ପୁରୀ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା । ଏହି ଦିନଠାରୁ ରଥ ନିର୍ମାଣ ପ୍ରକ୍ରିୟା ଜୋର୍ଦାର୍ ହେବ । ଏଥିନିମନ୍ତେ ଶ୍ରୀମନ୍ଦିର ନିକଟ ରଥଖଳାରେ ଶିବିର ନିର୍ମାଣ ହେଉଛି । ଛାଇରେ ବସି ବିଶ୍ୱକର୍ମା ମହାରଣା, ରୂପକାର ଓ ଅନ୍ୟ ସେବାୟତମାନେ ରଥ ନିର୍ମାଣ କରିବେ । ଚଳିତ ବର୍ଷ ରଥଖଳା ସୁରକ୍ଷା ନିମନ୍ତେ ପ୍ରଶାସନ ଅଧିକ ତତ୍ପରତା ଦେଖାଇଛି । ରଥଖଳାକୁ ଜଗିବା ନିମନ୍ତେ ୧୨ଟି ଅତ୍ୟାଧୁନିକ ସିସିଟିଭି ସହ ଆଉ ୨ଟି ପିଜିଟି କ୍ୟାମେରାକୁ ମିଶାଇ ମୋଟ ୧୪ଟି ସିସିଟିଭି ଲାଗିବ । ଯାହା ତାରବିହୀନ ଭାବେ ନେଟୱାକ୍ ସହ କାମ କରିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାର କଣ୍ଟ୍ରୋଲ ରୁମ୍ ରହିବ । ଆସନ୍ତା ୩ ମାସ ଅର୍ଥାତ୍ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ଏହି କ୍ୟାମେରା ଆଗ୍ରହୀ ସଂସ୍ଥା ଜରିଆରେ ଲଗାଇବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି । ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା ଦେଇଛନ୍ତି। ସେହିଭଳି ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଏଥିପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଉଛି। ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡବ। ଏଥିପାଇ ମହାରଣା ସେବକ ଓ ରୂପକାର ସେବ ନନ୍ଦା ଓ ଭଦ୍ର ଚାପକୁ ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି। ସୂଚନା ଯୋଗ୍ୟ, “ଚନ୍ଦନଯାତ୍ରା” ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି । ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ରୂପେ ପାଳିତ ହୋଇଥାଏ।
