ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଳପୂର୍ବକ ନିୟୋଜିତ ହୋଇଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଅତ୍ୟନ୍ତ ଗମ୍ଭୀର ଆଭିମୁଖ୍ୟ ଗ୍ରହଣ କରି ଏହି ସମ୍ବେଦନଶୀଳ ମାମଲାକୁ ଏକ ”ଜାତୀୟ ଗୁରୁତ୍ୱର ବିଷୟ” ଭାବେ ଅଭିହିତ କରି ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, କେନ୍ଦ୍ର ସରକାର ଓ ବୈଦେଶିକ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। ପ୍ରତାରଣାର ଶିକାର ହୋଇଥିବା ୨୬ ଜଣ ଭାରତୀୟଙ୍କ ପରିବାର ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ନିଯୁକ୍ତି ଓ ପର୍ଯ୍ୟଟନ ବାହାନାରେ ଏଜେଣ୍ଟମାନେ ସେମାନଙ୍କୁ ରୁଷ ପଠାଇଥିଲେ ମଧ୍ୟ ସେଠାରେ ପହଞ୍ଚିବା ପରେ ସେମାନଙ୍କ ପାସପୋର୍ଟ ଜବତ କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ସେମାନଙ୍କୁ ବୁଝିପାରୁନଥିବା ଭାଷାରେ ଚୁକ୍ତିନାମା ସ୍ୱାକ୍ଷର କରାଇ ରକ୍ତାକ୍ତ ଯୁଦ୍ଧକ୍ଷେତ୍ରକୁ ଠେଲି ଦିଆଯାଇଛି, ଯାହା ସେମାନଙ୍କ ଜୀବନ ଓ ମୌଳିକ ସାମ୍ବିଧାନିକ ଅଧିକାରର ଚରମ ଉଲ୍ଲଂଘନ ଅଟେ। କୁପିଆନ୍ସକ୍ ଓ ସେଲିଡୋଭୋ ଭଳି ଭୟଙ୍କର ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ଫସି ରହିଥିବା ଏହି ଯୁବକମାନଙ୍କ ସହ ସେପ୍ଟେମ୍ବର-ଅକ୍ଟୋବର ୨୦୨୫ ପରଠାରୁ କୌଣସି ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ବୈଦେଶିକ ମନ୍ତ୍ରଣାଳୟ ଓ ରୁଷରେ ଥିବା ଭାରତୀୟ ଦୂତାବାସକୁ ବାରମ୍ବାର ଗୁହାରି ସତ୍ତ୍ୱେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ପରିବାର ବର୍ଗ ଏବେ ଗଭୀର ଆଶଙ୍କା ମଧ୍ୟରେ ରହିଛନ୍ତି। ସମ୍ବିଧାନର ଧାରା ୩୨ ଅନୁଯାୟୀ କୋର୍ଟରେ ଦାୟର ଏହି ଆବେଦନରେ ଭାରତୀୟ ନାଗରିକଙ୍କ ଜୀବନ ଓ ମର୍ଯ୍ୟାଦା ରକ୍ଷା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ାଯାଇଛି। କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ସମାଲୋଚନା କରି କୋର୍ଟ ଏହି ଘଟଣାକୁ ଏକ ମାନବିକ ସଂକଟ ଭାବେ ଗ୍ରହଣ କରିଥିବାବେଳେ, ବିଦେଶ ମାଟିରେ ବିପଦରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏବେ କୁଟନୈତିକ ଚାପ ସୃଷ୍ଟି ହୋଇଛି।
