ଭୁବନେଶ୍ୱର,୨୯/୦୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଶନିବାର ଦିଲ୍ଲୀ ଗସ୍ତ କରିଛନ୍ତି । ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ବିଜେପି ଶିବିରରେ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଉଭୟେ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଏହା ପୂର୍ବରୁ ସକାଳେ ଶ୍ରୀ ସାମଲ ଦିଲ୍ଲୀ ଯାତ୍ରା କରିଥିଲେ । ଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃମଣ୍ଡଳୀଙ୍କୁ ଉଭୟ ଭେଟିବାର କାର୍ଯ୍ୟକ୍ରମ ଥିବା ଦଳୀୟ ସୂତ୍ରରୁ ଖବର ମିଳିଛି । ସୂତ୍ର ଅନୁସାରେ ଏହି ଗସ୍ତ କାଳରେ ଦୁଇନେତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିପାରନ୍ତି । ମାତ୍ର ଏ ନେଇ କୌଣସି ବିଧିବଦ୍ଧ ସୂଚନା ଜାରି ହୋଇନାହିଁ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କିମ୍ବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଆଲୋଚନା କରିପାରନ୍ତି । ଆସନ୍ତା ଜୁନ୍କୁ ରାଜ୍ୟରେ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ପୂରିବ । ଏବେ ବି ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ଏହି ପଦ ପୂରଣ ସହ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଓ ସମ୍ପ୍ରସାରଣ ନେଇ ଗତ କିଛିଦିନ ହେବ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହାସହ ନିଗମ, ବୋର୍ଡ ଆଦିରେ ଦଳୀୟ ନେତାମାନଙ୍କୁ ନିଯୁକ୍ତ କରିବା ନେଇ ଦୀର୍ଘଦିନରୁ ପ୍ରକ୍ରିୟା ଲଟକି ରହିଛି । ଏସବୁ ଦିଗରେ କିଛି ବଡ଼ ନିଷ୍ପତ୍ତି ଖୁବଶୀଘ୍ର ହୋଇପାରେ । ସେଥିପାଇଁ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ସହ ମୋହନ ଓ ମନମୋହନ ଆଲୋଚନା କରିବାକୁ ଦିଲ୍ଲୀ ଯାଇଥିବା ଶୁଣାଯାଉଛି । କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ବି ସାକ୍ଷାତ ହୋଇପାରେ । ରବିବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିପାରନ୍ତି ।
