କଟକ: ପ୍ରଥମେ ଲୁଣିଆ ସାହି ତା’ ପରେ ମାନସିଂହପାଟଣା । ଏମିତିକି ଶେଖବଜାରରୁ କନିକା ଛକ । ଗୋଟିଏ ପରେ ଗୋଟିଏ ପ୍ରମୁଖ ସାହି ପରେ ବସ୍ତିରେ କାୟା ମେଲାଇଲାଣି ଜଣ୍ଡିସ୍ । କାରଣ ସାହି ପରେ ବାଇଗଣି ବସ୍ତି ଓ ଗାଙ୍ଗୁଲି ବସ୍ତିରେ ୬ଜଣ ଲୋକ ଜଣ୍ଡିସ୍ ରୋଗର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏଭଳି ଭାବେ ଗତ ଦୁଇ ମାସ ଭିତରେ କଟକର ଏକ ପ୍ରକାରର ଅଧା ଅଞ୍ଚଳରେ ଜଣ୍ଡିସ୍ ରୋଗ ବ୍ୟାପିଗଲାଣି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସଂକ୍ରମଣ ହେବା ପରେ ହିଁ ସିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ୨୪ ଘଣ୍ଟିଆ ପିଇବା ପାଣି ପ୍ରଦାନ କରୁଥିବାରୁ ପ୍ରଶାସନ ଡେଙ୍ଗୁରା ପିଟୁଥିଲାବେଳେ ପ୍ରକୃତରେ କେବେ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ କଟକ ସହରରେ କାମଳ ତଥା ଜଣ୍ଡିସ୍ ଭଳି ପାନୀୟଜନିତ ମାରାତ୍ମକ ରୋଗ କାୟା ବିସ୍ତାର କରିଛି । ସିଟି ହସ୍ପିଟାଲ୍ ସମେତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତି କିଛି ଦିନ ବ୍ୟବଧାନରେ ରୋଗୀ ଆସୁଛନ୍ତି । ଏହାରି ମଧ୍ୟରେ ଗତ ଜାନୁଆରୀ ମାସରେ ପ୍ରଥମେ ପ୍ରଦୂଷିତ ପାଣି ପିଇ ଝାଞ୍ଜିରୀମଙ୍ଗଳା ସ୍ଥିତ ଲୁଣିଆ ସାହିରେ ଏକାଧିକ ପରିବାର ପେଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ତା ପରେ ବିକାଶ ଭବନ ପରିସରରୁ ଏକାଧିକ ସିଏମ୍ସି କର୍ମଚାରୀ ଓ ପରେ ଖାନନଗର ଅଞ୍ଚଳରେ କିଛି ଲୋକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହୋଇଥିଲେ । ଏହା ପରେ ଫେବ୍ରୁଆରୀ ମାସରେ ମସ୍ତରାମ୍ ମଠ, ଶେଖବଜାର, ମାନସିଂହପାଟଣା, କନିକା ଛକ ସମେତ ଆଖାପାଖ ଅଞ୍ଚଳରେ ବ୍ୟାପକ ମାତ୍ରାରେ ପିଲାମାନେ ରୋଗାଗ୍ରସ୍ତ ହୋଇଥିଲେ । ତାପରେ ଏବେ ବାଇଗଣି ବସ୍ତିରେ ଜଣେ ଓ ଗାଙ୍ଗୁଲି ବସ୍ତିରେ ୫ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଦୁଇ ମାସ ମଧ୍ୟରେ ସାହିରୁ ନେଇ ବସ୍ତିରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଥିଲାବେଳେ ପାଖାପାଖି ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ସହରଯାକ ଅସ୍ୱାସ୍ଥ୍ୟକର ପରିବେଶ ସହିତ ପୁରୁଣା ପାଣି ପାଇପ୍ ବିଛା ହୋଇଥିଲେ ମଧ୍ୟ ତାହାକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନାହିଁ । ଏନେଇ କମିସନର କିରନଦୀପ କୌର ସହୋତା କହିଛନ୍ତି ଯେ, ଲୋକମାନଙ୍କୁ ସଚେତନ କରାଯାଉଛି । ଯାହାକୁ ସନ୍ଦେହ ହେଉଛନ୍ତି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ପରୀକ୍ଷା କରାନ୍ତୁ । ଏହାସହ ଆମର ସ୍ୱାସ୍ଥ୍ୟ ଟିମ୍ ଏ ଦିଗରେ ସଜାଗ ରହିଛି । ସନ୍ଦିଗ୍ଧ ଅଞ୍ଚଳରୁ ଲୋକଙ୍କ ରକ୍ତ ନମୁନା ସହ ବିଭିନ୍ନ ଜଳ ଉତ୍ସର ନମୁନା ସଂଗ୍ରହ କରାଯାଇଛି । ହାଲୋଜେନ ବଟିକା ଆଦି ପ୍ରଦାନ କରାଯାଉଛି ।
