ଭୁବନେଶ୍ୱର: ଗୋଟିଏ ବଖରା ଘର । ଗୋଟିଏ ବ୍ଲାକବୋର୍ଡ । ପିଲା ବସି ପଢ଼ୁଛନ୍ତି ୫ଟି କ୍ଲାସର । ପ୍ରଥମରୁ ପଞ୍ଚମ ଶ୍ରେଣୀ । ବେଳେ ବେଳେ ବାରଣ୍ଡାରେ ବି ପିଲା ପଢ଼ୁଛନ୍ତି । ଗୋଟିଏ କି ଦୁଇଟି ନୁହେଁ ରାଜ୍ୟର ୧୮୯୮ଟି ପ୍ରାଥମିକ ସ୍କୁଲର ଏହା ହେଲା ଦୃଶ୍ୟ । ଗୋଟିଏ ଶ୍ରେଣୀ ଗୃହରେ ପାଠପଢ଼ା ହେଉଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩୪ଟି ସ୍କୁଲରେ ଗୋଟିଏ ଶ୍ରେଣୀଗୃହ ରହିଛି । ସେହିପରି ରାୟଗଡ଼ା ଜିଲ୍ଲାରେ ୨୦୯ଟି ସ୍କୁଲରେ ଗୋଟିଏ ଶ୍ରେଣୀଗୃହ ରହିଛି । ବଲାଙ୍ଗିର ଜିଲ୍ଲାରେ ୧୫୧, କଳାହାଣ୍ଡିର ୧୪୬, ମୟୂରଭଞ୍ଜ ଜିଲ୍ଲାରେ ୧୨୦ ଓ ଗଞ୍ଜାମ ଜିଲ୍ଲାର ୧୦୮ଟି ସ୍କୁଲରେ ମାତ୍ର ଗୋଟିଏ ଶ୍ରେଣୀଗୃହ ରହିଛି । ପ୍ରାୟ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟରେ ବଖୁରିଆ ଶ୍ରେଣୀଗୃହ ରହିଛି । କେଉଁଠି କ୍ଲାସରୁମ୍ ନାହିଁ ତ ଆଉ କେଉଁଠି ପଢ଼ାଇବାକୁ ଶିକ୍ଷକ ନାହାନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୫୩ ହଜାର ୫୬୧ଟି ପ୍ରାଥମିକ ଶିକ୍ଷକ ପଦବି ଖାଲି ପଡ଼ିଛି । ଏଥିରୁ ବିଭିନ୍ନ ପ୍ରାଥମିକ ସ୍କୁଲରେ ୭୭୫ଟି ବରିଷ୍ଠ ପ୍ରଧାନଶିକ୍ଷକ ପଦବି ଖାଲି ପଡି଼ଛି । ବିଭିନ୍ନ ଉଚ୍ଚ ପ୍ରାଥମିକ ସ୍କୁଲରେ ୧୩ ହଜାର ୬୩୨ଟି ପ୍ରଧାନ ଶିକ୍ଷକ ପଦବି ଖାଲି ପଡ଼ିଛି । ବିଭିନ୍ନ ପ୍ରାଥମିକ ସ୍କୁଲରେ ୬ ହଜାର ୬୧୪ଟି ପ୍ରଧାନଶିକ୍ଷକ ପଦବି ଖାଲି ପଡ଼ିଛି । ମୋଟ୍ ୨୧ ହଜାର ୨୧ଟି ପ୍ରଧାନ ଶିକ୍ଷକ ପଦବି ଖାଲି ରହିଛି । ବିଜ୍ଞାନ ଗ୍ରାଜୁଏଟ୍ ଶିକ୍ଷକ ପଦବି ୧୪ ହଜାର ୩୯୧ଟି ଖାଲି ରହିଛି । କଳା ଗ୍ରାଜୁଏଟ୍ ଶିକ୍ଷକ ପଦବି ୬୯୯୦ ଖାଲି ରହିଛି । ସେହିପରି ୧୧ ହଜାର ୧୫୯ଟି ଭି(ବି) ଶିକ୍ଷକ ପଦବି ଖାଲି ରହିଛି । କେବଳ ଏତିକି ନୁହେଁ ରାଜ୍ୟରେ ଲେଭଲ ଭି(ଏ) ପଦବିରେ ୩୬ ହଜାର ୫୮୮ଜଣ ଶିକ୍ଷକ ଅଧିକ ଥିବା ସରକାର ଦର୍ଶାଇଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କହିବା କଥା ଏହି ପଦବିରେ ବଳକା ଶିକ୍ଷକ ଅଛନ୍ତି ସେମାନଙ୍କର