ଭୁବନେଶ୍ୱର : ସୋମବାର ପୁରୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଯାହାକି ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପରମ୍ପରା ଓ ମୂଲ୍ୟବୋଧ ଉପରେ ନିର୍ଭର କରୁଥିବାବେଳେ SDG ୪ ସହିତ ଏକବିଂଶ ଶତାବ୍ଦୀର ଶିକ୍ଷାର ଆକାଂକ୍ଷିତ ଲକ୍ଷ୍ୟ ସହିତ ସମତୁଲ ଏକ ନୂତନ ବ୍ୟବସ୍ଥା ପ୍ରଚଳନ ପାଇଁ ନିୟମାବଳୀ ଓ ପ୍ରଶାସନ ସହିତ ଶିକ୍ଷା ସଂରଚନାର ସମସ୍ତ ଦିଗଗୁଡ଼ିକର ସଂଶୋଧନ ଓ ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି । ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି । ଶିକ୍ଷା ନୀତି ଏହି ସିଦ୍ଧାନ୍ତ ଉପରେ ଆଧାରିତ ଯେ, ଶିକ୍ଷା କେବଳ ଜ୍ଞାନଗତ କ୍ଷମତାର ବିକାଶ ନୁହେଁ – ସ୍ୱାକ୍ଷରତା ଏବଂ ସଂଖ୍ୟାଗତ ଦକ୍ଷତାର “ମୌଳିକ ସାମର୍ଥ୍ୟ” ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ। ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ, ଯାହାକି ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ । ଅର୍ଥାତ୍ ଏକ ସମାନତା ଓ ଉତ୍ସାହି ଜ୍ଞାନଭିତ୍ତିକ ସମାଜରେ ସମସ୍ତଙ୍କୁ ଉଚ୍ଚ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ କରି ଭାରତକୁ ଜ୍ଞାନର ଏକ ବିଶ୍ୱ ଶକ୍ତିରେ ପରିଣତ କରିବ। ମୁଖ୍ୟମନ୍ତ୍ରୀ ଏହି ସମୟର ଯୁବବର୍ଗକୁ ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଗୌରବମୟ ଇତିହାସ ସହ ପରିଚିତ କରାଇବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଏକ ଏଭଳି ଦେଶ ଯାହା ବିଦେଶୀ ଆକ୍ରମଣ ସତ୍ତ୍ୱେ ମଧ୍ୟ ନିଜର ଆଦି ଜ୍ଞାନ ଓ ସଂସ୍କୃତିକୁ ଅବିକଳ ରଖିଛି। ଏହି ଐତିହ୍ୟକୁ ସୁରକ୍ଷିତ ଓ ସକ୍ରିୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ନିଜର ପ୍ରାଚୀନ ଜ୍ଞାନ ଏବଂ ସଂସ୍କୃତିକୁ ବଜାୟ ରଖିବା ଯେ କୌଣସି ଜାଗାରୁ ରାଷ୍ଟ୍ରର କର୍ତ୍ତବ୍ୟ ଅଟେ । କଳା, ସଙ୍ଗୀତ, ସାହିତ୍ୟ, ନ୍ୟାୟ, ଦର୍ଶନ, ସ୍ଥାପତ୍ୟ, ଯୋଗ, ବିଜ୍ଞାନ, ଧାତୁ ବିଜ୍ଞାନ, ଜ୍ୟୋତିଷ, ଭୂଗୋଳ, ଗଣିତ, ଚିକିତ୍ସା, ରସାୟନ ଶାସ୍ତ୍ର ଏବଂ କୃଷି ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଚିନ୍ତନ ଏବଂ ଗବେଷଣା ଉପଲବ୍ଧ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ତମ ମଣିଷ ସୃଷ୍ଟି କରିବା, ଯାହାଠାରୁ ଯୁକ୍ତିପୂର୍ଣ୍ଣ ଚିନ୍ତନ, ଦୟା ଓ ସମାନୁଭୂତି, ସାହସ ଓ ସ୍ଥିରତା, ବୈଜ୍ଞାନିକ ଭାବଧାରା, ସୃଜନଶୀଳ କଳ୍ପନା ଏବଂ ନୈତିକ ମୂଲ୍ୟବୋଧର ବିକାଶ ହେବ । ସେ କହିଛନ୍ତି ଯେ, ଏକ ଉତ୍ତମ ଶିକ୍ଷାନୁଷ୍ଠାନ ସେହିଠି ଯେଉଁଠି ଶିକ୍ଷାର୍ଥୀ ନିଜକୁ ଦ୍ୱିତୀୟ ଘରରେ ଅନୁଭବ କରନ୍ତି, ଯେଉଁଠି ସୁରକ୍ଷିତ, ପ୍ରେରଣାଦାୟୀ ଓ ସମାନତାପୂର୍ଣ୍ଣ ପରିବେଶ ରହେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷାନୀତି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସମ୍ୱିଧାନିକ ମୂଲ୍ୟବୋଧ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଶିକ୍ଷା କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମସ୍ତଙ୍କ ହିତ ଏବଂ ସମାଜ କଲ୍ୟାଣ ପାଇଁ ଅଟେ — ଏହା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ମୂଳ ମନ୍ତ୍ର । ସେ ଆହୁରି କହିଛନ୍ତି ଯେ, ଆମ ଦେଶର ପ୍ରାଚୀନ ଋଷିମୁନିମାନେ ଯେପରି ଶିକ୍ଷାକୁ ସର୍ବହିତ ପାଇଁ ଉପକାରୀ କରିଥିଲେ, ତାହାର ଅନୁସରଣ ଆଜିର ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା । ଭାରତୀୟ ଚିନ୍ତନ ଓ ଗବେଷଣା ଯେପରି କଳା, ସାହିତ୍ୟ, ବିଜ୍ଞାନ, ନ୍ୟାୟ, ଦର୍ଶନ, ଯୋଗ, ଜ୍ୟୋତିଷ, ଗଣିତ, ଚିକିତ୍ସା ଓ କୃଷି ସହିତ ସମସ୍ତ କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଛି, ସେଗୁଡ଼ିକୁ ଯୁବପିଢିଙ୍କ ସମ୍ମୁଖରେ ଆଣିବା ଅତିଆବଶ୍ୟକ ।
