ନୂଆଦିଲ୍ଲୀ, ୧୩।୩: ବିଶ୍ୱ ବଜାରରେ ଏବେ ଶକ୍ତି ସଙ୍କଟର କଳାବାଦଲ । ହର୍ମୁଜ ପ୍ରଣାଳୀ ପରେ ଏବେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ବାବ-ଅଲ-ମନ୍ଦେବ’ ବନ୍ଦ କରିବାକୁ ଧମକ ଦେଇଛି ଇରାନ । ଯଦି ଆମେରିକା କୌଣସି ରଣନୈତିକ ଭୁଲ୍ କରେ, ତେବେ ଏହି ରାସ୍ତା ଦେଇ ଟୋପାଏ ବି ତେଲ ଯିବାକୁ ଦିଆଯିବ ନାହିଁ ବୋଲି ଇରାନର ସାମରିକ ଅଧିକାରୀ ଚେତାବନୀ ଦେଇଛନ୍ତି । ଏହି ଧମକ ପରେ ଭାରତ ସମେତ ସାରା ବିଶ୍ୱରେ ତେଲ ଓ ଗ୍ୟାସ୍ ଯୋଗାଣକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।
ଭାରତ ନିଜର ଆବଶ୍ୟକ କରୁଥିବା ତେଲ ଓ ଗ୍ୟାସର ପ୍ରାୟ ୮୦-୯୦ ପ୍ରତିଶତ ଉପସାଗରୀୟ ଦେଶଗୁଡ଼ିକରୁ ଆମଦାନୀ କରିଥାଏ । ଭାରତର ପ୍ରାୟ ୮୫ ପ୍ରତିଶତ ତେଲ-ଗ୍ୟାସ ଆମଦାନୀ ଏହି ହର୍ମୁଜ, ବାବ-ଅଲ-ମନ୍ଦେବ ଏବଂ ଲୋହିତ ସାଗର ଦେଇ ଆସିଥାଏ । କେବଳ ସେତିକି ନୁହେଁ, ଭାରତର ମୋଟ ରପ୍ତାନିର ୩୫ ପ୍ରତିଶତ ମଧ୍ୟ ଏହି ମାର୍ଗ ଦେଇ ହୋଇଥାଏ । ତେଣୁ ଏହି ରାସ୍ତା ବନ୍ଦ ହେଲେ ଭାରତୀୟ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ । ବିଶେଷଜ୍ଞମାନେ ବାବ-ଅଲ-ମନ୍ଦେବକୁ ଇରାନର ଦ୍ୱିତୀୟ ଶକ୍ତିଶାଳୀ ‘ପ୍ରେସର ପଏଣ୍ଟ’ ଭାବେ ବିବେଚନା କରୁଛନ୍ତି । ୟେମନର ହୁତି ବିଦ୍ରୋହୀଙ୍କୁ ଇରାନର ସମର୍ଥନ ରହିଛି । ଏହି ବିଦ୍ରୋହୀମାନେ ବାବ-ଅଲ-ମନ୍ଦେବ ଅଞ୍ଚଳକୁ ନିୟନ୍ତ୍ରଣ କରନ୍ତି । ୨୦୨୩ ନଭେମ୍ବରରୁ ଏପର୍ଯ୍ୟନ୍ତ ହୁତିମାନେ ପ୍ରାୟ ୧୦୦ରୁ ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିସାରିଲେଣି, ଯାହାଦ୍ୱାରା ୬୦ରୁ ଅଧିକ ଦେଶ ପ୍ରଭାବିତ ହୋଇଛି । ହୁତିଙ୍କ ଆକ୍ରମଣ ଭୟରେ ଏହି ମାର୍ଗ ଦେଇ ତେଲ ପରିବହନ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।
ଆରବୀ ଭାଷାରେ ଏହାକୁ ‘ଦୁଃଖର ଦ୍ୱାର’ (ଗେଟ୍ ଅଫ୍ ଟିଅର୍ସ) ବୋଲି କୁହାଯାଏ । ଏହା ୟେମନ ଏବଂ ଜିବୁତି ମଧ୍ୟରେ ଥିବା ଏକ ୨୬ କିଲୋମିଟର ଲମ୍ବର ସାମୁଦ୍ରିକ କରିଡର । ପ୍ରତିଦିନ ଏହି ପଥ ଦେଇ ପ୍ରାୟ ୬୨ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଓ ପେଟ୍ରୋଲିୟମ ଜାତ ଦ୍ରବ୍ୟ ପରିବହନ ହୋଇଥାଏ । ସାରା ବିଶ୍ୱର ସାମୁଦ୍ରିକ ତେଲ ବାଣିଜ୍ୟର ପ୍ରାୟ ୯ ପ୍ରତିଶତ କେବଳ ଏହି ରାସ୍ତା ଦେଇ ଯାଇଥାଏ । କହିରଖୁଛୁ ଯେ, ସାଉଦି ଆରବର ଅଧିକାଂଶ ତେଲ କେନ୍ଦ୍ର ଲୋହିତ ସାଗର କୂଳରେ ଅବସ୍ଥିତ । ଏଠାରୁ ଭାରତ ଓ ଚୀନ୍ ଭଳି ଏସୀୟ ଦେଶକୁ ବହୁ ପରିମାଣର ତେଲ ପଠାଯାଏ । ଯଦି ବାବ-ଅଲ-ମନ୍ଦେବ ବନ୍ଦ ହୁଏ, ତେବେ ସାଉଦିର ରପ୍ତାନି ସମ୍ପୂର୍ଣ୍ଣ ଠପ୍ ହୋଇଯିବ ଏବଂ ବିଶ୍ୱ ବଜାରରେ ତେଲ ଦରରେ ନିଆଁ ଲାଗିବ । ଇରାନର IRGC ସ୍ପଷ୍ଟ କରିଛି ଯେ, ଆମେରିକା ବା ତା’ର ସହଯୋଗୀ ଦେଶର କୌଣସି ଜାହାଜକୁ ଏହି ରାସ୍ତା ଦେଇ ଯିବାକୁ ଦିଆଯିବ ନାହିଁ । ଯଦି ଏହି ଦୁଇଟି ପ୍ରମୁଖ ଜଳପଥ (ହର୍ମୁଜ ଓ ବାବ-ଅଲ-ମନ୍ଦେବ) ବନ୍ଦ ହୁଏ, ତେବେ ବିଶ୍ୱର ଶକ୍ତି ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ।
