ନିଖିଳ ବ୍ରହ୍ମାଣ୍ତର ସୃଷ୍ଟି , ସ୍ଥିତି ଓ ପ୍ରଳୟର ମୂଳ ଉତ୍ସ ହେଉଛନ୍ତି ମାତୃରୂପୀ ଶକ୍ତି l ଶ୍ରୀକ୍ଷେତ୍ର ବାସିନୀ ମା ବିମଳାଙ୍କର ଆବିର୍ଭାଵ କେବେ ଓ କିପରି ହୋଇଅଛି ତାହା ବିଭିନ୍ନ ଶାସ୍ତ୍ର ଓ ପୁରାଣରେ ଭିନ୍ନ ଭିନ୍ନ ମତପୋଷଣ ହୋଇଥିଲେ ମଧ୍ୟ ଏହା କିନ୍ତୁ ଚିରନ୍ତନୀ l ବିଷ୍ଣୁ ପୁରାଣରେ ବର୍ଣ୍ଣିତ ସମଗ୍ର ଭାରତାବର୍ଷରେ ୫୧ ଟି ଚଣ୍ଡୀପୀଠ ମଧ୍ୟରୁ ଓଡିଶାରେ ଆଠଟି ଚଣ୍ଡୀ ପୀଠ ବିଦ୍ୟମାନ l ଏହାକୁ ଓଡିଶାରେ ଅଷ୍ଟଚଣ୍ଡୀ ନାମରେ ଅଭିହିତ କରାଯାଇଛି l ଏହି ପୀଠ ଗୁଡିକ ହେଲା କାକଟପୁର ମା ମଙ୍ଗଳା , ଝଙ୍କଡର ମା ଶାରଳା , ଯାଜପୁର ମା ବିରଜା , ତାଳଚେରର ମା ହିଙ୍ଗୁଳା , ସମ୍ବଲପୁରର ମା ସମଲେଇ , ବାଙ୍କୀର ମା ଚର୍ଚ୍ଚିକା, ବାଣପୁରର ମା ଭଗବତୀ ଓ ପୁରୀ ଶ୍ରୀକ୍ଷେତ୍ରର ମା ବିମଳା l ଏହି ପୀଠମାନଙ୍କ ଭିତରେ ବିମଳା ପୀଠର ମହିମା ଓ ଗୁଣଗାରିମା ସମଗ୍ର ଭାରତରେ ଶୀର୍ଷ ସ୍ଥାନ ମଣ୍ତନ କରିବା ସଂଗେସଂଗେ ଏକ ଆଧ୍ୟାତ୍ମିକ ଯୁଗ ସୃଷ୍ଟି କରିପାରିଛି l
” ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ”
ଅର୍ଥାତ୍ ସେତୁବନ୍ଧ ରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା l ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ନାଭି ପତିତ ହୋଇଥିଲା l ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ର ର ନକ୍ସା ଆଧାର ରେ ନିର୍ମିତ l ଏଠାରେ “କୁଳୋଡ୍ଡୀଶ ତନ୍ତ୍ର” ର “ବିମଳା ଭୈରବୀ ୟତ୍ର ଜଗନ୍ନାଥସ୍ତୁ ଭୈରବ” ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ଵରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ଵରୀ ବା ମହାଭୈରବୀ ଅଟନ୍ତି l
ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀ ଙ୍କ ମନ୍ଦିର l ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନ l ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳୀ , ଅମୃତ କଳସ ଧାରଣ କରିଛନ୍ତି l ମସ୍ତକରେ ଶୋଭା ପାଉଛନ୍ତି ଭୈରବ ବାସୁଦେବ ଯାହାର ମୁକୁଟରେ ସପ୍ତଫଣା ନାଗ ଅବସ୍ଥିତ l ଦେବୀଙ୍କ ଦୁଇ ପାର୍ଶ୍ଵରେ ଉଭା ହୋଇଛନ୍ତି ଛାୟା ଓ ମାୟା ନାମକ ଦୁଇଟି ବିଗ୍ରହ l ଏତଦ୍ ବ୍ୟତୀତ ମା ନନାଦି ଅଳଙ୍କାର, ପାଟଲୁଗା , ଫୁଲମାଳ, ସିନ୍ଦୂର , ଇତ୍ୟାଦିରେ ବିଭୂଷିତା ହୋଇ ଅତୀବ ସୌନ୍ଦର୍ଯ୍ୟ ମଣ୍ତନ କରିଛନ୍ତି ଗର୍ଭଗୃହର ସିଂହାସନ ଉପରେ l ପରମ ଆରାଧ୍ୟ ଦେବୀ ମା ବିମଳାଙ୍କ ପୂଜା ପଦ୍ଧତି ତଥା ଉପାସନା ପ୍ରାୟତଃ ଶ୍ରୀଜଗନ୍ନଥଙ୍କ ସଂସ୍କୃତି ସହ ସମାନ l ତାଙ୍କର ମହିମା ବଳରେ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ପ୍ରସାଦ ରୂପାନ୍ତରିତ ହୋଇଥାଏ ମହାପ୍ରସାଦରେ l ତେଣୁ ପ୍ରତ୍ୟହ ଶ୍ରୀଜଗନ୍ନାଥଙ୍କୁ ଲାଗିହେଉଥିବା ପ୍ରସାଦ ମା ବିମଳାଙ୍କ ପାଖକୁ ଅଣାଯାଇଥାଏ l ପୁନର୍ବାର ସେହି ପ୍ରସାଦ ମା ବିମଳାଙ୍କୁ ଅର୍ପଣ ହେଲେ ତାହା ମହାପ୍ରସାଦ ହୋଇଥାଏ l ଏହା ବିମଳାଙ୍କ ସ୍ୱତନ୍ତ୍ରତା ଅଟେ l କାତ୍ୟାୟନୀ ରୂପେ ଆରାଧିତା ଦେବୀ ବିମଳାଙ୍କ ମନ୍ଦିର କେଶରୀ ବଂଶର ରାଜା ଇନ୍ଦ୍ର ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା l ନାରଦ ପୁରାଣ, ବ୍ରହ୍ମପୁରାଣ, ସ୍କନ୍ଦ ପୁରାଣ ଓ ପୁରୁଷୋତ୍ତମ ମାହାତ୍ମ୍ୟରେ ଦେବୀ ବିମଳାଙ୍କ ଆରାଧନା ପଦ୍ଧତି ବର୍ଣ୍ଣିତ ରହିଛି l ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ବିମଳାଙ୍କ ଆରାଧନା କରାଯାଇ ଆସୁଥିବା କୁହାଯାଏ l ଶାଶ୍ୱତ ସଂହିତା, ଅହର୍ବୁୟଂ ସଂହିତା ଓ ଶାରଦା ତିଳକ ତନ୍ତ୍ରରେ ମଧ୍ୟ ଦେବୀ ବିମଳାଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି l
ମା ବିମଳାଙ୍କ ପୀଠରେ ଶାରଦୀୟ ପର୍ବ ଦଶହରା ପାଳନର ପୂଜା ପଦ୍ଧତି ଶାକ୍ତପୀଠଗୁଡିକଠାରୁ ସ୍ୱତନ୍ତ୍ର ଅଟେ l ସବୁପୀଠରେ ମା ଦୁର୍ଗାଙ୍କୁ ଶିବଙ୍କ ପତ୍ନି ରୂପେ ପୂଜା କାରାଯାଉଥିବା ବେଳେ ବିମଳାଙ୍କ ପୀଠରେ କିନ୍ତୁ ଦୁର୍ଗାମାଧବଙ୍କୁ ପୂଜା କରାଯାଇଥାଏ l ଏହିପୂଜା