ଭୁବନେଶ୍ବର: ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ସରକାର। ଆମ ସଂକଳ୍ପ ନିଶା ନୁହେଁ ଜୀବନ। ଡ୍ରଗ୍ସଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ। ମଦ୍ୟପାନ କରି ଗାଡ଼ିଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ଆର୍ଟିଓଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାରଙ୍କ ନିଶା ଅପବ୍ୟବହାରର ବିପଦକୁ ମୁକାବିଲା କରିବା ଏବଂ ଏକ ସୁସ୍ଥ, ନିରାପଦ ଏବଂ ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତ୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ “ଡ୍ରଗ୍ସ ଫ୍ରି ଭୁବନେଶ୍ୱର” ଆୟୋଜନ କରିବ। ଆସନ୍ତା ଅକ୍ଟୋବର ୨ ତାରିଖରେ ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ। ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର ଏବଂ ଡିଡବ୍ଲୁ ବିଭାଗ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ସାମିଲ କରାଯିବ। ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶା ସମସ୍ୟା ଉପରେ ଆଲୋଚନା କରାଯିବ। ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ ଗ୍ରାମପଞ୍ଚାୟତମାନଙ୍କୁ ଉତ୍ସାହିତ କରାଯିବ। ସଫଳ ଗ୍ରାମପଞ୍ଚାୟତମାନଙ୍କୁ ସ୍ଥାନିତ କରାଯିବ ଏବଂ ତା’ପରେ, ଶ୍ରେଷ୍ଠ ତିନି ଗ୍ରାମପଞ୍ଚାୟତଙ୍କୁ ପୁରସ୍କାର ଘୋଷଣା କରାଯିବ। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପରି ଅଭିଯାନ ସମୟରେ ମଦ୍ୟପାନ କରି ଗାଡି ଚାଳନା ରୋକିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ବ୍ୟାପକ ସଚେତନତା ଅଭିଯାନ କରିବ। ଏସଏସଇପିଡି ବିଭାଗ ବିଭିନ୍ନ ଏନଜିଓଗୁଡ଼ିକୁ ସାମିଲ କରି ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମାସକ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ କରିବ।
