କଟକ,୨୫/୧୧: ଗତ ଫେବ୍ରୁଆରୀରେ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ସମୟରେ ଫ୍ଲଡ୍ଲାଇଟ୍ ଟ୍ ତ୍ରୁଟି ଯୋଗୁଁ ବାରବାଟୀ ଷ୍ଟାଡିୟମ୍ ନିନ୍ଦା ମୁଣ୍ଡାଇଥିଲା । ଏ ତ୍ରୁଟିର ପୁନଃରାବୃତ୍ତି ଯେମିତି ନହେବ ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପ୍ରଥମଥର ବାରବାଟୀ ଷ୍ଟାଡିୟମ୍ରେ ଫ୍ଲଡ୍ଲାଇଟ୍ ସଫ୍ଟୱେର୍ ଦ୍ୱାରା ପରିଚାଳିତ ହେବ । ଫ୍ଲଡ୍ଲାଇଟ୍ ପ୍ରତିଟି ବଲ୍ବ ଉକ୍ତ ସଫ୍ଟୱେର୍ ସହ ସଂଯୁକ୍ତ ହେବ । ଯେଉଁଠି ତ୍ରୁଟି ଦେଖାଯିବ ତୁରନ୍ତ ଏହି ସଫ୍ଟୱେର୍ରେ ନୋଟିଫିକେସନ୍ ବା ସୂଚନା ଆସିବ । ଫଳରେ ସେହି ସଫ୍ଟୱେର୍ ମାଧ୍ୟମରେ ହିଁ ଏହାକୁ ଠିକ୍ କରାଯିବ । ଆଗାମୀ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚକୁ ଆଉ ୧୪ ଦିନ ବାକି ରହିଛି । ମ୍ୟାଚକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବା ସହ ପୂର୍ବ ତ୍ରୁଟିକୁ ନଦୋହରାଇବା ଦିଗରେ ଓସିଏ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଫ୍ଲଡ୍ଲାଇଟ୍ ତ୍ରୁଟିକୁ ଏଡାଇବା ନିମନ୍ତେ ଆଗାମୀ ମ୍ୟାଚରେ ସ୍ୱତନ୍ତ୍ର ରୂପେ ଏକ ସଫ୍ଟୱେର୍ ବ୍ୟବହାର କରାଯିବ ବୋଲି ଓସିଏ କନସଲଟାଣ୍ଟ୍ ବିଷ୍ଣୁପ୍ରସାଦ ମହାପାତ୍ର କହିଛନ୍ତି । ବାରବାଟୀରେ ୮ଟି ଫ୍ଲଡଲାଇଟ୍ ରହିଛି । ପ୍ରତ୍ୟେକ ଖୁଣ୍ଟିରେ ରହିଛି ୪୮ଟି ବଲ୍ବ । ସମୁଦାୟ ୩୮୪ଟି ଯାକ ବଲ୍ବ ଏବେ ଯାଞ୍ଚ କରାଯାଉଛି। ପ୍ରତ୍ୟେକ ଖୁଣ୍ଟକୁ ସଫ୍ଟୱେର୍ ଜରିଆରେ ମନିଟରିଂ କରାଯିବ । ଯେକୌଣସି ସ୍ଥାନରେ ତ୍ରୁଟି ରହିଥିବ ତାହାର ସୂଚନା ଆଗୁଆ ମିଳିପାରିବ । ପ୍ରଥମଥର ନିମନ୍ତେ ଓସିଏ ଏହି ପଦକ୍ଷେପ ନେଇଛି ବୋଲି ବିଷ୍ଣୁପ୍ରସାଦ କହିଛନ୍ତି । ସେହିପରି ପ୍ରତ୍ୟେକ ଫ୍ଲଡଲାଇଟ୍ ୨ଟି ଲେଖାଏଁ ଡିଜି ସେଟ୍ ସଂଯୋଗ କରାଯିବ । ମ୍ୟାଚ ସମୟରେ ଉଭୟ ଚାଲୁ ରହିବ । ଯଦି ଗୋଟିଏ ଡିଜି ସେଟ୍ ତ୍ରୁଟି ଦେଖାଗଲା ଦ୍ୱିତୀୟ ସେଟ୍ରୁ ତୁରନ୍ତ ପାୱାର୍ ଲୋଡ୍ ହୋଇପାରିବ । ଏଥିପାଇଁ ମାତ୍ର ୨ ସେକେଣ୍ଡରେ ସମୟ ଲାଗିବ । ଆଗାମୀ ମ୍ୟାଚ୍ ପାଇଁ ଭିଭିଆଇପି ଲାଉଞ୍ଜ୍କୁ ସ୍ଥାନାନ୍ତର କରାଯିବା ପାଇଁ ଯୋଜନା ହୋଇଛି । ଲାଉଞ୍ଜ୍ ସମ୍ମୁଖରେ ସାଇଟ୍ ସ୍କ୍ରିନ୍ ରହି ବାଧା ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଲାଉଞ୍ଜରେ ବସି ମ୍ୟାଚର ଉପଭୋଗ କରିବେ । ପଦ୍ମ ଉପାଧି ବିଜେତା ଏବଂ ରାଜ୍ୟର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଲାଉଞ୍ଜ ହେବ । ମ୍ୟାଚ୍ ଆରମ୍ଭ ପୂର୍ବରୁ ବାରବାଟୀରେ ଏଥର ଆକର୍ଷଣୀୟ ଲାଇଟ୍ ସୋ’ ହେବ ବୋଲି ଓସିଏ ସୂତ୍ରରୁ ଖବର ମିଳିଛି । ସୋମବାର ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ବାରବାଟୀ ଷ୍ଟାଡିୟମ୍ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଓସିଏ କାର୍ଯ୍ୟକର୍ତ୍ତାଙ୍କ ସହ ପଡିଆରେ ବୁଲି ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଡିଏମ୍ ଶ୍ରୀ ଟପ୍ପୋ କହିଛନ୍ତି, ଗ୍ୟାଲେରୀ ଗୁଡିକୁ ନେଇ ଟିକେ ସମସ୍ୟା ଥିଲା । ନିକଟରେ ଆଇଆଇଟି ବିଶେଷଜ୍ଞ ମାନେ ଆସି ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ଯେଉଁଠି ସମସ୍ୟା ରହିଥିଲା ଓସିଏକୁ କୁହାଯାଇଛି ସେଗୁଡିକ ମରାମତି କରାଯିବ ।’ ଅନ୍ୟପକ୍ଷରେ କଟକ ଡିସିପି ଖିଲାରୀ ରିଷିକେଶ ଦ୍ୟାନଦେଓ ମଧ୍ୟ ଷ୍ଟାଡିୟମ୍ର ବିଭିନ୍ନ ଟିକେଟ କାଉଣ୍ଟର ବୁଲି ଦେଖିଛନ୍ତି । ବ୍ୟାରିକେଡିଂ କେଉଁଠାରୁ କେଉଁଠିକୁ କରାଯିବ ତା’ର ବିସ୍ତୃତ ବ୍ଲୁପ୍ରିଣ୍ଟ୍ କରାଯାଇଛି । ଯେତିକି ଟିକେଟ ବିକ୍ରି ଲାଗି ଉଦ୍ଦିଷ୍ଟ ରହିବ ସେହି ତୁଳନାରେ ଦର୍ଶକ ଟିକେଟ କାଉଣ୍ଟରକୁ ଆସିବାକୁ ଅନୁରୋଧ କରିଛନ୍ତି ।
