ନୂଆଦିଲ୍ଲୀ,୨୯।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ପରିବର୍ତ୍ତନ । ୯୦୦୦ ରୁ ଅଧିକ ପୁରୁଣା ସର୍କୁଲାରକୁ ପ୍ରତ୍ୟାହାର କରିଛି ଆରବିଆଇ। ଏହା ଦ୍ବାରା ନିୟମାବଳୀକୁ ସରଳ କରିବା ଏବଂ ଅନୁପାଳନ ବୋଝ ହ୍ରାସ ହେବ। ଏଥିପାଇଁ ୨୪୪ ଟି ମାଷ୍ଟର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ଏହି ପଦକ୍ଷେପ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ନିୟମ ବୁଝିବା ଏବଂ ପାଳନ କରିବା ସହଜ କରିବ।
ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆରବିଆଇର ଡେପୁଟି ଗର୍ଭନର ଏସସି ମୁର୍ମୁ କହିଛନ୍ତି, ଗତ ୫ ବର୍ଷରେ ଆରବିଆଇ ନିୟାମକ ଢାଞ୍ଚାକୁ ମଜବୁତ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛି। ଏହି ପକ୍ରିୟାରେ ୯,୪୪୬ ସର୍କୁଲାରକୁ ରଦ୍ଦ କରାଯାଇଛି। ପ୍ରତ୍ୟାହାର ହୋଇଥିବା ସର୍କୁଲାରଗୁଡ଼ିକ ମଧ୍ୟରୁ କିଛି ବହୁ ଦଶନ୍ଧି ପୁରୁଣା ଥିଲା, ଯାହା ମଧ୍ୟରୁ ସବୁଠାରୁ ପୁରୁଣା ୧୯୪୪ ମସିହାର ଥିଲା। ଆରବିଆଇର ଏହି ପଦକ୍ଷେପ ବ୍ୟାଙ୍କିଙ୍ଗ, ଆର୍ଥିକ କମ୍ପାନୀ ଓ ଅନ୍ୟ ବିନିୟମିତ ସଂସ୍ଥାର ବୋଝକୁ କମ୍ କରିବା ଉଦେଶ୍ୟରେ ତିଆରି କରାଯାଇଛି। କମର୍ସିଆଲ ବ୍ୟାଙ୍କ, ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ, ପେମେଣ୍ଟ ବ୍ୟାଙ୍କ, ଆରଆରବି, ସହକାରୀ ବ୍ୟାଙ୍କ, ଏନ୍ବିଏଫ୍ସି ଓ କ୍ରେଡିଟ୍ ଇନଫରମେସନ୍ କମ୍ପାନୀ ରହିଛି। ଏହାକୁ ଅଲଗା ଅଲଗା ଭାବରେ ପ୍ରସ୍ତୁତ କରାଯାଇଛି। ଯାହାଫଳରେ ପ୍ରତି ସଂସ୍ଥା ସହଜରେ ବୁଝିପାରିବ କେଉଁ ନିୟମ ଲାଗୁ ହୋଇପାରିବ। କମର୍ସିଆଲ ବ୍ୟାଙ୍କଗୁଡ଼ିକ ପାଇଁ ୩୨ ମାଷ୍ଟର ଗାଇଡଲାଇନ୍ ଜାରି କରାଯାଇଛି, ଯେଉଁଥିରେ ବ୍ୟାଙ୍କ ଲାଇସେନ୍ସିଂ ନିର୍ଦ୍ଦେଶାବଳୀ ମଧ୍ୟ ଅନ୍ତର୍ଭୁକ୍ତ। ଏବେ କେବଳ ଏହି ମାଷ୍ଟର ଗାଇଡଲାଇନ୍ ପାଳନ କରିବାକୁ ପଡ଼ିବ। ଏହାର ଅର୍ଥ ହେଉଛି ପୁରୁଣା ସର୍କୁଲାରଗୁଡ଼ିକର ଆଉ ଆବଶ୍ୟକତା ରହିବ ନାହିଁ। ଆରବିଆଇ ଡେପୁଟି ଗଭର୍ଣ୍ଣର କହିଛନ୍ତି, ବ୍ୟାଙ୍କ ଲାଇସେନ୍ସିଂ ସହିତ ଜଡିତ ବିଭିନ୍ନ ସଂସ୍ଥା ପାଇଁ ନିର୍ଦ୍ଦେଶାବଳୀକୁ ଏକୀକୃତ କରାଯାଇଛି। ଭବିଷ୍ୟତରେ କୌଣସି ପରିବର୍ତ୍ତନ ଆସିଲେ ଏଗୁଡ଼ିକୁ ଅପଡେଟ୍ କରାଯିବ। ତେବେ କାହିଁକି ଏହି ସବୁ ସର୍କୁଲାରକୁ ରଦ୍ଦ କରାଯାଇଛି ? ଏହା କାରଣ ହେଉଛି ପୁରୁଣା ସର୍କୁଲାର ବହୁତ ଅଧିକ ଏବଂ ଜଟିଳ ହୋଇ ସାରିଥିଲା। ବହୁ ଗାଇଡଲାଇନ୍ ସମୟ ସହ ଅପ୍ରାସଙ୍ଗିକ ହୋଇସାରିଥିଲା। ବିଭିନ୍ନ ପ୍ରକାର ସଂସ୍ଥା ଉପରେ କେଉଁ ନିୟମ ଲାଗୁ ହେବ ତାହା ମଧ୍ୟ ସ୍ପଷ୍ଟ ନଥିଲା।
