ବାସୁଦେବପୁର : ବାସୁଦେବପୁର ବ୍ଳକ ଅରଣ୍ଡୁଆ ମଲିକ ସାହିରେ ଅଘଟଣ । ପୋଖରୀରେ ବୁଡ଼ି ଚାଲିଗଲା ଦୁଇ କଅଁଳ ଶିଶୁ କନ୍ୟାଙ୍କ ଜୀବନ । ଅରଣ୍ଡୁଆ ମଲ୍ଲିକସାହି ଗ୍ରାମର ସତ୍ୟବ୍ରତ ବାରିକଙ୍କ ୧୦ ବର୍ଷର ଝିଅ ତପଦୀପା ଓ ଅନ୍ୟଜଣେ ବିଜୟ ବାରିକଙ୍କ ଝିଅ ଅର୍ଣ୍ଣପୂର୍ଣ୍ଣା ବୋଲି ଜଣାପଡ଼ିଛି । ଏହି ଦୁଇଜଣ ସାଙ୍ଗ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଶୁକ୍ରବାର ସକାଳେ ଚାରି ପାଞ୍ଚ ଜଣ ସାଙ୍ଗ ହୋଇ ନିକଟସ୍ଥ ପୋଖରୀ ନିକଟକୁ ଖେଳିବାକୁ ଯାଇଥିଲେ । ସେଠାରେ ପୋଖରୀ ନିକଟରେ ଶାମୁକା ଖୋଜିବାକୁ ଚେଷ୍ଟା କରୁଥିବା ବେଳେ ଅସାବଧାନତାବସତଃ ପୋଖରୀରେ ପ୍ରଥମେ ତପଦୀପା ପଡ଼ି ଯାଇଥିଲେ । ଫଳରେ ପାଖରେ ଥିବା ଅର୍ଣ୍ଣପୂର୍ଣ୍ଣା ତାକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ପଡ଼ି ଯାଇଥିଲା । ପାଖରେ ଥିବା ଅନ୍ୟମାନେ ଗାଁ ଲୋକଙ୍କୁ ଡାକ ପକାଇବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଫଳରେ ଗାଆଁ ଲୋକ ପହଞ୍ଚି ତପଦୀପା ପୋଖରୀରେ ଭାସୁଥିବା ଦେଖି ତାକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କୁ ଖୋଜି ନ ପାଇବାରୁ ସ୍ଥାନୀୟ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀର କର୍ମଚାରୀ ପୋଖରୀରେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
