ଝାରସୁଗୁଡ଼ା : ରକ୍ତ ସମ୍ପର୍କରେ ଛିଟା । ପୁଅ-ଝିଅକୁ ଅତି ନୃଶଂସ ଭାବେ ହାଣିଲା ମା । ସୁନ୍ଦରଗଡ଼ ଜିଲ୍ଲା ବିମାନବନ୍ଦର ଥାନା ଟାଙ୍ଗରପାଲି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ପୁଲିସ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପରିବାରର ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ । ଏହି ସମୟରେ ମା ରଞ୍ଜିତା ଓରାମ ନିଜ ସ୍ୱାମୀଙ୍କୁ ଉଠାଇଥିଲେ । ସ୍ୱାମୀ ଘର କବାଟ ଖୋଲି ବାହାରକୁ ପରିସ୍ରା କରିବାକୁ ଯାଇଥିଲେ । ଏହି ସମୟରେ ଭିତର ପଟୁ କବାଟ ବନ୍ଦ କରିଥିଲେ ମା ରଞ୍ଜିତା । କବାଟ ବନ୍ଦ ପରେ ନିଜର ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଥିଲେ, ଏହାପରେ ନିଜେ ନିଜ ବେକକୁ କଟୁରୀ ସହାୟତାରେ ହାଣିଥିଲେ । ଦୁଇ ଛୁଆଙ୍କୁ ମାରିବା ପରେ ନିଜ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ଯାହାକୁ ଦେଖି ସ୍ୱାମୀ ପଡ଼ୋଶୀଙ୍କ ସହାୟତାରେ ଝରକା ତାଡ଼ି ଘର ମଧ୍ୟ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଥିଲେ । ଗୁରୁତର ଅବସ୍ଥାରେ ରଞ୍ଜିତାକୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