ଅଶ୍ୱିନମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ସେହିମାସ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ଷୋହଳ ଦିନ ଧରି ପାଳନ କରା ଯାଇଥାଏ l ଏହି ପୂଜା କୁ ବିଭିନ୍ନ ନାମରେ ନାମିତ କରାଯାଇଛି ଯଥା ଷୋଳ ପୂଜା , ଶାରଦୀୟ ରଥଯାତ୍ରା , ଶାକ୍ତ ଗୁଣ୍ଡିଚା, ଦୁର୍ଗାମାଧବ ଉପାସନା ବା ଦଶହରା l ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ପରେ ସମ୍ପ୍ରତି ଅନୁଷ୍ଠିତ ହେଉଛି ଦେବୀ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା l ବିମଳାଙ୍କ ପୀଠରେ ବଳି ପ୍ରଦାନର ପରମ୍ପରା ରହିଛି l ମାର୍କଣ୍ଡେୟ ଋଷିଙ୍କ ରଚିତ ଚଣ୍ଡୀପୁରାଣର ସପ୍ତଶତୀ ଚଣ୍ଡୀରେ ବଳି ପ୍ରଥାର ବର୍ଣ୍ଣନା ରହିଛି l ଦେବୀ ବିମଳାଙ୍କୁ ଆମିଷ ଭୋଜିନୀ ବୋଲି ଅଭିହିତ କରାଯାଉଥିଲେ ମଧ୍ୟ ପ୍ରକୃତରେ ସେ ପରମ ବୈଷ୍ଣବୀ ଦେବୀ ବିମଳା ଆମିଷ ନୈବେଦ୍ୟ ଗ୍ରହଣ କରନ୍ତି ନାହିଁ l ତାଙ୍କର ୨ ପାଶ୍ୱର୍ରେ ଥିବା ଛାୟା ଓ ମାୟା ଆମିଷ ଗ୍ରହଣ କରିଥାନ୍ତି l ବାସ୍ତବରେ ବିମଳା ହେଉଛନ୍ତି କୈବଲ୍ୟ ଲୋଲୁପିନୀ ବା ନିର୍ମାଲ୍ୟ ପ୍ରିୟା ଦେବୀ l ତେବେ ବିମଳା ପରମ ବୈଷ୍ଣବୀ ଦେବୀ ହୋଇଥିଲେ ମଧ୍ୟ ଶାରଦୀୟ ଦୁର୍ଗାପୂଜାର ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗବଳି ଉତ୍ସର୍ଗ କରା ଯାଇଥାଏ l ବଳିର ରକ୍ତ ଦେବୀଙ୍କ ୨ ପାଶ୍ୱର୍ରେ ଥିବା ଛାୟା ଓ ମାୟା ପାନ କରନ୍ତି l ଦେବୀ ବିମଳାଙ୍କ ନିକଟରେ ନିର୍ମାଲ୍ୟ ଭୋଗ ବହୁ ପ୍ରାଚୀନକାଳରୁ ପ୍ରଚଳିତ l କୁହାଯାଏ ଶଙ୍କରାଚାର୍ଯ୍ୟଙ୍କ ସମୟରେ ଶ୍ରୀମନ୍ଦିରରେ ଶାଳଗ୍ରାମ ପୂଜା ପାଉଥିଲେ l ଶ୍ରୀ ବିଗ୍ରହମାନେ ସେତେବେଳେ ସୋନପୁରରେ ପାତାଳୀ ହୋଇଥିଲେ l ଶଙ୍କରାଚାର୍ଯ୍ୟ ତତ୍କାଳୀନ ରାଜା ଦ୍ୱିତୀୟ ଯଯାତିଙ୍କ ସାହାଯ୍ୟରେ ସେଠାରୁ ଶ୍ରୀବିଗ୍ରହମାନଙ୍କୁ ଆଣି ପ୍ରତିଷ୍ଠା କରାଇଥିଲେ l ପ୍ରତିଷ୍ଠା ସମୟରେ ପ୍ରଥମ କରି ନିର୍ମାଲ୍ୟ ବା ଅବଢ଼ା ଭୋଗ ଆରମ୍ଭ ହୋଇଥିଲା l ଏହି ପ୍ରସାଦ ସେବନ କରିବା ପାଇଁ ବ୍ରାହ୍ମଣମାନେ ମନା କରିଦେବାରୁ ରାଜା ଯଯାତି ମହାପ୍ରଭୁଙ୍କ ନିକଟରେ ଅଧିଆ ପଡ଼ିଥିଲେ l ଏହାପରେ ଶଙ୍କରାଚାର୍ଯ୍ୟଙ୍କ ସମ୍ମୁଖରେ ଜଣେ ମୂକ ବ୍ରାହ୍ମଣକୁ ନିର୍ମାଲ୍ୟ ଦିଆଗଲା l ନିର୍ମାଲ୍ୟ ସେବନ କରିବା ପରେ ମୂକ ବ୍ରାହ୍ମଣ ମୁଖର ହୋଇଉଠି ମହାପ୍ରଭୁଙ୍କ ମହିମା ଗାନ କରିଥିଲେ l ଏହାପରେ ବ୍ରାହ୍ମଣମାନଙ୍କର ମତ ପରିବର୍ତ୍ତନ ଘଟିଥିଲା ଓ ସେମାନେ ନିର୍ମାଲ୍ୟ ଭୋଜନ କରିଥିଲେ ବୋଲି ମାଦଳା ପାଞ୍ଜିର ଉଡ୍ର ରାଜବଂଶାବଳୀରେ ଉଲ୍ଲେଖ ରହିଛି l ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ବୈଷ୍ଣବପୀଠ, ଶୈବପୀଠ ଓ ଶାକ୍ତପୀଠର ପ୍ରତୀକାତ୍ମକ ଦେବତା ରୂପେ ଶ୍ରୀଜଗନ୍ନାଥ (ବିଷ୍ଣୁ), ଶ୍ରୀବଳଭଦ୍ର(ଶିବ) ଓ ସୁଭଦ୍ରା(ଦୁର୍ଗା) ରୂପେ ପ୍ରତିଷ୍ଠା କରିଥିଲେ।ବିମଳାଙ୍କ ପୀଠରେ ଷୋଳପୂଜା ସମୟରେ ରତ୍ନ ସିଂହାସନ ଉପରେ ପୂଜା ପାଉଥିବା ମାଧବ ବା କାଳପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ କରି ବିମଳାଙ୍କ ମନ୍ଦିରକୁ ଯାଇଥାନ୍ତି l ୮ଦିନ ଧରି ଦୁର୍ଗାମାଧବ ବିମଳାଙ୍କ ମନ୍ଦିରରେ ଅର୍ଚ୍ଚିତ ହେଉଥିବାବେଳେ ନବମୀ ଦିନଠାରୁ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ରଥରେ ବିଜେ କରନ୍ତି l ଏହା ଶାକ୍ତ ଗୁଣ୍ଡିଚା ରୂପେ ଜଣାଶୁଣା l ଷୋଳପୂଜାରେ ବିମଳାଙ୍କ ନିକଟରେ ସ୍ୱତନ୍ତ୍ର ଧୂପ ଓ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ l ପ୍ରତ୍ୟହ ବିମଳାଙ୍କ ମନ୍ଦିରର ଜଗମୋହନରେ ହୋମ ଓ ଚଣ୍ଡୀପୀଠ କରାଯାଏ l ଦେବୀ ବିମଳା ବିଭିନ୍ନ ଦିବସରେ ବନଦୁର୍ଗା,ଭୁବନେଶ୍ୱରୀ, ନାରାୟଣୀ, ମାତଙ୍ଗିନୀ, ଦଶଭୁଜା, ରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି l
