ବ୍ରହ୍ମବରଦା,୧୯/୨: କେହି ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ । ଏନେଇ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ହେଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ସରକାରୀ ବାଳିକା ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପରୀକ୍ଷାକେନ୍ଦ୍ରରେ ସାମାନ୍ୟ ବିଳମ୍ବରେ ପହଞ୍ଚିବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ର । ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ପାଇଁ ଛାତ୍ର ଜଣକ ପରୀକ୍ଷା ଦେଇ ପାରିନଥିବା ଜଣାପଡିଛି। ଯାହାକୁ ନେଇ ପରୀକ୍ଷା ପରେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ମୁତାବକ, ଆଜି ବ୍ରହ୍ମବରଦା ହାଜିରହିମିୟା ସରକାରୀ ବିଦ୍ୟାଳୟର ଛାତ୍ର ଚନ୍ଦନ ଦାସ ନିଜ ଆଡମିଟକାର୍ଡ ଧରି ୯ଟା ୩୦ ମିନିଟ ସମୟରେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ବିଦ୍ୟାଳୟ ଫାଟକ ବନ୍ଦଥିବାରୁ ବହୁ ସମୟ ଅପେକ୍ଷା କରିଥିଲେ । ପହଞ୍ଚିବାର ୨୦ ମିନିଟ ପରେ ପରୀକ୍ଷା କେନ୍ଦ୍ର ପରିଚାଳକ କ୍ଷେତ୍ରବାସୀ ସାମଲ ପରୀକ୍ଷା କେନ୍ଦ୍ରକୁ ଯାଇ ପାରିବ ନାହିଁ ବୋଲି କହିଥିଲେ । ଚନ୍ଦନ ନିରାଶ ହୋଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୁଲ ଫିକର ଅଲ୍ଲୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । କିନ୍ତୁ ପରିଚାଳକ ସେଠାରୁ ଚାଲି ଯିବାକୁ କହିଥିଲେ । ପରୀକ୍ଷା ସରିବା ପରେ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ମାଟ୍ରିକ ପରୀକ୍ଷା ପୂର୍ବରୁ ଫାଇଲେରିଆ ଔଷଧ ଖାଇ ଚନ୍ଦନ ଅସୁସ୍ଥ ହୋଇ ପଡ଼ିଥିଲେ । ଯାହାକି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସାମାନ୍ୟ ବିଳମ୍ବ ହୋଇଥିବା ପରିବାର ଲୋକେ କହିଛନ୍ତି । ରାକେଶ ଦେଓ, ଅମୂଲ୍ୟ ରାଉତ,ପରିଚାଳନା କମିଟି ସଭାପତି ଜୁଲ୍ ଫୁକର ଅଲ୍ଲୀ,ପୂର୍ବତନ ସରପଂଚ ବିଜୟ ଦାସ ଙ୍କ ସମେତ ପରୀକ୍ଷାର୍ଥୀଙ୍କ ପରିବାର ବିଦ୍ୟାଳୟ ରେ ପହଞ୍ଚି ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାକୁ ନେଇ ପରିଚାଳକ କିଛି ସନ୍ତୋଷଜନକ ଉତ୍ତର ନଦେଇ ସରକାରୀ ନିୟମ ଅନୁସାରେ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା କହିଛନ୍ତି । ସ୍ଥାନୀୟ ଲୋକେ ଓ ଅନ୍ୟ ଶିକ୍ଷକ ମାନେ ବୁଝାସୁଝା କରିବା ପରେ ଘଟଣା ଶାନ୍ତ ପଡିଥିଲା । ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।
