ମନ୍ଦିରରେ ଦିଅଁଙ୍କୁ ଦର୍ଶନ ପାଇଁ ଲମ୍ବା ଲାଇନ୍, ରଥଦଉଡ଼ି ଛୁଇଁବା ପାଇଁ କାହିଁକି ନୁହେଁ
ପୁରୀ (ସିଂ.ପ୍ର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସାରା ବିଶ୍ୱର ନଜର ଥାଏ ପୁରୀ ଶ୍ରୀକ୍ଷେତ୍ର ଉପରେ। କିନ୍ତୁ ବିଗତ କିଛିବର୍ଷ ହେବ ରଥଯାତ୍ରାରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ହେଉଛି ତାକୁ ନେଇ ଜନସାଧାରଣଙ୍କ ମନରେ ନାନା ପ୍ରଶ୍ନ ଉଙ୍କିମାରିବା ସହ ଜଗନ୍ନାଥପ୍ରେମୀଙ୍କୁ ବେଶ୍ କ୍ଷୁବ୍ଧ କରିଛି। ଏହିସବୁ ଅଘଟଣ ପାଇଁ ଯେଉଁମାନେ ଦାୟୀ ଓ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ତାକୁ ନେଇ ସବୁ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ରଥଯାତ୍ରାରେ ଦଳାଚକଟା ନେଇ ଭକ୍ତଙ୍କ ପ୍ରାଣହାନି ହେବା ଘଟଣାକୁ ନେଇ ସାରା ଦେଶରେ ଗଣମାଧ୍ୟମର ଶିରୋନାମା ପାଲଟିଛି। ଏହି ଅଘଟଣ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ଅରବିନ୍ଦ ପାଢ଼ୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଜଗନ୍ନାଥ ପ୍ରେମୀ। ପୁରୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା କ’ଣ ଶ୍ରୀ ପାଢ଼ୀ ଜାଣିନାହାନ୍ତି? ଭିଡ଼ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଗଲା ତାହା ରାଜ୍ୟବାସୀ ଜାଣିପାରିଲେ ନାହିଁ। ରଥ ଦଉଡ଼ି ଟିକେ ଛୁଇଁବା ପାଇଁ ଭକ୍ତ କେତେ ଯେ ବ୍ୟାକୁଳ ହେଉଥାଏ ତାହା ସମସ୍ତେ ଜାଣନ୍ତି। ଶ୍ରୀମନ୍ଦିରରେ ଲମ୍ବା ଲାଇନ୍ କରି ଯଦି ଭକ୍ତଙ୍କୁ ଜଗନ୍ନାଥ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯାଉଛି ତେବେ ରଥଯାତ୍ରା ସମୟରେ ରଥ ଦଉଡ଼ି ଟିକେ ଭକ୍ତଙ୍କୁ ଛୁଇଁବା ପାଇଁ ସେମିତି କିଛି ବ୍ୟବସ୍ଥା କରାଯିବା କ’ଣ ଶ୍ରୀ ପାଢ଼ୀ ଜାଣିନାହାନ୍ତି। ଯଦି ଏଭଳି କିିଛି ପଦକ୍ଷେପ ନିଆଯାଇଥା’ନ୍ତା ତେବେ ହୁଏତ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳନ୍ତା ନାହିଁ। ୨୦୧୯ ମସିହା କଥା ଯଦି ଚିନ୍ତା କରାଯାଏ ତେବେ ସେ ସମୟରେ ରଥଯାତ୍ରା ପୂର୍ବରୁ ଫନି ମହାବାତ୍ୟା ପୁରୀ ସହରକୁ ବରବାଦ୍ କରିଦେଇଥିଲା। କିନ୍ତୁ ସେତେବେଳର ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୁପରିଚାଳନା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥଟଣା ସୁରୁଖୁରୁରେ ସଂପନ୍ନ ହୋଇଥିଲା। କିନ୍ତୁ ଏବେ ଏସବୁର ବ୍ୟତିକ୍ରମ ଦେଖାଦେଇଛି। କେତେବେଳେ ବଡ଼ଠାକୁର ରଥ ଉପରୁ ତଳକୁ ଖସିପଡ଼ୁଛନ୍ତି ତ କେତେବେଳେ ଜଗତର ନାଥ ଜଗନ୍ନାଥଙ୍କ ମୁଣ୍ଡରେ ଟାହିଆ ନାହିଁ। ପୁଣି ଠେଲାପେଲାରେ ଭକ୍ତଟିଏ ତା’ର