ମୁମ୍ୱାଇ : ଦୁବାଇର ରିୟଲ ଇଷ୍ଟେଟ୍ କମ୍ପାନି ଡାନ୍ୟୁବ ପ୍ରପର୍ଟିଜ୍ ମଙ୍ଗଳବାର ନିଜର ନୂଆ କମର୍ସିଆଲ ପ୍ରୋଜେକ୍ଟ ଲଞ୍ଚ୍ କରିଛି । ଯାହାର ନାଁ ଶାହରୁଖ୍ ବାୟ ଡାନ୍ୟୁବ । ପ୍ରଥମ ଦିନ କମ୍ପାନି ପ୍ରୋଜେକ୍ଟର ସମସ୍ତ ୟୁନିଟ୍ ବିକ୍ରି ହୋଇଛି । ଏହି ପ୍ରୋଜେକ୍ଟରୁ ଡାନ୍ୟୁବ ପ୍ରପର୍ଟିଜ୍କୁ ୫ ହଜାର କୋଟିରୁ ଅଧିକ ଆୟର ଆଶା ରହିଛି । ସୂଚନା ଅନୁଯାୟୀ, ଡାନ୍ୟୁବ ଗ୍ରୁପ୍ର ରିୟଲ ଇଷ୍ଟେଟ୍ ୟୁନିଟ୍ ଡାନ୍ୟୁବ ପ୍ରପର୍ଟିଜ୍ ଏହି କମର୍ସିଆଲ ପ୍ରୋଜେକ୍ଟର ନାଁ ବଲିଉଡ୍ ବାଦ୍ଶାହଙ୍କ ନାଁରେ ରଖିଛି । ଶାହରୁଖ ଏହାର ଅଂଶୀଦାର ଅଛନ୍ତି । ଶାହରୁଖ୍ ବାୟ ଡାନ୍ୟୁବର ନିର୍ମାଣ କ୍ଷେତ୍ର ୧୦ ଲକ୍ଷ ବର୍ଗ ଫୁଟରୁ ଅଧିକ । ଏଥିରେ ମୋଟ୍ ୫୫ ମହଲା ରହିଛି । ଶାହରୁଖ ବାୟ ଡାନ୍ୟୁବରେ ଅଫିସଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ୪.୨ କୋଟି ଟଙ୍କା । କମ୍ପାନି ନିଜ ନୂଆ ପ୍ରୋଜେକ୍ଟରେ ପ୍ରାୟ ୩,୫୦୦ କୋଟି ଟଙ୍କା ନିବେଶ କରିବ, ଯେଉଁଥିରେ ଜାଗା ମୂଲ୍ୟ ସମେତ ବାକି ଖର୍ଚ୍ଚ ରହିଛି । ଏହି ପ୍ରୋଜେକ୍ଟ ୨୦୨୯ ସୁଦ୍ଧା ଶେଷ ହେବାର ଅନୁମାନ କରାଯାଉଛି । କମ୍ପାନି ପ୍ରଥମେ ମୁମ୍ବାଇରେ ଏହି ପ୍ରୋଜେକ୍ଟ ଉପସ୍ଥାପନ କରିଥିଲା । ଡାନ୍ୟୁବ ଗ୍ରୁପ୍ର ପ୍ରତିଷ୍ଠାତା ଓ ଚେୟାରମ୍ୟାନ୍ ହେଉଛନ୍ତି ରିଜୱାନ ସାଜନ । ଦୁବାଇ ଏଗ୍ଜିବିଶନ୍ ସେଣ୍ଟର୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହରୁଖଙ୍କ ଉପସ୍ଥିତିରେ ସେ ପ୍ରୋଜେକ୍ଟ ଲଞ୍ଚ୍ କରିଥିଲେ ।
