କାର୍ତ୍ତିକମାସରେ ଅନେକେ ବ୍ରତ ପାଳନ ସହିତ ଏକବକ୍ତି ‘
ହବିଷ୍ୟାନ୍ନ’ ଗ୍ରହଣ କରିଥାନ୍ତି।
ଏହି ‘ହବିଷ୍ୟାନ୍ନ’ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖୁବ୍ ଉପକାରୀ।
‘ହବିଷ୍ୟାନ୍ନ’ର ଅର୍ଥ ହେଉଛି, ‘ଯଜ୍ଞ’ରେ ଅର୍ପିତ ଅନ୍ନ। ତେବେ ଏହା ମଧ୍ୟ ବ୍ରତ,ଯଜ୍ଞ ଓ ଉପବାସ ଆଦିରେ ଗ୍ରହଣ କରାଯାଉଥିବା ବିଶେଷ ସାତ୍ତ୍ୱିକ ଆହାର। ଉଭୟ ଶରୀର ଓ ମନ ଉପରେ ଏହାର ସକାରାତ୍ମକ ପ୍ରଭାବ ରହିଥାଏ। ବିଶେଷକରି, ଆମ ଓଡ଼ିଶାର ପୁରପଲ୍ଲୀରେ କାର୍ତ୍ତିକ ମାସରେ ଏହି ‘ହବିଷ୍ୟାନ୍ନ’ର ବହୁଳ ଉପଯୋଗ ହୋଇଥାଏ। ଏଥିରେ ବ୍ରତଚାରୀମାନେ ସାଧାରଣତଃ ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟିଏ ଥର ବା ‘ବେଳିକିଆ’ ଭାବରେ ହବିଷ୍ୟାନ୍ନ ଗ୍ରହଣ କରିଥାନ୍ତି। ଏହା ସଂପୂର୍ଣ୍ଣ ଦିନକ ପାଇଁ ସେମାନଙ୍କୁ ଆବଶ୍ୟକୀୟ ଶାରୀରିକ ଶକ୍ତି ଓ ପୁଷ୍ଟି ଯୋଗାଇଥାଏ। ଏହାହିଁ ‘ହବିଷ୍ୟାନ୍ନ’ ପରିକଳ୍ପନାର ବିଶେଷତ୍ୱ। ଏଥିରେ ଅରୁଆ ଅନ୍ନ, ହବିଷ ଡାଲମା, ଗଇଁଠା ଓ ଅଗସ୍ତି ଶାଗ ଆଦି ଅନ୍ତର୍ଭୁକ୍ତ।ବିଶ୍ୱଜୟ
ଆୟୁର୍ବେଦ ମତାନୁସାରେ, ଅରୁଆ ଅନ୍ନ ମଧୁର ରସ, ମଧୁର ବିପାକ ଓ ଶୀତବୀର୍ଯ୍ୟ ଯୁକ୍ତ। ଏହା ବଳ ଓ ପୁଷ୍ଟି ପ୍ରଦାୟକ ତଥା ବାତ ଓ ପିତ୍ତ ନାଶକ। ଏହା ସାତ୍ତ୍ୱିକଗୁଣଯୁକ୍ତ ହୋଇଥିବାରୁ, ବ୍ରତୀଙ୍କ ନିମନ୍ତେ ଏକ ଉତ୍ତମ ଖାଦ୍ୟ। ଶ୍ୱେତସାର ଅଧିକ ଥିବାରୁ ଏହା ଶରୀରକୁ ପ୍ରଚୁର ଶକ୍ତି ଯୋଗାଇଥାଏ।ବିଶ୍ୱଜୟ
‘ହବିଷ୍ୟାନ୍ନ’ ଭାବରେ ବ୍ୟବହୃତ ଗଇଁଠା ଚାଉଳଚୂନା, ନଡ଼ିଆ ଓ ଚିନିରୁ ପ୍ରସ୍ତୁତ ହୋଇଥାଏ। ଏହା ଶରୀରକୁ ପ୍ରଚୁର ଶକ୍ତି ଯୋଗାଏ। ଆହୁରି ମଧ୍ୟ, ‘ହବିଷ୍ୟାନ୍ନ’ରେ ଶାଗରୂପେ ଅଗସ୍ତି ଗଛର ପତ୍ର ବ୍ୟବହୃତ ହୋଇଥାଏ। ଏହା ତିକ୍ତ-ରସଯୁକ୍ତ, ଅଗ୍ନିବର୍ଦ୍ଧକ ଏବଂ କଫ ଓ ପିତ୍ତ ନିବାରକ। ଏହା ତୃଷ୍ଣା, ଶ୍ୱାସ, ଦାହ ଓ ଅମ୍ଳପିତ୍ତ ଆଦିପାଇଁ ହିତକାରୀ ହୋଇଥାଏ। ଏଥିରେ ଜୀବସାର-ଗ ସହିତ ଅନ୍ୟାନ୍ୟ ଜୀବସାର, ଖଣିଜ ଲବଣ ଓ ଅଳ୍ପ ପରିମାଣର ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଆଦି ରହିଥିବାରୁ ଏହା ଏକ ଉତ୍ତମ ପୋଷଣକାରୀ ଖାଦ୍ୟ।
ହବିଷ ଡାଲମାର ଆୟୁର୍ବେଦୀୟ ଗୁଣ
ଉପାଦାନ ଦୃଷ୍ଟିରୁ ଦେଖିଲେ, ‘ହବିଷ ଡାଲମା’ ରେ ରହିଛି ଅନେକ ଔଷଧୀୟ ଗୁଣ । ଏହାର ମୁଖ୍ୟ ଉପାଦାନ, ମୁଗଡାଲି, କଞ୍ଚାକଦଳୀ, ସାରୁ ଓ ଓଉ । କଞ୍ଚା ମୁଗଡ଼ାଲି ଅନ୍ୟାନ୍ୟ ଡାଲିଜାତୀୟ ପଦାର୍ଥ ମଧ୍ୟରେ ଶ୍ରେଷ୍ଠ ବୋଲି ଆୟୁର୍ବେଦରେ କୁହାଯାଇଛି । ଏହା ହାଲୁକା ଓ ସହଜରେ ହଜମ ହୁଏ । ଏହା ମଧ୍ୟ ଖୁବ ବଳ ଦିଏ । କଞ୍ଚା କଦଳୀ କଷାୟ ରସ ଯୁକ୍ତ ପରିବା, ଏଥିରେ ପ୍ରଚୁର ପରିମାଣରେ ଲୌହ, ଖାଦ୍ୟସାର ଓ ଖଣିଜ ତତ୍ତ୍ୱ ରହିଛି । ଏହା ସବୁ ଋତୁରେ ବିଶେଷ କରି ହେମନ୍ତ ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ । ସାରୁ ହବିଷ ଡାଲମାର ଅନ୍ୟ ଏକ ମୁଖ୍ୟ ଉପାଦାନ । କିନ୍ତୁ ଅଠାଳିଆ ପରିବା ହେତୁ ଏହାକୁ ଅନେକ ପସନ୍ଦ କରନ୍ତି ନାହିଁ । ତେବେ ଏହା ଏକ ଋତୁ ପରିବା । ହେମନ୍ତ ଋତୁରେ ଏହା ପ୍ରଚୁର ପରିମାଣରେ ମିଳିଥାଏ । ଔଷଧୀୟ ଗୁଣ ଦୃଷ୍ଟିରୁ ଏହା ଆନ୍ତ୍ରିକ ରକ୍ତସ୍ରାବର ନିରୋଧକ । ନାଭିମଣ୍ଡଳକୁ ଏହା ଉଜ୍ଜୀବିତ କରେ । ଅମ୍ଳରସ ଯୁକ୍ତ ଓଉ ହବିଷ ଡାଲମାର ଆଉ ଏକ ମୂଲ୍ୟବାନ ଉପାଦାନ । ଏହା ତନ୍ତୁଯୁକ୍ତ ଓ ହଜମ କାରକ । ଏହା ମଧ୍ୟ ଋତୁ ଅନୁସାରେ ମିଳୁଥିବା ଏକ ଫଳ । ଏହାର ଅନ୍ୟ ଔଷଧୀୟ ଗୁଣ ହେଉଛି ଏହା ବାୟୁରୋଗନାଶକ । ମୁଗଡାଲି, କଞ୍ଚାକଦଳୀ, ସାରୁ ଓ ଓଉ ବ୍ୟତୀତ ଅଗସ୍ତି ଶାଗ (ପତ୍ର) ଓ ଫୁଲର ଉପଯୋଗ ମଧ୍ୟ କାର୍ତ୍ତିକ ମାସର ହବିଷ ଡାଲମାରେ କରାଯାଇଥାଏ । ଏହାକୁ ଅଗସ୍ତିମୁନିଙ୍କର ପ୍ରସାଦ ବା ଆଶୀର୍ବାଦ ରୂପେ ବିବେଚନା କରାଯାଏ । କାରଣ ହେମନ୍ତ ଋତୁରେ
ଅଗସ୍ତି ନକ୍ଷତ୍ରର ପ୍ରଭାବ ପୃଥିବୀ ଉପରେ ଥାଏ । ଏହାର ଗୁଣ ହେଉଛି ଏହା ଶୀତଳ, କୋମଳ ଓ ସୌମ୍ୟରସ ଯୁକ୍ତ (ଆହ୍ଲାଦଦାୟକ) ।ସେଥିପାଇଁ ଅଗସ୍ତିକୁ ମୁନିଦ୍ରୁମ ମଧ୍ୟ କୁହାଯାଏ । ଏହା ହେମନ୍ତ ଋତୁରେ ହେଉଥିବା କଫ ଓ କାଶର ବିନାଶକ ଏବଂ ମେଧାବର୍ଦ୍ଧକ । ଏହା ମଧ୍ୟ ପାଚନ (ହଜମ ଶକ୍ତି) କାରକ ଏବଂ ଆଖି (ଦୃଷ୍ଟି ଶକ୍ତି) ପାଇଁ ଅତ୍ୟନ୍ତ ଉପଯୋଗୀ । ଅଗସ୍ତି ଶାଗ ବା ଫୁଲ ବ୍ୟତୀତ, ଅନେକ ହବିଷ ଡାଲମାରେ କୋରା ନଡ଼ିଆ ମଧ୍ୟ ପକାଉଥାନ୍ତି । ଏହା ‘ଅଣବଘରା’ ହବିଷ ଡାଲମାରେ ପ୍ରାକୃତିକ ତୈଳର ଉପାଦାନ ଯୋଗ କରେ । ଏହା ଫଳରେ ହବିଷ ଡାଲମାର ସ୍ୱାଦ ମଧ୍ୟ ବୃଦ୍ଧିପାଏ । ଲଙ୍କା ପରିବର୍ତ୍ତେ ଅଦାର ଉପଯୋଗ ଏଥିରେ କଟୁ ରସ ଯୁକ୍ତ କରେ ଏବଂ ଏହା ପାଚନକାରକ ମଧ୍ୟ ହୋଇଥାଏ । କାର୍ତ୍ତିକ ବ୍ରତରେ ଯେଉଁ ବେଳିକିଆ ହବିଷ୍ୟକୁ ଭୋଜନର ବିଧାନ ଅଛି, ତାହା ଯୋଗୁଁ ଶରୀରର ପିତ୍ତ ଅଂଶ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ । ଏଣୁ ପିତ୍ତ ଅଂଶ ନ ବଢ଼ିବା ପାଇଁ ଏଥିରେ ହଳଦିର ଉପଯୋଗକୁ ବାରଣ କରାଯାଇଛି । ଏଇଥିପାଇଁ ମଧ୍ୟ ଏହି ହବିଷ ଡାଲମାର ଅଣବଘରା ହେବାର ବିିଧି ରହିଛି । ସଂକ୍ଷେପରେ କହିଲେ ଏହି ହବିଷ ଡାଲମା ସମ୍ପୂର୍ଣ୍ଣ ଭାବରେ ଏକ ଷଡ଼ରସଯୁକ୍ତ ଏବଂ ଋତୁଚର୍ଯ୍ୟା ଅନୁସାରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ। ଏହା ଆୟୁର୍ବେଦ ସମର୍ଥିତ ଏକ ସନ୍ତୁଳିତ ଓ ପୌଷ୍ଟିକ ଆହାର ଅଟେ।
ବ୍ରତଧାରୀ ଙ୍କ ପାଇଁ ହବିଷ ରାନ୍ଧିବା ଓ ତାକୁ ସେବନ କରିବାରେ କିଛି ବିଧିବିଧାନ ଅଛି। ଯାହା ସହଜ ହୋଇନଥାଏ। ଅପରାହ୍ନରେ ରୋଷେଇ ଆରମ୍ଭ କରିବା ପୂର୍ବରୁ ପୁନର୍ବାର ମୁଣ୍ଡ ଧୋଇ ଗାଧେଇବାକୁ ହୁଏ। ଯେଉଁ ବସ୍ତ୍ର ରେ ସଂକଳ୍ପ କରିଥାଆନ୍ତି,ସେଇ ବସ୍ତ୍ର କୁ ପିନ୍ଧି ରୋଷେଇ କରନ୍ତି। ପ୍ରତ୍ୟେକ ଦିନ ଲିପା ପୋଛା ହେଉଥିବା କାଠଚୁଲି ରେ ରୋଷେଇ କରନ୍ତି। ଏହା ପାଇଁ ପିତ୍ତଳ ବାସନ ବ୍ୟବହାର କରନ୍ତି। ଅଥବା ପ୍ରତି ଦିନ ନୂଆ ମାଟି ହାଣ୍ଡି ଦରକାର ପଡେ।
ଅରୁଆ ଚାଉଳ, କଞ୍ଚା ମୁଗ ଡାଲି, ନଡ଼ିଆ, ଅଦା,ସାରୁ, କଞ୍ଚା କଦଳୀ,ଓଉ, ଅଗସ୍ତି ଶାଗ,ଘିଅ, ଧଳା କନ୍ଦମୂଳ, ଖଟା କମଳା ପରି କିଛି ହାତଗଣତି ସାମଗ୍ରୀ ର ସେବନ କରିଥାନ୍ତି ହବିଷ୍ୟାଳି ମାନେ।
ରନ୍ଧା ସରିବା ପରେ ଗୋଟିଏ କଦଳୀ ପତ୍ର ରେ ରାଧା ଦାମୋଦର ଙ୍କ ପାଇଁ ଓ ଅନ୍ୟ ଏକ ପତ୍ରରେ କପୋତ କପୋତୀ ଙ୍କ ପାଇଁ ବାଢି ଦିଅନ୍ତି। ରାଧା ଦାମୋଦର ଙ୍କୁ ତୁଳସୀ ପତ୍ର ରେ ପାଣି ଛଡେଇବା ବେଳେ କପୋତ କପୋତୀ ଙ୍କୁ ଯେ କୌଣସି ଧଳା ଫୁଲ ରେ ପାଣି ଛଡାନ୍ତି।
ରାଧା ଦାମୋଦର ଙ୍କୁ ହେଇଥିବା ଭୋଗ କୁ ହବିଷ୍ୟାଳି ନିଜେ ପାଇବାର ବିଧି ଅଛି। ଅନ୍ୟ ଭୋଗ ଟିକୁ ପିଲା ମାନଙ୍କ ପାଇଁ ରଖନ୍ତି।
