ନୂଆଦିଲ୍ଲୀ: ଭାରତୀୟ ଟିମ୍ ନିକଟରେ ପାକିସ୍ତାନକୁ ହରାଇ ଏସିଆ କପ୍ ୨୦୨୫ ଜିତିଥିଲା। ବିଜୟ ପରେ ବି ଭାରତୀୟ ଟିମ୍ ଏସିଆନ୍ କ୍ରିକେଟ କାଉନସିଲ ମୁଖ୍ୟ ମୋହସିନ୍ ନକଭିଙ୍କ ହାତରୁ ଏସିଆ କପ୍ ଟ୍ରଫି ନେବାକୁ ମନା କରିଦେଇଥିଲା। ଏହାପରେ ମୋହସିନ୍ ନକଭି ଟ୍ରଫି ନେଇ ଦୁବାଇ ହୋଟେଲ ଚାଲିଯାଇଥିଲା। ଏହାପରେ ପାକିସ୍ତାନ ଯିବା ପୂର୍ବରୁ ସେ ଏହି ଟ୍ରଫିକୁ ଏସିସି ଅଫିସରେ ଛାଡି ଦେଇଥିଲା। ତେବେ ନକଭି ଭାରତୀୟ ଟିମ୍କୁ ଟ୍ରଫି ଦେବାକୁ ପ୍ରସ୍ତୁତ ନଥିଲା। ନକଭି କହିଥିଲେ ସୂର୍ଯ୍ୟକୁମାର ଯାଦବ ଏସିସି ଅଫିସ ଆସି ଟ୍ରଫି ନେଇ ଯାଆନ୍ତୁ ।
ଏବେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ବା ବିସିସିଆଇ ପକ୍ଷରୁ ଏସିସି ମୁଖ୍ୟ ମୋହସିନ୍ ନକଭିଙ୍କୁ ଏକ ଅଫିସିଆଲ ଇମେଲ ଯାଇଛି। ଏଥିରେ ବିଜେତା ଟିମ୍କୁ ତୁରନ୍ତ ଟ୍ରଫି ଦେବାକୁ କୁହାଯାଇଛି। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ଆମ ଏସିସିକୁ ଚିଠି ଲେଖିଛୁ। ଟ୍ରଫି ଚାମ୍ପିଆନ୍ ଟିମ୍କୁ ଦିଆଯାଉ। ଆମେ ତାଙ୍କ ଉତ୍ତରର ଅପେକ୍ଷାରେ ଅଛୁ। ଯଦି ପ୍ରତିକ୍ରିୟା ନଆସେ କମ୍ବା ନକାରତ୍ମକ ଆସେ ତେବେ ଆମେ ଆଇସିସିକୁ ଲେଖିବୁ। ଆମେ ପ୍ରତି ପାଦ ଆଗକୁ ବଢିବାରେ ଲାଗିଛୁ। ଏହାକୁ ଆଗକୁ ଆହୁରି ବଢାଇବାରେ ଲାଗିଥିବୁ। ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ, ଯଦି ମୋହସିନ୍ ନକଭି ଏସିଆ କପ୍ ଟ୍ରଫି ଫେରାଇବାକୁ ରାଜି ନହୁଅନ୍ତି, ତେବେ ବିସିସିଆଇ କଡା ଆକ୍ସନ ନେବ। ଏସିଆ କପ୍ ଟ୍ରଫି ଯଦି ଭାରତକୁ ଦିଆନଯାଏ, ତେବେ ବିସିସିଆଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍କୁ ଏଥିପାଇଁ ଚିଠି ଲେଖିବ। ସାଇକିଆ ଏହା ସ୍ପଷ୍ଟ କରିଛନ୍ତି ଯେ ମହସିନ୍ ନକଭି ମଧ୍ୟ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ଉଲ୍ଲେଖନୀୟ ଯେ, ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏସିଆ କପ୍ ୨୦୨୫ ଫାଇନାଲରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିୀନ ଟିମ୍ ପାକିସ୍ତାନକୁ ୫ ଓ୍ବିକେଟ୍ରେ ହରାଇଥିଲା। ଭାରତୀୟ ଖେଳାଳି ଚାମ୍ପିଆନ୍ ହେବାପରେ ସଫା ସଫା ମନା କରିଦେଇଥିଲା ନକଭିଙ୍କ ହାତରୁ ଟ୍ରଫି ନେବେନି। ଟିମ୍ କହିଥିଲା ଟ୍ରଫି ତାଙ୍କୁ ଏମିରେଟସ୍ କ୍ରିକେଟ୍ ବୋର୍ଡର ଭାଇସ୍ ଚେୟାରମ୍ୟାନ୍ ଦିଅନ୍ତୁ। ତେବେ ନକଭି ଏହି ସର୍ତ୍ତକୁ ସଫା ସଫା ମନା କରିଦେଇଥିଲ। ମ୍ୟାଚ୍ ଜିତିବା ପରେ ବି ଭାରତୀୟ ଖେଳାଳି ପଡିଆରେ ଏକ ଘଣ୍ଟା ଅପେକ୍ଷା କରିଥିଲା। ସ୍ଥିତି ଯେତେବେଳେ ବଦଳି ନଥିଲା ଟ୍ରଫି ନନେଇ ଡ୍ରେସିଂ ରୁମ୍ ଚାଲିଯାଇଥିଲା।
