ରାୟପୁର: ବିଶ୍ୱବ୍ୟାପୀ ଯୁଦ୍ଧ ଓ ଅସ୍ଥିରତା ସତ୍ତ୍ୱେ ଭାରତ ନିଜର ଦୃଢ଼ ସାମର୍ଥ୍ୟ ପ୍ରମାଣିତ କରିବା ସହ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରକାଶ କରିଛନ୍ତି । ଶନିବାର ଆଇଆଇଏମ ରାୟପୁରର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ କହିଛନ୍ତି ଯେ, ବିଶ୍ୱ ଅର୍ଥନୀତିରେ ଭାରତ ବର୍ତ୍ତମାନ ଶୀର୍ଷ ପାଞ୍ଚଟି ଦେଶ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଗତ ୧୦ ବର୍ଷର ନିରନ୍ତର ବିକାଶ ଦେଶବାସୀଙ୍କ ମଧ୍ୟରେ ଏକ ନୂତନ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି, ବିଶେଷକରି ବଦଳୁଥିବା ବିଶ୍ୱ ପରିସ୍ଥିତିରେ ପ୍ରଯୁକ୍ତିବିଦ୍ୟା, ଶକ୍ତି ଓ ସଂଯୋଗୀକରଣ କ୍ଷେତ୍ରରେ ଭାରତ ନିଜର ଜାତୀୟ ଦକ୍ଷତା ବୃଦ୍ଧି କରି ଏକ ଦୃଢ଼ ନେତୃତ୍ୱ ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିପାରିଛି । ବର୍ତ୍ତମାନର ଜଟିଳ ଭୂ-ରାଜନୈତିକ ସ୍ଥିତି, ବିଶେଷକରି ଇସ୍ରାଏଲ-ଇରାନ ସଂଘର୍ଷ ଯୋଗୁଁ ବିଶ୍ୱ ବଜାରରେ ତୈଳ ଦର ଏବଂ ନିରାପତ୍ତା ବ୍ୟବସ୍ଥା ପ୍ରଭାବିତ ହେଉଥିବା ବେଳେ ଜୟଶଙ୍କରଙ୍କ ଏହି ବକ୍ତବ୍ୟ ବେଶ୍ ଗୁରୁତ୍ୱ ରଖୁଛି । ସେ ଦର୍ଶାଇଛନ୍ତି ଯେ ବିଶ୍ୱ ଶାସନ ପ୍ରଣାଳୀରେ ପରିବର୍ତ୍ତନ ଆସୁଥିବା ବେଳେ ଭାରତ ଡିଜିଟାଲ ବିପ୍ଳବ ଓ ନିଷ୍ପତ୍ତିମୂଳକ ନେତୃତ୍ୱ ଉପରେ ଗୁରୁତ୍ୱ ଦେଉଛି । ଆଗାମୀ ପିଢ଼ିକୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଭାରତ ବର୍ତ୍ତମାନ କେବଳ ଏକ ବଜାର ନୁହେଁ, ବରଂ ବିଶ୍ୱ ସମସ୍ୟାର ଏକ ପ୍ରମୁଖ ସମାଧାନକାରୀ ଦେଶ । ଦେଶକୁ ଅଧିକ ସଶକ୍ତ କରିବା ପାଇଁ ନିଜସ୍ୱ ସାମର୍ଥ୍ୟ ବଢ଼ାଇବା ସହ ବିଶ୍ୱସ୍ତରରେ ବିଶ୍ୱସନୀୟ ସହଭାଗୀତା ସ୍ଥାପନ କରିବା ଏବେକାର ସମୟର ସବୁଠାରୁ ବଡ଼ ଆବଶ୍ୟକତା । ଶକ୍ତି ନିରାପତ୍ତା ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତର ପଦକ୍ଷେପ ଆଜି ସାରା ବିଶ୍ୱ ପାଇଁ ଏକ ଅନନ୍ୟ ଉଦାହରଣ ସାଜିଛି ।