ଜୀବନ ହାରୁଛି ତ ଅଣନିଶ୍ୱାସୀ ହୋଇ ଶହ ଶହ ଭକ୍ତ ହସ୍ପିଟାଲରେ ମରଣ ସହ ସଂଗ୍ରାମ କରୁଛନ୍ତି। ଭକ୍ତଙ୍କ ଭାବାବେଗ ସହ ଖେଳିବା କେତେଦୂର ଯଥାର୍ଥ ତାହା ଜଗନ୍ନାଥ ବିଚାର କରିବେ। ୨୦୨୬ ରଥଯାତ୍ରାରେ ଭକ୍ତଙ୍କ ପ୍ରାଣହାନି ହେବା ପରେ ବି ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନର ବୁଦ୍ଧି ଉଦୟ ହେଲାନାହିଁ।। ଗୁଣ୍ଡିଚାରେ ମରିଚିକୋଟ ଛକରେ ଦଳାଚକଟାରେ ୨ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ରାଜ୍ୟବାସୀଙ୍କ ମନରୁ ନ ଲିଭିଣୁ ପୁଣି ବାହୁଡ଼ାରେ ପୁଣି ଅଘଟଣ । ବଡ଼ଦାଣ୍ଡସ୍ଥିତ ବଗଲା ଧର୍ମଶାଳା ସମ୍ମୁଖରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରଦ୍ଧାଳୁ ହେଲେ କଟକ ଜିଲ୍ଲାର ଅଭିରାମ ଦାସ (୫୭) । ୧୩୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନେ ଚିକିତ୍ସା ପରେ ଚିକିତ୍ସାଳୟରୁ ଫେରିଯାଇଥିବା ଜଣାପଡ଼ିଛି । ଶୁକ୍ରବାର ସନ୍ଧ୍ୟାରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଆଗେ ଆଗେ ଯାଉଥିଲା । ପଛରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୁଲିସ ଓ ଶ୍ରଦ୍ଧାଳୁ ଟାଣି ନେଇଥିଲେ । ବଗଲା ଧର୍ମଶାଳା ସମ୍ମୁଖରେ ଦର୍ପଦଳନ ରଥ ପହଞ୍ଚିଲା ବେଳକୁ ବଡ଼ଦାଣ୍ଡରେ ଅଇଁଠା ଖଲି ପଡ଼ିଥିଲା । ଶ୍ରଦ୍ଧାଳୁମାନେ ଅଇଁଠା ଖଲିକୁ ପାଦରେ ମାଡ଼ିବାକୁ ଚାହିଁନଥିଲେ । ସେମାନେ ଅଇଁଠା ଜାଗାକୁ ନଯାଇ ବଡ଼ଦାଣ୍ଡ ମଝିଆଡ଼କୁ ଆସିବା ଲାଗି ଉଦ୍ୟମ କରିଥିଲେ । ପଛରୁ ଦର୍ପଦଳନ ରଥ ମାଡ଼ି ଆସିଥିଲା । ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅଭିରାମ ତଳେ ପଡ଼ିଯାଇଥିଲେ । ତାଙ୍କ ଉପରେ ଶତାଧିକ ଶ୍ରଦ୍ଧାଳୁ ଲଦି ହୋଇଯାଇଥିଲେ । ଅଭିରାମଙ୍କୁ ତଳୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଶବ ସଂରକ୍ଷଣ ଗୃହରେ ରଖିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ତ୍ରୁଟିଶୂନ୍ୟ ରଥଯାତ୍ରା ଲାଗି ରାଜ୍ୟଠୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ । ବରିଷ୍ଠ ପୁଲିସ ଅଧିକାରୀଙ୍କଠୁ ଆରମ୍ଭ କରି ବରିଷ୍ଠ ପ୍ରାଶାସନିକ ଅଧିକାରୀମାନଙ୍କୁ ବାହାର ଜିଲ୍ଲାରୁ ଆଣି ପୁରୀରେ ନିୟୋଜିତ କରିଥିଲେ । ରଥଯାତ୍ରା ଅଘଟଣ ପରେ ବାହୁଡ଼ାରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ଲାଗି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଗିଦ୍ କରିଥିଲେ। ହେଲେ ବରିଷ୍ଠ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅଘଟଣ ଘଟିଥିବା ସହରରେ ଚର୍ଚ୍ଚା ଜୋର୍ ଧରିଛି ।
