ନୂଆଦିଲ୍ଲୀ : ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଫେବ୍ରୁଆରି ୨୮ରୁ ଯୁଦ୍ଧ ଆରମ୍ଭ କରିଥିବାବେଳେ ଏକୁଟିଆ ତେଲ ଅଭିଭ ତେହେରାନ ଉପରେ ୧୮୦୦୦ ବୋମା ମାଡ଼ କରିଛି। ଇସ୍ରାଏଲ ସେନାର ଏକ ରିପୋର୍ଟ ଅନୁଯାୟୀ ଇରାନର ୪୦୦୦ ରୁ ଅଧିକ ଠିକଣା ଉପରେ ଏହି ବୋମା ମାଡ଼ ହୋଇଥିଲା। ଏହି ଆକ୍ରମଣରେ ଇରାନର ସୈନ୍ୟ ଶକ୍ତି ତଥା ପ୍ରତିରକ୍ଷା ଭିତ୍ତିଭୂମି ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି। ଇସ୍ରାଏଲ ୪୦ ଦିନର ଏହି ଯୁଦ୍ଧ ‘ଅପରେସନ୍ ରୋରିଂ ଲାୟନ’ର ସବିଶେଷ ତଥ୍ୟ ରଖିଛି। ଏହି ସମୟରେ ଇରାନର ବାୟୁସେନା ୮,୫୦୦ ଥର ଉଡ଼ାଣ କରିଥିଲା, ଏଥିରେ ୧୦୦୦ ଥର କେବଳ ଇରାନ ସୀମା ଭିତରେ ପଶି ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ଇରାନର ୧୦,୮୦୦ ରୁ ଅଧିକ ଷ୍ଟ୍ରାଇକିଂ ପଏଣ୍ଟରେ ଆକ୍ରମଣ କରିଥିଲା, ଯେଉଁଥିରେ କେବଳ ୬,୭୦୦ ସାମରିକ ଭିତ୍ତିଭୂମି ରହିଥିଲା। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଥିବାବେଳେ ଇସ୍ରାଏଲ ଆକ୍ରମଣ ବନ୍ଦ କରିନାହିଁ। ଇସ୍ରାଏଲ ଲଗାତର ଦକ୍ଷିଣ ଲେବାନନ୍ ଉପରେ ଆକ୍ରମଣ କରୁଛି।
ଇରାନ ଲେବାନନ୍ ଉପରେ ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ତେବେ ଲେବାନନ୍ ସହିତ ଖୁବ୍ଶୀଘ୍ର ଆଲୋଚନା ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଶ୍ବାସନା ଦେଇଛନ୍ତି। ଲେବାନନ୍ ଉପରେ ଆକ୍ରମଣକୁ ନେଇ ଆମେରିକା ଓ ଇରାନ ମଧ୍ୟ ଯୁଦ୍ଧବିରତି ସୂତା ଖୁଅରେ ଝୁଲିଛି। ଲେବାନନ୍ ବାରମ୍ବାର ଆଲୋଚନା ପାଇଁ ଅନୁରୋଧ କରୁଥିବାରୁ ନେତାନ୍ୟାହୁ ତାଙ୍କ କ୍ୟାବିନେଟ୍କୁ କଥାବାର୍ତ୍ତା ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଜବୁଲ୍ଲାକୁ ନିରସ୍ତ୍ର କରିବା ତଥା ଲେବାନନ ସହିତ ସୁସମ୍ପର୍କ ସ୍ଥାପନ କରିବା ଏହି ଆଲୋଚନାର ପ୍ରମୁଖ ବିଷୟ ହେବ ବୋଲି ନେତାନ୍ୟାହୁ କହିଛନ୍ତି। ତେବେ ଲେବାନନ୍ ସହିତ ଆଲୋଚନା ନ ହେବା ପର୍ୟ୍ୟନ୍ତ ହିଜବୁଲ୍ଲା ସହିତ ଯୁଦ୍ଧବିରତି ହେବ ନାହିଁ ବୋଲି ଇସ୍ରାଏଲ ଅଧିକାରୀ କହିଛନ୍ତି। ଆମେରିକାର ବିଦେଶ ବିଭାଗ କହିଛି ଯେ, ଇସ୍ରାଏଲ ଏବଂ ଲେବାନନ ଆସନ୍ତା ସପ୍ତାହରେ ୱାସିଂଟନରେ ଆଲୋଚନା ଆରମ୍ଭ କରିବେ। ୧୯୪୮ ମସିହାରେ ଇସ୍ରାଏଲ ପ୍ରତିଷ୍ଠିତ ହେବା ପରଠାରୁ ଦୁଇ ଦେଶ ବୈଷୟିକ ଭାବରେ ଯୁଦ୍ଧରେ ଅଛନ୍ତି। ଲେବାନନ୍ ଗତ ୨୪ ଘଣ୍ଟା ହେଲା ଯୁଦ୍ଧ ବିରତି କରିବାକୁ ଅନୁରୋଧ କରିଆସୁଛି। ଇରାନ ସହିତ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇସ୍ରାଏଲକୁ ଲେବାନନ୍ ଉପରେ ଆକ୍ରମଣ କମ୍ କରିବାକୁ ପରାମର୍ଶ ଦେଇଛନ୍ତି।
