ଭୁବନେଶ୍ଵର : କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବଡ଼ ବୟାନ। ନୂଆପଡ଼ାରେ କଂଗ୍ରେସ ଜିତିବ। ଉପନିର୍ବାଚନକୁ ନେଇ ନୂଆପଡ଼ା ଉଠୁଛି ପଡ଼ୁଛି। ସିଟ୍ ଦଖଲ ଲକ୍ଷ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି। ତିନି ପ୍ରମୁଖ ଦଳ ବିଜେପି-ବିଜେଡି-କଂଗ୍ରେସ କସରତ ଆରମ୍ଭ କରି ଦେଇଛନ୍ତି। ତିନି ଦଳ ମଧ୍ୟରେ ଜୋରଦାର୍ ଟକ୍କର ଦେଖିବାକୁ ମିଳୁଛି। ଏହି ମଧ୍ୟରେ କଂଗ୍ରେସ ବିଧାୟକଙ୍କ ଏଭଳି ପ୍ରତିକ୍ରିୟା ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି। କଂଗ୍ରେସ ବିଧାୟକ କହିଛନ୍ତି ଯେ, ବିଜେଡି-ବିଜେପି ବାଡିଆପିଟା ଭିତରେ ନୂଆପଡ଼ାରେ କଂଗ୍ରେସ ଜିତିବ। କଂଗ୍ରେସ ପ୍ରାର୍ଥୀଙ୍କ ୫୦ ହଜାର ନିଜସ୍ୱ ଭୋଟ ଅଛି। କଂଗ୍ରେସର ଭୋଟ ୧୫ ହଜାର ଅଛି। ଏମିତି ମିଶିକରି ୬୫ ହଜାର ଭୋଟ ହେଉଛି। କେବଳ ଭୋଟ୍ ଚୋରିକୁ ଭୟ ଅଛି। ଆମେ ବୁଥ୍ ଜଗିବୁ କିନ୍ତୁ ଇଭିଏମ୍ ଭିତରେ କଣ କରସାଦି କରିବେ ଆମେ ଜାଣିନାହୁଁ। ସେ ଯାହା ବି କରନ୍ତୁ କଂଗ୍ରେସ ନୂଆପଡ଼ାରେ ଜିତିବ। ପିସିସି ସଭାପତିଙ୍କ ଏରିଆ ସେ ନିଜେ ବୁଲୁଛନ୍ତି। ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ଭୋଟ୍। ସ୍ୱାଧୀନତା ପରେ ନୂଆପଡ଼ା ବିଧାନସଭା ଆସନ ଦେଖିବାକୁ ଯାଉଛି ଚତୁର୍ଥ ଉପନିର୍ବାଚନ । ନୂଆପଡ଼ା ବ୍ଲକ, କୋମନା ବ୍ଲକ୍ ଓ ଖରିଆର ରୋଡ୍ ଏନଏସିକୁ ନେଇ ଗଠିତ ଏହି ବିଧାନସଭା ଆସନ । ଏଠାରେ ୨ ଲକ୍ଷ ୪୮ ହଜାର ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଲେ ଆଦିବାସୀ । ମୁଖ୍ୟତଃ ଗଣ୍ଡ ଓ ଶବର ସମ୍ପ୍ରଦାୟର ଏହି ଭୋଟ୍ ବ୍ୟାଙ୍କ ମୁଖ୍ୟତଃ କଂଗ୍ରେସ ହାତରେ ରହି ଆସିଥିଲା । ତେବେ ଗତ ଦଶନ୍ଧି ଭିତରେ ବିଜେଡ଼ି ଓ ବିଜେପି ମଧ୍ୟ ଏହା ଭିତରକୁ ଧସେଇ ପଶିଛନ୍ତି । ଅର୍ଥାତ ପ୍ରାୟ ୧ ଲକ୍ଷ ଆଦିବାସୀ ଭୋଟ୍ରେ ୩ ରାଜନୈତିକ ଦଳର କିଛି କିଛି ଭାଗ ରହିଛି ।
