ନୂଆଦିଲ୍ଲୀ,୫।୭: ଏଭଳି ଏକ ସମୟ ଥିଲା ଯେତେବେଳେ ଦେଶ କଙ୍ଗାଳା ହୋଇସାରିଥିଲା। ଦରଦାମ୍ ଏତେ ବଢିଯାଇଥିଲା ଯେ, ଲୋକମାନେ ରାଷ୍ଟ୍ରପତି ଭବନ ଉପରେ ମଧ୍ୟ କବଜା କରିନେଇଥିଲା। କିନ୍ତୁ ଏବେ ଏହି ଦେଶ କରିଛି ଜୋରଦାର କମବ୍ୟାକ୍। ବହୁ ବର୍ଷର ଆର୍ଥିକ ଅସ୍ଥିରତା ପରେ ପୁଣିଥରେ ‘ଅପର ମିଡିଲ ଇନକମ୍ ଇକୋନୋମି’ର ସ୍ଥିତି ହାସଲ କରିଛି। ଆମେ କଥା ହେଉଛେ ପଡୋଶୀ ଦେଶ ଶ୍ରୀଲଙ୍କା ବିଷୟରେ। କିଛି ବର୍ଷ ତଳେ ନିଜକୁ ଦେବାଳିଆ ଘୋଷିତ କରିସାରିଥିଲା। ବିଦେଶୀ ଋଣ ପରିଶୋଧ କରିପାରିନଥିବାରୁ ଦେଶ ଦେବାଳିଆ ହୋଇଥିଲା। କାରଣ କୋଭିଡ୍-୧୯ କାରଣରୁ ପର୍ଯ୍ୟଟନ ପ୍ରଭାବିତ ହୋଇଥିଲା। ଏହି କାରଣରୁ ସେଠାର ଅର୍ଥନୀତିରେ ସୃଷ୍ଟି ହୋଇଥିଲା ମାନ୍ଦାବସ୍ଥା। ଦରଦାମ୍ ମଧ୍ୟ ହୋଇଥିଲା ଆକାଶ ଛୁଆଁ। ଅସନ୍ତୁଷ୍ଟ ହୋଇ ଲୋକେ ଯାହା କରିଥିଲେ ତାହା ପୁରା ଦୁନିଆ ଦେଇଥିଲା। ରାଷ୍ଟ୍ରପତି ଭବନ ଦଖଲ କରିଥିଲେ ଅସନ୍ତୁଷ୍ଟ ଜନତା। ଏବେ ଏହି ଦେଶ ପୁଣିଥରେ ନିଜର ପୁରୁଣା ସ୍ଥିତିକୁ ଫେରିଛି। ଦେଶର ଅର୍ଥନୀତି ଉପରେ ବିଶ୍ବ ବ୍ୟାଙ୍କର ତାଜା ରିପୋର୍ଟ ଦେଇଛି। ଏହା ଅନୁସାରେ, ୨୦୨୨ ରେ ଆସିଥିବା ଗମ୍ଭୀର ଆର୍ଥିକ ସଙ୍କଟ ପରେ ଶ୍ରୀଲଙ୍କା ପାଇଁ ଏହା ଏକ ବଡ଼ ଉପଲବ୍ଧି। ସେଭଳି ଭାରତ ଏବେ ବି ‘ଲୋୟର-ମିଡିଲ ଇନକମ୍ ଇକୋନୋମି’ରେ ରହିଛି।
ଶ୍ରୀଲଙ୍କାର ଅପଗ୍ରେଡ୍ ବିଶ୍ୱ ବ୍ୟାଙ୍କର ଆୟ ବର୍ଗରେ ଏକ ପ୍ରମୁଖ ପରିବର୍ତ୍ତନର ଅଂଶ। ଏହି ପରିବର୍ତ୍ତନଗୁଡ଼ିକ ୧ ଜୁଲାଇ ୨୦୨୬ ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ୩୦ ଜୁନ୍ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ବାର୍ଷିକ ଅପଡେଟ୍ ୨୧୮ ଅର୍ଥନୀତିକୁ କଭର୍ କରେ। ଚଳିତ ବର୍ଷ ଏହି ଦେଶଗୁଡ଼ିକ ମଧ୍ୟରୁ ୬ଟିକୁ ଉଚ୍ଚ-ଆୟ ବର୍ଗରେ ରଖାଯାଇଛି। ଶ୍ରୀଲଙ୍କା ବ୍ୟତୀତ, ଭିଏତନାମ, ଫିଲିପାଇନ୍ସ, ଜୋର୍ଡାନ ଏବଂ ମାଇକ୍ରୋନେସିଆର ‘ନିମ୍ନ-ମଧ୍ୟମ’ ରୁ ‘ଉଚ୍ଚ-ମଧ୍ୟମ’ ଆୟ ବର୍ଗକୁ ସ୍ଥାନାନ୍ତରିତ କରାଯାଇଛି। ଏହି ସମୟରେ, ମାୟୋଟ୍ ‘ଉଚ୍ଚ-ମଧ୍ୟମ‘ ରୁ ‘ଉଚ୍ଚ-ଆୟ’ ବର୍ଗକୁ ସ୍ଥାନାନ୍ତରିତ ହୋଇଛି।
ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଶ୍ରୀଲଙ୍କାର ‘ଅପର ମିଡିଲ ଇନକମ୍’ କାଟାଗୋରୀକୁ ସ୍ଥାନାନ୍ତର ହେବା, ଏହାର ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାର ପ୍ରୋସେସ୍ ଭାବରେ ଦେଖାଯାଉଛି। ସେଭଳି ୨୦୨୨ରେ ଏହି ଦେଶସାର୍ବଭୌମ ଋଣ ଖିଲାପ(Sovereign Debt Default) ସ୍ଥିତିରେ ପହଁଞ୍ଚି ଯାଇଥିଲା। ଦେଶ ୨୦୨୫ରେ ୫ ପ୍ରତିଶତ ପ୍ରକୃତ GDP ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି, ଯେତେବେଳେ ଏହାର ମୁଣ୍ଡପିଛା ମୋଟ ଜାତୀୟ ଆୟ (GNI)ରେ ୧୧.୨ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ୱ ବ୍ୟାଙ୍କ ଏହା ପଛର କାରଣ ଉନ୍ନତ ଆର୍ଥିକ ଗତିବିଧି, କମ୍ ମୁଦ୍ରାସ୍ପିତି ଓ ଏକ୍ସଚେଞ୍ଜ ରେଟ୍ରେ ସ୍ଥିରତା ବୋଲି କହିଛି। ଏହି କାରଣରୁ ନୂଆ କାଟାଗୋରୀରେ ଶ୍ରୀଲଙ୍କା ପ୍ରତି ବ୍ୟକ୍ତିଙ୍କ ଆୟ ‘ଅପର ମିଡିଲ ଇନକମ୍’ ଥିବା ଅର୍ଥ ବ୍ୟବସ୍ଥା ପାଇଁ ଧାର୍ଯ୍ୟ ସୀମାଠାରୁ ଉପରେ ପହଁଞ୍ଚି ଯାଇଛି।
ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବା ସତ୍ତ୍ୱେ, ଭାରତକୁ ଏବେ ବି ‘ନିମ୍ନ-ମଧ୍ୟମ ଆୟ ଅର୍ଥନୀତି’ ଭାବରେ ବର୍ଗୀକୃତ କରାଯାଇଛି। ଏହାର କାରଣ ବିଶ୍ୱ ବ୍ୟାଙ୍କ ମୋଟ GDP ପରିବର୍ତ୍ତେ ‘ପ୍ରତି ମୁଣ୍ଡପିଛା GNI’ ବ୍ୟବହାର କରେ। ଯଦିଓ ଭାରତ ମୋଟ ଆକାର ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ଅର୍ଥନୀତି ମଧ୍ୟରୁ ଗୋଟିଏ, କିନ୍ତୁ ଏହାର ଆୟ ୧୪୦ କୋଟିରୁ ଅଧିକ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ଫଳସ୍ୱରୂପ, ହାରାହାରି ମୁଣ୍ଡପିଛା ଆୟ ‘ଉଚ୍ଚ ମଧ୍ୟବିତ୍ତ ବର୍ଗ ଆୟ’ ସୀମାଠାରୁ ତଳେ ଅଛି।