ଏହି ଭୋଗକୁ ଖାଇବା ପାଇଁ କଦଳୀ ପତ୍ର ଓ ପୁଥୁରି ପାତ୍ର କୁ ବ୍ୟବହାର କରିପାରିବେ। ଅନ୍ୟ ବାସନରେ ଏହା ଭୋଜନ କରାଯାଏ ନାହିଁ।
ହବିଷାନ୍ନ ସେବନର କିଛି ବିଧି ରହିଛି। ଗୋଟିଏ କୋଠରୀରେ କବାଟ ବନ୍ଦ କରି ଖାଇବେ, ଯେମିତି କେହି ଦେଖିବେ ନାହିଁ କି କାହା ର ପାଟି ଶୁଣା ଯିବନାହିଁ। ଚୁପଚାପ ବସି ଖାଇବେ। କାହା ପାଟି ଶୁଣିଲେ ହବିଷ୍ୟାଳି ଉଠି ଯାଆନ୍ତି। ସେଥିପାଇଁ ପରିବାର ଲୋକେ ସେ ସମୟରେ ଘଣ୍ଟ ବା ଘଣ୍ଟା ବଜାନ୍ତି। ଖାଇବା ରୁ ଗୋଡି କି ଧାନ ବାହାରିଲେ ମଧ୍ୟ ଆଉ ଖାଇବେ ନାହିଁ। ସେଥିପାଇଁ ରାନ୍ଧିବା ପୂର୍ବରୁ ଭଲଭାବରେ ଗୋଡି ଓ ଧାନ ବଛା ଯାଏ।
ଘରେ କେହି ହବିଷ କରୁଥିଲେ, ଘର ଲୋକ ଅନେଇ ବସିଥାନ୍ତି, କେତେବେଳେ ହବିଷ୍ୟାନ୍ନ ମିଳିବ। ପାଖରେ ଥିବା ବନ୍ଧୁ, ବାନ୍ଧବ ଙ୍କୁ ମଧ୍ୟ ହବିଷ୍ୟାନ୍ନ ପାଇଁ ନିମନ୍ତ୍ରଣ କରାଯାଏ।
ସବୁ ନୀତି ନିୟମ ରେ ଦିନକୁ ଥରେ ଓ ସନ୍ଧ୍ୟା ପୂର୍ବରୁ ଖାଇ ମାସେ ପର୍ଯ୍ୟନ୍ତ ବ୍ରତ କରିବା ପାଇଁ ସେହି ପ୍ରକାରର ନିଷ୍ଠା ର ଆବଶ୍ୟକତା ରହିଛି।
କାର୍ତ୍ତିକ ବ୍ରତ କରୁଥିବା ହବିଷ୍ୟାଳି ଙ୍କ ଠାରୁ ଆଶୀର୍ବାଦ ମଧ୍ୟ ଠାକୁର ଙ୍କ ଆଶୀର୍ବାଦ ସହ ସମାନ।
ହବିଷ୍ୟାଳି ଙ୍କ ପାଇଁ ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ,ସାଇ ପଡ଼ିଶା … ସମସ୍ତେ କିଛି ନା କିଛି ଦିଅନ୍ତି, ଯାହା ସେମାନେ ତାଙ୍କ ବ୍ରତ ରେ ବ୍ୟବହାର କରନ୍ତି । ସେ ତେଣିକି ଡାଲି,ନଡିଆ,ସାରୁ, କଞ୍ଚା କଦଳୀ, ଘିଅ ହେଉ ବା ଫଳ ହେଉ ,ବା ମହାପ୍ରସାଦ ହେଉ ।ଯିଏ ଯାହା ଦେଇ ପୁଣ୍ୟ ଲାଭ କରନ୍ତି। ପ୍ରାୟ ସମସ୍ତ ଙ୍କ ବନ୍ଧୁ ଘରୁ,ବାପ ଘରୁ କାର୍ତ୍ତିକ ଭାର ଆସି ପହଞ୍ଚି ଥାଏ।
