ଭୁବନେଶ୍ୱର(ସ୍ୱ.ପ୍ର): ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍କା । ଆନ୍ଧ୍ରର ଦାବିକୁ ସ୍ୱୀକାର କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଗେଜେଟ ନୋଟିଫିକେଶନ । ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ମିଳିଲା ଅନୁମତି । ବଂଶଧାରା ନଦୀ ଜଳ ବଣ୍ଟନ ନେଇ ବହୁବର୍ଷ ଧରି ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି । ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟକା ଦେଇଥିବା ବେଳେ ଆନ୍ଧ୍ର ସପକ୍ଷରେ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ଏହି ରାୟ ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ବଢାଇଛି । ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍ସି ସ୍ଥିର ହୋଇଛି । ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିଦେ୍ର୍ଦଶର ଉଲ୍ଲେଖ ରହିଛି । ୧୯୬୨ ମସିହା ୩୦ ସେପ୍େଟମ୍ବରରେ ଏନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଇଛି । ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା । ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା । ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି । ରାୟରେ ଆନ୍ଧ୍ରକୁ ନେରେଡ଼ି ବ୍ୟାରେଜ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଛି । ଡାହାଣ ଡାଇକରେ ୮୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବାକୁ ଅନୁମତି ଦିଆଯାଇଛି । ଓଡ଼ିଶା ପାଇଁ ବାମ ପାଖରେ ଆଉ ଏକ ସ୍ଲୁଇସ୍ ଗେଟ୍ ନିର୍ମାଣର ଅନୁମତି ରହିଛି । ଅବଶିଷ୍ଟ ଛଅ ମାସରେ ନଦୀର ଜଳପ୍ରବାହକୁ ଉଭୟ ରାଜ୍ୟ ୫୦:୫୦ ଅନୁପାତରେ ବାଣ୍ଟି ନେବେ ବୋଲି ନିଦେ୍ର୍ଦଶ ହୋଇଛି । ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବ । ଏହି ଜମିର କ୍ଷତିପୂରଣ ଆନ୍ଧ୍ର ବହନ କରିବ । ଚାଷୀଙ୍କ ସ୍ୱାର୍ଥରେ ପାର୍ଶ୍ୱ କେନାଲ୍ ଦେଇ ୮ ଟିଏମ୍ସି ଜଳ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାର ପରିଚାଳନା ପାଇଁ ଉଭୟ ରାଜ୍ୟର ପ୍ରତିନିଧି ସହ ଏକ କମିଟି ଗଠନ କରାଯିବ । ଏହି ରାୟ ଓଡ଼ିଶାର କୃଷି ଓ ଜଳ ସମ୍ପଦ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।