ପଦୋନ୍ନତି ହୋଇନାହିଁ । ତେଣୁ ଲେଭଲ ଭି(ଏ)ରେ ଯୋଗ ଦେଉଥିବାରୁ କନିଷ୍ଠ ଶିକ୍ଷକଙ୍କ ସଂଖ୍ୟା ବଢ଼ୁଛି । ଦେଖିବାକୁ ଗଲେ ପ୍ରାଥମିକ ଶିକ୍ଷାରେ ବରଂ କମ ରହିଛନ୍ତି । ଗତବର୍ଷ ଏପ୍ରିଲ୍ରେ ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲିଛି । ପ୍ରାଥମିକ ପର୍ଯ୍ୟାୟରେ ସରକାର ସମସ୍ତ ସ୍କୁଲରେ ପିଲାଙ୍କ ସଂଖ୍ୟା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ପାଇଁ ଘୋଷଣା କରି ଏହାର ମାର୍ଗଦର୍ଶିକା ମଧ୍ୟ ଜାରି କଲେ । ଶିକ୍ଷାବର୍ଷ ସରିବ ମାତ୍ର ଶିଶୁ ସେବିକା ନିଯୁକ୍ତି ହୋଇପାରିଲେ ନାହିଁ । ଶିଶୁଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ସ୍ୱତନ୍ତ୍ର କ୍ଲାସରୁମ୍ଟିଏ ମଧ୍ୟ ନାହିଁ ।
କେବଳ ଏତିକି ନୁହେଁ ନିକଟରେ ବିଧାନସଭା ଷ୍ଟାଣ୍ଡିଂ କମିଟି-୪ ପକ୍ଷରୁ ପ୍ରକାଶ ରିପୋର୍ଟରେ ସ୍କୁଲରେ ଶିକ୍ଷକ, ପ୍ରଧାନଶିକ୍ଷକ ନରହିବାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା । ରାଜ୍ୟରେ ଅଧିକ ମାତ୍ରାରେ ଶିକ୍ଷକ ପଦବି ଖାଲି ପଡ଼ିଛି । ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଧିକ ସଂଖ୍ୟାରେ ଶିକ୍ଷକ ଓ ଅଣଶିକ୍ଷକ ପଦବି ଖାଲି ରହିଛି । ଫଳରେ ଗୁଣାତ୍ମକ ଶିକ୍ଷାଦାନରେ ବାଧ୍ୟାପ୍ରାପ୍ତ ହେଉଛି । ତେଣୁ ସରକାର ତୁରନ୍ତ ଏହି ସବୁ ସ୍କୁଲମାନଙ୍କରେ ଶିକ୍ଷକ ନିଯୁକ୍ତି ଦିଅନ୍ତୁ ବୋଲି ମଧ୍ୟ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଖାଲି ପଡ଼ିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପଦବିରେ ନିଯୁକ୍ତି ଦିଆଯାଉ । ଅନେକ ସ୍କୁଲରେ କ୍ଲାସରୁମ୍ ଅଭାବକୁ ଦେଖି ପ୍ରସ୍ତାବ ଦେଇଛି, ଅଧିକ କ୍ଲାସ୍ରୁମ୍ କରାଯାଉ । ଏଥିସହ ସ୍କୁଲର ଭିତ୍ତିଭୂମି ବିକାଶ କରାଯାଉ ବୋଲି ମଧ୍ୟ ପ୍ରସ୍ତାବ ଦେଇଛନ୍ତି । କେବଳ ଏତିକି ନୁହେଁ ସ୍କୁଲରେ ପିଲାଙ୍କୁ ଅତି ନିମ୍ନମାନର ପୋଷାକ ଦିଆଯାଉଥିବା ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛି କମିଟି ।
