ଆସୁଛି । ଆଜିର ଦୁନିଆରେ କେହି କାହାର ନୁହେଁ ।
କାହିଁ କୁଆଡେ ଗଲା ସେ ଦିନର ଶ୍ରବଣ କୁମାର ଯିଏ ନିଜ ଅନ୍ଧ ବାପା, ମା’ଙ୍କୁ ନିଜ କାନ୍ଧରେ ବୋହି ନେଉଥିଲା । ଆଜିର ଶ୍ରବଣ କୁମାର ମାନଙ୍କ କଥା କହିବି ଆଉ କଣ? ସେ ଖାଲି ବାପା, ମାଙ୍କୁ କଷ୍ଟ ଦେବା ହିଁ ନିଜର କର୍ତ୍ତବ୍ୟ ବୋଲି ଭାବୁଛନ୍ତି । ଏଭଳି ଶ୍ରବଣ କୁମାର ଜନ୍ମ ନ ହେବା ହିଁ ଭଲ । ଆମ ଲୋକ ସଂସ୍କୃତିରେ କହିବେ କି ଯେଉଁ ନାରୀର ପିଲା ହେଉନାହିଁ ସେ ବାଞ୍ଝ । କିନ୍ତୁ ଆଜିର ଦୁନିଆରେ ବାଞ୍ଝ ହେବା ଭଲ । ଆଜିର ଶ୍ରବଣ କୁମାର ବାପା, ମା’ଙ୍କୁ ଷୋଷଣ କରିବା, ତାଙ୍କୁ କଷ୍ଟ ଦେବା, କେଉଁଠି ବାପାଙ୍କୁ ସଂପତ୍ତି ପାଇଁ ପିଟିକି ମାରିଦେବା ଭଳି ନଜିର ରହିଛି । ଆଜିର ଶ୍ରବଣ କୁମାର ବାପା, ମା’ଙ୍କୁ ନିଜର ଶତ୍ରୁ ବୋଲି ଭାବୁଛନ୍ତି । ତାହେଲେ କଣ ଆଉ ରାମ ରାଇଜ ଫେରିବ ନାହିଁ । ସତେ କଣ ସେ ଦିନର ଶ୍ରବଣ କୁମାର ଫେରିବ । ଆଜିର ବାପା, ମା ଅପେକ୍ଷାରେ ରହିଛନ୍ତି କେବେ ଫେରିବ ରାମରାଜ୍ୟ?
