ନୂଆଦିଲ୍ଲୀ: ଭାଙ୍ଗିବା ସ୍ଥିତିରେ ପହଁଞ୍ଚିଛି ଗାଜା ଅସ୍ତ୍ରବିରତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିକଟରେ ଦେଇଥିବା ବୟାନ ଏବେ ଆମେରିକାର ଚିନ୍ତା ବଢାଇଛି। ନେତନ୍ୟାହୁ କହିଛନ୍ତି,ଇସ୍ରାଏଲ ଆମେରିକାର ଗୋଲାମ ନୁହେଁ । ଆମେ ନିଜର ସୁରକ୍ଷା ନିଜେ କରିପାରିବୁ। କିଛି ଲୋକ ଭାବନ୍ତି ଇସ୍ରାଏଲକୁ ଆମେରିକା ପରିଚାଳନା କରେ। ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ଇସ୍ରାଏଲ ଓ ଆମେରିକା ମଜବୁତ ପାର୍ଟନର ହୋଇପାରନ୍ତି, କିନ୍ତୁ ତା’ର ଗୋଲାମ ନୁହେଁ।। ଆମେରିକା ସହ ଆମର ଏକ ଭଲ ସମ୍ପର୍କ ରହିଛି।ନେତାନ୍ୟାହୁଙ୍କ ବୟାନର ଜବାବ୍ରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆମେ ଇସ୍ରାଏଲକୁ ଏକ ସହଯୋଗୀ ଭାବରେ ଚାହୁଁ। ଆମେରିକାର ପ୍ରାଥମିକତା ମଧ୍ୟପ୍ରାଚ୍ୟରେ ଅଧିକ ନାହିଁ। ଆମକୁ ବିଶ୍ବାସ ଅଛି ଆବ୍ରାହମ୍ ଚୁକ୍ତିର ବିସ୍ତାର ଏହି କ୍ଷେତ୍ରର ସ୍ଥିରତାକୁ ବଢାଇବ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାନ୍ତି ବଜାୟ ରହିପାରିବ। ଗାଜାରେ ଶାନ୍ତି ବଜାୟ ରଖିବା ନିଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଆମ ଆଗରେ ବହୁତ କଠିନ କାମ ରହିଛି। ଗୋଟିଏ ପଟେ ହମାସକୁ ନିରସ୍ତ୍ର କରିବା ଏବଂ ଅନ୍ୟପକ୍ଷେ ଗାଜାର ପୁନଃନିର୍ମାଣ କରି ଲୋକଙ୍କ ଜୀବନକୁ ଉନ୍ନତ କରିବା। ଯାହାକି ଏତେ ସହଜ ନୁହେଁ।
ଗତ ବୁଧବାର ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ଅସ୍ତ୍ରବିରତି ବିଷୟରେ ଆଲୋଚନା କରିଥିଲେ। ଉଭୟଙ୍କ ମଧ୍ୟରେ ବୈଠକ ଶେଷ ହେବା ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏଭଳି ଏକ ବୟାନ ଦେଇଛନ୍ତି। ସେ ଆମେରିକାକୁ ଟାର୍ଗେଟ କରି କହିଛନ୍ତି, ଇସ୍ରାଏଲ ଆମେରିକାର ଗୋଲାମ ନୁହେଁ, ଏହା ନିଜର ସୁରକ୍ଷା ନିଷ୍ପତ୍ତି ନିଜେ ନିଏ। ନେତାନ୍ୟାହୁଙ୍କ ଏଭଳି ବୟାନ ଏବେ ଟ୍ରମ୍ପ ପ୍ରଶାସନର ଚିନ୍ତା ବଢାଇଛି। ଆଶଙ୍କା କରାଯାଉଛି ନେତାନ୍ୟାହୁ ଗାଜା ଚୁକ୍ତିନାମାରୁ ଓହରି ଯାଇପାରନ୍ତି। ଯଦି ଏହା ହୁଏ, ତେବେ ଗାଜାରେ ପୁଣି ଥରେ ବଡ଼ ଧରଣର ଯୁଦ୍ଧ ଆରମ୍ଭ ହୋଇପାରେ।
