ନୂଆଦିଲ୍ଲୀ,୧୧।୧୨: ଭିସା ନିୟମର ଉଲଂଘନ କରି ଜମ୍ମୁ-କଶ୍ମୀର ବୁଲିବାକୁ ଯାଇଥିବା ଚୀନ୍ ନାଗରିକ ଗତ ସପ୍ତାହ ଗିରଫ ହୋଇଥିଲେ। ଅଧିକାରୀମାନେ ଏହି ମାମଲାରେ ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ଚୀନ୍ ନାଗରିକ ହୁ କୋଙ୍ଗତାଇଙ୍କୁ ହଂକଂକୁ ନିର୍ବାସିତ କରି ଦିଆଯାଇଛି। ହୁ’ଙ୍କ ଉପରେ ଅଭିଯୋଗ ରହିଛି ସେ ବିନା ଅନୁମତିରେ ଲଦାଖ ଓ କାଶ୍ମୀର ଭଳି ସାମରିକ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ସ୍ଥାନ ଗସ୍ତ କରିଥିଲେ। ଏହାପରେ ସେଠାରେ ଭାରତୀୟ ସେନା ଗତିବିଧି ବିଷୟରେ ସୂଚନା ହାସଲ କରିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଅନୁସାରେ, ୨୯ ବର୍ଷୀୟ ହୁ କୋଙ୍ଗତାଇ ଟୁରିଷ୍ଟ ଭିସାରେ ଭାରତ ଯାତ୍ରା ପାଇଁ ଆସିଥିଲେ। ସେ ନୂଆଦିଲ୍ଲୀ ଏୟାରପୋର୍ଟରେ ୧୯ ନଭେମ୍ବରରେ ପହଁଞ୍ଚିଥିଲେ। ପର୍ଯ୍ୟଟକ ଭିସା ହିସାବରେ ତାଙ୍କୁ ନୂଆଦିଲ୍ଲୀ, ବାରଣାସୀ, ଆଗ୍ରା, ଜୟପୁର, ସାରନାଥ, ଗୟା ଓ କୁଶୀନଗର ଓ ଏହାଛଡା ବୌଦ୍ଧ ଧାର୍ମିକ ସ୍ଥଳକୁ ଯାତ୍ରା କରିବାର ଅନୁମତି ଦିଆଯାଇଥିଲା। କିନ୍ତୁ ଏହି ସ୍ଥାନକୁ ବୁଲିବା ବଦଳରେ ୨୦ ନଭେମ୍ବରରେ ଫ୍ଲାଇଟ୍ ଧରି ସିଧା ଲେହ ଏୟାରପୋର୍ଟରେ ପହଁଞ୍ଚିଥିଲେ। ଲେହ ପହଁଞ୍ଚିବା ପରେ ମଧ୍ୟ ସେ ବିଦେଶୀ ଆଞ୍ଚଳିକ ପଞ୍ଜିକରଣ କାର୍ଯ୍ୟାଳୟର କାଉଣ୍ଟରରେ ନିଜର ପଞ୍ଜିକରଣ କରିନଥିଲେ। ସେଠାରେ ଖୋଲା ବଜାରରୁ ଏକ ଭାରତୀୟ ସିମ୍ କିଣିବା ପରେ ଅଣ-ପଞ୍ଜିକୃତ ଗେଷ୍ଟ ହାଉସରେ ରହିଥିଲେ। କେବଳ ସେତିକି ନୁହେଁ ହରଭାନ୍ରେ ଏକ ବୌଦ୍ଧ ଧାର୍ମିକ ସ୍ଥଳକୁ ମଧ୍ୟ ଯାଇଥିଲେ। ଯେଉଁଠି ଗତ ବର୍ଷ ସଂଘର୍ଷରେ ଲସ୍କରର ଜଣେ ଆତଙ୍କୀ ନିହତ ହୋଇଥିଲା। ଏହାଛଡା ସେ ଅଭନ୍ତୀପୁରାରେ ଭାରତୀୟ ସେନାର ମୁଖ୍ୟାଳୟ ପାଖକୁ ମଧ୍ୟ ଯାଇଥିଲା। ଗୁଇନ୍ଦା ସୂଚନା ଆଧାରରେ ହୁ’ଙ୍କୁ ଗତ ସପ୍ତାହରେ ଶ୍ରୀନଗରରେ ଗିରଫ କରାଯାଇଥିଲା। ଏହାପରେ ୧୦ ଡିସେମ୍ବରରେ ଦିଲ୍ଲୀକୁ ପଠାଇ ଦିଆଯାଇଥିଲା। ପୁଣିଥରେ ସେଠାରୁ ହଂକଂ ନିର୍ବାସିତ କରି ଦିଆଯାଇଛି। ଏହା ପୂର୍ବରୁ ସ୍ଥାନୀୟ ପୁଲିସ ଲଦାଖ ଓ କାଶ୍ମୀର ଭଳି ଅଞ୍ଚଳକୁ ବିନା ଅନୁମତିରେ ଗସ୍ତ କରିବାକୁ ହୁ’ଙ୍କୁ କଷ୍ଟଡିରେ ରଖାଯାଇଥିଲା। ସେଠାରେ ତାଙ୍କ ଫୋନ୍କୁ ମଧ୍ୟ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଥିଲା। ତେବେ ହୁ’ ନିଜର ଏହି ଯାତ୍ରାର କାରଣ କହିନାହାଁନ୍ତ। ପଚରା ଉଚରା ବେଳେ କେବଳ ଏତିକି କହିଥିଲେ, ସେ ଆମେରିକାରେ ରୁହନ୍ତି। ସେଠାରେ ବୋଷ୍ଟନ ୟୁନିଭର୍ସିଟିରୁ ଫିଜିକ୍ସରେ ଶିକ୍ଷାଗ୍ରହଣ କରିଛନ୍ତି। ତାଙ୍କୁ ବୁଲିବାକୁ ପସନ୍ଦ ଥିବାରୁ ସେ ଭାରତ ଆସିଥିଲେ।
