ନୂଆଦିଲ୍ଲୀ : ୧୩ ବର୍ଷ ଯାଏ କୋମାରେ ରହିବା ପରେ ଶେଷରେ ହରିଶ ରାଣାଙ୍କୁ କଷ୍ଟରୁ ମିଳିଛି ମୁକ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ମିଳିଥିବା ଇଚ୍ଛାମୃତ୍ୟୁର ଅନୁମତି ପରେ ଏମ୍ସରେ ହରିଶ ରାଣା ମଙ୍ଗଳବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହରିଶ ୧୪ ମାର୍ଚ୍ଚରୁ ଏମ୍ସର ଆଇଆରସିଏ ପାଲିଏଟିଭ୍ କେୟାର ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏହା ଦେଶରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ପ୍ରଥମ ଘଟଣା। ମାତା ପିତାଙ୍କ ପକ୍ଷରୁ ଅନୁରୋଧ କରାଯିବା ପରେ ୧୧ ମାର୍ଚ୍ଚରେ ସୁପ୍ରିମକୋର୍ଟ ଡାକ୍ତରଙ୍କ ଅନୁଧ୍ୟାନରେ ହରିଶ ରାଣାଙ୍କ ପାଇଁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ଅନୁମତି ଦେଇଥିଲେ। ଏହାପରେ ଏମ୍ସ ଡାକ୍ତରମାନଙ୍କର ଏକ କମିଟି ଗଠନ କରିଥିଲା। ଏଠାରେ ଧିରେ ଧିରେ ହରିଶଙ୍କର ଭୋଜନ ଓ ପାଣି ବନ୍ଦ କରିଦିଆ ଗଲା। ଉଲ୍ଲେଖନୀୟ ଯେ, ହରିଶ ରାଣା ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ବିଟେକର ଛାତ୍ର ଥିଲେ। ସେ ୨୦୧୩ରେ ୪ର୍ଥ ମହଲାର ବାଲକୋନିରୁ ଖସି ପଡ଼ି ଥିଲେ ଏହଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ସେ କୋମାକୁ ଚାଲି ଯାଇଥିଲେ। ପରିବାର ଓ ଡାକ୍ତରଙ୍କ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଇ ଥିଲା। ତାଙ୍କୁ ଖାଦ୍ୟନଳୀ ସାହାଯ୍ୟରେ ଭୋଜନ ଦିଆଯାଉ ଥିଲା। କେବେ କେବେ ଅକ୍ସିଜେନ ସହାୟତା ଦିଆଯାଉ ଥିଲା। ଏମ୍ସ-ଦିଲ୍ଲୀର ଆଙ୍କୋ-ଏନେସ୍ଥିସିଆ , ପେନ୍ ଓ ପାଲିଆଟିଭ୍ କେୟାର ବିଭାଗର ପୂର୍ବତନ ପ୍ରମୁଖ ଡାକ୍ତର ସୁଷମା ଭଟନାଗର କୁହନ୍ତି , ଏହି ପ୍ରକ୍ରିୟାରେ ସାଧାରଣତଃ ଯନ୍ତ୍ରଣାରୁ ପର୍ଯ୍ୟାପ୍ତ ଆଶ୍ୱାସ୍ତି ସୁନିଶ୍ଚିତ କରି ଧିରେ ଧିରେ ପୋଷଣ ସମ୍ୱନ୍ଧୀୟ ସହାୟତାକୁ ରୋକିବା ସାମିଲ ହୋଇଥାଏ। ରୋଗୀକୁ କୌଣସି ସମସ୍ୟା ନହେବା ପାଇଁ ପାଲିଆଟିଭ୍ ସିଡେସନ ଦିଆଯାଏ । କୃତ୍ରିମ ପୋଷଣ , ଅକ୍ସିଜେନ ଓ ଔଷଧ ଭଳି ଲାଇଫ୍ ସପୋର୍ଟ ଉପାୟ ଧିରେ ଧିରେ କାଢି ନିଆଯାଏ । ଏହାର ଉଦ୍ଦେଶ୍ୟ ମୃତ୍ୟୁକୁ ଦୀର୍ଘ ଦିନ ଟାଣିବା କିମ୍ୱା ଶୀଘ୍ର କରିବା ନୁହେଁ।