ଆଶ୍ୱିନ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବ l ଏହି ୩ଦିନ ନିଶାର୍ଦ୍ଧରେ ବିମଳାଙ୍କ ଆମିଷ ଭୋଗ କରାଯିବ l ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳାଙ୍କ ମନ୍ଦିର ପାଶ୍ୱର୍ରେ ତାଟି ଘେରାଯାଇ ନିର୍ମିତ ହେବ ସ୍ୱତନ୍ତ୍ର ରୋଷଶାଳା l ଶ୍ରୀଜିଉମାନଙ୍କ ପହୁଡ଼ ପରେ ମନ୍ଦିର ଶୋଧ କରାଯାଇ ଅସ୍ଥାୟୀ ରୋଷଶାଳାରେ ଆମିଷ ଭୋଗ ରନ୍ଧାଯିବ l ମନ୍ଦିରର ସୁଆରମାନେ ଭୋଗ ପାଇଁ କାନିକା, ଡାଲି, ମାଛ ବେସର, ମାଛଭଜା ଓ ଖିରି ବ୍ୟଞ୍ଜନ ପ୍ରସ୍ତୁତ କରିବେ l ଭୋଗରନ୍ଧା ସରିବା ପରେ ଛାଗବଳି ଦିଆଯିବl କଳାରଙ୍ଗର ବସ୍ତ୍ର ପରିହିତ କଟାରିଆ ଛାଗବଳି ପକାଏ l ଛାଗର ମୁଣ୍ଡ କଟାଯିବା ପରେ ତାହାକୁ ଚାଉଳ ରହିଥିବା ୨ଟି ସରାରେ ରଖାଯାଏ ଓ ସେଥିରେ କିଛି କଦଳୀ ମଧ୍ୟ ରଖାଯାଏ l ବିମଳାଙ୍କ ସମ୍ମୁଖରେ ଏହି ସରା ଦୁଇଟି ରଖାଯାଇ ପୂଜା କରାଯାଏ l ସହରବାସୀ ଗଭୀର ନିଦ୍ରାମଗ୍ନ ଥିବାବେଳେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ l ବିମଳାଙ୍କ ନିକଟରେ ମାନସିକ କରାଯାଇଥିବା ଅନ୍ୟ ଛାଗବଳି ବଣିଆପଟିରେ ଥିବା ବିମଳାଙ୍କ ପ୍ରତିନିଧି ରୂପେ ପରିଚିତା କାକୁଡ଼ିଖାଇଙ୍କ ନିକଟରେ ପକାଯାଏ l ତିନି ପୂଜା ଅବସରରେ ଦେବୀ ବିମଳାଙ୍କ ଭୋଗ ସରଞ୍ଜାମ ପଶ୍ଚିମ ଦ୍ୱାର ବାଟେ ମନ୍ଦିରକୁ ନିଆଯାଏ l ଷୋଳପୂଜା ସମୟରେ ବିମଳାଙ୍କ ନିକଟକୁ କୌଣସି ମହିଳାଙ୍କୁ ଛଡ଼ାଯାଏ ନାହିଁ l ପ୍ରତ୍ୟହ ଶ୍ରୀଜିଉମାନଙ୍କ ନିକଟରେ କରାଯାଉଥିବା ଭୋଗ ବିମଳାଙ୍କ ନିକଟରେ ସମର୍ପିତ ହେବା ପରେ ହିଁ ତାହା ମହାପ୍ରସାଦର ମାନ୍ୟତା ଲାଭ କରିଥାଏ l ସନ୍ଧ୍ୟା ଧୂପ ପରେ ଥାଳି ଭୋଗ ବିମଳାଙ୍କ ନିକଟକୁ ସମର୍ପଣ ପାଇଁ ଆସିଥାଏ l ଭୋଗ ଉପରେ ବିମଳାଙ୍କ ବେଲ ପତ୍ର ପଡ଼ିବା ପରେ ତାହା ମହାପ୍ରସାଦରେ ପରିଣତ ହୁଏ l କେଉଁ ପ୍ରାଚୀନକାଳରୁ ଏହି ସ୍ୱତନ୍ତ୍ର ପୂଜା ବିଧି ପ୍ରଚଳିତ ହୋଇଆସୁଛି l ମା ବିମଳା ହେଉଛନ୍ତି ବିଶ୍ୱଜଗତର ଶ୍ରେଷ୍ଟ ଶକ୍ତି, ସଚରାଚର ବ୍ରହ୍ମାଣ୍ଡର ଆଦି ଶକ୍ତି ତଥା ଆଦିମାତା l ତ୍ରୈଲୋକ୍ୟ ପୁରୀର ମଉଡମଣୀ ଓ ବଡ ଦେଉଳର ବଡ ଠାକୁରାଣୀ ସର୍ବୋପରି ସେ ହେଉଛନ୍ତି ସମସ୍ତ ଦେବୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କର୍ତ୍ତ୍ରୀ ଓ ସମସ୍ତ ଜୀବଜଗତର ପ୍ରାଣବିନ୍ଦୁ l
