ଭୁବନେଶ୍ୱର : ରାମନବମୀ ଶୋଭାଯାତ୍ରା ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିନା ହେଲମେଟରେ ମୋଟର ସାଇକେଲ ଚଳାଇବା ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, ପବିତ୍ର ରାମ ନବମୀ ଶୋଭାଯାତ୍ରାରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କୁ ବିନା ହେଲମେଟରେ ମଟର ସାଇକେଲ ଚଳାଉଥିବା ଦେଖିବାକୁ ମିଳିଲା । ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ରାଜ୍ୟର ସାଧାରଣ ଜନତା ନାପସନ୍ଦ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ବିଜେପି ସରକାରଙ୍କ ନୀତି ନୈତିକତାକୁ ନେଇ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ମନ୍ତ୍ରୀଙ୍କୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ରାଜ୍ୟ ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଲେନିନ ଦାବି କରିଛନ୍ତି ।
